ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ: ଶାସକ-ବିରୋଧୀ ମୁହାଁମୁହିଁ
- ଗୃହ ବାରମ୍ବାର ମୁଲତବୀ
ଭୁବନେଶ୍ୱର// TATKAL ODISHA//
‘ଚାଷୀ ମାରଣ ନୀତି ଚଳିବ ନାହିଁ I ସରକାର ତୁମେ ହାଏ ହାଏ‘.. ଏଭଳି ସ୍ଲୋଗାନ ଦେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ଯଭାଗକୁ ଆସି ନାରାବାଜି ସହ ପ୍ରବଳ ହଟଗୋଳ କରିଛନ୍ତି I

ସେହିପରି ଶାସକ ବିଜେଡି ସଭ୍ୟମାନେ ବାଚସ୍ପତିଙ୍କ ପୋଡିଅମ ସମ୍ମୁଖରେ ଚାଷୀଙ୍କୁ କେନ୍ଦ୍ର ଦେଉନି ସାର ସ୍ଲୋଗାନ ଦେଇ ଅନୁରୂପ ଭାବେ ହୋହାଲ୍ଲା କରିବାରୁ ଗୃହର ସ୍ଥିତି ସରଗରମ ହୋଇଛି I
ଫଳରେ ବିରୋଧୀ – ଶାସକ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ 10.31ରୁ 11.30 ପର୍ଯ୍ୟନ୍ତ ମୁଲତବୀ କରିଥିଲେ I
ପରେ ଗୃହ ଆରମ୍ଭ ହେବା କ୍ଷଣି ଉଭୟ ବିରୋଧୀ ଓ ଶାସକ ପୁଣି ନାରାବାଜି ସହ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ 11.31ରୁ ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଥିଲେ I ପୁଣି ଅପରାହ୍ନ 4ରେ କେବଳ ବିରୋଧୀ ଗୃହ ମଝିକୁ ଆସି ହଟଗୋଳ କରିଥିଲେ I ବାଚସ୍ପତି ବାଧ୍ୟ ହୋଇ ଗୃହକୁ 30 ମିନିଟ ପାଇଁ ମୁଲତବୀ କରିଥିଲେ I ପରେ ସମାନ ସ୍ଥିତି ଉପୁଜି ଥିଲା I
ଗୃହ ଭିତରେ ଓ ବାହାରେ ସ୍ଥିତି ସରଗରମ ଥିଲା I କଂଗ୍ରେସ ଓ ବିଜେପି ସଭ୍ୟ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା ବେଳେ ବିଜେଡି ସଭ୍ୟମାନେ ରାଜଭବନ ଯାଇ ସ୍ମାରକ ପତ୍ର ଦେଇଥିଲେ I
ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ସରକାର ଚାଷୀଙ୍କୁ ଭଣ୍ଡୁଛନ୍ତି I ଫସଲ ବୀମା ପ୍ରଦାନକୁ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ I ଅପରପକ୍ଷରେ ଶାସକ ବିଜେଡି ସଭ୍ୟମାନେ ମଧ୍ୟ ଚାଷୀ ସମସ୍ୟା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦିବା ସହ ଫସଲର ସହାୟକ ମୂଲ୍ୟ କାହିଁକି ବୃଦ୍ଧି ହେଉନି ବୋଲି ପ୍ରଶ୍ନ ଉତ୍ଥାପନ କରିଥିଲେ I ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଥିବା ବିଜେଡି ଅଭିଯୋଗ କରିଛି ।