ମନୋଜ କୁମାର ମହାପାତ୍ରଙ୍କ ଗଳ୍ପ-7:’ବଡ଼ ବିଚିତ୍ର ଏ ଫକିର’ !
- //TATKAL ODISHA//
- ଗଳ୍ପ :ବଡ଼ ବିଚିତ୍ର ଏ ଫକିର !
ମନୋଜ କୁମାର ମହାପାତ୍ର
++++++++++++++++++++++++++++
ତୁମେ ମୋ ପାଖକୁ ସତେଜ ହିଲ୍ଲୋଳ ଭଳି କାହିଁକି ଆସୁଛ ?ମନରେ, ଚିନ୍ତାରେ କେତେବେଳେ ରୂପଟିଏ ହେଇ ତ କେତେବେଳେ ଆବେଗ-ମିଶ୍ରିତ ଭାବନା ବା କଳ୍ପନା ବା ସ୍ୱପ୍ନଟିଏ ହେଇ ମୋର ଅସ୍ତିତ୍ବକୁ ପ୍ରକମ୍ପିତ କରୁଛ l ତୁମେ କଣ ଜାଣିନ ଯେ ମୋ ଦ୍ୱାରା ଶାଗ ସିଜିବନି କି ହୁଙ୍କାରି ପାରିବିନି l ମୋ ଚାରିପାଖେ ପରା ବିଭିନ୍ନ ପ୍ରକାର ସାପ କିଲବିଲ ହେଉଛନ୍ତି , କିଏ ବିଷଧର ତ କିଏ ଛଳନାକାରୀ l ତୁମେ ତ ଜାଣିଛ ଏ ମାନଙ୍କର ମହା-ଫୁତକାର ଶୁଣି ଶୁଣି ମୁଁ ପ୍ରାୟ ବେଙ୍ଗ ହେଇଗଲିଣି l ଭାବୁଛି ବାକି ଜୀବନଟା ସାରୁଗଛ ମୂଳରେ ଚୁପଚାପ ବସି ବିତେଇଦେବି l ହେଲେ ମୋର ପ୍ରକୃତି କଣ ନୀରବରେ ମୋତେ ବସିବାକୁ ଦେଉଛି କି l କେଁ କଟର ବୋବାଳି ଛାଡ଼ୁଛି l ସେଥିପାଇଁ ତ ସାପମାନଙ୍କର ନଜର ମୋ ଉପରେ ବେଶୀ l ସେଥିରେ ପୁଣି ବୋଝ ଉପରେ ନଳିତାବିଡା ଭଳି ତୁମେ ମଝିରେ ମଝିରେ ଆସି ମୋତେ ସ୍ୱପ୍ନରେ ଦେଖାଦେଉଛ l କହିଲ ଭଲା ମୁଁ ତୁମ କେଉଁ କାମରେ ଆସିବି ? ବିରକ୍ତି ସ୍ୱରରେ ବିବେକ ଦାସ ଏମିତି ଏଣୁତେଣୁ ଅନୁଚ ସ୍ୱରରେ କହି ଚୁପ ରହିବାକୁ ଚେଷ୍ଟାକଲେ l
ଚେଷ୍ଟା କଲେ ଵି ସେ ନିରବତାର ଚାଦର ଘୋଡ଼ିପାରିଲେନି l କେମିତିବା ଚୁପ ହେବେ ! ହେଇ ଦେଖୁନ,ତାଙ୍କର ଅଭିମାନ ଭରା ମୁହଁ ସେତେବେଳକୁ ଲାଲ ପଡ଼ିଗଲେ ଵି ଆଗରେ ଠିଆ ହେଇଥିବା ବୁଢ଼ା ଫକିରଙ୍କର ହସ ଥମିବାର ନାଁ ନେଉନି l ତୁହାକୁ ତୁହା ହସ ତାଙ୍କର ପାକୁଆ ପାଟିରୁ ଝରି ପଡୁଛି l ବିବେକବାବୁ ଅନୁଭବ କଲେ ଯେ ସତେକି କଟା ଘାଆରେ ହସଗୁଡାକ ଲୁଣ ବିଞ୍ଚି ଦେଉଛି ! ସେ ଚିତ୍କାର କରି କହି ଉଠିଲେ - ହଇଓ ସନ୍ଥ ପୁରୁଷ ! ତୁମେ ଏଠାରୁ ଚାଲିଗଲ l ମୋର ଆଦର୍ଶ ଫାଦର୍ଶ ଆଉ ଦରକାର ନାହିଁ l
ବୁଢ଼ା ଫକିର କହିଲେ - ତୁମେ ଏମିତି ରାଗୁଛ କାହିଁକି ? କହିଲ ଭଲା ମୁଁ ଆଉ କେଉଁଠିକି ଯିବି ? ତୁମ ଭଳି କେତେଜଣ ଲୋକଙ୍କ ପାଖରେ ମୋ ଜାଗା ମାନେ ମୋର ଅସ୍ତିତ୍ୱ ରହିଛି, ତୁମେମାନେ ଯଦି ମୋତେ ନିକାଲି ଦେବ ତେବେ ମୁଁ ବାସଚ୍ୟୁତ ହେଇଯିବି l ମାନେ ଥାଇକି ଵି ନଥିଲା ପରି ହେଇଯିବି l ମନେରଖ, ଥଳକୂଳଶୂନ୍ୟ ମହାଶୂନ୍ୟରେ ଥରେ ମିଳେଇ ଗଲେ ଆଉ ତୁମେମାନେ ମୋର ଟେର ପାଇବନି l ଅସଂଖ୍ୟ ଅସହାୟ ଜନତାର ସ୍ୱାଧୀନତା ଅନ୍ବେଷିତ ମାନସିକତା ମୋତେ ଏହି ମହାଶୂନ୍ୟରୁ ଏକଦା ଟାଣି ଆଣିଥିଲା l
ବିବେକବାବୁ ଟିକେ ଚିନ୍ତାରେ ପଡିଗଲେ l ନିଠେଇ ଚାହିଁଲେ ଫକିରଙ୍କୁ l ସ୍ୱପ୍ନ ଦେଖୁ ନାହିଁତ ! ତାହେଲେ ଇୟେ କିଏ ! ଗାନ୍ଧୀଙ୍କ ଭଳି ଦେଖା ଯାଉଛନ୍ତି, ଇୟେ କଣ ଗାନ୍ଧି ? ନା ନା, ଯଦି ଗାନ୍ଧି ହେଇଥାନ୍ତେ ତାଙ୍କ ହାତରେ ବାଡ଼ି କାହିଁ ? କାହିଁ ତାଙ୍କର ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧା ଖଦଡ଼ ଧୋତି ଓ କାନ୍ଧରେ ଚାଦର ? ସେ ତ କୌପିନିଟିଏ ମାତ୍ର ପିନ୍ଧିଛନ୍ତି l ତାବାଦେ ଆଖିରେ ତ ତାଙ୍କର ଚଷମା ନାହିଁ l ତାଙ୍କର ଛପନ ଇଞ୍ଚ ଚଉଡା ଛାତିଟା ଥିଲା ଦାଗଶୂନ୍ୟ l କିନ୍ତୁ ୟାଙ୍କ ଛାତିରେ ନାଲି ନାଲି ଫୋଟକା ଭଳି ଭାତୁଡ଼ି ଟଣଟଣ କଣ ଦେଖା ଯାଉଛି ! ଏହା ସତ୍ୱେ ଵି ଗାନ୍ଧୀଙ୍କ ହସ ପରିସଫୁଟ ୟାଙ୍କ ମୁହଁରେ l ବଡ଼ ବିଚିତ୍ର ଏ ଫକୀର !!!
ବୃଦ୍ଧ ଫକିର ବୁଝିଗଲେ ବିବେକବାବୁଙ୍କ ଛାତି ଭିତରେ ପ୍ରଚଣ୍ଡ ହାତୁଡି ପ୍ରହାରକୁ l ସେ ଈସତ ହସି କହିଲେ - ତୁମେ ମୋତେ ଚିହିଁ ନପାରିଲେ ଵି ମୁଁ ତୁମକୁ ଚି଼ହେଁ ଯେମିତି ପବନକୁ ନଚିହିଁଲେ ଵି ସେ ତୁମକୁ ସ୍ପର୍ଶ କରେ l ହଇଓ ବାବୁ, ତୁମେ କାହିଁକି ନିଜକୁ ଅସହାୟ ବେଙ୍ଗ ଓ ତୁମ ଚାରିପଟ ମଣିଷକୁ ପ୍ରଭାବଶାଳୀ ସାପ ବୋଲି ଭାବୁଛ ? ସାପ ଓ ବେଙ୍ଗ ଉଭୟେ ଏ ସମାଜରେ ରହିବେ ଓ ପରସ୍ପର ପ୍ରତି ବୈରୀ ଭାବ ରଖିବେ l ତାବାଦେ ତୁମେ କାହିଁକି ମଣିଷମାନଙ୍କୁ ସାପ ବେଙ୍ଗ ସହିତ ତୁଳନା କରୁଛ ? ତୁମେ ପରା ମଣିଷ ଯାହାଙ୍କ ଭିତରେ ରହିଛି ଦିବ୍ୟଜ୍ଞାନ ଯାହା ଦାଉଦାଉ ଜଳୁଛି ଳ
ବୃଦ୍ଧ ଫକିର ଆଉ କଣ କହିବାକୁ ଯାଉଥିଲେ କିନ୍ତୁ ବିବେକବାବୁ ରାଗରେ ତମ ତମ ହେଇ କହିଲେ - ତୁମେ କିଏ କି ହୋ ଗାନ୍ଧୀଙ୍କ ଭଳି କଥା କହୁଛ l ଗାନ୍ଧୀଙ୍କ ଯୋଗୁ ମୋର ଆଜି ଏଇ ଦଶା ଳ
କି ଦଶା ହୋ ତୁମର ? ସେଇ ଗାନ୍ଧୀଟି ତୁମର କଣ କଲେ କି ?
ଆଉ କଣ କରି ନଥାନ୍ତେ ! ସରକାରୀ ଚାକିରୀରେ ମୁଁ ଆସିଷ୍ଟାଣ୍ଟ ଇଞ୍ଜିନିଅରଟିଏ ହେଇ ଜଏନ କରିଥିଲି l ଅବସର ନେଲି ସେଈ ଆସିଷ୍ଟାଣ୍ଟ ଇଞ୍ଜିନିଅର ପଦରୁ l ତିରିଶବର୍ଷ ଚାକିରୀ ଭିତରେ ଓଡ଼ିଶାର ଏ ମୁଣ୍ଡରୁ ସେ ମୁଣ୍ଡ ଷାଠିଏ ଥର ମୋର ବଦଳି ହେଇଛି ଓ ତିନିଥର ସସପେଣ୍ଡ ହେଇଛି l ଗାଁର ଯେଉଁ ମାଟି ଛଣ ଛପର ଘରୁ ପ୍ରଥମେ ବାହାରି ଚାକିରୀରେ ଜଏନ କରିଥିଲି, ଅବସର ପରେ ପୁଣି ସେଇ ଘରକୁ ଫେରି ଆସିଛି l ଦୁର୍ନୀତି ଓ ଭ୍ରଷ୍ଟାଚାରଗ୍ରସ୍ତ ନେତା,ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଫିସରଙ୍କ ବଚସ୍କର ନ ସାଜିବାରୁ ମୋ ପାରିବାପଣ ଉପରେ ଅପାରିବାପଣର ମୋହର ଲାଗିଗଲା l ପିଲାଟି ଦିନରୁ ଗାନ୍ଧୀଙ୍କ ଦର୍ଶନରେ ଯଦି ନିଜକୁ ସଜାଇ ନଥାନ୍ତି, ଆଜି ମୋର ଦଶା ଏମିତି ହେଇନଥାନ୍ତା କି ?
ଏଥର ବୃଦ୍ଧ ଫକିର ଏମିତି ହସିଲେ ଯେ ଚାଳ ଛପର କନ୍ଦିରେ ବିଶ୍ରାମରତ ଘୁମୁରି ପାରାଗୁଡାକ ଡେଣା ଝାଡ଼ି ଫଡଫଡ ହେଇ ଉଡିଗଲେ l ବିବେକବାବୁ ଜୀବନରେ ଏମିତି ବୁଢାମାନେ ହସିବାର କେବେ ଦେଖିନଥିଲେ l ସେ ଆଖି ତରାଟି କହିଲେ - ତୁମର ଏମିତି ଅସ୍ଥି କଙ୍କାଳସାର ବିକଳାଙ୍ଗ ଚେହେରାରୁ ଅଟ୍ଟହାସ୍ୟ କେମିତି ବାହାରୁଛି ହୋ l ଯଦି ତୁମେ ଗାନ୍ଧି ହେଇଥାଅ ସେ କଣ ଏମିତି ବୁଢ଼ାକାଳେ ପରର ଦୁଃଖ ଦେଖି ହସୁଥିଲେ କି ? କହିଲ ଭଲା ତୁମେ ଏମିତି ବେରୂପ ହେଇ କାହିଁକି ଏଠାକୁ ଆସିଛ ?
ବୃଦ୍ଧ ଫକିର କହିଲେ - ତଥାପି ତୁମର ସନ୍ଦେହ !!
ତେବେ ଶୁଣ ହେ ଗାନ୍ଧିଙ୍କୁ ଭଲ ପାଉଥିବା ମଣିଷ ! ଯେତେବେଳେ ଦେଶରେ ଲୁଗା ଖଣ୍ଡେ ପିନ୍ଧିବାକୁମିଳୁନଥିଲା, ସେତେବେଳେ ଗାନ୍ଧି ଗରିବ ନିସ୍ଵ ଲୋକଙ୍କୁ ସମବେଦନା ଜଣାଇ ନିଜେ ଖଦଡ଼ ଧୋତିଟିଏ ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧୁଥିଲେ ଓ କାନ୍ଧରେ ଚାଦରଟିଏ ପକାଉଲେ l ଏବେ ଏତେ ସଂଖ୍ୟାର ଭଳିକି ଭଳି ମେସିନବୁଣା -ଲୁଗା ମିଳୁଛି ଯେ ଲୋକେ ଆଉ ପୂରା ଶରୀର-ଘୋଡା ଲୁଗା ନପିନ୍ଧି ଦେହ ଦିଶୁଥିବା ଲୁଗା ପିନ୍ଧିଲେଣି l ଦେଖୁନ ତାଙ୍କୁ କେମିତି ଅଲାଜୁକମାନେ ଗୋଟେ କୌପିନ ପିନ୍ଧାଇଛନ୍ତି l
ସାମ୍ପ୍ରଦାୟିକ ହିଂସା,ଯୁଦ୍ଧ, ଦୁର୍ନୀତି, ଭ୍ରଷ୍ଟାଚାର, ନିଶା ସେବନ, ଯୌନ ଲାଂଛନା, ରାଜନୈତିକ ଛଳନା ଓ ପ୍ରଶାସନିକ ମିଥ୍ୟାଚାର ଇତ୍ୟାଦିର ନିଆଁ ଖୁଣ୍ଟାର ଖେଂଚ ଗାନ୍ଧୀଙ୍କ ଛାତିଟାକୁ ଲାଲ ବ୍ରଣରେ ପୁରେଇ ସାରିଲେଣି l କେଇ ଜଣେ ସିନା ତିନୋଟି ଗୁଳି ତାଙ୍କ ଛାତିକୁ କେବେ ମାରିଥିଲା, ଏଇନେ ତ ବାକ୍ୟ, ଭାବନା ଓ କର୍ମ ମାଧ୍ୟମରେ ନିତି କିଛି ଲୋକ ତାଙ୍କ ଦର୍ଶନ ଓ ଆଦର୍ଶର ଛାତିକୁ ଗୁଳି ମାରିମାରି ଲହୁଲୁହାଣ କରିସାରିଲେଣି l ଆଉ କହୁଛ ତାଙ୍କର ଚଷମା କୁଆଡ଼େଗଲା l ହଇଓ ବାବୁ, ଆଖି ଥିଲେ ତ ଲୋକେ ଚଷମା ପିନ୍ଧିବେ l ଯିଏ ଅନ୍ଧ, ସେ କାହିଁକି ଚଷମାର ମହତ୍ୱ ଜାଣିବ l ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ଭିତରେ ଏତେ ଲୋକ ଆଖି ଥାଇ ଅନ୍ଧ ହେଇଗଲେଣି ଯେ ସେମାନେ ପରା ତାଙ୍କ ଆଖିରୁ ଚଷମାଟାକୁ କାଢ଼ି ନେଇ ତାଙ୍କୁ ଵି ଅନ୍ଧ କରିସାରିଲେଣି l ଅଥଚ ସେହି ମୂର୍ଖମାନେ ବୁଝନ୍ତିନି ଯେ ଯାହାଙ୍କ ପାଖରେ ରହିଛି ଦିବ୍ୟଚକ୍ଷୁ, ଚଷମାଶୂନ୍ୟ କରିଦେଲେ ସେ କଣ ଅନ୍ଧ ହେଇଯିବେ ?
ବିବେକବାବୁ ହଠାତ କଥା ମଝିରେ କହି ଉଠିଲେ - ତାଙ୍କ ହାତରୁ ବାଡ଼ିଟା କୁଆଡେ ଗଲା?
, ବୃଦ୍ଧ ଫକୀରଙ୍କ ପାକୁଆ ପାଟିଟା ଉପର-ତଳ ହେଇ ଏମିତି ବିରାଟ ଆଁ ହେଇଗଲା ଯେ ସତେକି ଗୋଟିଏ ଚାଳିଶ ତାଲା ବିଶିଷ୍ଟ ଆପାର୍ଟମେଣ୍ଟ ତା' ଭିତରେ ପଶି ଯିବ l ସେ ଆଁ ଟାକୁ ବୁଜିବାକୁ ଅବଶ୍ୟ କିଛି ସମୟ ଲାଗିଲା l ତାପରେ ସେ ମୁରୁକେଇ ହସି କହିଲେ - ଆରେ ବାବା, ସେହି ବାଡ଼ିରେ ମୋତେ ଲୋକେ ନିତି ବାଡେଇ କହୁଛନ୍ତି ପରା - ଶଃ........ଏଇଟାକୁ କିଏ ମହାତ୍ମା ଆଉ ଜାତିର ଜନକ ପଦବୀରେ ଵିଭୂଷିତ କଲା ହେ l ଏତକ କହି ଫକିର ହସି ହସି କହିଲେ - ହଇଓ ବାବୁ, ସେ କଣ ବର୍ତମାନର ପଦ୍ମ ପୁରସ୍କାର ବା ଭାରତରତ୍ନ ବା ଅନ୍ୟ ମର୍ଯ୍ୟାଦାଜନକ ପୁରସ୍କାର ଭଳି ଏହି ଦୁଇଟି ବିସ୍ଲେଷଣ କାହା ପାଖରୁ ହାତ ପାତି ମାଗିଥିଲେ ନା ଲବି କରିଥିଲେ ? ଲୋକେ କାହିଁକି ଏହି ଦୁଇଟି ବିଶ୍ଳେଷଣ ତାଙ୍କ ନାଁ ରେ ଯୋଡ଼ିଦେଲେ, ତାର କାରଣ ସେଇ ଲୋକମାନଙ୍କୁ ଜଣାଥିବ l ସେ ବାଡ଼ି ଆଉ ଅଛି କି, କେବେ ଠୁ ଭାଙ୍ଗି ଗଲାଣି l
ବିବେକବାବୁ ବଡ଼ ଚିନ୍ତିତ ହେଇ ପଡିବା ଦେଖିବାରୁ ବୃଦ୍ଧ ଫକିର କହିଲେ - ଆଛା କହିଲ ତୁମେ ସେହି ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ଦାସଙ୍କର ନାତି ତ ?
"ହଁ ଆଜ୍ଞା" କହି ବିବେକବାବୁ ସିଧା ତାଙ୍କୁ ଚାହିଁଲେ l ସେ ତଥାପି ହସୁଥିଲେ l ବୃଦ୍ଧ ଫକିର ପଚାରିଲେ - ତୁମ ଜେଜେ ଗାଁ ମୁଣ୍ଡ ବଗିଚାରେ ଯେଉଁ ଗାନ୍ଧି ମୂର୍ତ୍ତି 1952 ମସିହାରେ ସ୍ଥାପନ କରିଥିଲେ , ସେହି ଗାନ୍ଧି ମୂର୍ତ୍ତି ପାଖକୁ ଇୟା ଭିତରେ କେବେ ଯାଇଛ ?
ଆଜ୍ଞା ମୁଁ ସେଠାକୁ ପନ୍ଦରବର୍ଷ ହେଲା ଯାଇନି,ମୋତେ ସମୟ କାହିଁ, ଏବେଏବେ ତ ରିଟାୟାର୍ଡ଼ ହେଇ ଗାଁକୁ ଆସିଛି l
ଓହୋ ତାହାଲେ ସେଠାକୁ ତୁମର ସମୟ ନାହିଁ ଯିବାକୁ l ହଉ ହେଲା l ଅବଶ୍ୟ ସେଠାକୁ ଯାଇଥିଲେ ତମେ ତାଙ୍କୁ ଏ ରୂପରେ ଆଜି ଏଠି ଦେଖି ନଥାନ୍ତ l ବୁଝିପାରୁଛ ତ ଗାନ୍ଧିଭକ୍ତ l
ବିବେକବାବୁ କଥାଟାକୁ ବୁଝିନପାରି ଥମଥମ ସ୍ୱରରେ କହିଲେ - ସେଥିପାଇଁ କଣ ତୁମେ ସ୍ୱପ୍ନରେ ବାରମ୍ବାର ଦେଖାଯାଉଛ ?
ହଇଓ ବାବୁ ! ନିର୍ବୋଧ ଭଳି କଥା କୁହନି ! ଯିଏ ସ୍ୱପ୍ନ ଦେଖେ ସେ କଣ ଜାଣିପାରେକି ସ୍ୱପ୍ନ ଦେଖୁଛି ବୋଲି l ଯଦି ସେ ଜାଣିପାରନ୍ତା, ତେବେ ତାହା ସ୍ୱପ୍ନ ନୁହେଁ ବରଂ ଜାଗ୍ରତ ଅବସ୍ଥା l ଜାଗ୍ରତ, ସ୍ୱପ୍ନ ଓ ସୁଷୁପ୍ତି ହେଉଛି ତ ମଣିଷର ଅସ୍ତିତ୍ୱର ତିନୋଟି ଅବସ୍ଥା l
ତେବେ ତୁମେ ମୋର କେଉଁ ଅବସ୍ଥାର ରୂପ ?
ଏ ତିନୋଟି ଅବସ୍ଥାର ମୁଁ ଏକ ରୂପ ନୁହେଁ ବରଂ ତୁମର ଅବଚେତନାର ଗଭୀରତା ଭିତରୁ ଉହୁଁକି ଆସୁଥିବା ଏକ ସାମୟିକ ଅବସୋସ l କିନ୍ତୁ ଏହାକୁ କେବେ ଵି ଅବସୋସ ଭାବ ନାହିଁ ବରଂ ଭାବ ଏହା ତୁମର ପ୍ରବୃତ୍ତିକ ବିଚାରଧାରା l ତୁମ ଭଳି ଅନେକ ଗାନ୍ଧି ବିଚାରଧାରାର ମଣିଷଙ୍କ ଭିତରେ ଗାନ୍ଧି ବଞ୍ଚିଛନ୍ତି , ସଂସାର ଵି ବଂଚିଛି l ସେଥିପାଇଁ ତ ତୁମମାନଙ୍କ ନିକଟକୁ କେତେବେଳେ କେମିତି ମାନସିକ ରୂପ ଓ ଭାବନା ହେଇ ସେ ଆସନ୍ତି , ତୁମ ଭଳି ଢ଼ୋଲେଇ ପଡୁଥିବା ସତ୍ୟ ଓ ଅହିଂସା ପ୍ରେମୀ ଲୋକଙ୍କୁ ଚେତାଇ ଦେବାକୁ ଳ
ବିବେକବାବୁ ଚିଇଁକି ଉଠି ଆରାମ ଚେୟାରରୁ ଉଠିପଡ଼ି ଆଉ କଣ ପଚାରିବାକୁ ଉଦ୍ୟତ ହେଲା ବେଳକୁ ଦେଖିଲେ ଯେ ବୃଦ୍ଧ ଫକିର ତାଙ୍କ ଆଗରୁ ଉଭାନ ହେଇଯାଇଛନ୍ତି l
ସେତେବେଳକୁ ଅପରାହ୍ନ ଚାରିଟା l ମନ ଅବସୋସଶୂନ୍ୟ l ମନରେ ନାହିଁ କୌଣସି କ୍ଷୋଭ l ଖୁବ ହାଲୁକା ଅନୁଭବ କରୁଥାନ୍ତି l ଧୀରେ ଧୀରେ ଗାଁ ମୁଣ୍ଡର ବଗିଚା ଆଡକୁ ହାତରେ ବାଡ଼ିଟିଏ ଧରି ଚାଲିଲେ l
ସେଠାରେ ପହଂଚି ଯାହା ଦେଖିଲେ ତାଙ୍କର ହଂସା ଉଡ଼ିଗଲା l କେତେ ଘଣ୍ଟା ପୂର୍ବରୁ ଯେଉଁ ଗାନ୍ଧି ଭଳି ଦେଖା ଯାଉଥିବା ବୃଦ୍ଧ ଫକିର ତାଙ୍କ ଅବଚେତନ ମଧ୍ୟରୁ ପ୍ରକଟିତ ହେଇ କଥାବାର୍ତା କରୁଥିଲେ,ବର୍ତମାନ ଜେଜେ ବସାଇଥିବା ଗାନ୍ଧୀମୂର୍ତ୍ତିଟିର ରୂପ ତ ଅବିକଳ ସେପରି ହେଇ ଯାଇଛି l କି ବିକଳାଙ୍ଗ ରୂପ ଗାନ୍ଧିମୂର୍ତ୍ତିର ଆଜି !!!
ଧୋତି ଜାଗାରେ ପିନ୍ଧା ଯାଇଛି କୌପିନି l ଛାତି ସାରା ଲାଲ ଲାଲ ଆବୁର ଚିତ୍ର ଅଙ୍କିତ l ଚଷମାଶୂନ୍ୟ ଚକ୍ଷୁଦ୍ୱୟ l ବାଡ଼ି ଚାରିଖଣ୍ଡ ହେଇ ବୁଦା ପାଖରେ ପଡ଼ି ରସିଯାଇଛି l ମୁହଁରେ କୋଇଲାରେ ଲେଖା ହେଇଛି " ହିନ୍ଦୁଦ୍ରୋହୀ " l
ବିବେକବାବୁଙ୍କ ଆଖିରେ ସେତେବେଳକୁ ଏତେ ଅଶ୍ରୁ ଏବଂ କଣ୍ଠରେ ଏତେ କୋହ ଯେ ସବୁ କିଛି ଅନ୍ଧାର ଦେଖାଗଲା l ସେ ନିଜ କାନ୍ଧରୁ ଲମ୍ବା ଅଙ୍ଗବସ୍ତ୍ରକୁ କାଢ଼ି ଗାନ୍ଧିମୂର୍ତ୍ତିକୁ ପିନ୍ଧାଇଦେଲେ ଏବଂ ନିଜର ଚଷମାକୁ ଵି ତାଙ୍କ ଆଖିରେ ଲଗାଇଦେଲେ l ଛାତିରୁ ପୋଛିଦେଲେ ଲାଲ ରଙ୍ଗର ଆବୁଗୁଡିକର ଚିତ୍ର ଏବଂ ସଫା କରିଦେଲେ ମୁହଁରେ ଲିଖିତ କୋଇଲା ଅକ୍ଷରକୁ l
ନିଜର ବାଡ଼ିଟିକୁ ଗାନ୍ଧିମୂର୍ତ୍ତି ହାତରେ ଧରାଇ ଦେଇ, ହାତଯୋଡି କାନ୍ଦିକାନ୍ଦି କହିଲେ - ହେ ମାନବାବତାର ! ଏତେଦିନ ହେଲା ଏଠାକୁ ନଆସି,ତୁମକୁ ଅଣଦେଖା କରିଥିବାରୁ କ୍ଷମା ଦିଅ ମୋତେ l ମହାନ ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ଦାସଙ୍କର ନାତି ହେବାକୁ ମୁଁ ସତରେ ଅଯୋଗ୍ୟ l ଧିକ ମୋର ନାତିପଣିଆକୁ l ଏବେ ବୁଝୁଛି ତୁମେ ସତରେ ସ୍ୱପ୍ନ ନୁହଁ ବରଂ ମୋ ଚେତନାର ଏକ ଦିବ୍ୟରୂପ ବା ତୁମକୁ ଭଲପାଉଥିବା ମଣିଷମାନଙ୍କଏ ଏକ ହୁଙ୍କାର l ମୋର ସାମୟିକ ଅବସୋସ ସତରେ ମିଛ କିନ୍ତୁ ତୁମେ ସତ୍ୟ l ସକଳ ମାନବଜାତି ପାଇଁ ତୁମକୁ ବଂଚିବାକୁ ହେବ l ତୁମର ଅସ୍ତିତ୍ୱ ହି ସତ୍ୟ ଓ ଅହିଂସା ଯା'ବିନା ମଣିଷର ଅସ୍ତିତ୍ୱଟି ହେଇଯିବ ଅନସ୍ତିତ୍ୱ l
କଥା ଦେଉଛି ଏଣିକି ସକାଳେ ସଂଜେ ନିତି ତୁମପାଖକୁ ଆସିବି ଏବଂ କେହି ତୁମର ରୁପକୁ ଆଉ ବିକଳାଙ୍ଗ କରିବାର ସୁଯୋଗ ପାଇବେନି l
------00000-------
© Manoj Kumar Mahapatra