ପ୍ରକାଶ ତ୍ରିପାଠୀଙ୍କ ଗଳ୍ପ: ‘ମଦର୍ସ ଡେ’

0

ମଦର୍ସ ଡେ ଦିନ ସକାଳୁ ସକାଳୁ ଅଭିଜିତ ବୋଉ ସହିତ ତା’ର ଏକ ପୁରୁଣା ଫଟୋ ଫେସବୁକରେ ଅପଲୋଡ଼ କରି ତା ତଳେ ଲେଖିଦେଲା- “ଈଶ୍ୱର ମୋ ବୋଉକୁ କୋଟି ପରମାୟୁ ଦିଅନ୍ତୁ” ଆଉ ବାରମ୍ବାର ଦେଖୁଥିଲା ତ’ର ଏ ପୋଷ୍ଟିଂଗ ଉପରେ ଅନ୍ୟ ମାନଙ୍କର ମନ୍ତବ୍ୟ।


ଅଭିଜିତ ରାଜ୍ୟସରକାରଙ୍କ ଏକ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟକରେ। ଭୁବନେଶ୍ୱରରେ ଏକ ସରକାରୀ ବାସଭବନରେ ରହିବା ଆଜିକୁ ପ୍ରାୟ କୋଡିଏ ବର୍ଷ ହୋଇଗଲାଣି। ଏହି ସମୟ ମଧ୍ୟରେ ସରକାରୀ ଓ ଘରୋଇ ସ୍ତରରେ ତାର ଅନେକ ଜଣାଶୁଣା। ତେଣୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ଚାରିହଜାର ଫେସବୁକ ବନ୍ଧୁଙ୍କୁ ନେଇ ସେ ସୋସିଆଲ ମିଡିଆରେ ସକ୍ରିୟ। କିଛି ନହେଲେ ମଧ୍ୟ ଅତି କମରେ ଦୁଇଶହରୁ ତିନିଶହ ବନ୍ଧୁ ପ୍ରତି ପୋଷ୍ଟ ରେ ତାକୁ କମେଣ୍ଟ ରଖନ୍ତି।


    ପିଲାଟି ଦିନରୁ ଅଭିଜିତ ବାପ ଛେଉଣ୍ଡ। ବାପାର ଚେହେରା ତା’ର ମନେ ପଡେନି। ବାପା ମଲାବେଳକୁ ତାକୁ ଚାରି କି ପାଞ୍ଚ ବରଷ ଓ ସାନ ଭଉଣୀ ଅନୁପମାକୁ ଦୁଇ ବର୍ଷ। ବାପା ମୂଲ-ମଜୁରୀ ଲାଗୁଥିଲେ ଓ ତାଙ୍କ ପରେ ତା ବୋଉ ମାଳତୀ ଦେବୀ ବି ସେଇ ପେଷାକୁ ଆପଣେଇଲେ।ମୂଲ ମଜୁରୀ ସହ ଅନ୍ୟ ଘରେ ପାଇଟି କରି ଦୁଇ ପିଲାଙ୍କୁ ଅତି ଭଲରେ ନହେଲେ ମଧ୍ୟ ଖରାପରେ ପାଳି ନଥିଲେ ମାଳତୀ ଦେବୀ।ମାଟ୍ରିକ ପାସ କରିବା ପରେ ଅନୁପମାର ପାଠରେ ଡୋର ଲାଗିଲା।ପୁଅ କୁ ଅଧିକ ପାଠ ପଢେଇ ବଡ଼ ମଣିଷ କରିବ ବୋଲି ଅନୁପମାର ପାଠ ବନ୍ଦ କରିଦେଲେ ବୋଲି ମାଳତୀ ଦେବୀ ଅନ୍ୟକୁ କୁହନ୍ତି ଓ ଅନୁପମା ପ୍ରତି ଅନ୍ୟାୟ କରିଛନ୍ତି କହି ଦୁଃଖ ବି କରନ୍ତି ।ଅଭିଜିତ ବିଏ ପାସ କରିବା ବର୍ଷ ଅନୁପମାର ବିବାହ ହେଲା।ଅନୁପମା ଦେଖିବାକୁ ଯେପରି ସୁନ୍ଦରୀ ଥିଲା ତା ଆଚାର ବ୍ୟବହାର ମଧ୍ୟ ସେପରି ମାର୍ଜିତ ଥିଲା।ବରପକ୍ଷ କୌଣସି ଯୌତୁକ ମାଗି ନଥିଲେ।


  ବିଏ ପାସ ପରେ ଅଭିଜିତ ବିଭିନ୍ନ ଚାକିରୀ ପାଇଁ ଦରଖାସ୍ତ କଲେ। କିନ୍ତୁ ସେଥିପାଇଁ ପଢାପଢି ଆଦୌ କରୁନଥିଲେ। କିଛି ଗାଁ ପିଲାଙ୍କ ସହ ମିଶି ତାସ ଆଦି ଖେଳିବା, ଭୋଜି ଭାତ କରିବା, ଏଣେତେଣେ ବୁଲିବାରେ ସମୟ କାଟୁଥିବା ଜାଣିପାରିଲେ ମାଳତୀ ଦେବୀ। ସେଥିପାଇଁ ଭୁବନେଶ୍ୱର ପଠାଇ ସେଠାରେ ଚାକିରୀ ପାଇଁ ପଢା ପଢି କରିବାକୁ ବ୍ୟବସ୍ଥା କଲେ। ପ୍ରତି ମାସରେ ସେଥିପାଇଁ ଅଭିଜିତ ପାଖକୁ ଟଙ୍କା ପଠାଉଥିଲେ ସେ ।ପୁଅର ଚାକିରୀ ପାଇଁ କେତେଯେ ଦିଅଁ ଦେବତାଙ୍କ ପାଖରେ ସେ ମାନସିକ କରିଥିଲେ ତାର ହିସାବ ନାହିଁ।
   ଶେଷରେ ଈଶ୍ୱର ମାଳତୀ ଦେବୀଙ୍କ ଡାକ ଶୁଣିଲେ। ପୁଅ ସରକାରୀ ଚାକିରୀ ପାଇଲା।ମାଳତୀ ଦେବୀଙ୍କ ଖୁସି କହିଲେ ନସରେ। ଭଉଣୀ ଅନୁପମାର ଗୋଡ଼ ବି ତଳେ ଲାଗିନଥିଲା ଖୁଶି ଓ ଆନନ୍ଦରେ। ବୋଉକୁ ଆଉ ପରଘରେ ପାଇଟି କରିବାକୁ କି ମୂଲ ଲାଗିବାକୁ ଦେଇନଥିଲେ ପୁଅ ଓ ଝିଅ।


    ଚାକିରୀ କରିବାର ବର୍ଷକ ମଧ୍ୟରେ ନୁଆଁଣିଆ ଚାଳ ଘରକୁ ଭାଙ୍ଗି ଦୁଇ ବଖରା ଆଜବେଷ୍ଟସ ଘର ଓ ତାକୁ ଲାଗିକି ରୋଷେଇ ଘର କରିଦେଲା ଅଭିଜିତ। ତା ପରବର୍ଷ ତା’ର ବାହାଘର। ପୁଅ ମାନଲାଖି ସୁନ୍ଦରୀ ଓ ବିଏ ପାସ କରିଥିବା ବୋହୁ ବାଛିଥିଲେ ମାଳତୀ ଦେବୀ।
    ଏହାପରେ ଏବେ ସମାଜରେ ଅଧିକାଂଶ ପରିବାରରେ ଯାହା ଘଟୁଛି ତାହା ବି ଘଟିଲା ମାଳତୀ ଦେବୀଙ୍କ ଘରେ। ଭୁବନେଶ୍ୱରରେ ସରକାରୀ ବାସଭବନ ମିଳିବା ପରେ ବିଭିନ୍ନ ବାହାନା ଦେଖାଇ ନିଜ ପତ୍ନୀଙ୍କୁ ଭୁବନେଶ୍ୱର ନେଇଯିବାକୁ ଜିଦ ଧରିଥିଲା ଅଭିଜିତ। ହୋଟେଲ ରେ ସବୁଦିନ ଖାଇ ପେଟ ଖରାପ ହେଉଛି। ଅଫିସରେ କାର୍ଯ୍ୟ ଅଧିକ ଯୋଗୁଁ ରୋଷେଇ କରି ହେଉନି ଆଦି ଅନେକ ବାହାନା ସବୁଦିନ ବୋଉ ଆଗରେ ବଖାଣୁ ଥିଲା ଅଭିଜିତ। ପୁଅର ଦୁଃଖ ସହିପାରିନଥିଲେ ମାଳତୀ ଦେବୀ। ବୋହୂକୁ ଅଭିଜିତ ସହ ପଠାଇଦେଲେ ଭୁବନେଶ୍ୱର।


   ପ୍ରଥମେ ବର୍ଷେ ଦୁଇବର୍ଷ ମଝିରେ ମଝିରେ ପୁଅ ବୋହୂ ଗାଁ କୁ ଆସୁଥିଲେ। ଏବେ ଆଉ ଆସୁନାହାନ୍ତି। ପିଲାଙ୍କ ପାଠପଢା ଓ ଅନ୍ୟାନ୍ୟ ଆଳରେ ଗାଁ କୁ ଆସିବା ଭୁଲିଗଲାଣି ଅଭିଜିତ। ହଁ ଯେତେବେଳେ ସମୟ ମିଳେ ବୁଲିଯାଆନ୍ତି ଶଶୁରଙ୍କ ଗାଁ କୁ। ସେଇଠି ଦିନେ ଦୁଇଦିନ ରହି ପୁଣି କର୍ମସ୍ଥଳୀ ଭୁବନେଶ୍ୱର ଫେରି ଆସନ୍ତି। ମାତ୍ର ଚାଳିଶ କିଲୋମିଟର ଦୂର ନିଜ ଗାଁ ଅପେକ୍ଷା ଦେଢ଼ ଶହ କିଲୋମିଟର ଦୂର ଶଶୁର ଘର ଗାଁ ଏବେ ଅଭିଜିତ ପାଇଁ ହୋଇଛି ନୂଆ ଆକର୍ଷଣ।
    ମାଳତୀ ଦେବୀ ନିଜ ଅସୁବିଧା କଥା ପୁଅକୁ କେବେ କୁହନ୍ତିନି। ହଁ ବିଭିନ୍ନ ପର୍ବ ପର୍ବାଣୀ ଯେପରିକି ରଜ, ସାବିତ୍ରୀ, ମାଣବସା, ଗହ୍ମା ପୂର୍ଣ୍ଣିମା ବେଳେ ନାତି ନାତୁଣୀ ଙ୍କୁ  ତାଙ୍କ ମନ ଖୋଜେ ଟିକେ ଦେଖିବାକୁ। ବୋଉ ର ସେ ଆଶା ପୁରଣ କରେ ଅନୁପମା। ସ୍ୱାମୀ ନଆସିଲେ ବି ସେ ତା ଦୁଇପିଲାଙ୍କୁ ଧରି ମଝିରେ ମଝିରେ ବୋଉ ପାଖକୁ ଚାଲି ଆସେ।ଦିନେ ଦୁଇଦିନ ବୋଉ ପାଖରେ ରହି ଚାଲିଯାଏ। ମାଳତୀ ଦେବୀଙ୍କ ମନ ପରିବର୍ତ୍ତନ ହୋଇଯାଏ।


   ସନ୍ଧ୍ୟା ହୋଇସାରିଥାଏ। ନିଜ ପୋଷ୍ଟରେ ଦୁଇଶହ ରୁ ଅଧିକ ଲାଇକ ଓ କମେଣ୍ଟ ଦେଖି ଅଭିଜିତଙ୍କ ମନ ବେଶ ଖୁସି। ହେଲେ ସାନ ଭଉଣୀ ଅନୁପମାର କମେଣ୍ଟ ଖୋଜି ପାଇଲାନାହିଁ ଅଭିଜିତ।ମନେ ମନେ ରାଗି ଉଠିଲା ସେ ଅନୁପମା ଉପରେ। ବରଷକେ ଗୋଟିଏ ଦିନ ମଦର୍ସ ଡେ। ବୋଉକୁ ଟିକେ ଅଭିନନ୍ଦନ ଜଣେଇବନି ? ଏତେ ଦାୟିତ୍ୱହୀନ ??
    ଫୋନ ଲଗାଇଲା ଅନୁପମାକୁ।ଫୋନ ଉଠାଉ ଉଠାଉ ତାକୁ ଅନେକ କଥା କହିଗଲା ଅଭିଜିତ।ସବୁ ଶୁଣୁଥିଲା ଅନୁପମା। ଭାଇର ସବୁ ରାଗ ଓ ଅଭିଯୋଗ ର କିଛିବି ପ୍ରତିକ୍ରିୟା ପ୍ରକାଶ ନ କରି କେବଳ ଏତିକି କହିଲା ଯେ- “ଭାଇ, ମୁଁ ଏବେ ବୋଉ ପାଖରେ ଗାଁ ରେ ଅଛି।”

Madarsda
@କୋଣାର୍କ, ପୁରୀ। 

Leave A Reply

Your email address will not be published.