ବାଲ୍ୟକାଳରୁ ଛାତ୍ରଛାତ୍ରୀଙ୍କ ମନୋବିଜ୍ଞାନକୁ ବୁଝିବା ଜରୁରୀ
ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
ସେବା, ଅହିଂସା, ସତ୍ୟ, ସ୍ୱଚ୍ଛତା, ଶାନ୍ତି ଏବଂ ପୁଣ୍ୟ କର୍ମ ଜାତୀୟ ଶିକ୍ଷା ନୀତିର ମୂଳ ବିଚାର – ଧର୍ମେନ୍ଦ୍ର ପ୍ରଧାନ
• ‘ସ୍କୁଲ ସାଇକୋଲୋଜି’ ଶୀର୍ଷକ ଆଲୋଚନାରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ
• ଅଟଳ ଇନୋଭେସନ ମିଶନର ଉଚ୍ଚସ୍ତରୀୟ କମିଟି ବୈଠକରେ ଯୋଗଦେଲେ
•
• ଛାତ୍ରଛାତ୍ରୀଙ୍କ ମନୋବିଜ୍ଞାନ ବୁଝିଲେ ହିଁ ସେମାନଙ୍କ ପାଠାପଢ଼ା ଏବଂ ଦକ୍ଷତା ବିକାଶ ଆଜୀବନ କାର୍ଯ୍ୟଧାରାରେ ପରିଣତ ହୋଇପାରିବ
• ଜାତୀୟ ଶିକ୍ଷା ନୀତି ସ୍କୁଲ ମନୋବିଜ୍ଞାନକୁ ବୁଝିବାରେ ସାହାଯ୍ୟ କରୁଛି
ପୁଡୁଚେରୀ, ଅକ୍ଟୋବର ୦୨ – ସେବା, ଅହିଂସା, ସତ୍ୟ, ସ୍ୱଚ୍ଛତା, ଶାନ୍ତି ଏବଂ ପୁଣ୍ୟ କର୍ମ ଜାତୀୟ ଶିକ୍ଷା ନୀତି (ଏନଇପି)ର ମୂଳ ବିଚାର ବୋଲି ରବିବାର ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୧୨ତମ ଇନସ୍ପା ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ କ୍ରିୟାନ୍ୱୟନ ହେଉଥିବା ଜାତୀୟ ଶିକ୍ଷା ନୀତି ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷା, ପୂଜ୍ୟ ବାପୁଙ୍କ ନୟୀ ତାଲିମ, ସ୍ୱାମୀ ବିବେକାନନ୍ଦଙ୍କ ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷା ପରିବର୍ତ୍ତନର ଏକ ଆବାହକ ବିଚାରରେ ସମାହିତ ଅଛି । ସେବା, ଅହିଂସା, ସତ୍ୟ, ସ୍ୱଚ୍ଛତା, ପୁଣ୍ୟ କର୍ମ ଏବଂ ଶାନ୍ତି ପୌଢ଼ ଶିକ୍ଷାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତିର ମୂଳ ବିଚାର । ଏହି ସବୁ ବିଚାର ଜାତୀୟ ଶିକ୍ଷା ନୀତି ଶିକ୍ଷାକୁ ଅଧିକ ଛାତ୍ର-କେନ୍ଦ୍ରିକ ଏବଂ ଜୀବନ୍ତ କରିବ ।
‘ସ୍କୁଲ ସାଇକୋଲୋଜି’ ଶୀର୍ଷକ ବିଷୟ ବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତ ରଖିଥିଲେ । ସେ କହିଛନ୍ତି ଶିକ୍ଷା ଏବଂ ମନୋବିଜ୍ଞାନ ପରସ୍ପର ଅନୁପୂରକ । ବାଲ୍ୟକାଳରୁ ଛାତ୍ରଛାତ୍ରୀ ମାନଙ୍କ ମନୋବିଜ୍ଞାନକୁ ବୁଝିବା ଓ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନୋବିଜ୍ଞାନ ବୁଝିଲେ ହିଁ ସେମାନଙ୍କ ଶିକ୍ଷା ଗ୍ରହଣ ଏବଂ ଦକ୍ଷତା ବିକାଶ ଆଜୀବନ ଏକ କାର୍ଯ୍ୟଧାରାରେ ପରିଣତ ହୋଇପାରିବ । ଶିକ୍ଷା ଏକ ସଭ୍ୟ ସମାଜର ସାରାଂଶ ହେଲେ ମନୋବିଜ୍ଞାନକୁ ବୁଝିବାର ମାଧ୍ୟମ ହେଉଛି ଶିକ୍ଷା । ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଆମକୁ ନୂଆ ଶିକ୍ଷା ମଡେଲକୁ ଗ୍ରହଣ କରିବା ସହ ନିଜକୁ ରି ସ୍କିଲ୍ ଏବଂ ଅପ୍ ସ୍କିଲ୍ କରିବାକୁ ହେବ । ଜାତୀୟ ଶିକ୍ଷା ନୀତି ସ୍କୁଲ ମନୋବିଜ୍ଞାନକୁ ବୁଝିବାରେ ସାହାଯ୍ୟ କରୁଛି ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନଟ କରିବାରେ ସହାୟକ ହେବା ସହ ଜ୍ଞାନ ଗ୍ରହଣର ପ୍ରକ୍ରିୟାକୁ ଫଳପ୍ରଦ କରିବ ।
ସେ କହିଛନ୍ତି ଶ୍ରୀ ଅରବିନ୍ଦ ବ୍ରିଟିଶ ଶିକ୍ଷା ବ୍ୟବସ୍ଥାର ଜଣେ ମହାନ ସମାଲୋଚକ ଥିଲେ । ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରତିପାଦିତ କରିବା ସହିତ ନିଜକୁ ଏକ ଉତ୍ତମ ମଣିଷ କରିବା ପାଇଁ ସମାଜ ସହ ବ୍ୟକ୍ତିଗତ ଭାବରେ ସୁସମ୍ପର୍କ ସ୍ଥାପନ କରିବା ତାଙ୍କର ବିଚାର ଥିଲା ।
ବିଶ୍ୱ ପାଇଁ ଭାରତ ପାଖରେ ଅନେକ କିଛି ଅଛି । ଆମକୁ ବୈଶ୍ୱିକ ମଡେଲ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ନାଗରିକ ପ୍ରସ୍ତୁତ କରିବ, ଯେଉଁମାନେ ଭାରତୀୟ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଆଧାରରେ ମାନବତାର କଲ୍ୟାଣ ପାଇଁ କଟିବଦ୍ଧ ରହିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ, ଏହି ସମ୍ମିଳନୀରେ ପୁଡୁଚେରୀର ଡା. ତାମିଲିସାଇ ସୌନ୍ଦରରାଜନ, ପୁଡୁଚେରୀ ବିଧାନସଭାର ବାଚସ୍ପତି ଏମବାଲମ ଆର. ସେଲମ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ଏହି ଗସ୍ତ କାଳରେ ପୁଡୁଚେରୀ ଠାରେ ଅଟଳ ଇନୋଭେସନ ମିଶନର ଉଚ୍ଚସ୍ତରୀୟ କମିଟି ବୈଠକରେ ଯୋଗ ଦେଇଥିଲେ । ତୃଣମୂଳ ସ୍ତରରେ ନବସୃଜନ ଏବଂ ଉଦ୍ୟମିତାକୁ ସୁଦୃଢ଼ କରିବା, ବିଭିନ୍ନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବା ସହ ମାନବ ପୁଞ୍ଜିର ସମ୍ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିବାର ଦିଗରେ ବୈଠକରେ ଆଲୋଚନା ହୋଇଥିଲା ।