ସତ୍ୟ ଅଳ୍ପ,ବେଶୀ ଗଳ୍ପ -‘ଗ୍ୟାସ’

0
  • ପ୍ରକାଶ ତ୍ରିପାଠୀ
  • TATKAL ODISHA//ଗପପେଡ଼ି//

@@@@@@@@@@@@@@@@@@@@@@@@

ନୂଆଗପ -‘ଗ୍ୟାସ’

  • ***********
  • ପ୍ରକାଶ ତ୍ରିପାଠୀ
  • ************
    ଆଜି ସକାଳେ ପ୍ରାତଃ ଭ୍ରମଣରେ ଗଲାବେଳେ ରାଧୁ ଦଦେଇ ଦେଖାହେଲେ। ପ୍ରଣାମ କରିବା ପରେ ପଚାରିଲେ- ଆରେ ଅରୁ ! କେବେ ଆସିଛୁ କିରେ? ତୋତେ ମୁଁ ଆଉ ଦେଖି ପାରୁନି। ଏବେ ଆଉ ଗାଁ କୁ ବେଶି ଆସୁନୁ କି ??
  • ନାଇଁ ଦଦେଇ, ଆସୁଛି ଯେ, ହେଲେ ତୁମ ସହ ଦେଖା ହୋଇ ପାରୁନି।ରାଧୁ ଦଦେଇଙ୍କୁ ସମ୍ମାନର ସହ ଉତ୍ତର ଦେଲି।
    ଆମ ସାହିର ଶେଷ ମୁଣ୍ଡରେ ରାଧୁ ଦଦେଇଙ୍କ ଘର। ବୟସ ଅଶି ପାଖାପାଖି ହେବ। ତାଙ୍କର ଗୋଟିଏ ବୋଲି ପୁଅ। ମଧୁ ଭାଇନା। ଗାଁ ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଅଛନ୍ତି। ଭାଉଜ ଗୃହିଣୀ। ଛୋଟ ପରିବାର। ପିଲାବେଳେ ତାଙ୍କ ଘରେ ଅନେକ ସମୟ କଟିଛି। ମଧୁ ଭାଇନା ମୋର ଦୁଇଟି ଉପର କ୍ଲାସ ରେ ପଢୁଥିଲେ।ପାଠ ବୁଝିବା ପାଇଁ ଅନେକ ସମୟ ତାଙ୍କ ପାଖକୁ ଯାଉଥିଲି।ମୋର ପୁରାନାମ ଅରବିନ୍ଦ ହେଲେବି ଗାଁରେ ମୋତେ ସମସ୍ତେ ଅରୁ ଡାକନ୍ତି।
    କେମିତି ଅଛ ଦଦେଇ, ଦେହ ମୁଣ୍ଡ ଭଲ ଅଚିତ?
  • ରାଧୁ ଦଦେଇ ମୋ ପ୍ରଶ୍ନ ଶୁଣି ପାଖ ଚାନ୍ଦିନୀ ଉପରେ ବସିପଡିଲେ। ମୋତେ ପାଖରେ ବସିବାକୁ ଇଙ୍ଗିତ କରି କହିଲେ- ବୟସ ଅଶି ଟପିଲାଣି। ଦେହ ଆଉ ଭଲ ରହିବ କ’ଣ। ଘୋଷାରି ହୋଇ ବଂଚିବା କଥା। ବିଭିନ୍ନ ରୋଗ ମାଡି ବସିଲାଣି।
    ତମର କି ରୋଗ? ଡାଇବେଟିସ ବାହାରିଛି କି??
    ରାଧୁ ଦଦେଇ ମୁଣ୍ଡ ହଲାଇ କହିଲେ- ନା ନା ମୋର ଡାଇବେଟିସ ନାହିଁ। ଏଇ କିଛି ଦିନ ହେବ ଗ୍ୟାସ ରୋଗ ଆରମ୍ଭ ହୋଇଛି। ଠିକ ଉପରବେଳା ଚାରିଟା ପାଞ୍ଚଟା ବେଳକୁ ଛାତି ପୋଡୁଛି। ସତେ ଯେମିତି ଛାତି ଭିତରେ ସବୁ ଖାଦ୍ୟ ଜମା ହୋଇ ରହିଛି।ଅଣ ନିଶ୍ୱାସୀ ଲାଗୁଛି।
    ରାଧୁ ଦଦେଇଙ୍କୁ ଅଟକାଇ କହିଲି- ଡାକ୍ତରଙ୍କୁ ଦେଖାଇଲନି ଦଦେଇ।
  • ହଁ ଦେଖାଇଥିଲି। ମଧୁ ମୋତେ ଡ଼ାକ୍ତରଖାନା ନେଇ ଯାଇଥିଲା। ପ୍ରଥମେ ୨ଟଙ୍କିଆ ମେଡ଼ିସିନ ଖାଉଥିଲି। କାମ ନଦେଲାରୁ ଏବେ ସବୁଦିନ ସକାଳୁ ଦଶ ଟଙ୍କିଆ ଗ୍ୟାସ ମେଡ଼ିସିନ ଖାଉଛି।କିନ୍ତୁ ପୁରା ଭଲ ହେଉନି।ସେମିତି ଛାତି ଯାମ ହୋଇ ରହୁଛି। ବେଳେ ବେଳେ ନାଳ ଝାଡା ବି ହେଉଛି।
    ଟିକେ ମସଲା ମସଲି ଓ ଛଣା ଛଣି କମ ଖାଅ ବୋଲି ଦଦେଇଙ୍କୁ କହିଲି।ଦଦେଇ ମୋ କଥା ଶୁଣି ନ ଶୁଣିଲା ପରି ରହିଲେ। କିଛି ସମୟ ପରେ କହିଲେ-ଆଛା ଅରୁ, ତୁ କେମିତି ଅଛୁ। ପିଲାମାନେ ସବୁ ଭଲ ଅଛନ୍ତି ତ?
  • ହଁ ଦଦେଇ ସମସ୍ତେ ଭଲ ଅଛନ୍ତି। ମୋର କିନ୍ତୁ ତୁମ ଭଳି ଗ୍ୟାସ ହେଉଛି। ବାହାରେ ଟିକେ ବେଶି ଖିଆପିଆ ହେଇଯାଉଛି ବୋଲି ଏ ରୋଗଟା ବାହାରି ପଡ଼ିଲା।ସେଥିପାଇଁ ସବୁଦିନ ସକାଳେ ମେଡ଼ିସିନ ଖାଇବାକୁ ପଡୁଛି।
  • ମୋର ଗ୍ୟାସ ହେଉଥିବା ଶୁଣି ରାଧୁ ଦଦେଇଙ୍କ ମୁଖ ମଣ୍ଡଳରେ ଟିକେ ଅସ୍ଵାଭାବିକତା ଦେଖାଦେଲା। ମୋତେ ତତକ୍ଷଣାତ କହିଲେ, ତୁମେ ଛୁଆ ଗୁଡାକ, ତୁମର କାହିଁକି ଗ୍ୟାସ ରୋଗ ବାହାରୁଛି।
    ଦଦେଇ, ଆଜିକାଲି ଏ ଗ୍ୟାସ ରୋଗଟା ଅତି ସାଧାରଣ ହୋଇଗଲାଣି। କି ପିଲା, କି ବୁଢ଼ା, ସଭିଙ୍କ ପାଖରେ ଏ ଗ୍ୟାସ ରୋଗ ଅଛି।
    ଆଛା ଅରୁ କହିଲୁ, ତୁମ ଘରେ କେଉଁଥିରେ ରୋଷେଇ ହେଉଛି ? କାଠ ନା ଗ୍ୟାସ ରେ?
    ଦଦେଇଙ୍କ ଏଭଳି ପ୍ରଶ୍ନ ଶୁଣି ମୋତେ ହସ ଲାଗିଲା। ଆଜିକାଲି ସହରରେ କିଏ କ’ଣ ଆଉ କାଠରେ ରୋଷେଇ କରୁଛନ୍ତି? ସଭିଙ୍କ ଘରେ ତ ଗ୍ୟାସ।
  • ମୁଁ ଦଦେଇଙ୍କୁ ଉତ୍ତରଦେଲି- ଗ୍ୟାସ ରେ ହେଉଛି। ଦଦେଇ ମୋ’ଠୁ ଉତ୍ତର ଶୁଣି କିଛି ଗୋଟେ ପାଇଗଲା ଭଳି ଲାଗିଲେ। ବଡ଼ ପାଟିକରି କହିଲେ- ଠିକ ଧରିଛି। ସବୁରି ମୂଳରେ ସେଇ ଗ୍ୟାସ। ଆଜି ପର୍ଯ୍ୟନ୍ତ କାଠ ଜାଳି ରୋଷେଇ କରି ଖାଉଥିଲୁ। କିଛି ଗ୍ୟାସ ଫ୍ୟାସ ରୋଗ ନଥିଲା। ଯେବେଠୁ ଏ ଗ୍ୟାସ ରେ ରୋଷେଇ ଆରମ୍ଭ ହେଲା ସେବେଠାରୁ ଏ ଗ୍ୟାସ ରୋଗ ସୃଷ୍ଟି ହେଲା।
    ଦଦେଇଙ୍କ କଥା ଶୁଣି ମୋତେ ଯେତିକି ହସ ଲାଗୁଥିଲା, ସେତିକି ବିରକ୍ତି ବି ଲାଗୁଥିଲା। ଦଦେଇଙ୍କୁ ପଚାରିଲି- ତୁମକୁ ଏ କଥା କିଏ କହିଲାଯେ ଗ୍ୟାସ ରେ ରୋଷେଇକରି ଖାଇଲେ ପେଟରେ ଗ୍ୟାସ ସୃଷ୍ଟିହେବ?
  • ଦଦେଇ କହିଲେ, ଯିଏ କହୁ, ପ୍ରମାଣ ତ ମୋ ପାଖରେ। ଯେବେଠାରୁ ଆମ ଘରକୁ ଗ୍ୟାସ ଆସିଲା, ତା ପରଠାରୁ ମୋର ଗ୍ୟାସ ରୋଗ ଆରମ୍ଭ ହୋଇଛି। ତୁ ଗ୍ୟାସ ରୋଷେଇ ଖାଉଛୁ, ତୋର ବି ଗ୍ୟାସ ରୋଗ ଅଛି। ଆଗରୁ ଏତେ ଗ୍ୟାସ ରୋଗ କେଉଁଠି ଥିଲା।
    ସେଦିନ ଯେତେ ବୁଝାଇଲେ ବି ରାଧୁ ଦଦେଇ ମୋ କଥା ଶୁଣିନଥିଲେ। ଗ୍ୟାସ ରୋଗ ସହ ଗ୍ୟାସ ରୋଷେଇର କୋୖଣସି ସମ୍ପର୍କ ନାହିଁ ବୋଲି ଯେତେ କହିଲେ ବି ରାଧୁ ଦଦେଇ ତାହା ମାନିବାକୁ ପ୍ରସ୍ତୁତ ନଥିଲେ।
  • ସନ୍ଧ୍ୟାରେ ରାଧୁ ଦଦେଇଙ୍କ ଘରକୁ ଗଲି। ମଧୁ ଭାଇନା ଦାଣ୍ଡଘରେ ବସି ଟିଭି ଦେଖୁଥିଲେ।ରାଧୁ ଦଦେଇ ଗାଁ ମନ୍ଦିର ଆଡକୁ ବୁଲିଯାଇଛନ୍ତି ବୋଲି ମଧୁଭାଇନା କହିଲେ। ରିନା ଭାଉଜ ଦୁଆରେ କାଠଚୁଲିରେ ରୋଷେଇ କରୁଥିଲେ। କିଛି ନଜାଣିଲା ଭଳି ପଚାରିଲି, କ’ଣ ଭାଉଜ, କାଠରେ ରୋଷେଇକରି କ’ଣ ଗ୍ୟାସ ଖର୍ଚ୍ଚ ସେଭିଂ କରୁଛକି?
    ରୀନା ଭାଉଜ କିଛି ଉତ୍ତର ଦେବା ପୂର୍ବରୁ ମଧୁ ଭାଇନା ବ୍ୟଙ୍ଗାତ୍ମକ ଢଙ୍ଗରେ କହିଲେ-ଗ୍ୟାସ ରୋଷେଇରେ ଆମ ବାପାଙ୍କର ଗ୍ୟାସ ରୋଗ ବାହାରୁଛି ତ, ସେଥିପାଇଁ କାଠରେ ରୋଷେଇ ହେଉଛି।
    ମଧୁ ଭାଇନାଙ୍କ ଉତ୍ତର ଶୁଣି ରିନା ଭାଉଜ ଓ ମୁଁ ଠୋ ଠୋ ହୋଇ ହସି ଉଠିଲୁ।
  • @ କୋଣାର୍କ, ପୁରୀ
  • ମୋବାଇଲ –

Leave A Reply

Your email address will not be published.