ପ୍ରକାଶ ତ୍ରିପାଠୀଙ୍କ ଗଳ୍ପ- ବିବାହ ବାର୍ଷିକୀ

0
  • TATKAL ODISHA//ସତ୍ୟ ଅଳ୍ପ, ବେଶୀ ଗଳ୍ପ //

++++++++++++++++++++++++++++++++++++++++

ବିବାହ ବାର୍ଷିକୀ

++++++++++++++++++++++++++++++++++++++++

  • ପ୍ରକାଶ ତ୍ରିପାଠୀ
    ପୁରୀ ସମୁଦ୍ରକୂଳରେ ଥିବା ହାଇ ଟାଇଡ ହୋଟେଲର ମୁଖ୍ୟ ହଲ ରେ ସେଦିନ ଆୟୋଜିତ ହେଉଥାଏ ଏକ ନିଆରା ଉତ୍ସବ । ହୋଟେଲ ବାହାରକୁ କିଛି ଜଣା ପଡୁନଥିଲେ ମଧ୍ୟ ହଲ ମଧ୍ୟର ସାଜସଜ୍ଜା ଥିଲା ଖୁବ ଆକର୍ଷଣୀୟ। ଗୋଲାପ ଓ ରଜନିଗନ୍ଧା ଫୁଲରେରେ ସୁସଜିତ ହୋଇଥାଏ ପୋଡିଅମ । ସମୁଖରେ ରହିଥାଏ ଦୁଇଟି ଅତ୍ୟାଧୁନିକ ଚେୟାର ଓ ଏହାର ଠିକ ପଛରେ ଲେଖାଯାଇଥାଏ “୫୦ ବର୍ଷ ବିବାହ ପୂର୍ତ୍ତିର ଅଭିନନ୍ଦନ”।
  • ଅତି ପୁରୁଣା ଓଡିଆ, ହିନ୍ଦୀ ଚଳଚିତ୍ରର ଗୀତ ଓ ଲଘୁ ସଙ୍ଗୀତ ସହ ମଝିରେ ମଝିରେ ଜଗଜିତ ସିଂ ଓ ଗୁଲାମ ଅଲିଙ୍କର ଗଜଲ ହଲରେ ଉପସ୍ଥିତ ଅତିଥିମାନଙ୍କୁ ମତୁଆଲା କରୁଥିଲା। ଅତିଥିଙ୍କ ସଂଖ୍ୟା ବି ବେଶୀ ନଥିଲା। ଅତି ବେଶୀରେ ଚାଳିଶ ଜଣ ହେବେ। ଅତିଥିମାନଙ୍କ ପରିଧାନରୁ ଜଣାପଡିଯାଉଥାଏ ସେମାନଙ୍କ ସମ୍ଭ୍ର।ନ୍ତ ପଣ ।
  • ଠିକ ରାତି ଆଠଟା ବେଳକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା। ଉତ୍ସବର ମୁଖ୍ୟ ଆକର୍ଷଣ ଶ୍ରୀମତୀ ପ୍ରଭା ଦେବୀ ଓ ଶ୍ରୀ ବିରେନ୍ଦ୍ର ପଟନାୟକଙ୍କୁ ପୋଡିଅମରେ ସୁସଜିତ ହୋଇଥିବା ଆସନକୁ ପାଛୋଟି ନେଇଗଲେ ଉପସ୍ଥିତ ଅତିଥିଗଣ। ସଭିଙ୍କ ମୁଖମଣ୍ଡଳରେ ସ୍ମିତ ହସ ସହ ପ୍ରସନ୍ନତା ଭରି ରହିଥାଏ। ଜଣେ ମଧ୍ୟ ବୟସ୍କ ମହିଳା ପୋଡିଅମ ଉପରକୁ ଉଠିଯାଇ ଔପଚାରିକତା ପ୍ରଦର୍ଶନ ପୂର୍ବକ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଓ ଅଭିବାଦନ ଜଣାଇଥିଲେ ଓ ନିଜର ସ୍ଵାଗତ ସମ୍ଭାଷଣରେ ଯାହା କହିଲେ ସେଥିରୁ ସ୍ପଷ୍ଟ ବୁଝି ହୋଇଯାଇଥିଲା ଯେ ସେ ହେଉଛନ୍ତି ଶ୍ରୀମତୀ ପ୍ରଭା ଦେବୀ ଓ ଶ୍ରୀ ବିରେନ୍ଦ୍ର ପଟନାୟକଙ୍କ ବଡ କନ୍ୟା ଅନିତା ପଟନାୟକ। ସୁଦୂର ଆମେରିକାରେ ରୁହନ୍ତି। ମା-ବାପାଙ୍କ ୫୦ ତମ ବିବାହ ବାର୍ଷିକ ବଡ ଧୂମ ଧାମ ଓ ନିଆରା ଢଙ୍ଗରେ ପାଳିବା ପାଇଁ ଏ ସବୁ ଆୟୋଜନ ସେ ହିଁ କରିଛନ୍ତି। ସେଥିପାଇଁ ସେ ନିଜ ସ୍ଵାମୀ ଓ ଝିଅ-ପୁଅ ଙ୍କ ସହ ୧୫ ଦିନ ଛୁଟି ନେଇ ଭାରତ ଆସିଛନ୍ତି। ଅନିତାଙ୍କୁ ଏଥିରେ ସହଯୋଗ କରିଛନ୍ତି ତାଙ୍କର ସାନ ଭଉଣୀ ଅନିମା ପଟନାୟକ ଯିଏ କି ଭୁବନେଶ୍ବରରେ ରୁହନ୍ତି। ସେ ଏବେ ଏକ ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ଭାବେ ଅବସ୍ଥାପିତ। ଉତ୍ସବ ପାଳନର ସମସ୍ତ ଦାୟିତ୍ଵ ଦୁଇ ଭଉଣୀ ନେଇଥିଲେହେଁ ସାନ ଭାଇ ଅରୁଣଙ୍କ ଅନୁରୋଧରେ ଉତ୍ସବ ପାଳନ ପାଇଁ ପୁରୀ ସମୁଦ୍ର କୁଳରର ଏଇ ତାରକା ହୋଟେଲକୁ ଚୟନ କରାଯାଇଥିଲା। ଅରୁଣ ଭୁବନେଶ୍ବରରେ ରୁହନ୍ତି ଓ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ମା-ବାପାଙ୍କ ସହ ଅରୁଣ ଭୁବନେଶ୍ଵରରେ ରୁହନ୍ତି। ଏଇ ଭାଇ ଭଉଣୀଙ୍କ ପରିବାରର ସମସ୍ତ ସଭ୍ୟଙ୍କ ସହ ଅନ୍ୟ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସେମାନେ ହେଲେ ବିରେନ୍ଦ୍ର ବାବୁଙ୍କ ଦୁଇ ଭଉଣୀ- ଭିଣେଇ ଓ ସେମାନଙ୍କ ଝିଅ-ପୁଅ, କିଛି ପଡୋଶୀ ବନ୍ଧୁ ଓ ବନ୍ଧୁ ପତ୍ନୀ। ବିରେନ୍ଦ୍ର ବାବୁ ଜଣେ ଡାକ୍ତର ଓ ପ୍ରଭା ଦେବୀ ଅଧ୍ୟାପିକା ହୋଇଥିବା ଦୃଷ୍ଟିରୁ ତାଙ୍କର କିଛି ଅନ୍ତରଙ୍ଗ ବନ୍ଧୁଙ୍କୁ ସ୍ଵତନ୍ତ୍ର ଭାବେ ଆମନ୍ତ୍ରିତ କରିଥିଲେ ଅରୁଣ।
    ଅନିତା ଙ୍କ ଅନୁରୋଧରେ ଉପସ୍ଥିତ ଆତ୍ମୀୟ ସ୍ଵଜନ ତଥା ଅନ୍ତରଙ୍ଗ ବନ୍ଧୁଙ୍କ ସ୍ୱଳ୍ପ ସ୍ମୃତି ମନ୍ଥନ ବେଳେବେଳେ ଗୃହରେ ମୃଦୁ ହାସ୍ୟ ସୃଷ୍ଟି କରୁଥିଲା ତ ବେଳେବେଳେ ପରିବେଶକୁ ଭାବ ଗମ୍ଭୀର କରୁଥିଲା। ପ୍ରଭା ଦେବୀ ଓ ବିରେନ୍ଦ୍ର ବାବୁ ମଝିରେ ମଝିରେ ଟିସୁ ପେପରରେ ଆଖି ପୋଛୁଥିବା ଦେଖାଯାଉଥିଲା।
  • ଶେଷରେ ପାଳି ପଡିଲା ପ୍ରଭା ଦେବୀ ଓ ବିରେନ୍ଦ୍ର ବାବୁଙ୍କର। ଚୁପ ଚାପ ସ୍ଵଭାବର ବିରେନ୍ଦ୍ର ବାବୁ ଖୁବ କମ କଥା ହୁଅନ୍ତି। ପଦେ ଦୁଇପଦ କଥା କହି ତାଙ୍କର ବକ୍ତବ୍ୟ ଶେଷ କଲେ। କିନ୍ତୁ ସେଇ ଦୁଇପଦ କଥା ସଭିଙ୍କ ହୃଦୟକୁ ଛୁଇଁଗଲା। “Marriage is just like fine wine . if tended properly , it just gets better with age. ବିବାହ ହେଉଛି ପୁରୁଣା ମଦ ପରି । ସମୟ ବଢିବା ସହିତ ଏହାର ସ୍ୱାଦ ବୃଦ୍ଧି ପାଇଥାଏ। ମୂଳ କଥା ହେଉଛି ଏହାକୁ ତୁମେ ମାନେ କିପରି ଯତ୍ନ ନେଇପାରୁଛ। ୫୦ ବର୍ଷ ଏକାଠି ଅତିବାହିତ କରିସାରି ମଧ୍ୟ ମୋତେ ଲାଗୁଛି ସତେ ଯେମିତି ଆମେ ଏବେ ଏବେ ବାହା ହୋଇଛୁ। ନୂଆ ଘର ସଂସାର କରିଛୁ। ୨୦-୨୫ ବର୍ଷର ସମସ୍ତ ସମୟ, ସମ୍ପର୍କ ଓ ସ୍ମୃତି କୁ ପଛ କରି ମା-ବାପା ଙ୍କର ଅଲିଅଲି ଝିଅଟିଏ ଜଣେ ଅଜଣା ଅଶୁଣା ମଣିଷ ପାଖରେ ସମର୍ପିତ ହୋଇଯାଏ। ଅଜଣା ଘର କୁ ନିଜର କରିନିଏ । ଅଜଣା ପରିବାର କୁ ଆପଣାଇ ନିଏ। ଅଜଣା ବଂଶ କୁ ଆଗକୁ ବଢାଇବା ପାଇଁ ନିଜକୁ ମା ରୂପକୁ ରୂପାନ୍ତରିତ କରେ। ଏହାଠାରୁ ବଡ ବଳିଦାନ ଆଉ କଣ ଥାଇପାରେ। ଯେଉଁ ଝିଅଟିଏ ବୋହୁ ହେଲାପରେ ଏତେ ସବୁ ଉତ୍ସର୍ଗ କରିପାରେ, ସେଇ ବୋହୁଟିକୁ ଅଧିକ ଯତ୍ନ ନେବାର ଆବଶ୍ୟକ ଥାଏ। ବିଶେଷ କରି ପୁରୁଷ ଟିଏ, ଯାହାକୁ ଭରଷା କରି ଝିଅ ଟିଏ ବାହାରକୁ ପାଦ ବଢାଇଥାଏ, ଏହାକୁ ବୁଝିବା ଦରକାର। ଏହାକୁ ଯେଉଁ ପୁରୁଷ ବୁଝିପାରିଥାଏ, ସେଇଠି ବିବାହ ସଫଳ ହୁଏ । ମୁଁ ଏ କ୍ଷେତ୍ରରେ ସମ୍ପୂର୍ଣ ସଫଳ ହୋଇଛି କି ନାହିଁ କହିପାରିବିନି, କିନ୍ତୁ ବିଫଳ ହୋଇନାହିଁ। ଦୁଇଚକର ଏଇ ସଂସାର ରୁପକ ଗାଡିରେ ଖାଲଢିପମୟ ସମୟକୁ ଅତିକ୍ରମ କରିବାରେ ପ୍ରଭା ଗୋଟିଏ ଚକ ହୋଇ ଯେପରି ସହଯୋଗ କରିଛନ୍ତି ସେଥିପାଇଁ ମୁଁ ତାଙ୍କ ନିକଟରେ ଚିର ଋଣୀ” ।
  • ଉତ୍ସବ ସ୍ଥଳ ରେ ସମ୍ପୂର୍ଣ ନୀରବତା। ପ୍ରଭା ଦେବୀ ଦୁଇ ଆଖିରୁ ଲୁହ ପୋଛି ପ୍ରଥମେ ତାଳି ମାରିଲେ। ଏହାପରେ ସଭିଙ୍କ ତାଳିରେ ହଲଟି ପୁନର୍ବାର ଚଳ ଚଞ୍ଚଳ ହୋଇ ଉଠିଲା।
    ଏଥର ପ୍ରଭା ଦେବୀଙ୍କ ପାଳି। ଅନିତାଙ୍କ ଅନୁରୋଧରେ ପ୍ରଭା ଦେବୀ ମାଇକ୍ରୋ ଫୋନ ହାତରେ ଧରିଲେ। ପ୍ରଥମେ ସ୍ଵର୍ଗବାସୀ ଶାଶୁ ଶଶୁର, ନିଜ ସ୍ଵର୍ଗବାସୀ ମା-ବାପା ଙ୍କୁ ପ୍ରଣାମ ଜଣାଇଲେ ଓ ସ୍ଵାମୀବିରେନ୍ଦ୍ର ବାବୁଙ୍କୁ ଲକ୍ଷ କରି କହିଲେ – ମୁଁ ଆଜି ପ୍ରଥମ କରି ଜାଣିଲିଯେ, ମୋ ସ୍ଵାମୀ ଜଣେ ଡାକ୍ତର ସହ ଜଣେ ଦାର୍ଶନିକ ବି। ଦର୍ଶନ ଶାସ୍ତ୍ରରେ ଅଧ୍ୟାପିକା ହୋଇ ବି ମୁଁ ଏପରି କହିପାରିବିନି।
    ହଲ ରେ ପୁଣି କରତାଳି।
    ପ୍ରଭା ଦେବୀ ପୁଣି ନିଜର ବକ୍ତବ୍ୟ ରଖିଲେ। “ ଦର୍ଶନ ଉପରେ କିଛିବି କହିବିନି, କିନ୍ତୁ ଏପରି ଏକ ଅଙ୍ଗେ ନିଭା କଥା କହିବି ଯାହାକି ଆମ ଜୀବନ ପଥକୁ ସରସ ଓ ସୁନ୍ଦର କରିଦେଇଥିଲା। ଆମ ବିବାହ ବର୍ଷେ ପୁରିବାକୁ ଆଉ ମାତ୍ର ଚାରିଦିନ ଥାଏ। ମୁଁ ସେତେବେଳେ ରାଜଧାନୀ କଲେଜରେ ଅଧ୍ୟାପିକା ଥାଏ। ଇଏ ଅନୁଗୁଳ ହସ୍ପିଟାଲରେ ଥାଆନ୍ତି। ପ୍ରତି ଶନିବାର ଓ ରବିବାରକୁ ଭୁବନେଶ୍ଵର ଆସନ୍ତି। ସେତେବେଳେ ଭୁବନେଶ୍ଵରରେ ଆମର ଘର ନଥିବାରୁ ମୁଁ ଶହୀଦ ନଗର ରେ ବାପା ବୋଉଙ୍କ ପାଖରେ ରହୁଥାଏ। ଛୁଟି ରେ ସେ ଭୁବନେଶ୍ଵର ଆସନ୍ତି ଓ ସେଠାରୁ ଆମେ ସାଙ୍ଗ ହୋଇ ମୋ ଶାଶୁଘର ଗାଁ କୁ ଯାଉ । ସେଦିନ ଥାଏ ରବିବାର । ମୁଁ ଶାଶୁ ଘରେ ଥାଏ। କେଉଁ ଗୋଟେ ଛୋଟ କଥାକୁ ନେଇ ଆମର ଝଗଡା ହେଲା। ଏମିତି ଝଗଡା ହେଲା ଯେ ରାତିରେ ସେ ଉପାସ ଓ ମୁଁ ବି ଉପାସ। ତା ପରଦିନ ସକାଳୁ ଭୁବନେଶ୍ବର ବାହାରିଲୁ। ଗାଁ ଠାରୁ ଭୁବନେଶ୍ଵର ଦୀର୍ଘ ୫୦ କିଲୋମିଟର ଗୋଟିଏ ସ୍କୁଟରରେ ଆସିମଧ୍ୟ କେହି କାହାକୁ କଥା ହୋଇନଥିଲୁ। ମୋତେ ଆମ ଶହୀଦନଗର ଘରପାଖରେ ଗେଟ ବାହାରେ ଛାଡିଦେଇ ବାହାରୁ ବାହାରୁ ଚାଲିଗଲେ ଷ୍ଟେସନ। ସେଠାରେ ସ୍କୁଟର ରଖି ଟ୍ରେନରେ ଅନୁଗୁଳ ଗଲେ।
    ଏହାର ତିନିଦିନ ପରେ ଅର୍ଥାତ ଗୁରୁବାର ଦିନ ଆମର ପ୍ରଥମ ବିବାହ ବାର୍ଷିକ।ସେତେବେଳେ ଆଜିର ଦିନ ଭଳି ମୋବାଇଲ ଫୋନ ନଥିଲା। ସମ୍ପର୍କ ପାଇଁ ସବୁକିଛି ଚିଠି ଉପରେ ନିର୍ଭର କରୁଥିଲା। ଭାବିଥିଲି ଚିଠି ଲେଖି ଭୁଲ ମାଗିବି ଓ ବୁଧବାର ରାତି କିମ୍ବା ଗୁରୁବାର ଦିନ ସକାଳୁ ଭୁବନେଶ୍ଵର ଆସିବାକୁ ଅନୁରୋଧ କରିବି। କିନ୍ତୁ ଅନୁଗୁଳରେ ଚିଠି ପହଞ୍ଚିଲା ବେଳକୁ ବିବାହବାର୍ଷିକ ଦିନ ଗାଡି ଯାଇଥିବ। ମନମାରି ଚୁପ ରହିଲି।
    ଗୁରୁବାର ହେଲା। ସକାଳୁ ସକାଳୁ ଏକୁଟିଆ ମନ୍ଦିର ଗଲି , ଘିଅ ଦୀପ ଜାଳିଲି । ଯାଙ୍କୁ ସଦବୁଦ୍ଧି ଦେବାପାଇଁ ଈଶ୍ଵରଙ୍କୁ ପ୍ରାର୍ଥନା କଲି ।
    ପ୍ରଭା ଦେବୀଙ୍କ ବକ୍ତବ୍ୟରେ ବାଧାଦେଇ ବିରେନ୍ଦ୍ର ବାବୁ କହିଲେ- ନିଜ ପାଇଁ ସଦବୁଦ୍ଧି ମାଗିଲ ନା ନାହିଁ ?
    ପୁଣି ହଲ ସାରା ହାସ୍ୟରୋଳ।
    ପ୍ରଭା ଦେବୀ କିଛି ଉତ୍ତର ନ ଦେଇ ପୁଣି କହିଲେ- କଲେଜରୁ ଅପରାହ୍ନ ୩ ଟାରେ ଘରକୁ ଫେରିଲି। ୟାଙ୍କ କଥା ବେଶି ବେଶି ମନେ ପଡିଲା। ନିଷ୍ପତ୍ତି ନେଲି ଅନୁଗୁଳ ଯିବାକୁ। ରାତିରେ ଅନୁଗୁଳ ରେ ପହଞ୍ଚି ସରପ୍ରାଇଜ ଦେବି । ପୂର୍ବରୁ ଦୁଇଥର ମୁଁ ୟାଙ୍କ ସହ ଅନୁଗୁଳ ଯାଇଛି। ମେଡ଼ିକାଲ କ୍ୟାମ୍ପସ ଭିତରେ ଥିବା କ୍ଵାଟରରେ ଦୁଇ ଚାରି ଦିନ ରହିଛି। ସବୁ ସୁବିଧା ଅଛି। ବାପା ଅଫିସରୁ ଫେରି ନଥାନ୍ତି। ବୋଉ କୁ କହି ସିଧା ଚାଲିଲି ବସ ଷ୍ଟାଣ୍ଡ।
    ଅନୁଗୁଳ ରେ ପହଞ୍ଚିବା ବେଳକୁ ରାତି ଆଠ । ଷ୍ଟାଣ୍ଡ ରୁ ରିକସା ଟିଏ କରି ମେଡ଼ିକାଲ କ୍ୟାମ୍ପସ ରେ ପହଁଚିଲି। କ୍ଵାଟର କୁ ଯାଏ ଦେଖେ ତ ତାଲା ପଡିଛି। ଭାବିଲି ମାର୍କେଟ ଯାଇଥିବେ କି କୋଉ ପେସେଣ୍ଟ ଦେଖିବାକୁ ଯାଇଥିବା। ପିଣ୍ଡାରେ ବସିଲି। ମୋତେ ଦେଖି ପାଖ କ୍ବାଟରରେ ରହୁଥିବା କମ୍ପାଉଣ୍ଡର ମିଶ୍ର ବାବୁ ଆସି ନମସ୍କାର କଲେ।କହିଲେ- ସାର୍ ଏଇ ସନ୍ଧ୍ୟାରେ କ’ଣ ଗୋଟେ ଜରୁରୀ କାମ ଅଛି କହି ଭୁବନେଶ୍ଵର ଗଲେ।
    ଭୁବନେଶ୍ବର ଯିବାବେଳେ ପ୍ରତିଥର କ୍ଵାଟର ଚାବି କମ୍ପାଉଣ୍ଡର ବାବୁଙ୍କୁ ଇଏ ଦେଇଥାନ୍ତି। ସେଇ ବିଶ୍ଵାସରେ ମିଶ୍ର ବାବୁଙ୍କୁ କ୍ଵାଟର ଚାବି ମାଗିଲି। ମୋତେ ବୁଝିବାକୁ ବାକି ରହିଲାନି ଯେ ମୁଁ ଯେଉଁଥି ପାଇଁ ସନ୍ଧ୍ୟାରେ ଅନୁଗୁଳ ଆସିଛି, ସେଇଥିପାଇଁ ମୋତେ ସରପ୍ରାଇଜ ଦେବା ପାଇଁ ଇଏ ବି ଭୁବନେଶ୍ଵର ଯାଇଛନ୍ତି। ପ୍ରଥମ ବିବାହବାର୍ଷିକୀ ଆମ ଉଭୟଙ୍କ ପାଇଁ ସରପ୍ରାଇଜ ହୋଇଗଲା। ତା ପରଦିନ ମୁଁ ଭୁବନେଶ୍ବର ଫେରିନଥିଲି। ଠିକ ନଅଟାରେ ଇଏ ଅନୁଗୁଳ ରେ ପହଁଚିଲେ। କହିଲେ ଆଜି ଶୁକ୍ରବାରଦିନ ଆମେ ବିବାହ ବାର୍ଷିକୀ ପାଳିବା। କାହିଁକି ନା ଆମ ବିବାହ ରାତି ବାରଟା ପରେ ହୋଇଥିଲା। ସେଇଆ ମଧ୍ୟ ହେଲା। ଏହା ପରଠାରୁ ଆମର ଆଉ କେବେ ବି ଝଗଡା ହୋଇନି କି ରାଗ ରୁଷା ରେ କଥା ବାର୍ତ୍ତା ବନ୍ଦ ହୋଇନି।
    ସାନ ଝିଅ ଅନିମା ସମସ୍ତଙ୍କୁ ଧନ୍ୟବାଦ ଦେବା ପୂର୍ବରୁ ପଚାରିଲା- ଆଚ୍ଛା ମା, ତୁ ତ କହିଲୁନି ବାପା ଓ ତୋ ଭିତରେ ସେଦିନ ଝଗଡା କାହିଁକି ହୋଇଥିଲା। ସେ ଛୋଟିଆ ଘଟଣା ଏମିତି କଣ ଥିଲା ଯେ ତୁମର ବିବାହ ବାର୍ଷିକ ଗୋଟିଏ ଦିନ ଘୁଞ୍ଚିଗଲା।
    ହସି ହସି କଥାଟିକୁ ଏଡାଇବାକୁ ଚେଷ୍ଟା କରିଥିଲେ ପ୍ରଭା ଦେବୀ। ମାତ୍ର ସମସ୍ତଙ୍କ ଅନୁରୋଧରେ କହିବାକୁ ବାଧ୍ୟ ହୋଇଥିଲେ ସେ। ଲାଜ ମିଶା କଣ୍ଠରେ କହିଲେ- କମଳ ହାସନ ଓ ଶ୍ରୀଦେବୀ ଅଭିନୀତ “ସଦମା“ ସିନେମା ସେତେବେଳେ ପଡିଥାଏ। ଶ୍ରୀଦେବୀ ମୋ ପ୍ରିୟ ଅଭିନେତ୍ରୀ। ତାଙ୍କର ସବୁ ସିନେମା ମୁଁ ଦେଖେ। ସିନେମା ଦେଖିଯିବାକୁ ଯୋଜନା କଲୁ ।ୟାଙ୍କ ସହିତ ଏକୁଟିଆ ସିନେମା ଯିବାକୁ ଟିକେ ଟିକେ ଲାଜ ଲାଗୁଥିଲା। ସେଥିପାଇଁ ମୁଁ କହିଥିଲି ସାଥିରେ ନଣନ୍ଦ, ମାନେ ୟାଙ୍କ ସାନ ଭଉଣୀ ଓ ସାନଭାଇଙ୍କୁ ନେବାକୁ। ଇଏ କିନ୍ତୁ ରାଜି ହେଲେନି। ତା ପରେ କେହି କାହା ଜିଦିରୁ ଓହରି ନଥିଲୁ। ଫଳ ହେଲା ରାତିସାରା ଉପାସ ଓ କଥା ବାର୍ତ୍ତା ବନ୍ଦ।
    ହାସ୍ୟ ରୋଳ ଓ କରତାଳିରେ ହଲଟି ଅଧିକ ରୋମାଞ୍ଚିତ ହୋଇ ଉଠୁଥିଲା।
  • @ କୋଣାର୍କ, ପୁରୀ

Leave A Reply

Your email address will not be published.