ପ୍ରକାଶ ତ୍ରିପାଠୀଙ୍କ ନୂଆ ଗଳ୍ପ : ‘ଲୋଭ’

0
  • TATKAL ODISHA// ଗପ ପେଡ଼ି//

ଲୋଭ”

  • ପ୍ରକାଶ ତ୍ରିପାଠୀ
    ଏକ କମ୍ପାନୀ ଅଧିନ କର୍ମଚାରୀ ସଂଘର କର୍ମକର୍ତ୍ତା ସେଦିନ ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇଥାନ୍ତି। ସଂଘର କିଛି ଛାମୁଆ କର୍ମୀ କାର୍ଯ୍ୟାଳୟ ଭିତରେ ନିର୍ଦ୍ଦେଶକଙ୍କୁ ସେମାନଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତାବୃଦ୍ଧି ପ୍ରସ୍ତାବ ଅନୁମୋଦନ ପାଇଁ ଅନୁରୋଧ କରୁଥାନ୍ତି। ବିଭିନ୍ନ ପଦ ପଦବୀର ସଂଖ୍ୟା ବୃଦ୍ଧି ସହ ବେତନ ବୃଦ୍ଧି ପ୍ରସ୍ତାବ ସପକ୍ଷରେ ପରିଚାଳନା ନିର୍ଦ୍ଦେଶକଙ୍କ ସମ୍ମୁଖରେ କର୍ମକର୍ତାଙ୍କ ପକ୍ଷରୁ ଉପସ୍ଥାପିତ ଯୁକ୍ତି ଓ ଯୁକ୍ତିଯୁକ୍ତ ତଥ୍ୟ କୁ ନିର୍ଦ୍ଦେଶକ ମହୋଦୟ ଗୁରୁତର ସହ ଶୁଣୁଥିଲେ ।କମ୍ପାନୀର ବାର୍ଷିକ ଆୟବୃଦ୍ଧି ଆଧାରରେ ସେମାନଙ୍କ ଦରମା ବୃଦ୍ଧି ଓ ପ୍ରମୋସନ ନିମନ୍ତେ ସେମାନେ ଦାବୀ କରୁଥିଲେ। ଅନ୍ୟ ସବୁ କମ୍ପାନୀରେ ଲାଗୁ ହୋଇଥିବା ଦରମା ଓ ଭତ୍ତା ଆଧାରରେ ନିଜ କମ୍ପାନୀ ରେ ଅନୁରୂପ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକଙ୍କୁ ରାଜିକରାଇବାକୁ କର୍ମଚାରୀମାନଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିଲା Iକାର୍ଯ୍ୟାଳୟ ବାହାରେ ଥିବା କର୍ମକର୍ତ୍ତା ମାନେ ଏକ ସମ୍ଭାବ୍ୟ ସଫଳତା କୁ ନେଇ ଖୁବ ଅମୋଦିତ ଜଣାପଡୁଥିଲେ। ଅନେକ ଦିନ ପରେ ଯଦି ସେମାନଙ୍କ ପ୍ରସ୍ତାବ କୁ କମ୍ପାନୀ ଅନୁମୋଦନ କରେ, ତେବେ ସେମାନେ ଉଚ୍ଚ ପଦ ପଦବୀକୁ ଯିବା ସହ ଅଧିକ ବେତନ ପାଇବା ନିଶ୍ଚିତ ଥିଲା।ଯଦିଓ ଏବେ ବି ସେମାନେ ପାଉଥିବା ବେତନ ମନ୍ଦ ନଥିଲା, ତେବେ ରିଷ୍ଟ୍ରକ୍ଚର ଜନିତ ଉଚ୍ଚ ପଦବୀ ଓ ଉଚ୍ଚବେତନ ର ଲୋଭ ସେମାନଙ୍କୁ ଅବୋରି ସାରିଥିଲା। କାରଣ, ଅନ୍ୟ କମ୍ପାନୀର କର୍ମଚାରୀମାନେ ପାଉଥିବା ବର୍ଦ୍ଧିତ ଦରମା ଓ ଭତ୍ତା ଦେଖି ସେଥିପ୍ରତି ସେମାନେ ଲୋଭାନ୍ବିତ ହୋଇସାରିଥିଲେ।
  • ହଠାତ ଜଣେ ଭିନ୍ନକ୍ଷମ ବୟସ୍କା ମହିଳାଙ୍କ ଆବିର୍ଭାବ ହୁଏ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ବୟସ ଷାଠିଏ ପାଖାପାଖି।କ୍ଷୀଣ ଶରୀର, କୋଟରଗତ ଆଖି ଓ ଲୋଳିତ ଚର୍ମରୁ ସ୍ପଷ୍ଟ ବାରିହେଉଥିଲା ସେହି ବୃଦ୍ଧା ମହିଳାଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି। ଛୋଟେଇ ଛୋଟେଇ କର୍ମଚାରୀ ମାନେ ରୁଣ୍ଡ ହୋଇଥିବା ସ୍ଥାନରେ ପହଂଚି ଚିରାଚରିତ ଢଙ୍ଗରେ ହାତ ପତେଇଲେ କିଛି ଅର୍ଥ ପ୍ରାପ୍ତି ଆଶାରେ।କିଛି ସମୟ ପର୍ଯ୍ୟନ୍ତ କୌଣସି କର୍ମଚାରୀ ଉକ୍ତ ମହିଳାଙ୍କ ପ୍ରତି ଦୃଷ୍ଟି ହିଁ ଦେଲେନି ଯାହାକି ଏକ ଚିରାଚରିତ ଘଟଣା। ଯେଉଁମାନେ କିଛି ସାହାଯ୍ୟ ଦେବାକୁ ଚାହାନ୍ତି ନାହିଁ, ସେମାନେ ଏହିପରି ଆଚରଣ ସାଧାରଣତଃ ପ୍ରଦର୍ଶନ କରିଥାନ୍ତି।ଏଭଳି ଆଚରଣ ବି ଭିକ୍ଷା ମାଗୁଥିବା ମଣିଷମାନଙ୍କର ଦେହସୁହା ହୋଇ ଗଲାଣି। ସେମାନେ ବି ଛାଡିବାର ନୁହନ୍ତି। ସେମାନଙ୍କ ପ୍ରତି ଯେପରି ସମୁଖ ମଣିଷ ଙ୍କ ଦୃଷ୍ଟି ନିବଦ୍ଧ ହୁଏ, ସେ କଳା ବି ସେମାନଙ୍କୁ ବେଶ ଜଣା।ଏଥର ଭିକ୍ଷା ମାଗୁଥିବା ମହିଳାଙ୍କ ପ୍ରତି ରୁଣ୍ଡ ହୋଇଥିବା କର୍ମଚାରୀଙ୍କର ନଜର ଗଲା। କେହି କେହି ନିଜ ମନୀପର୍ସ ଦରାଣ୍ଡି ବାକୁ ଲାଗିଲେ। ପ୍ରଥମେ ଜଣେ ବ୍ୟକ୍ତି ଦଶ ଟଙ୍କାଟିଏ ବଢ଼ାଉ ବଢ଼ାଉ ଆଉ ଜଣେ କର୍ମଚାରୀ ପକେଟରୁ ପଚାଶ ଟଙ୍କାର ନୋଟ ଟିଏ କାଢି ଉକ୍ତ ମହିଳାଙ୍କୁ ଦେଲେ ଓ କହିଲେ-ନିଅ, ଏଇଟା ଆମ ସମସ୍ତଙ୍କ ପକ୍ଷରୁ।
    ଭିକ୍ଷା ମାଗୁଥିବା ମହିଳାଙ୍କୁ ଏହା କିଛି ଫରକ ପକାଇନଥିଲା। ସେ ଟଙ୍କାକୁ ଧରି ସେଠାରେ ଠିଆ ହୋଇଥିବା ଅନ୍ୟ କର୍ମଚାରୀମାନଙ୍କୁ ପୂର୍ବପରି ହାତ ପତାଇବାକୁ ଲାଗିଲେ।
    ଏ ସବୁକୁ ଲକ୍ଷ୍ୟ କରୁଥିଲେ ଆଉଜଣେ କର୍ମଚାରୀ। ଭିକ୍ଷା ମାଗୁଥିବା ସେହି ଭିନ୍ନକ୍ଷମ ମହିଳାଙ୍କୁ ଲକ୍ଷକରି କହିଲେ- ଏତେ ଲୋଭ କରନି। ସମସ୍ତଙ୍କ ପକ୍ଷରୁ ତ ଦିଆଗଲା, ତା ବାଦ ଆଉ ଜଣେ ଦୁଇଜଣ ତ ଦେଲେ। ପୁଣି କାହିଁକି ମାଗୁଛ ? ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହେବା ଶିଖ।
    ଭିକ୍ଷା ମାଗୁଥିବା ଭିନ୍ନକ୍ଷମ ମହିଳା ବୁଝିଗଲେ। ଆଉ କାହାକୁ ଭିକ୍ଷା ନମାଗି ଅନତି ଦୂରକୁ ଯାଇ ବସିପଡିଲେ।
    କିଛି ସମୟ ପରେ ନିର୍ଦ୍ଦେଶକଙ୍କସହ ଆଲୋଚନା ଶେଷ କରି ଫେରିଆସିଲେ ଛାମୁଆ କର୍ମଚାରୀମାନେ। ସମସ୍ତଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ବାରିହେଉଥିଲା ଅସନ୍ତୁଷ୍ଟର ଚିହ୍ନ। ସେମାନଙ୍କୁ ଘେରିଗଲେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିଆହୋଇଥିବା ଅବଶିଷ୍ଟ କର୍ମଚାରୀମାନେ।ଜଣାପଡିଲା ଯେ ନିର୍ଦ୍ଦେଶକ ମହୋଦୟ କର୍ମଚାରୀ ସଂଘ ପକ୍ଷରୁ ଉପସ୍ଥାପିତ ହୋଇଥିବା ପ୍ରସ୍ତାବ ରେ ସମ୍ମତି ପ୍ରକାଶ କରିନାହାଁନ୍ତି।ହଠାତ ଏତେ ଅଧିକ ଦରମା ଓ ଭତ୍ତା ବଢ଼ାଇ ହେବନି।ତେଣୁ ସଂଶୋଧନ କରି ପ୍ରସ୍ତାବ ପୁଣିଥରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
    ହଠାତ କେହିଜଣେ କର୍ମଚାରୀ କହୁଥିବାର ଶୁଣାଗଲାଯେ, ଆଉ ସଂଶୋଧନ ନାହିଁ। ଆବଶ୍ୟକ ହେଲେ ଧର୍ମଘଟ କରାଯିବ ଓ କାର୍ଯ୍ୟବନ୍ଦ କରାଯିବ।ଦେଖିବା କମ୍ପାନୀ ଆମ ପ୍ରସ୍ତାବରେ କେମିତି ରାଜିନ ନହେବ। ଅନ୍ୟ କର୍ମଚାରୀମାନେ ମଧ୍ୟ ଏକ ସ୍ୱରରେ ଏହାକୁ ସମର୍ଥନ କଲେ।
  • ଅନତିଦୂରରେ ବସିଥିବା ସେହି ଭିନ୍ନକ୍ଷମ ମହିଳା ମୁରୁକି ମୁରୁକି ହସୁଥିଲେ। କିଛି ନ କହିଲେ ବି ସେ ହସରେ କର୍ମଚାରୀ ମାନଙ୍କ ପାଖକୁ ଫେରି ଆସୁଥିଲା ସେଇ ପଦିଏ ମନ୍ତବ୍ୟ- ଏତେ ଲୋଭ କାହିଁକି? ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହେବା ଶିଖ I
ଲେଖକ
  • ପ୍ରକାଶ ତ୍ରିପାଠୀ
  • ସମ୍ପର୍କ @କୋଣାର୍କ, ପୁରୀ
  • ମୋବାଇଲ :

Leave A Reply

Your email address will not be published.