ପରଲୋକରେ ହର ପ୍ରସାଦ ପରିଛା ପଟ୍ଟନାୟକ

0

ଭୁବନେଶ୍ୱର,//TATKAL ODISHA//

ବିଶିଷ୍ଟ କବି, ସାହିତ୍ୟିକ, ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଆଉ ଇହଜଗତରେ ନାହାନ୍ତି । ମୃତ୍ୟୁ ବେଳେକୁ ତାଙ୍କୁ ୬୮ ହୋଇଥିଲା ।


 ସ୍ୱର୍ଗତ ପଟ୍ଟନାୟକ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ଆଦୃତି ଅର୍ଜନ କରିଥିଲେ । ଏଥିସହ ‘ଏକା ଏକା ସନ୍ନ୍ୟାସୀ’, ‘ଅଥୟ ସୂର୍ଯ୍ୟ’, ‘ଜୀବନଜଂଘା’, ‘ଆୟୁଷ୍ମାନ ସମୟ’, ‘ସବୁ ଅନ୍ଧାର ଆଜି ରାତିରେ’ ଓ ‘ନଷ୍ଟ ହୋଇଯିବାର ମୋହ’ ପରି ଏକାଧିକ କବିତା ସଂକଳନର ସେ ରଚୟିତା ଥିଲେ । ଏହା ବ୍ୟତୀତ ଅନୁବାଦ, ଗବେଷଣା ଓ ସଂପାଦନାରେ ତାଙ୍କର ଦକ୍ଷତା ରହିଥିଲା । ସେ ଇଂରାଜୀ ଦୈନିକ ‘ସନ୍‌ଟାଇମସ୍‌’ ‘ପ୍ରୋବିଟାସ୍‌’ ଓ ‘ଭର୍ଟେକ୍ସ’ ସମେତ ‘ଆବର୍ତ୍ତ’ ଇତ୍ୟାଦି ପତ୍ରିକାର ସଂପାଦନା କରିଥିଲେ । ଗ୍ରୀକ୍ କବିତାର ଓଡ଼ିଆ ଅନୁବାଦ ସାଙ୍ଗକୁ ସେ ବିଶିଷ୍ଟ କବି ଓ ଗାଳ୍ପିକଙ୍କର ଗଳ୍ପ ଓ କବିତାର ଚମତ୍କାର ଅନୁବାଦ କରିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଭାବରେ ସେ ଦୁଇଥର ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ନେତୃତ୍ୱରେ ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଥିଲା । ଏହା ବ୍ୟତୀତ ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।


 ଡ. ପରିଚ୍ଛା ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଗଙ୍ଗାଧର ରଥ ଫାଉଣ୍ଡେସନ୍‌, ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ ସମାଜ ପରି ବିଶିଷ୍ଟ ଅନୁଷ୍ଠାନଗୁଡ଼ିକ ଦ୍ୱାରା ନିଜ ସାରସ୍ୱତ ସାଧନା ପାଇଁ ସମ୍ମାନିତ ହୋଇଥିଲେ ।

‘ସର୍ବସାଧାରଣ’ ସମ୍ବାଦପତ୍ରର ସଂପାଦକ ଭାବରେ ସେ ତାଙ୍କର ଦକ୍ଷତା ଓ ପ୍ରତିଭାର ପୂର୍ଣ୍ଣ ବିନିଯୋଗ କରିଥିଲେ ।

ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଣେ ବିଶିଷ୍ଟ ସ୍ରଷ୍ଟାଙ୍କୁ ହରାଇଲା ବୋଲଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.