ସ୍ପେନର ‘ହାରୋୱାଇନ’, ଅଷ୍ଟ୍ରେଲିଆର ‘ଚିନଚିଲା’, ଥାଇଲାଣ୍ଡର ‘ସଙ୍ଗକରାନ୍’ ଓ ଭାରତରେ ‘ହୋଲି’

0
  • ପ୍ରଫେସର ଡ଼ଃ ସତ୍ୟେନ୍ଦ୍ର ପଟ୍ଟନାୟକ

TATKAL ODISHA //ଐତିହ୍ୟ ଖୋଜ//

ରଙ୍ଗର ଉତ୍ସବ – ହୋଲି
* ସତ୍ୟେନ୍ଦ୍ର ପଟ୍ଟନାୟକ


ଫଗୁଣ ମାସ ଅ।ସିଲେ ପୃଥିବୀ ଏକ ନୂତନ ରଙ୍ଗରେ ସଜେଇ ହୋଇଯାଏ । ପଳାଶ ଫୁଲ, ଆମ୍ବ ବଉଳ ଓ ବିଭିନ୍ନ ଗଛରେ ନୂଆ ପତ୍ରରେ ପ୍ରକୃତି ପୃଥିବୀକୁ ରଙ୍ଗୀନ କରିଦିଏ । ବୋଧହୁଏ ସେଥିପାଇଁ ଏହି ମାସରେ ପାଳିତ ହୁଏ ରଙ୍ଗର ଉତ୍ସବ ହୋଲି ।

ଭାରତବର୍ଷରେ ପ୍ରତିଟି ଲୋକ ଜାତି, ଧର୍ମ ନିର୍ବିଶେଷରେ ଏହି ଉତ୍ସବ ପାଳନ କରିଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ, ସୋମନଙ୍କ ସହ ନିଜକୁ ମିଶେଇ ସମସ୍ତେ ଯେମିତି ଏହିଦିନକୁ ମନଭରି ଉପଭୋଗ କରନ୍ତି । ଏହା ଏକ ଭାଇଚାରା ଓ ସହୃଦୟତାର ଦିନ ଏବଂ ଏହି ଦିନ ଶତ୍ରୁ ମଧ୍ୟ ନିଜର ଶତ୍ରୁତା ଭୁଲି ମିତ୍ର ହୋଇଯାଇଥାଏ । ଏହି ହିଁ ଭାରତବର୍ଷର ମହାନ ପରମ୍ପରା ।
ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ହୋଲିରେ ଲୋକମାନେ ହୋଲି ଦହନ କରନ୍ତି ।କୁହାଯାଏ ଯେ ଏହି ଦିନ ସମସ୍ତ ଦୃଷ୍ଟଶକ୍ତିକୁ ଜଳାଇ ଦିଆଯାଏ।

ଡ଼ଃ ସତ୍ୟେନ୍ଦ୍ର ପଟ୍ଟନାୟକ

  • କିମ୍ବଦନ୍ତୀ କଣ କହେ ?

କିମ୍ବଦନ୍ତୀ ଅନୁସାରେ ଅସୁର ସମ୍ରାଟ ହିରଣ୍ୟକଶ୍ୟପ ତାଙ୍କ ପୁଆ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ସବୁ ପ୍ରକାର ଚେଷ୍ଟାରେ ବିଫଳ ହେବା ପରେ ସେ ଭଉଣୀ ହୋଲିକାର ସାହାଯ୍ୟ ନେଇଥିଲେ । ହୋଲିକା ଥିଲା ଏକ ଅଦ୍ଭୁତ ଶକ୍ତି, ଯାହା ଦ୍ୱାରା ସେ କେବେ ନିଆଁରେ ପୋଡ଼ି ହେଉ ନଥିଲା। ପ୍ରହ୍ଲାଦକୁ କୋଳରେ ବସାଇ ପ୍ରପଞ୍ଚ କରି ହୋଲିକା ନିଆଁରେ ବସିଥିବା ବେଳେ ବିଷ୍ଣୁ ତାଙ୍କ ଶକ୍ତିବଳରେ ହୋଲିକା ଦେହରୁ ଚାଦର ଉଡ଼ାଇ ନେଇ ତାକୁ ପ୍ରହ୍ଲାଦ ଉପରେ ପକାଇ ଦେବା ଫଳରେ ହୋଲିକା ନିଆଁରେ ପୋଡ଼ି ହେବା ସହ ପ୍ରହ୍ଲାଦ ବଞ୍ଚିଯାଇଥିଲେ। ଏହା ଥିଲା ଅସତ୍ୟ ଉପରେ ସତ୍ୟର ବିଜୟ। ଫଗୁଣ ମାସର ପୃଥିବୀ ଶୀତ କଷ୍ଟରୁ ରକ୍ଷା ପାଇ ବସନ୍ତ ଆଡ଼କୁ ଯିବାର ସମୟ।

  • ଐତିହାସିକ ପୃଷ୍ଟଭୂମି

ଐତିହାସିକ ମତରେ ଖ୍ରୀଷ୍ଟାବ୍ଦ ୪ର୍ଥ ଶତାଦ୍ଦୀରେ ହୋଲି କୃଷ୍ଣ ତଥା ବିଷ୍ଣୁଙ୍କ ସହ ଯୋଡ଼ି ହୋଇଥିଲା। କୃଷି ପ୍ରଧାନ ଦେଶ ଭାରତରେ ହୋଲି ଏକ ନୂଆ ଫସଲ ଋତୁର ଆଗମନ ଭାବେ ମଧ୍ୟ ପାଳନ କରାଯାଏ। ପରବର୍ତ୍ତୀ ସମୟରେ ରାଧା -କୃଷ୍ଣଙ୍କର ଅନାବିଳ ପ୍ରେମ ସହ ଏହି ହୋଲି ଯୋଡ଼ି ହୋଇଯାଇଥିଲା।

ପ୍ରଚୀନ କାଳରେ ରଙ୍ଗର ଉତ୍ସବ ହୋଲିରେ କୌଣସି ରାସାୟନିକ ବା ଜୈବିକ ରଙ୍ଗ ବ୍ୟବହାର କରାଯାଉନଥିଲା, ହଳଦୀ, ନିମ୍ବପତ୍ର, ବେଲ ପତ୍ର, ପଳାଶ ଫୁଲ ତଥା ଅନ୍ୟାନ୍ୟ ଫଳ ଫୁଲରୁ ତିଆରି କରାଯାଉଥିବା ରଙ୍ଗରେ ପରସ୍ପରକୁ ରଙ୍ଗେଇ ଲୋକମାନେ ହୋଲି ପାଳନ କରୁଥିଲେ।

ଭାରତବର୍ଷର ବିଭିନ୍ନ ପ୍ରଦେଶ ବ୍ୟତୀତ ପୃଥିବୀର ଅନେକ ଦେଶରେ ହୋଲି ଉତ୍ସବ ପାଳନ କରାଯାଏ।

  • ବିଦେଶରେ ହୋଲି ଉତ୍ସବ

ନେପାଳ, ସୁରିନାମ, ଗାଏନା, ତ୍ରିନିଦାଦ ଓ ଟୋବାଗୋ, ଜାମାଇକା, ଆଫ୍ରିକା, ମରିସସ୍‌, ଫିଜି, ମାଲେସିଆ, ସିଙ୍ଗାପୁରଛଡ଼ା, ୟୁରୋପ, ଆମେରିକା, ନ୍ୟୁଜଲାଣ୍ଡ, ଅଷ୍ଟ୍ରେଲିଆରେ ବାସକରୁଥିବା ଭାରତୀୟ ସମୁଦାୟ ମଧ୍ୟ ଏହି ଉତ୍ସବ ପାଳନ କରିଥାନ୍ତି। ଭାରତବର୍ଷରେ ବ୍ରଜଧାମରେ ରାଧାକୃଷ୍ଣଙ୍କ ପ୍ରେମ, ବଙ୍ଗଳାରେ ବସନ୍ତ ଉତ୍ସବ, ମଥୁରା ଅଞ୍ଚଳରେ ଏକ ଲଠମାର ହୋଲିର ମଧ୍ୟ ପ୍ରଚଳନ ଅଛି, ଯେଉଁଠି ସ୍ତ୍ରୀ ଲୋକମାନେ ଲାଠିଧରି ପୁରୁଷମାନଙ୍କୁ ମାରିବା ବେଳେ ପୁରୁଷମାନେ ଢ଼ାଲଦ୍ୱାରା ନିଜକୁ ରକ୍ଷାକରିଥାନ୍ତି। ଆସାମ ଓ ଓଡ଼ିଶାରେ ଦୋଳଯାତ୍ରା, ବିହାର ଓ ଝାଡ଼ଖଣ୍ଡରେ ଫଗୁୱା, ଗୋଆରେ ଉକ୍କୁଳି, ଗୁଜୁରାଟରେ ଧୁଲେଟି, ମଣିପୁରରେ ୟୋସାଙ୍ଗଃ, ତାମିଲନାଡ଼ୁରେ ପନଗୁନି ଉଥିରାମ, ତେଲେଙ୍ଗନାରେ କାମୁନି ପୁନ୍ନମି, ଆନ୍ଧ୍ର ପ୍ରଦେଶରେ ଜାଜିରି ଓ ତ୍ରିପୁରାରେ ଏହା ପଲି ଭାବେ ପାଳନ କରାଯାଏ।

କେବଳ ଭାରତବର୍ଷରେ ନୁହେଁ ପୃଥିବୀର ବିଭିନ୍ନ ପ୍ରାନ୍ତରେ ହୋଲିଭଳି କିଛି ଉତ୍ସବ ପାଳନ କରାଯାଏ, ସେଥି ମଧ୍ୟରୁ ପ୍ରମୁଖ ଉତ୍ସବ ହେଲା :-


ବୋରିଏୱଙ୍ଗ କାଦୁଆ ଉତ୍ସବ- ଦକ୍ଷିଣ କୋରିଆର ଚୁଙ୍ଗଚେଓଙ୍ଗ ନାମ ପ୍ରଦେଶର ବୋରିଏୱଙ୍ଗ ସହରରେ ସୁନ୍ଦର ସମୁଦ୍ର ତଟ ଦାଇଚେନରେ ଏହି ଉତ୍ସବ ପାଳନ କରାଯାଏ। ସହସ୍ରାଧିକ ପୁରୁଷ ଓ ନାରୀ ପରସ୍ପରକୁ କାଦୁଅ ଫୋପାଡ଼ି ଏ ଉତ୍ସବ ପାଳନ କରନ୍ତି। କାଦୁଅରେ ଲଟପଟ ହୋଇଥିବା ଶରୀର ସପକ୍ଷରେ ଯୁକ୍ତି କରାଯାଏ ଯେ କଦୁଅ ମଣିଷ ଶରୀର ତ୍ୱଚା ଉଜ୍ଜଳ କରେ। ପ୍ରତିବର୍ଷ ଜୁଲାଇ ୧୭ ତାରିଖରୁ – ୨୬ ତାରିଖ ମଧ୍ୟରେ ଏହି ଉତ୍ସବ ପାଳନ କରାଯାଏ।

ଲାଟୋମାଟିନା – ପ୍ରତିବର୍ଷ ଅଗଷ୍ଟ ୨୬ ତାରିଖ ବେଳକୁ ସ୍ପେନର ଭାଲନସିଆନ ସହରରେ ଏହି ଉତ୍ସବ ପାଳନ କରାଯାଏ। ପାଚିଲା ଟମାଟୋର ପାହାଡ଼ ଭିତରେ ବସି ପରସ୍ପରକୁ ଟମାଟୋ ଫୋପାଡ଼ି ସମସ୍ତେ ଏହି ଉତ୍ସବ ପାଳନ କରିଥାନ୍ତି। ୧୯୪୪-୪୫ ମସିହାଠାରୁ ଏହି ଉତ୍ସବ ଏଠାରେ ପ୍ରତିବର୍ଷ ପାଳନ କରାଯାଏ ଏବଂ ବହୁ ବିଦେଶୀ ପର୍ଯ୍ୟଟକ ଏଠାକୁ ଏହି ଉତ୍ସବରେ ଭାଗ ନେବାକୁ ଆସିଥାନ୍ତି।

ଚିନଚିଲା ତରଭୁଜ ଉତ୍ସବ – ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ଅଞ୍ଚଳରେ ଚିନିଚଲା ସହରରେ ପ୍ରତିବର୍ଷ ଫେବୃୟାରୀ ମାସରେ ଏହି ଉତ୍ସବ ପାଳନ କରାଯାଏ। ସପ୍ତାହ ବ୍ୟାପି ଏହି ଉତ୍ସବରେ ଭାଗନେଉଥିବା ବ୍ୟକ୍ତିମାନେ ତରଭୁଜ ଫୋପାଡ଼ା ଫୋପଡ଼ି ହେବା ସହ ତରଭୁଜ ଶସ୍ ଉପରେ ଦଳିକୁଦି ନାଚି, ଗାଡ଼ି ଚଲାଇ ଆନନ୍ଦ ଉପଭୋଗ କରିଥାନ୍ତି ।

ହାରୋୱାଇନ ଉତ୍ସବ – ପ୍ରତିବର୍ଷ ଜୁନ୍ ୨୯ ତାରିଖରେ ସ୍ପେନ୍‌ର ହାରୋ ସହରରେ ଏହା ପାଳନ କରାଯାଏ ଏବଂ ଏଥିରେ ଭାଗ ନେଉଥିବା ସହସ୍ରାଧିକ ଲୋକ ପରସ୍ପର ଉପରେ ମଦ (ୱାଇନ୍‌) ଢ଼ାଳି ସମ୍ପୂର୍ଣ୍ଣ ଭିଜିଯାଇ ଏହି ଉତ୍ସବ ପାଳନ କରନ୍ତି।

ସଙ୍ଗକରାନ୍ – ହୋଲ ଉତ୍ସବ ଭଳି ଥାଇଲାଣ୍ଡରେ ନୂଆ ବର୍ଷ ପାଳନ ପାଇଁ ଏପ୍ରିଲ ୧୩-୧୫ ତାରିଖ ମଧ୍ୟରେ ଏହ ଉତ୍ସବ ପାଳନ କରାଯାଏ। ଏଥିରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ଉପରେ ଥଣ୍ଡା ବରଫ ପାଣି ପିଚକାରୀ ଦ୍ୱାରା ମାରନ୍ତି । ଏହି ପାଣି ଦ୍ୱାରା ମଣିଷ ମନ ଓ ଶରୀରରୁ ପାପ ଧୋଇ ହୋଇଯାଏ ବୋଲି ବିଶ୍ୱାସ ଅଛି ।

କମଳା ଯୁଦ୍ଧ (ବ୍ୟାଟେଲ ଅଫ୍ ଅରେଂଜ) – ସ୍ପେନର ଟୋମାଟୋ ଫିଙ୍ଗାଭଳି ଇଟାଲୀର ଇଭେରା ସହରରେ ପ୍ରତିବର୍ଷ ଫେବୃୟାରୀ ୨୨ ତାରିଖ ଦିନ ଲୋକମାନେ ପରସ୍ପରକୁ କମଳା ଫୋପାଡ଼ି ଥାନ୍ତି। ୧୮୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରାୟ ୪୦୦ ଟନ୍ କମଳା ରସ୍ ଫୋପାଡ଼ା ଫୋପଡ଼ିରେ ଖର୍ଚ୍ଚ ହୋଇଥାଏ।

କାସକାମୋରା – ୧୪୯୦ ମସିହାରୁ ଆରମ୍ଭ ହୋଇଥିବା ସ୍ପେନ୍‌ର ଗୁଆଡ଼ିକ୍ସ ଏବଂ ବାଜା ସହରରେ ଅସଂଖ୍ୟ ଲୋକ ଏହି ଉତ୍ସବରେ ସେପ୍ଟେମ୍ବର ୬ – ୯ ତାରିଖ ମଧ୍ୟରେ ଭାଗ ନେଇଥାନ୍ତି। ଖ୍ରୀଷ୍ଟଧର୍ମର କୁମାରୀ ମେରୀଙ୍କ ପ୍ରତିମାକୁ ଚୋରିକରିବା ଏବଂ ଏହାକୁ ଚୋରି ନକରିବା ଭଳି ମିଛ ଦ୍ୱନ୍ଦରେ ଭାଗ ନେଇଥିବା ଲୋକମାନେ ଏହାକୁ ପ୍ରାଣଭରି ଉପଭୋଗ କରିଥାନ୍ତି।

ବ୍ୟସ୍ତ ବହୁଳ ଜୀବନରେ କିଛି ଆନନ୍ଦ ପାଇବା ପାଇଁ ଏହି ଭଳି ଉତ୍ସବରେ ଭାଗ ନେଇ କିଛି ଆନନ୍ଦ ଉପଭୋଗ କରିବା ଉଦ୍ଦେଶ୍ୟରେ ସୃଷ୍ଟି ଏହି ଉତ୍ସବ ସମସ୍ତଙ୍କୁ ଖୁସି ଦେଉ ଏହି କାମନା କରି ସମସ୍ତକୁ ହୋଲିର ଶୁଭକାମନା

  • Pro. Dr SATYENDRA PATNAIK // (English in Graduation, MA in Ancient Indian History, Culture & Archaeology. (Visva Bharati University) Santiniketan, Ph.D in History. Professor under Gauhati University. Now Rector in KIIT University. Authored several books on History, religion, Tourism, Social Anthropology.)
  • MOB: 94370 41465


Leave A Reply

Your email address will not be published.