ପ୍ର. ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ନିୟମିତ ସ୍ତମ୍ଭ-‘ହରେକମାଲ ମାଗଣା-୨’

0
  • TATKAL ODISHA //ତୀର୍ଯ୍ୟକ//
  • ପ୍ରଫେସର ଡ଼ ସତ୍ୟେନ୍ଦ୍ର ପଟ୍ଟନାୟକ

+++++++++++++++++++++++++++++++++++++++
ହରେକମାଲ ମାଗଣା’ ଶୀର୍ଷକ ମୋ ମତାମତ “ତତ୍କାଳ ଓଡ଼ିଶା”ରେ ପ୍ରକାଶ ପାଇବା ପରେ ଓଡ଼ିଶାର ତଥା ଭାରତବର୍ଷର ପ୍ରମୁଖ ସମ୍ବାଦପତ୍ରରେ ଏ ସମ୍ପର୍କିତ ବହୁ ଲେଖା ପ୍ରକାଶ ପାଇଛି । ‘TATKAL ODISHA’ ଏକ ଛୋଟ ପୋର୍ଟାଲ ହୋଇ ମଧ୍ୟ ମାଗଣା ରାଜନୀତି ସମ୍ପର୍କରେ ଚିନ୍ତାକରି ଏହାର ଭୟାବହ ପରିଣତି ବିଷୟରେ ସମସ୍ତଙ୍କୁ ଅବଗତ କରାଇବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଏବଂ ଏ ବିଷୟରେ ସମସ୍ତେ ଊଣା ଅଧିକେ ପ୍ରଭାବିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଏହାର ଦ୍ୱିତୀୟ ଭାଗ ପ୍ରକାଶ କରିବା ପାଇଁ ଉତ୍ସାହିତ ହୋଇଛି । – ସତ୍ୟେନ୍ଦ୍ର

+++++++++++++++++++++++++++++++++++++++

ଜନହିତକର କାର୍ଯ୍ୟ ପାଇଁ ଓ ଲୋକମାନଙ୍କୁ ସାମାଜିକ ସୁରକ୍ଷା ବଳୟରେ ରଖିବା ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ସରକାର ସଦାସର୍ବଦା ତତ୍ପର କିନ୍ତୁ ଏ ସବୁ ପାଇଁ ଦରକାର ହେଉଥିବା ଅର୍ଥ କେଉଁଠାରୁ ଆସିବ ସେ ବିଷୟରେ ସମସ୍ତେ ଚିନ୍ତିତ ।

ଆଜିର ଭାରତବର୍ଷରେ ମଧ୍ୟବିତ୍ତ ଶ୍ରେଣୀର ଅଣ୍ଟା ଭାଙ୍ଗିଯାଇଛି ।

ଅତ୍ୟଧିକ ଟିକସ୍ ଭାରରେ ହୁଏତ କେଉଁ ଦିନ ଭାରତର ମଧ୍ୟବିତ୍ତତ୍ତବର୍ଗ ରାସ୍ତାକୁ ଓହ୍ଲାଇ ଆସିବେ ଏବଂ ଏଠାରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଉପୁଜିବ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହାର ସାମାଧାନ କଣ, ସରକାର ଜନକଲ୍ୟାଣ କାମ ପାଇଁ ଅର୍ଥ କେଉଁଠାରୁ ଯୋଗାଡ଼ କରିବେ । ପ୍ରତ୍ୟେକ ସଚେତନ ନାଗରିକ ଏ ସମ୍ପକରେ ମଧ୍ୟ ଚିନ୍ତା କରିବା ଦରକାର ।

୨୦୨୧ -୨୨ ମସିହାରେ କେନ୍ଦ୍ରୀୟ ବଜେଟ୍ ହିସାବରେ ସରକାର ପ୍ରାୟ ୩୪,୮୩,୨୩୬ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏ ସମୟରେ ୧୯,୭୬,୪୨୪ କୋଟି ଟଙ୍କା (ବାହ୍ୟ ଓ ଘରୋଇ ଋଣ ଟଙ୍କା) ଆଦାୟ କରିବ । ସାଧାରଣ ନାଗରିକ ଭାବେ ବିଚାର କଲେ ମନେହୁଏ ଯେ ସରକାର ଟଙ୍କାର ଟିକସ୍ ନୀତିରେ ପରିବର୍ତ୍ତନ ଆଣି ବେଶୀ ଧନୀମାନଙ୍କୁ ଅଧିକ ଏବଂ ସାଧାରଣ ଲୋକଙ୍କୁ କମ୍ ଟିକସ୍ ଦେବା ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବା ଦରକାର । ଜଣେ ଗରିବ ଲୋକ ବ୍ୟାଙ୍କରୁ ୧୦ ହଜାର ଟଙ୍କା ଋଣ ଆଣି ସୁଝି ନପାରିଲେ ତା ସମ୍ପତ୍ତି ନିଲାମ କରିବାକୁ ପଛାଉ ନ ଥିବା ବ୍ୟାଙ୍କମାନେ କୋଟି କୋଟି ଟଙ୍କାର ଋଣ ନେଇ ଦେଶଛାଡ଼ି ଚାଲିଯାଉଥିବା ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକସୀ, ଋଷି ଅଗ୍ରୱାଲଙ୍କ ବିଷୟରେ କିଛି କରିପାରୁ ନାହାନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଜନତାଙ୍କୁ “ମାଗଣା ବା ମୁକ୍ତ” ପ୍ରଦାନ ଉପରେ ଏପରି ଟିପ୍ପଣୀ ଦେଇଥିଲେ …

ତାପରେ ପ୍ରତିଦିନ ପେଟ୍ରୋଲ ଡ଼ିଜେଲରେ ଅଧିକ ପଇସା ଦେଇ ହଇରାଣ ହେଉଥିବା ସାଧାରଣ ଜନତା ଏବଂ କିଛି ଲୋକଙ୍କ ଖାତାରେ ୬ ହଜାର ଟଙ୍କା ଲେଖାଏଁ କୃଷକ ସମ୍ମାନ ନିଧି ଦେଉଥିବା ବେଳେ, କର୍ପୋରେଟମାନଙ୍କୁ ୪.୩ ଲକ୍ଷ କୋଟି ଟିକସ୍ ରହିାତି ଦେବାର ଯଥାର୍ଥତା ବୁଝି ହେଉନାହିଁ । ଏ ସବୁ ଲକ୍ଷ୍ୟ କଲେ ମନେହୁଏ ଯଦି ଜଣେ ବ୍ୟବସାୟୀ ଭାବରେ ନିଜକୁ ପ୍ରମାଣ କରିବା ପାଇଁ କିଛି ପ୍ରଚାର କରି ଏକ ମିଛ କମ୍ପାନୀ କରି କିଛି ନେତାମାନଙ୍କର ପ୍ରିୟ ଭାଜନ ହୋଇପାରିବ ତାହେଲେ ତାଙ୍କ ପାଇଁ ହରେକମାଲ ମାଗଣା ।

ଭାରତୀୟ ରିଜର୍ଭବ୍ୟାଙ୍କରୁ ଆର.ଟି.ଆଇ. ପ୍ରଶ୍ନର ଉତ୍ତରରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୧୯ ମଧ୍ୟରେ ବ୍ୟବସାୟୀ ବ୍ୟାଙ୍କମାନେ ପ୍ରାୟ ୬.୩୫ ଲକ୍ଷ କୋଟି ଟଙ୍କାର ଖରାପ ଋଣ (ବ୍ୟାଡ଼ ଲୋନ୍‌) ଆଦାୟ କରି ପାରିନାହିଁ ଯଦିଓ ଏହି ଅନାଦେୟ ଋଣର ମାତ୍ର ୯.୭% ୬୬.୨୨୦ କୋଟି ଟଙ୍କା ଆଦାୟ ହୋଇ ପାରିଛି । ଏହି ଅନାଦେୟ ଋଣକୁ ‘ରିଟିନ୍ ଅଫ୍‌’ ଋଣ କୁହାଯାଏ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡ଼େପୁଟି ଗଭର୍ନର ଶ୍ରୀ କେ.ସି. ଚକ୍ରବର୍ତ୍ତୀଙ୍କ ମତରେ ଏହି ଅନାଦେୟକୁ ଏକ ସ୍କାମ କହିବା ବେଳେ ଏହି ଋଣ ସବୁ ବଡ଼ ବଡ କମ୍ପାନୀମାନେ ନେଇଛନ୍ତି ବୋଲି ମତ ଦିଅନ୍ତି । ଏହି ଖରାପ ଋଣକୁ ଏନ୍‌.ପି.ଏ. ଆଖ୍ୟା ଦିଆଯାଏ । ସମ୍ପୂର୍ଣ୍ଣ ଋଣଛାଡ଼କୁ ବହୁ ବିଶେଷଜ୍ଞମାନେ ବିରୋଧ କରୁଥିଲେ ମଧ୍ୟ ଲୋକସଭାରେ ଏକ ଅଣତାରକା ପ୍ରଶ୍ନ (୧୨୮୫ ତାରିଖ ୨୫.୧୧.୨୦୧୯)ର ଉତ୍ତରରେ ବିତ୍ତ ମନ୍ତ୍ରୀ ଏହି ପ୍ରକ୍ରିୟାକୁ ଏକ ସାଧାରଣ ବିଷୟ ବୋଲି ବର୍ଣ୍ଣନା କରି ଏହାକୁ ଆଦାୟ କରିବା ପାଇଁ ସରକାର ଚେଷ୍ଟିତ ବୋଲି କହିବା ବେଳେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ୫୦ ଜଣ ଇଚ୍ଛାକୃତ ଭାବେ ୬୮.୦୦୦ କୋଟି ଋଣ ନଫେରେଇବା ଋଣ ଗ୍ରହୀତାଙ୍କ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ । ଋଣ ଛାଡ଼ ପ୍ରକୃତରେ ଋଣ ନୁହେଁ ଏବଂ ବ୍ୟାଙ୍କ ଏସବୁ ଋଣ ଆଦାୟ କରିବେ ବୋଲି କହୁଥିବା ତଥ୍ୟ କେବଳ ବ୍ୟାଙ୍କର ବାଲାନ୍ସସିଟ୍‌କୁ ସଫା ଦେଖାଇବା ପାଇଁ ଏକ ଲୋକ ଦେଖାଣିଆ ପ୍ରକିୟା ମାତ୍ର ।

ନିମ୍ନ ଉଦାହରଣରୁ ଏହାର ସତ୍ୟତା ପ୍ରମାଣିତ ହୁଏ । ଅକ୍ଟୋବର ୨୦୧୭ ସୁଦ୍ଧା ଭାରତବର୍ଷର ୧୨ଟି ପ୍ରମୁଖ କମ୍ପାନୀ ଉପରେ ସମସ୍ତ ଏନ୍‌.ପି.ଏ.ର ୨୪ ଭାଗ ଋଣ ଅନାଦେୟ ରହିଛି । ଏହି କମ୍ପାନୀ ସବୁ ହେଲା ଭୂଷଣ ଷ୍ଟିଲ୍ (୪୪.୪୭୮ କୋଟି), ଲ୍ୟାକୋ ଇନ୍‌ଫ୍ରାଟେକ୍ (୪୪.୩୬୪ କୋଟି), ଏସାର ଷ୍ଟିଲ (ରୁଇଆ) (୩୭.୨୮୪ କୋଟି), ଭୂଷଣ ପାୱାର ଏଣ୍ଡ୍ ଷ୍ଟିଲ୍ (୩୭.୨୪୮ କୋଟି), ଆଲୋକ ଇଣ୍ଡଷ୍ଟ୍ର୍ରିଜ (୨୨.୦୭୫ କୋଟି), ଆମଟେକ୍ ଅଟୋ ଲିମିଟେଡ଼ (୧୪.୦୭୪ କୋଟି), ମୋନେଟ୍ ଇସ୍ପାତ୍ ଏଣ୍ଡ୍ ଏନର୍ଜି ଲିମିଟେଡ଼ (୧୨.୧୧୫ କୋଟି), ଇଲେଟ୍ରୋଷ୍ଟିଲସ୍ ଷ୍ଟିଲସ୍ ଲିମିଟେଡ଼ (୧୦.୨୭୩ କୋଟି), ଏରା ଇନଫ୍ରା ଇଂଜିନିୟରିଂ ଲିମିଟେଡ଼ (୧୦.୦୬୫ କୋଟି) ।

ନିଜକୁ ଦେବାଳିଆ ଘୋଷଣା କରି ସରକାରଠାରୁ ସମସ୍ତ ଋଣ ମାଫ କରାଇଥିବା ପ୍ରମୁଖ ୮ଟି କମ୍ପାନୀ ହେଲା – ଅନୀଲ ଅମ୍ବାନୀ ଗ୍ରୁପ୍ (୧,୨୫,୦୦୦ କୋଟି), ବେଦାନ୍ତ ଗ୍ରୁପ୍ (ଅନିଲ୍ ଅଗ୍ରୱାଲ) (୧,୦୩,୦୦୦ କୋଟି), ରୁଇଆ ଗ୍ରୁପ୍ (୧,୦୧,୦୦୦ କୋଟି), ଜେପି ଗ୍ରୁପ୍ (୨୫,୦୦୦ କୋଟି), ଜିନ୍ଦଲ ଗ୍ରୁପ୍ (ଜେ.ଏସ୍‌.ଡ଼ବ୍ଲୁ.)(୫୮,୦୦୦ କୋଟି), ଜିଏମଆର ଗ୍ରୁପ୍ (୪୮,୦୦୦ କୋଟି), ଭିଡ଼ିଓ କନ୍ ଗ୍ରୁପ୍ ( ୪୫,୦୦୦ କୋଟି) ଓ ଜିଭିକେ ଗ୍ରୁପ୍ (୩୯,୩୦୦ କୋଟି) । ଯଦିଓ ଏହି କମ୍ପାନୀମାନଙ୍କ ଉପରେ ଏହା ବକେୟା ଋଣ ବୋଲି କୁହାଯାଉଛି ତଥାପି ଏହାର ଆଦାୟ ଅସମ୍ଭବ ବୋଲି ମନେହୁଏ । ଏହା ମାତ୍ର ୮ଟି କମ୍ପାନୀ ଏବଂ ଏହା ବାହାରେ ମଧ୍ୟ ଆହୁରି ଅନେକ କମ୍ପାନୀ ଅଛି ଯେଉଁମାନେ କି କୋଟି କୋଟି ଟଙ୍କା ଦେଉନାହାନ୍ତି ବା ଦେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଆହୁରି ଅନେକ ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ବହୁ ଟଙ୍କା ନେଇ ବିଦେଶ ଚାଲିଯାଇଛନ୍ତି ଏବଂ ତାଙ୍କଠାରୁ ଟଙ୍କା ଆଦାୟ କରିବା ଅସମ୍ଭବ ମନେହୁଏ । ଏହି ପରିପ୍ରେକ୍ଷୀରେ ତୁଳନାତ୍ମକ ଭାବେ ଭାରତବର୍ଷର ବିଭିନ୍ନ ରାଜ୍ୟମାନଙ୍କ ଦ୍ୱାରା ଚାଷୀ ଋଣ ଛାଡ଼ ଯୋଜନାରେ ମାତ୍ର ୧,୮୪,୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହା ହେଲା ଗୋଟିଏ ପକ୍ଷ ଏବଂ ଏହା ଦ୍ୱାରା ଜନସାଧାରଣ ଦାରିଦ୍ର‌୍ୟର କଷାଘାତରେ ପେଶୀ ହେଉଥିବା ବେଳେ ଏତେ ଟଙ୍କାର ଅନାଦେୟ ଋଣ ଦ୍ୱାରା କିଛି ପୁଂଜିପତି ଅୟସରେ ରହୁଛନ୍ତି ଏବଂ ଏହା ଦ୍ୱାରା କିଛି ବର୍ଗ ପାଇଁ ଏହା ଆର୍ଶୀବାଦ ହେଲାବେଳେ ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣଙ୍କ ପ୍ରତି ଏହା ଅଭିଶାପ ହୋଇଯାଇଛି ।

ଏଥର ଦେଖିବା ଅଉ ଏକ ବର୍ଗକୁ ଯେଉଁମାନଙ୍କୁ ଆମେ ନିର୍ବାଚିତ କରି ଆମକୁ ଶାସନ କରିବାକୁ ସଂସଦ ତଥା ରାଜ୍ୟ ବିଧାନସଭାକୁ ପଠାଉଛୁ । ସେମାନେ ନିର୍ବାଚିତ ହେବା ପୂର୍ବରୁ ଆମମାନଙ୍କର ସେବକ ବୋଲି ଘୋଷଣା କରି ନିର୍ବାଚିତ ହେବା ପରେ ଆମମାନଙ୍କ ଅଘୋଷିତ ଶାସକ ହୋଇଯାଉଛନ୍ତି ।

ଦଳଗତ ନିର୍ବିଶେଷରେ ସେମାନେ ଏକ ଶାସକ ଗୋଷ୍ଠୀ ଏବଂ ସେମାନଙ୍କ ପାଇଁ ସରକାର ଆମ ଟିକସ୍ ପଇସାରୁ ଯଥେଷ୍ଟ ଦରମା, ଭତ୍ତା ଓ ପେନସନ୍ ଦେଉଛନ୍ତି । ସାମାନ୍ୟ ଚାକିରିଆ (ସରକାରୀ ହେଲେ) ଏକ ନିର୍ଦ୍ଦିଷ୍ଟ ସମୟ କାମ କରିବା ପରେ ଅବସର ନେଲାବେଳେ ନିଜେ ଚଳିବା ପାଇଁ କିଛି ପେନ୍‌ସନ୍ ପାଏ I କିନ୍ତୁ ସଂସଦର କୌଣସି କକ୍ଷ ବା ରାଜ୍ୟ ବିଧାନସଭାକୁ ଥରେ ଯେତେ ସ୍ୱଳ୍ପ ସମୟ ପାଇଁ ନିର୍ବାଚିତ ହେଲେ ମଧ୍ୟ ରାଜକୀୟ ଦରମା, ଭତ୍ତା, ସମସ୍ତ ସୁଖ, ସ୍ୱାଛନ୍ଦ୍ୟ ପାଇବା ସହ ସାରା ଜୀବନ ପାଇଁ ନିଜର ଏବଂ ନିଜ ପରିବାର ପାଇଁ ପେନ୍‌ସନ୍ ମଧ୍ୟ ପାଉଥାନ୍ତି ।

ସରକାରୀ ନିୟମ ଦୃଷ୍ଟିରୁ ଜଣେ କର୍ମଚାରୀ ଚାକିରି ଛାଡ଼ିବା ପରେ ଯଦି ଅନ୍ୟ ଏକ ସରକାରୀ କାମରେ ଯୋଗ ଦିଅନ୍ତି ତାହାଲେ ସେ ମାତ୍ର ଯେ କୌଣସି ଗୋଟିଏ ଦରମା ବା ପେନ୍‌ସନ୍ ପାଇବାକୁ ଯୋଗ୍ୟ ହେଉଥିବା ବେଳେ ଯଦି କୌଣସି ନିର୍ବାଚିତ ସଭ୍ୟ ଜୀବନରେ ୨ଟି ସଦନ (ସଂସଦ ବା ରାଜ୍ୟ ବିଧାନସଭା)କୁ ଯାଇଥାନ୍ତି ତାହାଲେ ସେ ଗୋଟିକର ଦରମା ସହ ପୂର୍ବ ସଦସ୍ୟ ହିସାବରେ ପେନ୍‌ସନ୍ ବା ଉଭୟ ସଂସଦ ଓ ବିଧାନସଭାରୁ ଅବସର ନେବା ପରେ ୨ଟି ଯାକ ପଦପାଇଁ ପେନ୍‌ସନ୍ ମଧ୍ୟ ପାଇଥାନ୍ତି । ତାପରେ କେତେବର୍ଷ ସାଂସଦ ବା ବିଧାୟକ ହେବା ଉପରେ ଏହି ପେନ୍‌ସନ୍‌ର ମାତ୍ରା ମଧ୍ୟ ବଢ଼ିଥାଏ ।

ଆଜି ଦିନରେ ଭାରତ ସରକାର ପୂର୍ବତନ ସାଂସଦମାନଙ୍କ ପେନ୍‌ସନ୍ ବାବଦକୁ ମାସିକ ୭୦.୫୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଟଙ୍କା କାହାକୁ ସବୁ ଦିଆଯାଉଛି ତାର ଏକ ଛୋଟ ଉଦାହରଣ ହେଉଛି, ପ୍ରସିଦ୍ଧ ସିନେମା ଅଭିନେତ୍ରୀ ବୈଜନ୍ତିମାଳା ମାସିକ ୩୯,୦୦୦ ଟଙ୍କା ପାଉଥିବା ବେଳେ ରେଖା ଓ ଚିରଞ୍ଜିବ ୨୭,୦୦୦ ଟଙ୍କା ହିସାବରେ ପେନ୍‌ସନ ପାଉଛନ୍ତି । ସେହିଭଳି ଶିଳ୍ପପତି ସଂଜୟ ଡ଼ାଲମିଆ ଓ ସ୍ୱର୍ଗତ ରହୁଲ ବଜାଜ ୨୫,୦୦୦ ଟଙ୍କା ହିସାବରେ ପାଉଥିଲେ । ୨୦୧୭-୧୮ ରେ ପୂର୍ବତନ ସାଂସଦମାନଙ୍କ ପେନ୍‌ସନ୍ ୫୮.୦୨ କୋଟିରୁ ବୃଦ୍ଧି ପାଇ ୨୦୧୮-୧୯ରେ ଏହା ୨୧.୫ ପ୍ରତିଶତ ବୃଦ୍ଧି ପାଇଥିଲା, ପୂର୍ବତନ ସାଂସଦମାନେ ଭାରତବର୍ଷର ଯେ କୌଣସି ଟ୍ରେନ୍‌ରେ ଏ.ସି. ପ୍ରଥମ ଶ୍ରେଣୀରେ ଏକା ଏବଂ ଏ.ସି. ୨ୟ ଶ୍ରେଣୀରେ କୌଣସି ଜଣେ ସହାୟକଙ୍କ ସହ ମାଗଣା ଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏକ ଜନହିତକର ଯାଚି଼କାକୁ ବିଚାରକୁ ନେଇ ସୁପ୍ରିକୋର୍ଟ ପୂର୍ବତନ ସାଂସଦମାନଙ୍କ ପେନ୍‌ସନ୍ ତଥା ସୁବିଧା ସମ୍ପର୍କରେ ପ୍ରଶ୍ନ କରିବା ହେତୁ ପାର୍ଲ୍ୟାମେଣ୍ଟର ଉଭୟ ସଭାର ସଭ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ ।

ତତ୍‌କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲୀ ଦୃଢ଼ ଭାବରେ କେବଳ ସଂସଦ ହିଁ ସାଂସଦ, ପୂର୍ବତନ ସାଂସଦମାନଙ୍କ ଦରମା, ଭତ୍ତା ଓ ସୁବିଧା ପାଇଁ ନିୟମ ପ୍ରଣୟନ କରିପାରିବ ବୋଲି କହିଥିଲେ । ୨୦୦୯ ମଇ ମାସ ପଞ୍ଚଦଶ ଲୋକ ସଭା ଆରମ୍ଭ ବେଳକୁ ପୂର୍ବତନ ସାଂସଦମାନେ ମାସିକ ୨୦ ଜହାର ଏବଂ ଯେଉଁମାନେ ୫ ବର୍ଷରୁ ଅଧିକ ସଭ୍ୟଚଥିବେ ପ୍ରତି ଅଧିକା ବର୍ଷ ପାଇଁ ୧୫୦୦ ଟଙ୍କା ଲେଖାଏଁ ପାଉଥିଲେ । କୌଣସି ସାଂସଦଙ୍କର ଦେହାନ୍ତ ପରେ ତାଙ୍କ ପରିବାରଙ୍କୁ ଅର୍ଦ୍ଧେକ ପେନ୍‌ସନ୍ ମଧ୍ୟ ଦେବାର ବ୍ୟବସ୍ଥା ହୋଇଥିଲା । ଏତଦ୍ ବ୍ୟତୀତ ପୂର୍ବତନ ସାଂସଦମାନେ ଯେ କୌଣସି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଦ୍ୱାରା ଚିକିତ୍ସା ପାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଏ ସବୁ ବ୍ୟବସ୍ଥା କିନ୍ତୁ ପ୍ରଥମେ ନଥିଲା ।

ସଂବିଧାନର ଧାରା ୧୦୬ ଦ୍ୱାରା ସାଂସଦମାନଙ୍କର ଦରମା ବା ଭତ୍ତା ସମ୍ପର୍କିତ ନିଷ୍ପତ୍ତି ନେବା ପାଇଁ ପାର୍ଲ୍ୟାମେଣ୍ଟକୁ କ୍ଷମତା ଦିଆଯାଇଥିଲା କିନ୍ତୁ ଏହି ଆଇନରେ ପୂର୍ବତନ ସାଂସଦମାନଙ୍କ ପାଇଁ କୌଣସି ପେନ୍‌ସନ୍‌ର ବ୍ୟବସ୍ଥା ନଥିଲା । ଏହାର ୨୨ ବର୍ଷ ପରେ ଏହି ବ୍ୟବସ୍ଥାକୁ ବଦଳାଇ ୧୯୭୬ରେ ପୂର୍ବତନ ଏମ୍‌.ପି.ମାନଙ୍କୁ ମାସିକ ୩୦୦ ଟଙ୍କା ଦେବାର ବ୍ୟବସ୍ଥା କରାଗଲା ଓ ବର୍ଷ ପରେ ଏହି ବ୍ୟବସ୍ଥାକୁ ବଦଳାଇ ୧୯୭୬ରେ ପୂର୍ବତନ ଏମ୍‌.ପି.ମାନଙ୍କୁ ମାସିକ ୩୦୦ ଟଙ୍କା ଦେବାର ବ୍ୟବସ୍ଥା କରାଗଲା ଓ ୫ ବର୍ଷରୁ ଅଧିକ ସାଂସଦ ଥିବା ସଭ୍ୟମାନଙ୍କୁ ମାସିକ ଅଧିକା ୫୦ ଟଙ୍କା ହିସାବରେ ଦିଆଯାଇ ସର୍ବୋଚ୍ଚ଼ ୫୦୦ ଟଙ୍କାରେ ଏହା ସ୍ଥିର କରାଗଲା । ପୁଣି ୨୦୦୬ ମସିହାରେ ଏହି ବ୍ୟବସ୍ଥାର ସଂଶୋଧନ କରାଯାଇ ପୂର୍ବତନ ସାଂସଦମାନଙ୍କ ଫାମିଲି ପେନ୍‌ସନ ବ୍ୟବସ୍ଥା ଆଜୀବନ କରାଗଲା । ଏହି ପେନ୍‌ସନ୍‌, ଭତ୍ତା ଇତ୍ୟାଦିକୁ ତୁଳନାତ୍ମକ ଭାବରେ ବିଚାର କଲେ ଜଣାଯାଏ ଯେ ୧୯୭୬ ମସିହାରେ ୩୦୦ ଟଙ୍କା ପେନ୍‌ସନ୍ ପାଉଥିବା ସାଂସଦମାନେ ୨୦୦୯ ବେଳକୁ ପ୍ରାୟ ୨୦ ହଜାର ଟଙ୍କା ପାଇଲେ, ଅର୍ଥାତ୍ ୩୩ ବର୍ଷରେ ସେମାନଙ୍କ ପେନ୍‌ସନ୍ ପ୍ରାୟ ୭୦ ଗୁଣ ବୃଦ୍ଧି ପାଇଥିଲା ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ସାଂସଦ ପୂର୍ବତନ ସାଂସଦମାନଙ୍କ ପାଇଁ ଦରମା ବା ଭତ୍ତା ସେମାନେ ନିଜେ ଠିକ୍ କରିବା ସମୀଚୀନ କି?

ତା ପରେ ଆମର କୌଣସି ସାଂସଦ ବା ବିଧାୟକଙ୍କ ଅବସ୍ଥା ଏତେ ଖରାପ ନୁହେଁ ଯେ ସେମାନେ ସାଧାରଣ ଲୋକଙ୍କ ପଇସାରେ ପୋଷିହେବେ । ଯେତେବେଳେ ସାଧାରଣ ଚାକିରିଆ ସାରାଜୀବନ ଚାକିରୀ କରି ପେନ୍‌ସନ୍ ଗଣ୍ଡେ ପାଇବା ପାଇଁ ଅପେକ୍ଷା କରେ ଆମ ପ୍ରତିନିଧିମାନେ ପେନ୍‌ସନ୍ ସହ ବହୁ ସୁଖସୁବିଧା ମଧ୍ୟ ପାଇଥିବା ସମୀଚୀନ କି? କିନ୍ତୁ ଏହା ଆମର ନିୟତି ଯେ ଯେଉଁମାନଙ୍କୁ ଆମେ ନିର୍ବାଚିତ କଲୁ ସେମାନଙ୍କର ସମସ୍ତ ଭରଣ ପୋଷଣର ଦାୟିତ୍ୱ ମଧ୍ୟ ଆମମାନଙ୍କୁ ନେବାକୁ ପଡ଼ୁଛି । ଏ ପ୍ରକାର ବ୍ୟବସ୍ଥା ପୃଥିବୀର ଅନ୍ୟ କୌଣସି ଗଣତାନ୍ତ୍ରିକ ଦେଶରେ ନାହିଁ ।

ଇଂଲଣ୍ଡ ଏବଂ ଆମେରିକାରେ ଜନ ପ୍ରତିନିଧିମାନେ ଅଫିସରେ ଥିଲାବେଳେ ନିର୍ଦ୍ଧାରିତ ଦରମା ଓ ଭତ୍ତା ପାଉଥିବା ବେଳେ ଅଫିସରୁ ଯିବା ପରେ ନିଜ ନିଜ ପୁରୁଣା କର୍ମକ୍ଷେତ୍ରକୁ ଫେରିଯାଆନ୍ତି । କିଏ ଚାଷବାସ କରିବାରୁ ବା କିଏ ବ୍ୟବସାୟରୁ ବା କିଏ ନିଜ ନିଜ କର୍ମକ୍ଷେତ୍ରରୁ ଆସି ନିର୍ବାଚିତ ହେବା ପରେ ତାଙ୍କ କାର୍ଯ୍ୟକାଳ ପରେ ନିଜର ପୁରୁଣା ବୃତ୍ତିକୁ ଫେରିଯାଇଥାନ୍ତି କିନ୍ତୁ ଭାରତବର୍ଷରେ ରାଜନୀତି କରିବା ଏକ ବୃତ୍ତି ଏବଂ ଏଥିରେ ପୁଂଜି ଲଗାଇ କୌଣସି ପ୍ରକାରରେ ଦିନକ ପାଇଁ ହେଲେ ମଧ୍ୟ ପାର୍ଲ୍ୟାମେଣ୍ଟ ବା ବିଧାନସଭାକୁ ଚାଲିଗଲେ ଜୀବନ ଯାକ ପାଇଁ ସୁଖ ସ୍ୱାଚ୍ଛନ୍ଦ୍ୟ ଓ ଅୟସରେ ଜୀବନ ବିତିଯାଏ ।

କିଛି ଉଦାହରଣରୁ ଏହା ସ୍ପଷ୍ଟ ହୁଏ । ଏକ ସମୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ଓମ ପ୍ରକଶ ଚୌତାଲା ପ୍ରାୟ ୨ ଲକ୍ଷ ଟଙ୍କା ମାସିକ ପେନ୍‌ସନ୍ ପାଉଥିଲେ । ଦୁର୍ନୀତି ପାଇଁ ଜେଲ ଯିବା ବେଳେ ଓ ପରେ ମଧ୍ୟ ଏହା ଜାରିରହିଥିଲା । ଉତ୍ତର ପ୍ରଦେଶରେ ସାମାଜବାଦୀ ସରକାରଙ୍କ ସମୟରେ ଏକ ନିୟମ ହିଁ କରାଯାଇଥିଲା ଯେ, ରାଜ୍ୟର ରାଜ୍ୟର ପ୍ରତ୍ୟେକ ପୂର୍ବତନ ମୁଖ୍ୟମନ୍ତ୍ରୀ ସେମାନଙ୍କ ସରକାରୀ ବଙ୍ଗଳାକୁ ସଜାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ବଙ୍ଗଳା ସବୁ ଖାଲି କରିବା ପାଇଁ ମାୟାବତୀ, ଅଖିଳେଶ ପ୍ରଭୃତି ବାଧ୍ୟ ହୋଇଥିଲେ । ଏହା ହୁଏତ ଜନ ସାଧାରଣଙ୍କୁ ବିବ୍ରତ କରିପାରେ ଯେ ୧୯୮୦-୮୨ରେ ଉତ୍ତର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଭି.ପି. ସିଂହ ଏକ ନିୟମ କରିଥିଲେ ଯାହାଦ୍ୱାରା କି ସେ ସମୟରେ ଥିବା ମନ୍ତ୍ରୀମାନେ ସେମାନଙ୍କ ଦରମା ବା ଭତ୍ତା ସହ ତାଙ୍କୁ ଦେବାକୁ ପଢ଼ୁଥିବା ଆୟକର ମଧ୍ୟ ସରକାରୀ ତହବିଲରୁ ସେମାନଙ୍କୁ ଦିଆଯାଉଥିଲା ଏବଂ ଏହାର ଯୌକ୍ତିକତା ପ୍ରମାଣ କରିବାକୁ କୁହାଯାଇଥିଲା ଯେ ନିର୍ବାଚିତ ଜନପ୍ରତିନିଧିମାନେ ଏତେ ଗରିବ ଯେ ସେମାନଙ୍କ ଆୟକର ଦେବା ତାଙ୍କ ପାଖରେ ସମ୍ଭବ ନୁହେଁ ତେଣୁ ସେମାନଙ୍କୁ ସରକାରଙ୍କ ତରଫରୁ ଏହା ଦିଆଯିବା ଦରକାର ।

ଏ ସମସ୍ତ ସୁଖ ସୁବିଧା ପଛରେ ଯାହା ବା ଯୁକ୍ତି ଥାଉ ନା କାହିଁକି ଏହା ସତ୍ୟ ଯେ ଏହି ବର୍ଗ ପାଇଁ ‘ହରେକ ମାଲ ମାଗଣା’ ।

ଯଦି ପୂର୍ବତନ ସାଂସଦ ଓ ବିଧାୟକମାନଙ୍କ ପାଇଁ ଏତେ ସୁଖ ସୁବିଧା ତାହାଲେ ବର୍ତ୍ତମାନ ସାଂସଦ ଓ ବିଧାୟକମାନଙ୍କର ଆୟ, ଭତ୍ତା ଓ ସୁବିଧା କେତେ ହୋଇଥିବା ତାହା ଅନୁମେୟ । (କ୍ରମଶଃ )

  • //ଲେଖକଙ୍କ ନିଜସ୍ୱ ମତ //

//SATYENDRA PATNAIK //

 (English in Graduation, MA in Ancient Indian History, Culture & Archaeology. (Visva Bharati University) Santiniketan, Ph.D in History. Professor under Gauhati University. Now Rector in KIIT University. Authored several books on History, religion, Tourism, Social Anthropology.)

MOB: 94370 41465

************

ଦେଖନ୍ତୁ TATKAL ODISHAରେ ଡ଼ ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ପୂର୍ବ ଆଲେଖ୍ୟ…

ପ୍ର. ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ସ୍ତମ୍ବ : “ହରେକମାଲ ମାଗଣା”

ପ୍ର. ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ସ୍ତମ୍ବ-4 : “ହରେକମାଲ ମାଗଣା”

Leave A Reply

Your email address will not be published.