କେମିତି ପାଳିବେ ‘ମକର ସଂକ୍ରାନ୍ତି’?

0
  • ଆଲେଖ୍ୟ : ଶ୍ରୀକାନ୍ତ ଦାଶ
  • ଦକ୍ଷିଣ ଭାରତରେ ‘ପୋଙ୍ଗଲ’,ଅନ୍ୟତ୍ର ଏହା ‘ଭୋଗୀ’ ଓ ଓଡ଼ିଶାରେ ‘ମକର’

TATKAL ODISHA//ଐତିହ୍ୟ ଖୋଜ//


ମକର ସଂକ୍ରାନ୍ତି ଏକ କୃଷିଭିତ୍ତିକ ସର୍ବ ଭାରତୀୟ ପର୍ବ |ଭରତର ମଧ୍ୟପ୍ରଦେଶ, କର୍ଣ୍ଣାଟକ, ବଙ୍ଗଳା, ଆସାମ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଆଦି ରାଜ୍ୟରେ କୃଷକ ମାନେ ଏହାକୁ ମହା ଆଡମ୍ବରରେ ପାଳନ କରନ୍ତି |ରୋମାନ ଓ ଇହୁଦୀମାନେ ମଧ୍ୟ ଏହାକୁ ପାଳନ କରନ୍ତି |

ଏହା ଅଞ୍ଚଳ ଭିତ୍ତିରେ କେଉଁଠି ଦୁଇ ଦିନ ତ କେଉଁଠି ତିନି ଦିନ ପାଳିତ ହୁଏ | ଦକ୍ଷିଣ ଭାରତରେ ଏହା ‘ପୋଙ୍ଗଲ’ନାମରେ ତିନିଦିନ ପାଳିତ ହୁଏ ଓ ଏହି ଦିନରୁ ସେଠାରେ ନୂଆ ବର୍ଷ ଆରମ୍ଭ ହୁଏ | ଅନ୍ୟତ୍ର ଏହା ‘ଭୋଗୀ’ ନାମରେ ପାଳିତ ହୁଏ |

ମକର: ମିଳନର ପର୍ବ


ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁରାଶିରୁ ମକର ରାଶିରେ ପ୍ରବେଶ କରନ୍ତି | ସୌର ଗଣନା ଅନୁଯାୟୀ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ଭାବେ ଗ୍ରହଣ କରାଯାଏ | ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନର ଦିନ | ଏହି ଦିନରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ | ବିଶ୍ୱାସ ରହିଛି ଯେ ସୂର୍ଯ୍ୟ ଏହି ଦିନରୁ ଉତ୍ତରାୟଣ ଗତିକରି ଛଅ ମାସ ଅବସ୍ଥାନ କରନ୍ତି |ଏହି ସମୟ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟପାଇଁ ଅନୁକୂଳ ମନେକରାଯାଏ |

ବିବାହ, ବ୍ରତ, ଯଜ୍ଞଅନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ଏହି ସମୟରେ ଅନୁଷ୍ଠିତ ହୁଏ | ଏହି ସମୟରେ ଅଭୀଷ୍ଟପୂରଣ ପାଇଁ ସୂର୍ଯ୍ୟଙ୍କ ଉପାସନା କରାଯାଏ | ଅନେକ ମଧ୍ୟ ସୂର୍ଯ୍ୟ ଓ ଶିବଙ୍କ ପୂଜାର୍ଚ୍ଚନା କରିଥାନ୍ତି |


ସ୍କନ୍ଦପୁରାଣ କହନ୍ତି ‘ଏହି ପବିତ୍ର ମକର ସଂକ୍ରାନ୍ତିରେ ତୀର୍ଥରାଜ ଶ୍ରୀକ୍ଷେତ୍ର ମହୋଦଧିରେ ସ୍ନାନ କରି କଳ୍ପବଟ ପ୍ରଦକ୍ଷିଣ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନକଲେ ଅଶେଷ ଫଳ ପ୍ରାପ୍ତ ହୁଏ’|


ଆହୁରି ମଧ୍ୟ ବିଷ୍ଣୁ ଖଣ୍ଡରେ ‘ଉଲ୍ଲେଖ ଅଛି ‘ମହର୍ଷି କଶ୍ୟପ ପୂର୍ବ କଳ୍ପରେ (ବ୍ରହ୍ମାଙ୍କର ଏକ ଦିନ, ମନୁଷ୍ୟଙ୍କର 432 କୋଟି ବର୍ଷ )ଶ୍ରୀମନ୍ଦିରରେ ଏହି ମହୋତ୍ସବପାଳନକରିଥିଲେ |


ଏହି ତିଥିରେ ଶ୍ରୀମନ୍ଦିରରେ ଘଣ୍ଟ, ଛତା, କାହାଳିର ମହାର୍ଘ ପଟୁଆରରେ ଭକ୍ତଗଣ ଶ୍ରୀମନ୍ଦିର ପ୍ରଦକ୍ଷିଣ କରି ଶ୍ରୀଜିଉଙ୍କ ଅମୃତୋପମ ମକରଚାଉଳ (ମକରାନ୍ନ କୈବଲ୍ୟ ) ସେବନ କରିଥାନ୍ତି |ହିନ୍ଦୁଧର୍ମ ବିଶ୍ୱାସ ଅନୁଯାୟୀ ଏହି ଦିନ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ |
କୁଡୁମି ଆଦିବାସୀ ସମାଜ ଏହାକୁ ‘ଟୁସୁ ‘ପର୍ବଭାବେ ପାଳନ କରନ୍ତି | ନାଚ, ଗୀତର ମାଦକତାରେ ଆଦିବାସୀ ଜନଜୀବନ ଭରିଯାଏ |


ଏହା ଭାଇଚାରାର ପ୍ରତୀକ |ଗୁଡ଼ି ଉଡେଇବା ପରମ୍ପରା ଏହି ପର୍ବର ଅନ୍ୟଏକ ଆକର୍ଷଣ | ବିଭିନ୍ନ ଦେବ, ଦେଵି ପୀଠରେ ଏହିଦିନ ସ୍ୱତନ୍ତ୍ର ପୂଜାଵିଧି କରାଯାଇ ମକର ଚାଉଳ ଭୋଗ ଲାଗି କରାଯାଏ |


ମକର ଚାଉଳ ନୂଆ ଅରୁଆ ଚାଉଳ, ଆଖୁ, ଛେନା, ନଡ଼ିଆ, ନୂଆଗୁଡ଼, କଦଳୀ, କ୍ଷୀର ଓ ଘିଅରେ ପ୍ରସ୍ତୁତ ହୁଏ ଓ ଦେବ ଦେବୀଙ୍କୁ ଲାଗି କରାଯାଏ |
ଏହି ପର୍ବ ସମାଜରେ ସ୍ନେହ, ପ୍ରୀତି, ଭାଇଚାରା ବୃଦ୍ଧିରେ ସହାୟକ ହୁଏ |
ଏଭଳି ଏକ ସାମାଜିକ ଗଣପର୍ବରେ ସମସ୍ତଙ୍କୁ ଓଡ଼ିଆ ଜାତୀୟ ସମ୍ମିଳନୀର ଶୁଭେଚ୍ଛା ଓ ଅଭିନନ୍ଦନ |

  • ଶ୍ରୀକାନ୍ତ ଦାଶ,
  • କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ -9238304919

Leave A Reply

Your email address will not be published.