ବାହାରିଲା ନିଷ୍କର୍ଷ : କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀ, ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା
- ଭୁବନେଶ୍ୱର//TATKAL ODISHA//
କିଡ୍ନୀ ଟ୍ରାନ୍ସ ପ୍ଲାଣ୍ଟ ରୋଗୀମାନଙ୍କ ସହ ଅପରେସନ୍ ପରବର୍ତ୍ତୀ ଚିକିତ୍ସା, ସେବା ଓ ପରାମର୍ଶ ନିମନ୍ତେ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ତରଫରୁ ନିୟମିତ ଭାବେ କରାଯାଉଥିବା ବ୍ୟବସ୍ଥାର ଏକ ଅଂଶ ଭାବେ ମଙ୍ଗଳବାର ସ୍ଥାନୀୟ ଓଡ଼ିଶା ଓୗଷଧ ନିଗମ ପରିସରରେ ଏକ ସିଧାସଳଖ ଆଲୋଚନା ବୈଠକ ହୋଇଥିଲା । ଏଥିରେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ପ୍ରାୟ ୯୦ ଜଣ ରୋଗୀ ଏବଂ ତାଙ୍କର ଯତ୍ନନେଉଥିବା ନିକଟ ସଂପର୍କୀୟ ଯୋଗଦେଇଥିଲେ ।

ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅଧ୍ୟକ୍ଷ ପ୍ରଫେସର ଲୁସୀ ଦାସ୍, ୟୁରୋଲୋଜି ବିଭାଗର ପ୍ରଫେସର ସମୀର ସ୍ୱାଇଁ, ନେଫ୍ରେଲୋଜି ବିଭାଗ ପ୍ରଫେସର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ।
ରୋଗୀ ଅନାମିକା ସାହୁ, ପୂଜା ଦାସ, ଦେବୀ ପ୍ରସାଦ ମହାନ୍ତି, ଉମାକାନ୍ତ ସାହୁ, ସୁଚେତା ପରିଡ଼ା, ରଜନୀ ପାତ୍ର, ଆଶ୍ରିୟା ଆଦିନୀ, ଅଶୋକ କୁମାର ସାହୁ, ସନ୍ଧ୍ୟା ଦେବୀ, ପଦ୍ମଲୋଚନ ସ୍ୱାଇଁ, ପର୍ଶୁରାମ ଜେନା, ଦୀନେଶ ସେଠୀ, ସୁଜାତା ପରିଜା, ମିତ୍ରଭାନୁ ପ୍ରଧାନ ପ୍ରମୁଖ ଢ଼େଙ୍କାନାଳ, ଯାଜପୁର, କଟକ, ସମ୍ବଲପୁର, ପୁରୀ, କନ୍ଧମାଳ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂପୁର ଆଦି ଜିଲ୍ଲାରୁ ଆସିଥିବା ରୋଗୀ ଓ ତାଙ୍କର ନିକଟ ସଂପର୍କୀୟମାନେ ନିଜ ନିଜର ମତାମତ ରଖିଥିଲେ ।
ମୁଖ୍ୟତଃ ହସ୍ପିଟାଲରେ ଅପରେସନ୍ ପୂର୍ବବର୍ତ୍ତୀ ପରାମର୍ଶ ଓ ସାହାଯ୍ୟ, ଅପରେସନ୍ ସମୟରେ ଡାକ୍ତରଖାନାରେ ମିଳୁଥିବା ଡାକ୍ତର ଓ ନର୍ସମାନଙ୍କର ସେବା, ସଂପୂର୍ଣ୍ଣ ମାଗଣା ଅପରେସନ୍, ମାଗଣା ଓୗଷଧ, ଓୗଷଧର ଗୁଣବତ୍ତା, ହସ୍ପିଟାଲରୁ ମିଳୁଥିବା ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଓ ଯତ୍ନ ଆଦି ବିଷୟରେ ରୋଗୀମାନେ ନିଜ ନିଜର ମତ ରଥିଥିଲେ । କହିଲାବେଳେ ଅନେକ ରୋଗୀ ଆବେଗାତ୍ମକ ଭାବେ ଡାକ୍ତର ଓ ନର୍ସମାନଙ୍କ ଠାରୁ ମିଳିଥିବା ବାପା-ମା ପରି ବ୍ୟବହାର ଓ ଯତ୍ନ ନିମନ୍ତେ ନିଜର ଅଶେଷ କୃତଜ୍ଞତା ଜଣାଇଥିଲେ ।
ସମସ୍ତେ ମତ ଦେଇଥିଲେ ଯେ ଆମେ ପ୍ରାୟ ୧୦୦ଜଣ ରୋଗୀ ନିରାମୟ ଓୗଷଧ ନିୟମିତ ଖାଉଛୁ । ନିରାମୟ କାଉଣ୍ଟରରୁ ଥରକେ ମାସକ ପାଇଁ ଆଗୁଆ ଓୗଷଧ ସେମାନଙ୍କୁ ମିଳୁଛି । ଓୗଷଧ ବେଶ ଫଳପ୍ରଦ ହେଉଛି ।
ରୋଗୀମାନେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି । ତାଙ୍କ ମଧ୍ୟରୁ କେତେଜଣ ନିଜ ନିଜ କାମରେ ଯୋଗ ଦେଲେଣି ।
ନିଗମର ଅଧ୍ୟକ୍ଷ ଶ୍ରୀମତୀ ପୋମା ଟୁଡ଼ୁ ନିରାମୟ ଓୗଷଧର ଉପଲବ୍ଧିତା, ଗୁଣବତ୍ତା ଓ ପାର୍ଶ୍ୱପ୍ରତିକ୍ରିୟା ବାବଦରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ । ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ ‘‘ ଏହି ଓୗଷଧ ଆମର ଜୀବନ ବଞ୍ଚାଇଛି । ଆମ ଦେହରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନାହିଁ ’’ ବୋଲି କହିଥିଲେ ।
ଏସସିବି ଉଚ୍ଚମାନର ଚିକିତ୍ସା ଓ ଓୗଷଧ ଯୋଗାଣ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ ଓ ସୁବିଧା ଜନକ କରିବା ପାଇଁ ଆମେ ପ୍ରୟାସରତ ଅଛୁ ବୋଲି ଅଧ୍ୟକ୍ଷ ଡାକ୍ତର ଲୁସି ଦାସ କହିଥିଲେ । ତାଙ୍କର ସଂପର୍କୀୟ, ସାମାଜିକ ସଂଗଠନ ଓ ଗଣମାଧ୍ୟମଙ୍କର ସହଯୋଗ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସମୃଦ୍ଧ କରିବ ବୋଲି ପ୍ରଫେସର ସ୍ୱାଇଁ ଏବଂ ପ୍ରଫେସର ଆଚାର୍ଯ୍ୟ କହିଥିଲେ ।