ପିତୃତ୍ୱ ଏକ ପରିଚୟ ନୁହେଁ,ସାଧନା

0
  • ଶ୍ରୀକାନ୍ତ ଦାଶ
  • TATKAL ODISHA

****************************************************


ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ8,
ପିତରି ପ୍ରୀତିମାପ ପରର୍ନେ ପ୍ରିୟନ୍ତେ ସର୍ବ ଦେବତା |

ଉପରୋକ୍ତ ଶ୍ଳୋକରୁ ଜଣାପଡେ ଯେ ପିତୃ ଉପାସନା ଆଗରେ ସମସ୍ତ ଦେବାଦେବୀଙ୍କ ଉପାସନା ମଳିନ ପଡ଼ିଯାଏ |

ଏହି ଶ୍ଳୋକର ଅର୍ଥ ହେଲା “ପିତା ମୋର ଧର୍ମ, ପିତା ମୋର ସ୍ୱର୍ଗ, ପିତା ମୋର ସମସ୍ତ ଜପ, ତପ, ଓ ଉପାସନାର କେନ୍ଦ୍ର | ପିତାଙ୍କର ସନ୍ତୁଷ୍ଟିରେ ସମସ୍ତ ଦେବୀ ଦେବତା ସନ୍ତୁଷ୍ଟ ହୁଅନ୍ତି |

ପୁତ୍ରର ଭାବନା ସର୍ବଦା ଏହା ହେବା ଉଚିତ ଯେ, ମୋ ପିତା ଜଗତପିତା ପରଂବ୍ରହ୍ମ ପରମେଶ୍ୱରଙ୍କ ଅଂଶ ବିଶେଷ | ସେ ମୋର ପୂଜ୍ୟ, ଇଷ୍ଟ ଓ ପ୍ରେରଣାର ଉତ୍ସ | ମାତା ଜନ୍ମ ଦେଇ ଲାଳନ ପାଳନ କରି ଛୋଟରୁ ବଡ଼ କରନ୍ତି, କିନ୍ତୁ ପିତା ଶୈଶବ ଓ କୈଶୋର ଅବସ୍ଥାର ସମସ୍ତ ଆବଶ୍ୟକତା ପୂରଣ କରି ଦାଣ୍ଡରେ ଠିଆ କରାନ୍ତି |

ପିତା ଧନୀ କିମ୍ବା ନିର୍ଦ୍ଧନ ହୁଅନ୍ତୁ, ସୁପୁତ୍ର ପାଇଁ ସେଥିରେ କିଛି ଫରକ ପଡ଼େନି”

କଥାରେ ଅଛି, “ବାପା ଥିବା ପୁଅ ସଭାରେ ହାରେନା “ତାତ୍ପର୍ଯ୍ୟ ହେଲା ପିତାଙ୍କର ଆଶୀର୍ବାଦ ପୁଅ ଉପରେ ଥିବାରୁ ସେ କୌଣସି କ୍ଷେତ୍ରରେ ପରାଜୟ ଲଭେନି |ପୁତ୍ରକୁ ସୁପୁତ୍ର କରି ଗଢି ତୋଳିବା ଦକ୍ଷତା ପିତାଙ୍କର ହିଁ ଅଛି | ତାଙ୍କର ସାମାନ୍ୟତମ ଅସାବଧାନତାରୁ ପୁତ୍ର ବିପଥଗାମୀ ହୁଏ | ପୁତ୍ର ବିପଥଗାମୀ ହେଲେ କେବଳ ମାତା ପିତାଙ୍କର ଅପଯଶ ହୁଏନି, ବରଂ ବଂଶ ନଷ୍ଟ ହୁଏ ଓ ଓ ଏହା ସଂକ୍ରାମକ ରୋଗ ପରି ସମାଜ ଓ ଦେଶକୁ ମଧ୍ୟ ନଷ୍ଟ କରିଚାଲେ |

ଆମେ ବୁଝିବା ଦରକାର ଯେ ପିତୃତ୍ବ ଏକ ପରିଚୟ ନୁହେଁ, ଏହା ଏକ ସାଧନା ଓ ଏଥିରେ ସିଦ୍ଧିଲାଭ କରି ଉତ୍ତମ ପୁତ୍ର ପ୍ରାପ୍ତି କରିବାକୁ ହୁଏ |
ପ୍ରତ୍ୟେକ ବ୍ୟକ୍ତିର ପାଞ୍ଚଗୋଟି ପିତା ଅଛନ୍ତି |

ଯଥା :-“ବନିତା ଚୋପନେତାଚ ଯସ୍ତୁବିଦ୍ୟା ପ୍ରୟଛତି,ଅନ୍ନଦାତା, ଭୟତ୍ରାତା, ପଞ୍ଚତେୟୀ ପିତର8 ସ୍ମୃତା8 |
ଅର୍ଥାତ ଯେ ଜନ୍ମଦାତା, ଯେ ଉପନୟନ କରାନ୍ତି, ଯେ ଅନ୍ନ ଦାନ କରନ୍ତି, ଯେ ଅଭୟ ପ୍ରଦାନ କରି ବିପଦ ଆପଦରୁ ରକ୍ଷା କରନ୍ତି, -ସେମାନେ ସମସ୍ତେ ପିତା ପଦବାଚ୍ୟ |

ପିତୃ ହେଉଛନ୍ତି ଏପରି ଦେବତା ଯାହାଙ୍କୁ ଉଭୟ ଜୀବିତ ଅବସ୍ଥାରେ ଓ ମୃତ୍ୟୁ ପରେ ପୂଜା କରାଯାଏ | ସେ ତାଙ୍କର ଜୀବିତ ଅବସ୍ଥାରେ ଆମକୁ ସ୍ନେହ ପ୍ରଦାନ କରନ୍ତି ଓ ମୃତ୍ୟୁ ପରେ ଆମ ପାଇଁ ସମ୍ପତ୍ତି ଛାଡି ଯା’ନ୍ତି, ଯାହାକୁ ଆମେ ପୈତୃକ ସମ୍ପତ୍ତି କହୁ |

ପିତା ଧନୀ କିମ୍ବା ନିର୍ଦ୍ଧନ ହୁଅନ୍ତୁ, ସୁପୁତ୍ର ପାଇଁ ସେଥିରେ କିଛି ଫରକ ପଡ଼େନି | ସେ ଭୌତିକ ସମ୍ପତ୍ତି ହେଉ ବା ବୌଦ୍ଧିକ ସମ୍ପତ୍ତି, ପୁତ୍ର ପାଇଁ ସବୁ କିଛି ସମାନ | ମୃତ୍ୟୁ ପରେ ପିତା ପିତୃଲୋକ ଗମନ କରନ୍ତି, ଓ ସେଠାରୁ ପୁତ୍ର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି, |ହିନ୍ଦୁ ଶାସ୍ତ୍ର ଅନୁସାରେମାନବର ଗୋଟିଏ ବର୍ଷ, ପିତୃଙ୍କର ଗୋଟିଏ ଦିନ |ସେ ଦିନରେ ତାଙ୍କୁ ପିଣ୍ଡ ଦାନ କଲେ ତାଙ୍କର ଆତ୍ମା ଶାନ୍ତି ଲାଭ କରେ |

ପ୍ରତି ବର୍ଷ ପିତୃ ପକ୍ଷର ଶେଷ ଦିନ ମହାଳୟା ତିଥିରେ ପିତୃ ପିତୃ ପୁରୁଷ ମାନେ ପିତୃ ଲୋକର ଅମୃତ ଧାମ ତ୍ୟାଗ କରି ମର୍ତ୍ତ୍ୟ ଲୋକକୁ ଆଗମନ କରନ୍ତି ଓ ନିଜ ପୁତ୍ର ପ୍ରଦତ୍ତ ପିଣ୍ଡ ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରନ୍ତି ଓ ନିଜ ଲୋକକୁ ଫେରି ଯା’ନ୍ତି | ମାସଯାକ ମର୍ତ୍ତ୍ୟଲୋକରେ ରହି ଦୀପାବଳିର ପ୍ରଜ୍ବଳିତ ଆଲୋକ ଶିଖାରେ ପୁତ୍ର ତାଙ୍କୁ ମେଲାଣି ଦିଏ |

ରାମାୟଣ କଥା ବସ୍ତୁ ଅନୁସାରେ ଅଯୋଧ୍ୟା ରାଜା ଦଶରଥ ମଧ୍ୟମା ରାଣୀ କୈକେୟୀଙ୍କୁ ବର ପ୍ରଦାନ କରି ଅନୁଭବ କଲେ ଯେ, ସେ ସତେ ଯେପରି ପୁତ୍ର ରାମଙ୍କ ପ୍ରତି ଅନ୍ୟାୟ କରିବାକୁ ଯାଉଛନ୍ତି | ରାତି ପାହିଲେ ଯେ ସିଂହାସନ ଆରୋହଣ କରିଥାନ୍ତା, ସେ ଚଉଦ ବର୍ଷ ବନବାସ କରିବ !–ଏହି ଚିନ୍ତା ତାଙ୍କୁ ବିବ୍ରତ କଲା | ସେ ଚଉଦ ବର୍ଷ ବନବାସ ପାଇଁ କିପରି ନିଜର ପ୍ରାଣ ପ୍ରତିମ ପୁତ୍ରକୁ ନିଷ୍ଠୁର ଆଦେଶ ଦେଵେ, – ଏହା ତାଙ୍କୁ ମ୍ରିୟମାଣ କରିଥିଲା |ମାତ୍ର ସୁପୁତ୍ର ଶ୍ରୀରାମ ପିତାଙ୍କର ମାନସିଜ ବ୍ୟଥାକୁ ଅନୁଭବ କରି ପିତୃସତ୍ୟ ପାଳନକୁ ସତ୍ୟ କରିଦେଲେ | ଏହା ତାଙ୍କର ପରମ ଓ ଚରମ କର୍ତ୍ତବ୍ୟ ମନେକରି ପିତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲେ, ‘ହେ ତାତ ! ଆପଣ ଏତେ ବ୍ୟସ୍ତ କାହିଁକି? ମୋତେ ତ ବନରାଜ୍ୟ ଭୋଗର ସୌଭାଗ୍ୟ ପ୍ରାପ୍ତ ହେବାକୁ ଯାଉଛି | ଏଣୁ ହେ ପିତାଶ୍ରୀ, ଆପଣ ଶୋକ ପରିତ୍ୟାଗ କରି ସହାସ୍ୟ ବଦନରେ ଆମ୍ଭଙ୍କୁ ବନ ଗମନର ଆଦେଶ ପ୍ରଦାନ କରନ୍ତୁ |

ତୁଳସୀ ଦାସ ଲେଖିଛନ୍ତି, “-
ମଙ୍ଗଲ ସମୟସୁନେହ ବସ
ସୋକୁ ପରିହରିଅ ତାତ,
ଆୟସୁ ଦେଇ ହରସି ହିୟ
କହି ପୁଲକେ ପ୍ରଭୁ ଗାତ |

ଅର୍ଥାତ, ପ୍ରଭୁ ପୁଲକିତ ଚିତ୍ତରେ କହୁଛନ୍ତି, “ହେ ତାତ !ସୋଚନା ତ୍ୟାଗ କରି ମଙ୍ଗଳ ସମୟ ଦେଖି ଆମକୁ ହସିହସି ବନ ଗମନର ଆଜ୍ଞା ଦିଅନ୍ତୁ “|
ଏ ଥିଲା ରାମାୟଣର ପିତାପୁତ୍ର ସମ୍ପର୍କର ଏକ ଉଦାହରଣ | କିନ୍ତୁ ମହାଭାରତରେ ପୁତ୍ରକୁ ରାଜଗାଦି ଦେବାପାଇଁ ମହାରାଜ ଧୃତରାଷ୍ଟ୍ର ସବୁକିଛି ଅନ୍ୟାୟକୁ ସ୍ୱୀକାର କରିଥିଲେ |

ସହଜେ ସେ ଥିଲେ ଜନ୍ମରୁ ଅନ୍ଧ |ଶେଷରେ ସେ ନିଜର ବିବେକକୁ ଅନ୍ଧ କରିଦେଲେ | ଏପରି କି ପିତାମହ ଭୀଷ୍ମ ପାଣ୍ଡଵମାନଙ୍କୁ ଅର୍ଦ୍ଧ ରାଜ୍ୟ ଦେବାର ପ୍ରସ୍ତାବ ଓ ପରିଶେଷରେ ମଧ୍ୟସ୍ଥ ଶ୍ରୀକୃଷ୍ଣଙ୍କର ପାଣ୍ଡଵ ପାଞ୍ଚ ଭାଇଙ୍କୁ ପାଞ୍ଚ ପଡା ଦେବାର ପ୍ରସ୍ତାବ ତାଙ୍କ ନିକଟରେ ମୂଲ୍ୟହୀନ ହୋଇଗଲା |ପୁତ୍ର ମୋହ ଆଗରେ କୌଣସିଟି ଉପଦେଶ ଗ୍ରହଣୀୟ ହେଲାନାହିଁ |ପୁତ୍ରର ସମସ୍ତ ଅନ୍ୟାୟ କାର୍ଯ୍ୟକୁ ପ୍ରୋତ୍ସାହିତ କରି ଅନ୍ଧ ଧୃତରାଷ୍ଟ୍ର ରାଜ୍ୟ ଓ ପ୍ରଜାମାନଙ୍କର ଅଶେଷ କ୍ଷତି ଘଟାଇଲେ | ସଂଘଠିତ ହେଲା ମହାଭାରତ ଯୁଦ୍ଧ, ଯେଉଁଥିରେ ରାଜ୍ୟ ସହ ନିଜର ଶତ ପୁତ୍ରଙ୍କୁ ହରାଇଲେ |

ଏଣୁ ପିତାଙ୍କର ଆସନ ଏକ ମର୍ଯ୍ୟାଦାସମ୍ପନ୍ନ ଆସନ |ଏକାଧିକ ପୁତ୍ର କନ୍ୟାଙ୍କୁ ଜନ୍ମ ଦେଇ ଠିକ ନ୍ୟାୟ ନ କଲେ ଅଥବା ପକ୍ଷପାତ ନୀତି ଗ୍ରହଣ କଲେ ନିଜ ସହ ପୁରା ପରିବାର ଦୁର୍ଦ୍ଦଶାଗ୍ରସ୍ତ ହୁଏ |ପିତା ହିସାବରେ କୌଣସି ପୁତ୍ର ଅବା କନ୍ୟାକୁ ଅନ୍ୟାୟ ସମର୍ଥନ କଲେ ପରିବାର ମଧ୍ୟରେ ଯେଉଁ ଅସନ୍ତୋଷ ସୃଷ୍ଟି ହୁଏ ତାକୁ ଦୂର କରିବାର କ୍ଷମତା କୌଣସି ପିତାଙ୍କ ପାଖରେ ନ ଥାଏ |ଯେଉଁ ପୁତ୍ରକୁ ପିତା ନିଜ ସ୍ନେହରୁ ବଞ୍ଚିତ କରନ୍ତି ସେ ତ ନିଜର ହୁଏନା,ପରନ୍ତୁ ଯାହାକୁ ପିତା ଅନ୍ଧ ଭାବରେ ସମର୍ଥନ କରନ୍ତି, ଭାଇ-ଭାଗ ହିଂସାର ବଶବର୍ତ୍ତୀ ହୋଇ ପିତୃ ସେବାରୁ ବଞ୍ଚିତ ହୁଅନ୍ତି | ତାଙ୍କର ଯୁକ୍ତି ହୁଏ, “ସମସ୍ତେ ଯେତେବେଳେ ପୈତୃକ ସମ୍ପତ୍ତିର ଅ°ଶିଦାର ହେବେ, ମୁଁ ଏକା କାହିଁକି ମାତାପିତାଙ୍କ ସେବା କରିବି? ତେଣୁ ଉଭୟ ପକ୍ଷରୁ ହତାଶ ହୋଇ ବୃଦ୍ଧାବସ୍ଥାରେ କପାଳକୁ ସିନା ନିନ୍ଦା କରିବେ,,କିନ୍ତୁ ପ୍ରତିକାର କରିବାର ସାମର୍ଥ୍ୟ ତାଙ୍କର ନ ଥିବ |

ଏଣୁ ପିତୃତ୍ବ ଏତେ ସହଜ କଥା ନୁହେଁ |
ଏଣୁ ପୁତ୍ରକନ୍ୟାଙ୍କୁ ସ୍ନେହ ପ୍ରଦାନରେ ଭାରସାମ୍ୟ ନ ରଖି ପାରିଲେ ପିତାଙ୍କର ଶେଷ ଜୀବନ ଘୋର ନିରାଶାଜନକ ହେବ | ଏଣୁ ଜାଣିବା ଦରକାର, ପିତୃତ୍ବ ଏକ ପରିଚୟ ନୁହେଁ, ଏହା ଏକ ବ୍ରତ, ଏହା ଏକ ସାଧନା |

  • ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ
  • ଦୂରଭାଷ 9238304919

Leave A Reply

Your email address will not be published.