ପ୍ରସନ୍ନ କୁମାର ହୋତାଙ୍କ ଅଙ୍ଗେନିଭା କାହାଣୀ – ‘ବିସ୍ତାପିତ କାହାଣୀ’

0

  • //ପ୍ରସନ୍ନ କୁମାର ହୋତା//
  • //TATKAL ODISHA//

***************************************************

  • ବିସ୍ତାପିତ କାହାଣୀ’

କିଛି ସପ୍ତାହ ତଳେ କାନାଡ଼ାର ଟରୋଣ୍ଟୋ ନଗରକୁ ବୁଲିବାକୁ ଯାଇଥିଲି। ଥଣ୍ଡା ଜାଗା, ସୁନ୍ଦର ନଗର। ଆମେରିକାର ବଡ଼ ନଗରମାନଙ୍କ ପରି ଏତେ ଚାକଚକ୍ୟଭରା ନୁହେଁ; କିନ୍ତୁ କିଛିଦିନ ପରେ ଜାଣିହୁଏ ଯେ ଟରୋଣ୍ଟୋ ଏକ ମାର୍ଜିତ ନଗର। ଅନେକ ପ୍ରକାରର ଲୋକ ସେଠାରେ ରହନ୍ତି। ଭାରତୀୟ ଏବଂ ଚାଇନିଜ୍ ମଧ୍ୟ ଅନେକ। ସେଠାରୁ ନାଏଗ୍ରା ଜଳପ୍ରପାତ ପ୍ରାୟ ଦେଢ଼ଘଣ୍ଟାର ରାସ୍ତା।

୧୯୭୩ ରେ ଚାକିରୀରିରୁ ଛୁଟିନେଇ ମୁଁ ନ୍ୟୁୟର୍କର କଲମ୍ୱିଆ ୟୁନିଭର୍ସିଟିରେ ଫେଲୋସିପ୍‌ରେ ପଢୁଥିଲି। ଆଠ ନଅମାସ ସେ ଜନାକୀର୍ଣ୍ଣ ନଗରରେ ରହଣିକାଳରେ ଅନେକ ବିଚିତ୍ର ଅନୁଭୂତି ହୋଇଥିଲା। ସେଇଟା ମୋର ପ୍ରଥମ ବିଦେଶଯାତ୍ରା; ସବୁ ନୂଆ ଲାଗୁଥିଲା। ଏବେ ଟରୋଣ୍ଟୋ ତେଣୁ ସେତେ ନୂଆ ନୂଆ ଲାଗିଲା ନାହିଁ।

ତେବେ କିଛି କିଛି ସାଙ୍ଗସାଥୀ ପରିବାରବର୍ଗଙ୍କ ସହ ଆଳାପ କରି ଅନେକ କୌତୁକ ଓ କୌତୁହଳପୂର୍ଣ୍ଣ କଥା ଜାଣିପାରିଲି। ‘ମଣିଷ ମରିବା ପର୍ଯ୍ୟନ୍ତ ପିଲା’ -ମୋ ଅନ୍ୟ ଏକ କାହାଣୀରେ ଲେଖିଛି। ନୂଆ ପର୍ଯ୍ୟଟକ ବା ନୂଆ ବିସ୍ତାପିତ ଇମିଗ୍ରାଣ୍ଟ ଆହୁରି ଶିଶୁସୁଲଭ।

୧୯୭୩ କଥା ସବୁ ମନେ ପଡ଼ିଲା …

ସେତେବେଳେ ନୂଆ ନୂଆ ଓଡ଼ିଆମାନେ ଜୀବନ ଓ ଜୀବିକା ପାଇଁ ଆମେରିକା ଯିବା ଆରମ୍ଭ କରି ସାରିଥିଲେ। ତଥାପି ଭାରତୀୟ ଆମେରିକାରେ ଏତେ ସଂଖ୍ୟାରେ ନଥିଲେ ଏବଂ ଓଡ଼ିଆମାନେ ତ ଥିଲେ ମୁଷ୍ଟିମେୟ। ସେମାନଙ୍କ ମଧ୍ୟରୁ ଅନେକ ନ୍ୟୁୟର୍କ ନଗର ବା ତା ଆଖପାଖରେ ପହଞ୍ଚି ଆମେରିକାରେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା ଆରମ୍ଭ କରୁଥିଲେ। ଆମେରିକାରେ ଭାରତୀୟ ପଢ଼ା ଓ ଚାକିରିର ଅଭିଜ୍ଞତା ପ୍ରତି ଏତେ ସ୍ୱୀକୃତି ମିଳିବା ଆରମ୍ଭ ହୋଇନଥିଲା। ପ୍ରାୟ ପ୍ରତ୍ୟେକ ଜୀବିକା ପାଇଁ ଗୋଟିଏ ଆମେରିକାନ୍ ଯୋଗ୍ୟତାର ଆବଶ୍ୟକତା ହେଉଥିଲା। ତେଣୁ ଅନେକ ଯୋଗ୍ୟ ଓଡ଼ିଆ ଆମେରିକାରେ ପ୍ରଥମ ଅବସ୍ଥାରେ ସୁବିଧା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯଥା ଏଠାକାର ଭଲ ଡାକ୍ତର ସେଠାରେ ଯାଇଁ ଆହୁରି ଥରେ ସ୍ୱୀକୃତ ଯୋଗ୍ୟତା ପରୀକ୍ଷା ଦେବାକୁ ବାଧ୍ୟ ହେଉଥିଲେ। ଚାଟାର୍ଡ ଆକାଉଣ୍ଟାଣ୍ଟ ଭାରତରେ ସବୁ ଯୋଗ୍ୟତା ଓ ଅଭିଜ୍ଞତା ସତ୍ତ୍ୱେ ଆମେରିକାରେ ସ୍ୱୀକୃତ ହେବାକୁ ସିପିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଆବଶ୍ୟକ ହେଉଥିଲା।

ଅନେକ ଓଡ଼ିଆ ପରିବାର ଛୋଟ ଛୋଟ ଘରେ ଭଡ଼ାରେ ରହୁଥିଲେ; ଆସ୍ତେ ଆସ୍ତେ ପ୍ରାୟ ସମସ୍ତେ ନିଜ ଚେଷ୍ଟା ଓ ଯୋଗ୍ୟତା ବଳରେ ବିଭବଶାଳୀ ଆମେରିକାରେ ନିଜ ନିଜ ସ୍ଥାନ ଯୋଗାଡ଼ କରିନେଲେ; ଘର ଗାଡ଼ି ଆଦି କିଣି ସମ୍ପନ୍ନ ଜୀବନଯାପନ ଆରମ୍ଭ କଲେ।

କିନ୍ତୁ ପ୍ରଥମ ବର୍ଷେ ଦୁଇବର୍ଷର ବିସ୍ତାପିତ ଜୀବନରେ ଅନେକ କୌତୁକପୂର୍ଣ୍ଣ ଘଟଣା ଘଟୁଥିଲା। ମୋର ଭାରତ ତଥା ଓଡ଼ିଶାରେ ଆଇ.ଏ.ଏସ୍. ଚାକିରି ଆରମ୍ଭ ହୋଇଯାଇଥିଲା। ମୋର ଦେହ, ବିଶେଷକରି ପେଟ ଖରାପ ରହିବାରୁ ଡାକ୍ତର ବନ୍ଧୁମାନଙ୍କ ପରାମର୍ଶରେ ଜଳବାୟୁ ପରିବର୍ତ୍ତନ ପାଇଁ ପରୀକ୍ଷା ଦେଇ ନିର୍ବାଚିତ ହୋଇ ଆମେରିକାରେ ମୁଁ ପଢ଼ିବାକୁ ଯାଇଥିଲି। ଫେଲୋସିପ୍ ପଇସା କମ୍; ବିଭବଶାଳୀ ଦେଶରେ ଭଲ ଖର୍ଚ୍ଚ କରିହେଉନଥିଲା -କିନ୍ତୁ ଖାଇବା ପିଇବା, ପଢ଼ିବା ଆଦିରେ ଅସୁବିଧା ନଥିଲା।

ପ୍ରତ୍ୟେକ ସପ୍ତାହ ଶେଷରେ ଶନିବାର ଏବଂ ରବିବାର ଦିନ ଓଡ଼ିଆମାନେ ଡକାଡକି ହୋଇ ଏକାଠି ହେଉଥିଲେ -ଭଲ ଖାଇବା ପିଇବା ହେଉଥିଲା। ଇମିଗ୍ରାଣ୍ଟ ମାନଙ୍କ ବ୍ୟବହାର ଓ ଘଟଣାବଳୀରୁ କିଛି ଆମୋଦ ଓ ଆନନ୍ଦ ମିଳୁଥିଲା।

ଯେପରି ସଂସାରରେ ସଚରାଚର ଘଟେ -ଲୋକ ଅନେକ ପ୍ରକାରର; ଏବଂ କିଛି ଅନୁଭୂତି ଏକ ପ୍ରକାରର, କିଛି ଅଲଗା ପ୍ରକାରର। ନୂଆ ନୂଆରେ ସବୁକଥା ସମସ୍ତଙ୍କୁ ଜାଣିବାକୁ ସମୟ ଲାଗୁଥାଏ। ସେତେବେଳେ ଭାରତ ବିଶେଷକରି ଓଡ଼ିଶାର ଚଳଣୀ ଓ ଆମେରିକାନ୍ ଚଳଣୀ ମଧ୍ୟରେ ଅନେକ ପ୍ରଭେଦ। ତେଣୁ ଅନେକ ସମୟରେ କିଛିନାକିଛି ଅନୁଭୂତି ବିଚିତ୍ରତାରେ ଭରା।

ଅନେକ ଓଡ଼ିଆ ବନ୍ଧୁ ପରିବାର …ତାହା ମଧ୍ୟରୁ ଗୋଟିଏ ଦମ୍ପତ୍ତି ତାଙ୍କ ସରଳତା ଯୋଗୁ ମୋ ଆଖିରେ ବେଶୀ ବାରି ହୋଇ ପଡ଼ନ୍ତି। ସ୍ୱାମୀ ତତ୍କାଳୀନ ଓଡ଼ିଶାରେ ହାତଗଣତା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ମଧ୍ୟରେ ଅନ୍ୟତମ। ଅଧିକ ସୁଯୋଗ ଓ ବେତନ ଆଦି ଆଶାରେ କଷ୍ଟ ସହି ଯାଇ ଆମେରିକାରେ ପହଞ୍ଚିଥାନ୍ତି। ସାଙ୍ଗରେ ତାଙ୍କ ସ୍ତ୍ରୀ -ଗଣିତରେ ଏମ୍.ଏସ୍‌ସି., ପ୍ରଥମଶ୍ରେଣୀ ପାଇଥିବା କୃତୀ ଛାତ୍ରୀ। ବେଶଭୂଷା ଏକବାରେ ସରଳ, ଆବଶ୍ୟକତାରୁ ଅଧିକ ସାଧାସିଧା ଦମ୍ପତ୍ତି। ଉଭୟ ପରସ୍ପରର ଭଲ ଯୋଡ଼ି -କେଉଁ କଥାରେ ବି ତିଳେମାତ୍ର ଆଡ଼ମ୍ୱର ନଥାଏ।

ସ୍ୱାମୀ ପାଠ ପଢୁଥାନ୍ତି -ସେପରି କିଛି ରୋଜଗାର ଆରମ୍ଭ ହୋଇନଥାଏ। ସ୍ତ୍ରୀ ଭଲ ଛାତ୍ରୀ କିନ୍ତୁ ସେ ବେଳର ଓଡ଼ିଆ ଭାଷା ମାଧ୍ୟମ ସ୍କୁଲରେ ପଢ଼ା ଆଦି। ତାପରେ ଲେଖାପଢ଼ା ଚୌକସ; କିନ୍ତୁ ଇଂରାଜୀରେ କଥାବାର୍ତ୍ତା କରିବାରେ ନିପୁଣତା ଆସିନଥାଏ। ଏବଂ ଶାଢ଼ୀ ପିନ୍ଧା ପତଳା ଚେହେରା, ଲମ୍ୱା ବେଣୀ ଓ ଆଖିରେ ପୁରୁଣାକାଳିଆ ଚଷମା। ମୁଣ୍ଡରେ ତେଲ, ସୁନ୍ଥାରେ ସିନ୍ଦୂର -ଓଡ଼ିଶାରେ ସରଳ ବିଦୂଷୀ କହିଲେ ସେ କାଳେ ଯାହା ବୁଝାଯାଉଥିଲା ତାହାର ଏକ ଅବିକଳ ମୂର୍ତ୍ତିମନ୍ତ ସ୍ୱରୂପ। କିନ୍ତୁ ଚାକଚକ୍ୟଭରା ନ୍ୟୁୟର୍କରେ ତାଙ୍କ ମୂଲ୍ୟ ସଠିକ୍ ଆକଳନ କିଏ କରିବ ? ବହୁକଷ୍ଟରେ ତାଙ୍କୁ ମାନ୍‌ହାଟାନ୍‌ର ସହରତଳି ଅଞ୍ଚଳରେ ଗୋଟେ କାମ ମିଳିଗଲା। ସେ ଛୋଟ ଅଫିସ୍‌ରେ ତାଙ୍କ ପରି ଆଉ ଦଶବାର ଜଣ ସ୍ତ୍ରୀଲୋକ ବା ଝିଅପିଲା। ସେ ଅଫିସ୍‌ରେ କାମ ହେଲା କେଉଁ ଏକ ବଡ଼ କମ୍ପାନୀର ହିସାବପତ୍ର ବିଲ୍ ଆଦିକୁ ରେଜିଷ୍ଟରରେ ଭଲଭାବେ ଲେଖି, କେତେ ପ୍ରାପ୍ୟ ଏକଥା ବାହାର କରିବା -ଆକାଉଣ୍ଟ ରିସିଭେବଲ୍ କ୍ଲର୍କ। ସେତେବେଳେ ନ୍ୟୂନତମ ମଜୁରୀ ନ୍ୟୁୟର୍କରେ ଘଣ୍ଟାକୁ ଦୁଇ ଡଲାର୍ – କିନ୍ତୁ ଏ ଚାକିରିରେ କିଛି ଦକ୍ଷତା ଦରକାର -ତେଣୁ ଘଣ୍ଟାକୁ ତିନି ଡଲାର୍ ହିସାବରେ ତାଙ୍କୁ ମିଳୁଥିଲା। ସପ୍ତାହକୁ ଚାଳିଶ ଘଣ୍ଟା କାମ, ତେଣୁ ତାଙ୍କ ପ୍ରାପ୍ୟ ସପ୍ତାହକୁ ଶହେ କୋଡ଼ିଏ ଡଲାର୍। ସେତେବେଳେ ଶସ୍ତା ଯୁଗ ଥିଲା -ସେତିକି ପଇସାରେ ଭଲ ଖାଇପିିଇ ଆଗାମୀ ସୁଦିନ ପାଇଁ ଦମ୍ପତ୍ତି ଅପେକ୍ଷା କରୁଥିଲେ। ଥରେ ତାଙ୍କ ସ୍ୱାମୀ ସ୍ୱୀକୃତି ପରୀକ୍ଷାରେ ସଫଳ ହୋଇଗଲେ ମାସକୁ ଅତି କମରେ ତିନି ଚାରି ହଜାର ଡଲାର୍‌ର ଚାକିରି ମିଳିଯିବ।

ସ୍ତ୍ରୀଙ୍କ ଅଫିସ୍‌ରେ ସହକର୍ମୀମାନେ ତାଙ୍କ ପରି କେହି ଉଚ୍ଚ ଶିକ୍ଷିତା ନଥିଲେ। କିନ୍ତୁ ସଂକୋଚ ହେତୁ ଶ୍ରୀମତୀ ଦାସ ତାଙ୍କ ନିଜ ପାଠ ଯୋଗ୍ୟତା ବିଷୟରେ କେବେ କାହା ସଙ୍ଗେ ଗପ କରିନଥିଲେ। ସେ ଅଫିସ୍‌ର ସମସ୍ତେ କ୍ଲର୍କ ଏବଂ ତାଙ୍କ କାମ ତଦାରଖ କରିବାକୁ ଜଣେ ମୋଟୀ ବୟସ୍କା ପ୍ୟୁଟୋରିକାନ୍ ଲାଟିନ୍ ମହିଳା -ଯାହାଙ୍କ ଶିକ୍ଷାଗତ ଯୋଗ୍ୟତା ସନ୍ଦେହଜନକ – କିନ୍ତୁ ସେ ମୋଟାସୋଟା; ଏ ଅର୍ଦ୍ଧଭୁକ୍ତ ଦଶବାର ଜଣ କ୍ଲର୍କଙ୍କ ଉପରେ ସେ ସର୍ଦ୍ଦାର। ମଝିରେ ମଝିରେ ପାଟି କରନ୍ତି – ‘ନୋ ଟକ୍, ନୋ ଟାଇମ୍ ଲସ୍, ୱାର୍କ’ । ଏତିକିରେ ସେ ସୁପର ଭାଇଜର୍, ଏମାନଙ୍କଠାରୁ ଦୁଇଗୁଣ ଦରମା ପାଇଥାନ୍ତି। କେବେ କେବେ ବେଶୀ କାମ ଆସିଗଲେ, ଘଣ୍ଟେ ଅଧେ ଯାହା ଅଧିକା କାମ କରିବାକୁ ପଡ଼େ। ‘ଓଭର୍‌ଟାଇମ୍’ ହିସାବ ହୋଇ ପ୍ରତି ସପ୍ତାହରେ ଦରମା ସହ ଓଭର୍‌ଟାଇମ୍ ଡଲାର୍ ମଧ୍ୟ ମିଳେ।
ସେତେବେଳେ ସେଠାରେ ପ୍ରଥା ଥିଲା, ପ୍ରତି ସପ୍ତାହର ଶୁକ୍ରବାର ସଂଧ୍ୟାରେ ସପ୍ତାହକର ଦରମା ମିଳିଯାଏ। କାନାଡ଼ାର ଅନେକ ସହରରେ ପନ୍ଦର ଦିନକୁ ପନ୍ଦର ଦିନ ଦରମା ମିଳିଯାଏ। ଚଳିବାକୁ ସୁବିଧା ହୁଏ।

ଏହିପରି ଏକ ସପ୍ତାହ ଶେଷ। ଶନିବାର ରାତିରେ କେହି ବନ୍ଧୁଙ୍କ ଘରେ ରାତ୍ରିଭୋଜନ। ସେଠାକୁ ଦାସ-ଦମ୍ପତ୍ତି ମଧ୍ୟ ନିମନ୍ତ୍ରିତ। ମୁଁ ମଧ୍ୟ ଯାଇଥାଏ। ଗପ ଜମିଥାଏ, ତେବେ ଶ୍ରୀମତୀ ଦାସ ଟିକେ ବିମର୍ଷ ଦେଖାଯାଉଥାନ୍ତି। କଲେଜରେ ସେ ମୋ ଉପର ଶ୍ରେଣୀରେ ପଢୁଥିଲେ। କଲେଜ ନିର୍ବାଚନ ଆଦି ଯୋଗୁ ମୁଁ ଥରେ ସାହସ କରି ତାଙ୍କ ସଙ୍ଗେ କଥା ହୋଇ ଭୋଟ୍ ଭିକ୍ଷା କରିଥିଲି। ସେତେବେଳେ ସୁଛାତ୍ର ହେଲେ ସାରା କଲେଜ ଏପରିକି ବିଜ୍ଞାନ ଛାତ୍ର ଆର୍ଟସ ପିଲାଙ୍କ ବିଷୟରେ ମଧ୍ୟ ଖବର ରଖୁଥିଲେ। ତେଣୁ ମୋର ମନେଅଛି – ତାଙ୍କ ବଡ଼ ଭଉଣୀସୁଲଭ ଗୁଣୁଗୁଣୁ ଅସ୍ପଷ୍ଟ କଥା -‘ତମେ ଭଲ ଷ୍ଟୁଡେଣ୍ଟ, ତୁମକୁ ଆମେ ଭୋଟ୍ ନିଶ୍ଚୟ ଦେବୁ।’

ପୁଣି ନ୍ୟୁୟର୍କର ସେ ସଂଧ୍ୟାରେ ଭେଟ। ତାଙ୍କୁ ଚୁପଚାପ ବସିଥିବା ଦେଖି ମୁଁ ନ ଜାଣିଲାପରି ତାଙ୍କ ପାଖକୁ ଯାଇ ଗପ ଆରମ୍ଭ କଲି। ‘ଆପଣ ଏଠାରେ କଣ ପଢୁଛନ୍ତି ?’ ସେ ମୋ ଆଡ଼କୁ ଦୁଃଖରେ ଚାହିଁ କହିଲେ ‘ଆମ ବାବୁ ପଢୁଛନ୍ତି । ବଡ଼ ଚାକିରି ପାଇବେ। ମୋ ପାଠରେ ଏଠି ଆଦର ନାହିଁ। ଘର କିପରି ଚଳିବ, ସେଥିପାଇଁ ମୁଁ ଗୋଟେ ଛୋଟ ଚାକିରି କରିଛି।’ ତା’ପରେ ତାଙ୍କଠାରୁ ତାଙ୍କ କାମ ଆଉ ଦରମା ବିଷୟରେ ଜାଣିପାରିଲି। ସେ ପ୍ରକୃତରେ ସରଳା; ନିଃସଂକୋଚରେ ସାନଭାଇ ଆଗରେ ଦୁଃଖ ଗାଇବା ପରି ଗୋଟିଏ ପରେ ଗୋଟିଏ ସବୁ କଥା ଅବଲୀଳାକ୍ରମେ କହି ଚାଲିଲେ। ମୁଁ ଭାବିଲି ସେ ଏପରି କଷ୍ଟ ସ୍ୱୀକାର କରି ସ୍ୱାମୀ ପଢ଼ିବେ, ଭଲ ଦିନ ଆସିବ ବୋଲି ଯେଉଁ କାମ କରୁଛନ୍ତି -ତାହା ଗର୍ବର ବିଷୟ; ଏବଂ ସେ ସେଥିପାଇଁ ଖୁସି ହେବା ଉଚିତ।

ଶ୍ରୀମତୀ ଦାସ ମତେ ସସ୍ନେହ ଦୃଷ୍ଟିରେ ଦେଖି କହିଲେ, ତାଙ୍କ କାମକୁ ସେ ଛୋଟ ବା ବଡ଼ ଭାବୁ ନାହାନ୍ତି … ତାଙ୍କ ଦୁଃଖ ହେଲା ଗୋଟିଏ ମୂର୍ଖ ସ୍ତ୍ରୀଲୋକ ତାଙ୍କର ସୁପର୍‌ଭାଇଜର୍‌ ଯାହାକୁ ପାଠଶାଠ କିଛି ଜଣାନାହିଁ, ତେବେବି ସେ ଚଳେଇ ନେଉଥିଲେ। କିନ୍ତୁ ସେହି ଶୁକ୍ରବାର ହଠାତ୍ ତା’ ସଙ୍ଗେ ଶ୍ରୀମତୀ ଦାସଙ୍କ ମତାନ୍ତର ଘଟିଗଲା। ସେ ମୋଟୀ ସ୍ତ୍ରୀଲୋକ ତାଙ୍କ ପ୍ରତି ଖରାପ ବ୍ୟବହାର କରିବାରୁ ତାଙ୍କ ମନଟା ଦୁଃଖ। ଘଟଣାର ସମ୍ୟକ୍ ବିବରଣୀ କିଛିଟା ଏହିପରି :-
ଶୁକ୍ରବାର ଅଫିସ୍‌ ସମୟ ସରିବା ଉପରେ … ସମସ୍ତଙ୍କୁ ସୁପର୍‌ଭାଇଜର୍‌ ଡକାଇ ଦରମା ଲଫାପା ବଢ଼ାଇଦେଲେ। ଶ୍ରୀମତୀ ଦାସ ନିଜ ଚୌକୀକୁ ଫେରି ଲଫାପା ଖୋଲି ଦେଖନ୍ତି ଯେ ତାଙ୍କର ଯାହା ପ୍ରାପ୍ୟ (ଓଭର୍‌ଟାଇମ୍‌ ସେ ସପ୍ତାହରେ ବେଶୀ ହୋଇଥିଲା) ତାହାଠାରୁ ୬ ଡଲାର ଅଧିକ ତାଙ୍କ ଲଫାପାରେ ଅଛି। ପିଲାଦିନୁ ସେ ପ୍ରାର୍ଥନା ଗାଇଛନ୍ତି – ‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’ ….। ସେ ସ୍ୱସ୍ଥାନରୁ ଉଠିଯାଇ ସୁପର୍‌ଭାଇଜର୍‌ଙ୍କ ଟେବୁଲ ସାମ୍ନାରେ ଠିଆ ହେଲେ …ସେ ପର୍ଯ୍ୟନ୍ତ ଶ୍ରୀମତୀ ଦାସଙ୍କ କହିବା ଅନୁସାରେ ତାଙ୍କ ଅଫିସ୍‌ କାମ ଏହି ପ୍ରକାରର ଥିଲା ଯେ ସୁପର୍‌ଭାଇଜର୍‌ ସଙ୍ଗେ କଥା ହେବାର ଆବଶ୍ୟକତା କେବେ ପଡ଼ିନଥିଲା। ସେ ସୁପର୍‌ଭାଇଜର୍‌କୁ ନିଜ ଲଫାପା ଦେଖେଇ କହିଲେ, ‘ମତେ ୬ ଡଲାର୍ ଅଧିକା ଭୁଲରେ ମିଳିଛି’।

ସୁପର୍‌ଭାଇଜର୍‌ର ଇଂରେଜୀ ମଧ୍ୟ କଚ୍ଚା … ସେ ଶ୍ରୀମତୀ ଦାସଙ୍କ ‘ସିକ୍‌ସ ଡଲାର୍ ମୋର୍’ ଏତିକି ଶୁଣିଲା – ‘over paid’ କଥା ଅବା ଶୁଣିନାହିଁ, ଅବା ବୁଝିନାହିଁ। ସେ କହିଲା ଯେ ଶ୍ରୀମତୀ ଦାସ ଯଥେଷ୍ଟ ଦରମା ପାଇଛନ୍ତି – ଆଉ ୬ ଡଲାର୍ ପାଇବା ତାଙ୍କର ହକ୍ ନାହିଁ। ଶ୍ରୀମତୀ ଦାସ ତ ସଚ୍ଚୋଟ୍ ଘୋଡ଼ା ଚଢ଼ିଛନ୍ତି – ତେଣୁ ତାଙ୍କର ବା ଡର କେଉଁ କଥାକୁ ? ସେ କହିଲେ, ‘ସିକ୍‌ସ ଡଲାର୍ ମୋର୍ ଗିଭେନ୍ ବାଇ ମିସ୍‌ଟେକ୍’ । ସୁପର୍‌ଭାଇଜର୍‌ ରାଗିଗଲା, କହିଲା, ‘ୟୁ ଗଟ୍ ଏନଫ୍, ନୋ ମୋର୍ ୟୁ ୱିଲ୍ ଗେଟ୍ ।’ ଶ୍ରୀମତୀ ଦାସ ୬ ଡଲାର୍ କାଢ଼ି ତା ଟେବୁଲ ଉପରେ ରଖିବାକୁ ଚେଷ୍ଟା କଲେ। ସେ ସୁପର୍‌ଭାଇଜର୍‌ ରାଗିଯାଇ ୬ ଡଲାର୍ ଉଠାଇ ଶ୍ରୀମତୀ ଦାସଙ୍କ ହାତକୁ ଜବରଦସ୍ତି ଦବାଇ ଖୋଲିଦେଲା -‘ ନୋ ସିକ୍‌ସ ଡଲାର୍ସ ମୋର୍ । ଗୋ ୟୁ ଷ୍ଟୁପିଡ୍ । ୟୁ ରଂ କାଲ୍‌କୁଲେସନ୍ ।’ ଶ୍ରୀମତୀ ଦାସ ଏତକ କହୁ କହୁ ତାଙ୍କ ଆଖିକୁ ଲୁହ ଆସିଗଲା -ମୁଁ ଅନୁମାନ କରିପାରିଲି -ତାଙ୍କୁ ସେଇ ଶୁକ୍ରବାର ଅପରାହ୍ନରେ କେତେ କଷ୍ଟ ହୋଇ ନଥିବ ! ସେ କହିଉଠିଲେ, ‘ବୁଝିଲ, ପ୍ରସନ୍ନବାବୁ, ମତେ ଏତେ ରାଗ ଆସିଲା ଯେ ମୁଁ ତାକୁ କହିବି ବୋଲି ବସିଥିଲି – ‘ମି ନଟ୍ ଷ୍ଟୁପିଡ୍, ୟୁ ଷ୍ଟୁପିଡ୍ ! ଖାଲି କଣ କରିବି, ୟାଙ୍କ ପଢ଼ା ଚାଲିଛି, ପରୀକ୍ଷା ପାଖେଇଲାଣି । ଏବେ ମତେ ଧୈର୍ଯ୍ୟ ଧରିବାକୁ ହେବ। ଆଉ ଅନ୍ୟ ଚାକିରି ପାଇବା ଏତେ ସହଜ ନୁହେଁ ! ନ ହେଲେ ମୁଁ ତାକୁ ମୁହେଁ ମୁହେଁ ସେଇଠି ବତାଇଥାନ୍ତି -ମୋର ମେଟ୍ରିକ୍‌ରେ ମାଥମେଟିକ୍‌ସ ଅପ୍‌ସନାଲ ଥିଲା ବୋଲି’ …..।

ମୁଁ ତାଙ୍କର ଦୁଃଖ ସଂପୂର୍ଣ୍ଣ ଭୁଲିଗଲି। ତାଙ୍କର କିଛି ଅସମ୍ମାନ କରି କଥାସ୍ରୋତ ବନ୍ଦ ନକରାଇ ମୁଁ ତାଙ୍କୁ ନିଜ ହୃଦୟ ହାଲ୍‌କା କରିବାକୁ ସୁଯୋଗ ଦେଲି। ବଡ଼ ଯତ୍ନର ସହ ପୁରା ଧ୍ୟାନ ଦେଇ ତାଙ୍କ କଥା ଶୁଣିବାର ଅଭିନୟ ଜାରି ରଖିଲି। ସେ କହିଲେ, ‘ବୁଝିଲ ପ୍ରସନ୍ନବାବୁ, ଆମ ଘର ଛୋଟ ସହରରେ। ଭଲ ହାଇସ୍କୁଲ, ବାରଟା ଝିଅ ଦୁଇ ସେକ୍‌ସନ୍‌ରେ ଥିଲେ। ସମସ୍ତେ ସଂସ୍କୃତ ବା ହୋମ ସାଇନ୍‌ସ ବା ଫିଜିଓଲଜି ହାଇଜିନ୍‌ ଅପ୍‌ସନାଲ ନେଲେ। ମୁଁ ଏକୁଟିଆ ମାଥମେଟିକ୍‌ସ ଅପ୍‌ସନାଲ ନେଇଥିଲି। ମୁଁ ତାକୁ ଏକଥା କହିବି ବୋଲି ଭାବିଲି ଯେ ‘ୟୁ ଷ୍ଟୁପିଡ୍, ଆଇ ହାଡ୍ ମାଥମେଟିକ୍‌ସ ଅପ୍‌ସନାଲ ଇନ୍ ସ୍କୁଲ୍ ।’

ମୁଁ ସେ ପର୍ଯ୍ୟନ୍ତ ସମ୍ଭାଳି କରି ଥିଲି । ତାଙ୍କ ଅଳୀକ କିନ୍ତୁ ଗୁରୁତର ଦୁଃଖର ନିଦାନ ମୋର ଶୈତାନୀ ବୁଦ୍ଧିରେ ମୁଁ ସମାଧାନ କରିବାକୁ ଚେଷ୍ଟା କଲି -କହିଲି, ‘ନାନୀ ଭଲ କରିଛ। ଆପଣଙ୍କର ମାଥମେଟିକ୍‌ସ ଅପ୍‌ସନାଲ ସ୍କୁଲରେ ଥିଲା ବୋଲି କହିଥିଲେ ସେ ହୁଏତ ଭାବିଥାନ୍ତା ଆପଣ ମୂଳ ବିଷୟ ମାଥମେଟିକ୍‌ସ ପଢ଼ିନାହାନ୍ତି -କେବଳ ଅପ୍‌ସନାଲ ହିସାବରେ ପଢ଼ିଥିବା ହେତୁ ଆପଣଙ୍କ ଗଣିତବିଦ୍ୟା ଅସମ୍ପୂର୍ଣ୍ଣ।’ ଏତକ କହି ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ପେଟ ଚାପି ହସିବାରେ ଲାଗିଲି। ଶ୍ରୀମତୀ ଦାସ ପ୍ରଥମେ ମତେ ରୁଷ୍ଟ ନୟନରେ ଦେଖିଲେ; କିଛି ସମୟ ପରେ ସେ ମଧ୍ୟ ମୋ କୌତୁକରେ ଯୋଗଦେଇ ହସି ପକାଇଲେ।

ଏଥର ଟରୋଣ୍ଟୋର କିଛି କୌତୁକପୂର୍ଣ୍ଣ ଘଟଣା ଜାଣିବାକୁ ମିଳିଲା। ସେଠି ଟ୍ରାଫିକ୍ ନିୟମ ଅନୁସାରେ ହାଇୱେରେ ଯେଉଁ ଗାଡ଼ିରେ ବେଶୀ (ଏକାଧିକ)ଲୋକ ବସିଥାନ୍ତି, ସେ ଗାଡ଼ି ପାଇଁ ଗୋଟିଏ ସ୍ୱତନ୍ତ୍ର ଗତିରେ ଯାଇପାରିବା ପାଇଁ ‘ଲେନ୍’ ଥାଏ । କାର ପୁଲିଂ -ଗୋଟେ ଲୋକ ଗୋଟେ ଗାଡ଼ି ଜାଗାରେ ଗୋଟେ ଗାଡ଼ିରେ ବେଶୀ ଲୋକ ଏକାଠି ଯିବାକୁ ପ୍ରବର୍ତ୍ତାଇବାକୁ ସରକାରଙ୍କ ଏ ଚେଷ୍ଟା। ୨୦୧୫ରେ ଟରୋଣ୍ଟୋରେ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାସ୍ତାରେ ଦର୍ଶକମାନେ କାର୍‌ରେ ଷ୍ଟାଡିୟମ ଆଦିରେ ପହଞ୍ଚିବାକୁ ଭିଡ଼। ଜଣେ ପ୍ରତ୍ୟୁତ୍ପନ୍ନମତି କାନାଡ଼ା ଗୋରା ଅଧିବାସୀ ତାଙ୍କ ଗାଡ଼ିରେ ଆଉ ଜଣକୁ ବସାଇବା ପରି ସଜାଇ ଦ୍ରୁତଗାମୀ ଅଲଗା ଲେନ୍‌ରେ ଯାଉଥିଲେ। କିଛି କ୍ଷଣରେ ସତର୍କ ପୋଲିସ ସିସିଟିଭି କ୍ୟାମେରାରୁ ଦେଖି ତାଙ୍କୁ ଅଟକାଇଲା -କାରଣ ତାଙ୍କ ସହଯାତ୍ରିଣୀ ମାନବୀ ନଥିଲେ -ତାହା ଥିଲା ଡ୍ରାଇଭରଙ୍କ କିଣା ଗୋଟିଏ ମାନବୀକୃତି ସେକ୍‌ସ ଡଲ୍ । କ୍ରୀଡ଼ା ପ୍ରତିଯୋଗିତା ଖବର ସଙ୍ଗେ ସେତେବେଳେ ଏହି ଡଲ୍ ମଧ୍ୟ ସମସ୍ତଙ୍କ ମନୋରଂଜନ କରିଥିଲା।
ଟରୋଣ୍ଟୋରେ ସୌଭାଗ୍ୟବଶତଃ ଜଣେ ବୁଦ୍ଧିମତ୍ତାପୂର୍ଣ୍ଣ ସ୍ନେହୀ ଓଡ଼ିଆଙ୍କୁ ଭେଟିଲି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ପଟ୍ଟନାୟକ, ସିଷ୍ଟମ ଇଞ୍ଜିନିୟର। ମୋର ନମସ୍ୟ ଡାକ୍ତର ଗୋରାଦାସଙ୍କ ଜୋଇଁ, ସ୍ମିତାର ସ୍ୱାମୀ। ଉଭୟ ସ୍ୱାମୀସ୍ତ୍ରୀ ମତେ ଓ ପରିବାରକୁ ଖୁବ୍ ଚର୍ଚ୍ଚା କଲେ।

ବିଶ୍ୱଙ୍କ ସଙ୍ଗେ ଟରୋଣ୍ଟୋ ଯିବାର ମାତ୍ର ପନ୍ଦର ଦିନ ପୂର୍ବରୁ ଅକସ୍ମାତ୍ ଚିହ୍ନା -Whats App ମାଧ୍ୟମରେ। କିନ୍ତୁ ଭେଟିବାକ୍ଷଣି ଜାଣିପାରିଲି ଯେ ସେ ଜଣେ ଦରିୟାଦିଲ୍, ଭାବୁକ, ସ୍ନେହୀ ବ୍ୟକ୍ତିତ୍ୱ। ଟରୋଣ୍ଟୋର ବ୍ରାମ୍ପଟନ୍‌ରେ ସୁନ୍ଦର ଘରେ ରହନ୍ତି । ଆମେ ଗଲାରୁ ଅନ୍ୟମାନଙ୍କୁ ଘରେ ବସାଇ ବିଶ୍ୱ ମତେ ନେଇଗଲେ ପାନ ଖୁଆଇବାକୁ। ପାନ ଦୋକାନରେ ପହଞ୍ଚି ଜାଣିଲି ଯେ ପାନରସିକ ବିଶ୍ୱ ସେ ପଞ୍ଜାବୀ ଦୋକାନରେ ଚିହ୍ନରା ବିଶେଷ ଗରାଖ – ଆମ ମାନନୀୟ ଦେବଦାସ ଛୋଟରାୟଙ୍କ ବକ୍ସିବଜାର କିଶୁ ଦୋକାନରେ ପ୍ରାଧାନ୍ୟ ପାଇବା ପରି, କିଛି ମାତ୍ରାରେ ସେହି ପରିସ୍ଥିତି ଓ ଅନୁଭୂତି। ପାନ ପାଇଁ ତଥା ଅନ୍ୟାନ୍ୟ ଜିନିଷ ପାଇଁ ଭିଡ଼। ଧାଡ଼ିରେ ରହିବାକୁ ହେବ। କେତେ ଗ୍ରାହକ ବାଥରୁମ/ ଟଏଲେଟ କଥା ପଚାରିବାରୁ ଦୋକାନୀ ଯୁବକ ନଜାଣିବା ପରି ମୁହଁ ବୁଲାଇ ଦେଉଥାନ୍ତି। ଆମ ପାଳି କିଛି ସମୟରେ ଆସିଲା। ମୋର ବୟସ ହେଲାଣି, ଟଏଲେଟ ବ୍ୟବହାର ଅତ୍ୟାବଶ୍ୟକ। ମୁଁ ଅଧୀର ହୋଇ କିନ୍ତୁ ସମ୍ଭ୍ରମ ଜଗି ବିଶ୍ୱସାହେବଙ୍କୁ କହିଲି, ଟିକେ ଶୀଘ୍ର ଘରକୁ ଫେରିବା; ଟଏଲେଟ ଦରକାର। ବିଶ୍ୱ କହିଲେ, ‘ଆରେ ପ୍ରସନ୍ନ ଭାଇ, ଏତିକି କଥା ! ରୁହନ୍ତୁ।’ ତାପରେ ସେ ଯୁବକକୁ କହିଲେ, ‘ଭୈୟା, ଜରା ଚାବି ଦୋ !’ ସେ ଯୁବକ ଚୁପ କରି ଟଏଲେଟ୍ ଚାବି କାଢ଼ି ତାଙ୍କ ହାତକୁ ବଢ଼ାଇଦେଲା …. ମତେ ବିଶ୍ୱ ନେଇ ଟଏଲେଟ୍ ଖୋଲି ଭିତରେ ଢୁକେଇ ଦେଇ ଅପେକ୍ଷା କଲେ। ଛୋଟ ଘଟଣା, କିନ୍ତୁ ମୋ ମନକୁ ଛୁଇଁଲା – ଚିହ୍ନା ପାନୁଆଙ୍କ ବିଶିଷ୍ଟ ଚଳଣୀ ସେଠାରେ ମଧ୍ୟ ଅଛି !

ବିଶ୍ୱଙ୍କ ଘରକୁ ଫେରିବାରୁ ସ୍ମିତା କହିଲେ ଯେ ଏବେ କୋଭିଡ୍ ବେଳେ କାନାଡ଼ାର କ୍ୟୁବେକ୍ ସହରରେ କଡ଼ା କଟକଣା ଜାରି କରା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ -ସମସ୍ତେ ଘରେ ରହିବାକୁ ବାଧ୍ୟ, ବୁଲିବାକୁ ମଧ୍ୟ ବାହାରି ପାରିବେ ନାହିଁ। ତେବେ କିଛି କୋହଳ ସୁବିଧା କରାହୋଇଥିଲା -ଖାଇବା ଜିନିଷପତ୍ର ଓ ଔଷଧ ପାଇଁ ଏକା ଯାଇପାରିବ; ମାସ୍କ ତ ନିଶ୍ଚୟ ଲଗାଇବ; କିନ୍ତୁ ଏକାଧିକ ଲୋକ ଏପରିକି ବିବାହିତ ଦମ୍ପତ୍ତି ମଧ୍ୟ ବାହାରେ ବୁଲି ପାରିବେ ନାହିଁ। କେବଳ ଆଉ ଏକ ବାସ୍ତବତାକୁ ସ୍ୱୀକାର କରି ଗୋଟିଏ ନିୟମ କୋହଳ କରାହୋଇଥିଲା ….. ଅନେକଙ୍କ ଘରେ ପୋଷା କୁକୁର ଆଦି ପେଟ୍ ବା ଗୃହପାଳିତ ପ୍ରାଣୀ। ସେମାନଙ୍କୁ ତାଙ୍କର ମାଲିକ ବା ମାଲିକାଣୀ ଚେନ୍‌ରେ ବାନ୍ଧି ବାହାରେ ନେଇ ବୁଲାଇ ପାରିବେ। ଜନୈକା ଭଦ୍ରମହିଳାଙ୍କୁ ଭ୍ରାମ୍ୟମାଣ ଅବସ୍ଥାରେ ପୋଲିସ ଆସି ଗିରଫ କଲେ। ସେ ଚେନ୍‌ରେ ବାନ୍ଧି କଲାର୍ ପିନ୍ଧାଇ ତାଙ୍କ ସ୍ୱାମୀଙ୍କୁ ବାହାରେ ବୁଲାଉଥିଲେ – ‘ପେଟ୍’ ହିସାବରେ ।

ଦାରୁଣ ଦୁଃଖର କାହାଣୀ ମଧ୍ୟ ଜାଣିବାକୁ ପାଇ ଅଭିଭୂତ ହୋଇଗଲି। ଆମେରିକା ପ୍ରାଚୁର୍ଯ୍ୟର ଆକର୍ଷଣ ବେଶୀ; ଏବଂ ଭିସା କଟକଣା ଏତେ କଠୋର ଯେ କିଛି ଲୋକ ନିଜ ଜୀବନକୁ ବିପନ୍ନ କରି କଳେ ବଳେ କୌଶଳେ ବେଆଇନ ଭାବେ ଆମେରିକାର ସୀମା ଭିତରକୁ ପ୍ରବେଶ କରିଯାନ୍ତି ଏବଂ ଅନେକ ବର୍ଷ ସେହିପରି ରହି କିଛି କିଛି କାମ କରି ଶରଣାର୍ଥୀ ହେବାକୁ ଚେଷ୍ଟା କରନ୍ତି। ସୀମା ଟପିଲାବେଳେ ନିଜ ଦେଶର ପାସପୋର୍ଟ ଆଦି ଫାଡ଼ି ଫୋପାଡ଼ି ଦିଅନ୍ତି -କାରଣ ଧରାପଡ଼ିଲେ କେଉଁ ଦେଶକୁ ଫେରା ହେବେ ତାହା ଆମେରିକାନ୍ କର୍ମଚାରୀମାନେ ଜାଣି ପାରିବେ ନାହିଁ ।

ଅନେକ ଦଶନ୍ଧି ହେଲା ମେକ୍‌ସିକୋ, ଆମେରିକା ବର୍ଡର ବେଆଇନ ଭାବେ ଟପି ଟେକ୍ସାସ, କାଲିଫର୍ଣ୍ଣଆ ଆଦିରେ ଅନେକ ବେଆଇନ ମେକ୍ସିକାନ୍ ଲୋକମାନେ ଭରି ରହିଛନ୍ତି। ପୂର୍ବତନ ପ୍ରେସିଡେଣ୍ଟ ଟ୍ରମ୍ପ୍ କହୁଥିଲେ ସେ ଏକ ବଡ଼ ପ୍ରାଚୀର– ମେକ୍ସିକୋ-ଆମେରିକା ସୀମାରେ ତିଆରି କରି ବେଆଇନ ଅନୁପ୍ରବେଶକାରୀ ମାନଙ୍କୁ ରୋକିବେ।

କିଛି ଭାରତୀୟ ମଧ୍ୟ ଆମେରିକା ଯିବାକୁ ପ୍ରଲୁବ୍ଧ। ଏତେ ବେଶୀ ଆକର୍ଷଣ ଯେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୌଣସିମତେ ଆମେରିକା ସୀମା ମଧ୍ୟରେ ପଶିଯିବେ।

ଟରୋଣ୍ଟୋରେ କିଛି ଯୁବ ଭାରତୀୟ ଟାକ୍ସି ଚାଳକ ସଙ୍ଗେ ଭେଟ ହେଲା। ହାଇଦ୍ରାବାଦର ତେଲୁଗୁ ହିନ୍ଦୁ, ୨୨ଲକ୍ଷ ଟଙ୍କା ଲୋନ ନେଇ ଟରୋଣ୍ଟୋରେ ପଢ଼ିବାକୁ ପହଞ୍ଚିଛନ୍ତି- କଂପ୍ୟୁଟର ଇଞ୍ଜିନିୟର – ଏ ପର୍ଯ୍ୟନ୍ତ ଭଲ ଚାକିରି ପାଇନାହାନ୍ତି। ତଥାପି ସେ ଅସୁଖୀ ନୁହନ୍ତି, ଆଶାବାଦୀ, ଆଗକୁ ଭଲ ସୁଯୋଗ ମିଳିବ -ସଙ୍ଗରେ ତାଙ୍କ ସ୍କୁଲବେଳର ଚିହ୍ନା ଝିଅ -ପ୍ରେମିକା, ଏକାଠି ରହୁଛନ୍ତି। ଥଇଥାନ ହେଲାପରେ ବାହାଘର ହେବ।

ଦ୍ୱିତୀୟ ଯୁବକ ମଧ୍ୟ ହାଇଦ୍ରାବାଦର । ସେ ମୁସଲିମ୍ । ସେ ୨୩ ଲକ୍ଷ ଟଙ୍କା ଲୋନ ନେଇ ଆସିଛନ୍ତି -ତାଙ୍କ ସ୍ୱରରେ କିଛି ବିଷଣ୍ଣତା। ସେ ହାଇଦ୍ରାବାଦରେ ଛାଡ଼ି ଆସିଥିବା ପରିବାର ସାଙ୍ଗସାଥୀଙ୍କୁ ମନେ ପକାଉଛନ୍ତି -ତାଙ୍କୁ କାନାଡ଼ା ଆଦିର ଚଳଣୀ ଏତେ ମନୋହର ଲାଗୁନଥିଲା -ଏକୁଟିଆପଣ ବେଶୀ ଅନୁଭବ ହେଉଥିଲା।

ଏହି ଜାନୁୟାରୀ ୨୦୨୨ରେ ସବୁଠାରୁ କରୁଣ ଘଟଣା ଘଟିଲା ଯେବେ ଗୁଜରାଟର ଜନୈକ ପଟେଲ ପରିବାର ଆମେରିକା ଯିବା ଲାଳସାରେ କାନାଡ଼ାରେ ଟୁରିଷ୍ଟ ଭିସାରେ ଆସି ପହଞ୍ଚିଲେ। ସେଠାରେ ସେ କୌଣସି ଏପରି ଲୋକ ହାବୁଡ଼ରେ ପଡ଼ିଲେ ଯେ କି ତାଙ୍କୁ କାନାଡ଼ାର ଜଙ୍ଗଲ ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ସୀମା ମଧ୍ୟରେ ତାଙ୍କୁ ପରିବାର ସମେତ ପ୍ରବେଶ କରାଇ ଦେବାର ପ୍ରତିଶ୍ରୁତି ଦେଲା …. ସବୁ ବ୍ୟବସ୍ଥା କରିବାକୁ ଅନେକ ଲକ୍ଷ ଟଙ୍କା ମଧ୍ୟ ନେଲା। ତାଙ୍କୁ ନେଇ ଆମେରିକା ସୀମା କିଛି ଦୂରରେ ଅଛି ବୋଲି କହି ରାସ୍ତାରେ ରାତିବେଳେ ପହଞ୍ଚାଇ କାରରୁ ଓହ୍ଲେଇ ଦେଲା। ସମସ୍ତେ – ସ୍ୱାମୀସ୍ତ୍ରୀ, ଏଗାରବର୍ଷର ଝିଅ ଓ ତିନିବର୍ଷର ପୁଅ- ଚାରିଜଣ କଳାପୋଷାକ ପିନ୍ଧିଥିଲେ। ସେମାନଙ୍କୁ କୁହାଗଲା ଯେ ସେମାନେ ସେ ବଣଜଙ୍ଗଲ ଦେଇ ନାକସିଧା ତିନିଚାରି କିଲୋମିଟର ଚାଲିକରି ଗଲେ ଆମେରିକା ସୀମା ଆରମ୍ଭ ହେବ। ସେଠାରେ ଏକ କିଲୋମିଟର ଭିତରେ ଅନ୍ୟ ସହକର୍ମୀ ତାଙ୍କୁ ଅପେକ୍ଷା କରିଥିବେ ଏବଂ ସାହାଯ୍ୟ କରି ଆମେରିକାର ଚିହ୍ନା ସହରରେ ପହଞ୍ଚାଇ ଦେବେ। ପଟେଲ ପରିବାର ସେ ରାତିରେ ଜଙ୍ଗଲ ଟପି ଯେପରି ବତା ହୋଇଥିଲା ସେପରି ଚାଲିବା ଆରମ୍ଭ କଲେ। ଅଧ ଘଣ୍ଟା ବିତିବା ପରେ ହଠାତ୍ ପ୍ରବଳ ତୁଷାରପାତ ଓ ଝଡ଼ ଆରମ୍ଭ ହୋଇଗଲା। ଅନ୍ଧାରରେ ରାସ୍ତା ଜାଣିବା ଅସମ୍ଭବ। ତା ଆରଦିନ ଉପରବେଳା ପଟେଲ ପରିବାରର ଚାରିଜଣଙ୍କ ଶବ ପରସ୍ପରକୁ ଜାବୁଡ଼ି ଧରିଥିବା ଅବସ୍ଥାରେ ଠିକ୍ ଆମେରିକା-କାନାଡ଼ା ସୀମା ଉପରେ ମିଳିଲା। ତେବେ କୁହାଗଲା -ସେମାନେ ଯେଉଁଠି ପଡ଼ିଥିଲେ ଯୁକ୍ତରାଷ୍ଟ୍ରର ସୀମା କୁଆଡ଼େ ଆଉ ଦୁଇଫୁଟ ଦୂର ଥିଲା।


ଟଲଷ୍ଟୟ ଲେଖିଥିଲେ -‘ମଣିଷର କେତେ ଜମି ଲୋଡ଼ା !’

  • ସମ୍ପର୍କ
  • +++++
  • ପ୍ରସନ୍ନ କୁମାର ହୋତା, IAS
  • ପୂର୍ବତନ ସ୍ୱାସ୍ଥ୍ୟ ସଚିବ, ଭାରତ ସରକାର
  • MOB:

Leave A Reply

Your email address will not be published.