ପ୍ରସନ୍ନ କୁମାର ହୋତାଙ୍କ କଥା ଓ କାହାଣୀ-2: ‘ନବମ ଶ୍ରେଣୀ’

0
  • TATKAL ODISHA//ନିଚ୍ଛକ କଥା //
  • ପ୍ରସନ୍ନ କୁମାର ହୋତା
ନବମଶ୍ରେଣୀ, ବେମାର ପାଇଁ ପୁଣି ସ୍କୁଲ ବନ୍ଦ। ଦିନେ ଦ୍ୱିପ୍ରହରରେ ବସି ପୁରୁଣା ବହିସବୁ ଆଉଥରେ ଓଲଟାଉଛି -ଏହି ସମୟରେ ବଡ଼ ଭଉଣୀଙ୍କ ସ୍ୱର ଶୁଣାଗଲା- ‘ପ୍ରସନ୍ନ ଦୌଡ଼ି ଆ।’

 ଏକା କୁଦାରେ ଅଗଣା ଟପି ଯାଇ ପହଞ୍ଚିଗଲି ଭଣ୍ଡାର ଘରରେ। ଶୀତଦିନ ବୋଲି ମା ଓ ବଡ଼ ଭଉଣୀ ମିଶି ବାକ୍ସବନ୍ଦ ଜିନିଷକୁ ଖରାରେ ଶୁଖାଇବାକୁ କାଢ଼ୁଥାନ୍ତି। ମୋ ନାନୀ ଦେଖାଇଲେ ତିନି କାର୍ଟନ ଇଂରେଜୀ ଗପବହି -World’s Greatest Stories ନଅ ଗୋଟି ସୁଦୃଶ୍ୟ ବହି।. କ୍ରୋମ ଲେଦର୍ ବନ୍ଧେଇ; ସେପରି ବହି ଆଜିକାଲିର Use & Throw ଯୁଗରେ ଦେଖିବା ବିରଳ। ମତେ କିଙ୍ଗ୍ ସଲୋମନ୍‌ସ ମାଇନ୍‌ସ ମିଳିଗଲା ପରି ଲାଗିଲା। ବାପା ବହି କିଣି ରଖି ଭୁଲି ଯାଇଛନ୍ତି। କାର୍ଟନ ଖୋଲା ହୋଇନଥିଲା। ମୁଁ ସେସବୁ ଗପ ପଢ଼ିଗଲି- ଚଳନ୍ତି ଭାଷାରେ କହିଲେ ‘ଚରିଗଲି’।

କେତେ କଠିନ ଶବ୍ଦ ବୁଝି ପାରୁନଥାଏ, ତେବେ ମୋଟାମୋଟି ଗପଟି ଧରି ପାରୁଥାଏ। ଡିକସିନାରୀ ଦେଖି, ଭାଇନା ଓ ବାପାଙ୍କୁ ପଚାରି ମୁଁ ଆଗେଇ ଚାଲିଲି। ଦଶମ ଶ୍ରେଣୀ ଆରମ୍ଭ ହେବାରୁ ପୁଣି ସ୍କୁଲରେ ହାଜର୍। ଏଥର ସମସ୍ତେ କହିଲେ, ‘ନା, ଏଥର ହେବନାହିଁ। ଦଶମ ଶ୍ରେଣୀ ବଡ଼ କ୍ଲାସ, ପରେ ପରେ ମାଟ୍ରିକ୍।’ ଏଥର ହେଡ୍ ମାଷ୍ଟର ମାନନୀୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର (‘ବାହୁଡ଼ା ବିଜେ’ ଅପୂର୍ବ କବିତାର ରଚୟିତା) କହିଲେ,‘ତଥାପି ତାର ଗୋଟେ ପରୀକ୍ଷା କରାଅ। ପିଲାଟା ଅଷ୍ଟମ ଶ୍ରେଣୀରେ ଫାଷ୍ଟ ହୋଇଥିଲା, ଗୋଟେ ସୁଯୋଗ ଦିଆଯାଉ।’ ଅଙ୍କରେ ନବେ ! ଇଂରେଜୀ ଖାତାରେ ଲେଖା ଦେଖି ସାର୍ ମାନେ ଅବାକ୍; ଖାତା ଧରି ଏକାଦଶ ଶ୍ରେଣୀରେ ଯାଇ ପଢିଲେ -‘ଇଂରେଜୀ କେମିତି ଲେଖାହୁଏ ଶିଖ !’

ସଂକ୍ଷେପରେ, ଏ ଝଡ଼ଝଞ୍ଜାପୂର୍ଣ୍ଣ ଜୀବନରେ ବହି କେବଳ ମୋର ସ୍ୱପ୍ନ ନୁହେଁ; ଲଙ୍ଗର ମଧ୍ୟ। ଏପରି ବଦଭ୍ୟାସ ଯେ କିଛି ଲୋକ ସିଗାରେଟ୍ ଆଦି ନଖାଇଲେ ସକାଳୁ ବାଥରୁମ୍ ଯାଇପାରନ୍ତି ନାହିଁ- ମୁଁ ଅନ୍ତତଃ ଯୋଡ଼େ ଗପ ନପଢ଼ିଲେ ନିତ୍ୟକର୍ମ ସମାପନ ହୁଏ ନାହିଁ।

ଏବେ ଏକ ବିଚିତ୍ର ଘଟଣା ବଖାଣି ଆଜିର ଯୁବାପିଢ଼ିଙ୍କୁ ଜଣାଇବି ଆମେମାନେ କେତେ କମରେ ଚଳୁଥିଲୁ। ବିଶ୍ୱସ୍ତରର ପାଠ, ବହି, ଦ୍ରବ୍ୟରୁ ବିଚ୍ୟୁତ ହୋଇ ଚଳୁଥିଲୁ। କିନ୍ତୁ ମନରେ କେବେ ହୀନମନ୍ୟତା ନଥିଲା। କନିକା ଲାଇବ୍ରେରୀର ରାସ୍ତା ସୂର୍ଯ୍ୟଘଡ଼ି ଆମପାଇଁ ବିଶ୍ୱର କେନ୍ଦ୍ରସ୍ଥଳ ଥିଲା।

ଲାଇବ୍ରେରୀ ଥିଲା ଆମ ମନ୍ଦିର। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚି ପ୍ରଥମଥର ବହିର ପ୍ରାଚୁର୍ଯ୍ୟ ଦେଖିଲୁ। କାରଣ କନିକା ଲାଇବ୍ରେରୀରେ ବହି କେତେଜଣ ଛାତ୍ର ପ୍ରଫେସରଙ୍କୁ ଧରି ବର୍ଷ ଆରମ୍ଭରୁ ନେଇ ଯାଆନ୍ତି ଯେ ସୀମିତ କପି ଯୋଗୁ ଆମକୁ ବର୍ଷ ସାରା ସେ ଲେଖକଙ୍କ ବହି ମିଳେ ନାହିଁ। ଦିଲ୍ଲୀରେ ପ୍ରତି କଲେଜରେ ବଡ଼ ଲାଇବ୍ରେରୀ, ବିଶ୍ୱବିଦ୍ୟାଳୟରେ ପ୍ରଚୁର ବହି। ତାଛଡ଼ା ସାପ୍ରୁ ହାଉସ, ଆଇ.ଆଇ.ପି.ଏ. ଆଦି ଅନୁଷ୍ଠାନରେ ମଧ୍ୟ ପ୍ରାଚୁର୍ଯ୍ୟ। ଏତେ କଥା ସତ୍ତ୍ୱେ ନିମ୍ନୋକ୍ତ ଘଟଣାଟି ସଂପୂର୍ଣ୍ଣ ସତ୍ୟ ଓ ବିଚିତ୍ର।

ବନ୍ଧୁ ଲାବଣ୍ୟେନ୍ଦୁ ମାନସିଂହ ଦୁଃଖ ଦେଇ ହଠାତ୍ ଆରବର୍ଷ ଚାଲିଗଲେ। ସେ କଲେଜ୍ ବେଳେ ଆମେରିକାନ ବହି ପଢ଼ିବାରେ ଓସ୍ତାଦ। ଟାଇମ୍ ମାଗାଜିନ୍ ଆଦି ତାଙ୍କ ରୁମରେ ଗଦା ହୋଇ ଥାଏ। 
  
ଯୁବକ ଅବସ୍ଥାରେ ଅବା ପୁରୁଷମାନଙ୍କର ବିଶେଷତଃ ଏଇ ଦୁର୍ଗୁଣ -ଭଲ ବହି ସଙ୍ଗେ ସଙ୍ଗେ କିଛି ଉତ୍ତେଜକ ବହି ମଧ୍ୟ ପଢ଼ା ଚାଲିଥାଏ। ବାବୁଲା ମାନସିଂହ, ବିଶେଷତଃ କବିବର ମାନସିଂହଙ୍କ ପୁଅ ହୋଇଥିବାରୁ ଆମ ଭିତରୁ ଆଉ କେହି କବିତା ଆଦି ଲେଖି ପଢ଼ିଲେ ସେ ହାଇ ମାରନ୍ତି, ବା ଉଠି ପଳାନ୍ତି - କୁହନ୍ତି, ‘ଯେତେକ pseudo intellectual ସବୁ pose ମାରୁଛନ୍ତି।’ ଆମେ କେତେଜଣ Encounter ପତ୍ରିକା ପଢି ଆଲବର୍ଟ କାମୁ, ହେନରୀ ମିଲର ଆଦିଙ୍କ ଚର୍ଚ୍ଚା କରିବାରୁ ସେ ବିରକ୍ତ ହୁଅନ୍ତି, କୁହନ୍ତି ‘ଯଦି କଫି ପିଏଇବାକୁ ନେବ ତେବେ ଶୁଣିବି, ନହେଲେ ଚାଲିଲି।’

ଦିନେ ହଠାତ୍ ସେ ଆସି ହସିହସି ଗଡ଼ିଗଲେ, କହିଲେ, 'ଶ.., ଗୋଟାଏ ପାଲା ଲାଗାଇଚ; କଣ ନା ହେନରୀ ମିଲର ବିରାଟ ଲେଖକ - intellectual! ଏ ବହି  ମୋର ଆତ୍ମୀୟଙ୍କ ଡ୍ରଇଂ ରୁମ ବୁକ ସେଲଫରେ ରଖାହୋଇଥିଲା, ଆଣିଛି -ପଢ଼ି ଦେଖ, ସୁପରକ୍ଲାସ 'ପଣ୍ଡି'- (ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇରୋଟିକ୍ ବହି ଆଦି ପାଇଁ ତତ୍କାଳୀନ ସଂକ୍ଷେପ ନାମ)।' ଆମେ ଗମ୍ଭୀର ମୁଦ୍ରାରେ ନିଜର ଉତ୍ସୁକତାକୁ ଘୋଡ଼ାଇ ସେ ବହିଟି ନେଇ ପଢ଼ିଲୁ। ସବୁ ଛାତ୍ର ବନ୍ଧୁମାନେ  ପଢି ହସି ଅସ୍ଥିର।

ତେବେ ପ୍ରଘଟ ନକରି ନଜାଣିବା ପରି ଜଣେ ତରୁଣ ଇଂରାଜୀ ଅଧ୍ୟାପକଙ୍କୁ ସେ ବହିଟି ଦିଆଗଲା ତାହାର ସାହିତ୍ୟିକ ମୂଲ୍ୟାଙ୍କନ କରି ଆମମାନଙ୍କ ଜ୍ଞାନବର୍ଦ୍ଧନ କରିବା ପାଇଁ। ସେ ମଧ୍ୟ ସେ ବହିଟିକୁ ନେଇ ଏକାନ୍ତରେ ଏକାଗ୍ରତାର ସହିତ ପଢ଼ି ଦିଦିନ ପରେ କହିଲେ- “ହେନେରୀ ମିଲର୍, superb ଚମତ୍କାର। କେତେ ସୁନ୍ଦର ଇଂରେଜୀ। ଜୀବନସ୍ରୋତକୁ ସ୍ୱାଗତ କରି ଏ ଅପୂର୍ବ ରଚନା। ତେବେ ଲେଖାଶୈଳୀ ଟିକେ ବେଶି ଗ୍ରାଫିକ୍ (ବିଶଦଭାବେ ବର୍ଣ୍ଣନା) ହୋଇଛି, ତେଣୁ ସାଧାରଣ ପାଠକ ବିଚଳିତ ହୋଇ ପାରନ୍ତି।” ସେ ମେହଫିଲରୁ ଗଲାପରେ ଆମେ ବଦମାସ ଦଳ ହସିହସି ନୟାନ୍ତ। ଲାବଣ୍ୟେନ୍ଦୁ ଯଥା ସମୟରେ ବହିଟି ଫେରସ୍ତ ନେଇ ଆତ୍ମୀୟଙ୍କ ଡ୍ରଇଂରୁମରେ ବହି ମଧ୍ୟରେ ଯେପରି ସଜା ହୋଇଥିଲା, ସେପରି ରଖିଦେଲେ। ଅନେକ ଦିନ ପାଇଁ ଆମ ଭିତରୁ ଆଶାୟୀ କବି ଓ ଲେଖକମାନେ  ଲାବଣ୍ୟେନ୍ଦୁଙ୍କ ସାମନାରେ ଚୁପ୍ ରହିବା ଶ୍ରେୟସ୍କର ମଣିଲେ।

କେତେ ବର୍ଷ ବିତିଗଲା। ମୁଁ ଆଇ.ଏ.ଏସ୍. ଚାକିରି ଆରମ୍ଭ କଲି-ପ୍ରାରମ୍ଭିକ ପୋଷ୍ଟିଂ ବ୍ରହ୍ମପୁରରେ। ସେଠାର ପାଣିପବନ ମୋ ଦେହରେ ଆଦୌ ଚଳିଲା ନାହିଁ। ମୁଁ ଦଶକିଲୋ ଝଡ଼ିଗଲି, ତା'ସାଙ୍ଗେ ଅଣ୍ଟାବିନ୍ଧା ମଧ୍ୟ ଆରମ୍ଭ ହୋଇଗଲା। କିଛି ଡାକ୍ତର ବନ୍ଧୁ ପାଣିପବନ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ; ବର୍ଷେ ଦୁଇବର୍ଷ ଆମେରିକାରେ ରହିଲେ ପେଟ ପୁରା ଠିକ୍ ହୋଇଯିବ। ଦରଖାସ୍ତ ଦେଲି-ମା ସରସ୍ୱତୀଙ୍କ ଅଶେଷ କରୁଣା ଚାଲିଥାଏ -ଭାରତବର୍ଷରେ ବଛାବଛି  ପରୀକ୍ଷାରେ ପ୍ରଥମ ହୋଇ ଆମେରିକାରେ ପହଞ୍ଚିଲି। ଆରମ୍ଭରେ ହନଲୁଲୁ, ତାର କିଛି ମାସ ପରେ ନ୍ୟୁୟର୍କ।


 ନ୍ୟୁୟର୍କ ପ୍ରକାଣ୍ଡ ସହର। ପାରିବାରିକ ଦାୟିତ୍ୱ ହେତୁ କିଛି ସଂଧ୍ୟାରେ NYU (ବିଶ୍ୱବିଦ୍ୟାଳୟର) ସିଟି କ୍ୟାମ୍ପସରେ ଯାଇ ବୁଲିବାକୁ ପଡ଼ିଲା। ପାଖରେ ପଇସାର ଘୋର ଅଭାବ। ପରିବାରର ଦାୟିତ୍ବ। ତା ସଙ୍ଗେ ପଇସା ସଞ୍ଚି କିଛି ଭଲ ଜିନିଷ - ଯଥା stereo music system ଇତ୍ୟାଦି ଦେଶକୁ ଫେରିବା ସମୟରେ କିଣି ନେବାକୁ ଇଛା। ଅଳ୍ପରେ କହିଲେ- ସନ୍ଧ୍ୟା ତିନି ଘଣ୍ଟା ରାସ୍ତାରେ ଚାଲି ବିତାଇ ବାକୁ ପଡୁଥାଏ। ମୁଖ୍ୟ ରାସ୍ତା ପ୍ରଶସ୍ତ ଓ ଆଲୋକିତ; କୋଳାହଳ ପୂର୍ଣ୍ଣ,, ଚକ୍ ଚକ୍ କାର, ଦାମୀ ପୋଷକ ପିନ୍ଧା ସମର୍ଥ ନରନାରୀ ଭରା - ଧନୀ ନଗରର ପରିଚାୟକ। ବୁଲୁବୁଲୁ ଟିକେ ଭିତର ଗଳି ରାସ୍ତାକୁ ଯାଇ ଦେଖିଲି ହୃଦୟ ବିଦାରକ ଦୃଶ୍ୟ। ଗରିବ ବୁଢ଼ାବୁଢ଼ୀ ମଦ ନିଶାରେ ଚୂର୍ ହୋଇ ନାଳ କଡ଼ରେ ପଡ଼ିଥାନ୍ତି। ପ୍ରାଚୂର୍ଯ୍ୟ ଓ ବାସ୍ତବତାର ବିଚିତ୍ର ଅସାମଞ୍ଜସ୍ୟ।

ସେହି ଗଳି ରାସ୍ତାର ଗୋଟିଏ ଛୋଟ କ୍ରସିଂରେ କଣକୁ ଗୋଟିଏ ଦୋକାନ । ସେଥିରେ ଖବରକାଗଜ ମିଳେ। କିଛି ପତ୍ରିକା, ଚକୋଲେଟ୍ ଆଦି। ଦେଖିଲି ଦୋକାନ ପାଖାପାଖି ଗ୍ରାହକ ଶୂନ୍ୟ। ମୁଁ ପଶିଲେ କିଛି ବିଡମ୍ବନା ହେବ ନାହିଁ। ପଶି ପତ୍ରିକା ଆଦି ଓଲଟାଇଲି।

ଏଥି ପୂର୍ବରୁ ଏକ ବିସ୍ମୟକର ଘଟଣା ଜଣାଇବା କଥା । ବୟସ ହେଲାଣି ସ୍ମୃତିଭ୍ରମ ହୋଇନାହିଁ - କିନ୍ତୁ ସ୍ମୃତି ୟୋୟୋ ଖେଳ ଚକତି ପରି, କେତେବେଳେ ଆଗକୁ କେତେବେଳେ ପଛକୁ । ଆଗ-ପଛ ବିଚଳନ ଲେଖିବାରେ ଆସିଯାଉଛି।

ନ୍ୟୁୟର୍କର ପ୍ରସିଦ୍ଧ ଆଇଭି ଲିଗ୍ କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ମୁଁ ଛାତ୍ର। ସକାଳେ ଗୋଟିଏ କ୍ଲାସ, ଅପରାହ୍ନରେ ଆଉ ଗୋଟିଏ। ଘଣ୍ଟେ ସବ୍ ୱେ ଟ୍ରେନରେ ଆସିବାକୁ ପଡ଼େ। ସକାଳ କ୍ଲାସ ପରେ ଭୀଷଣ ଥଣ୍ଡାରେ ବୁଲିବାକୁ ସାହାସ ନାହିଁ, ତାହା ଛଡ଼ା ବିଶ୍ୱବିଦ୍ୟାଳୟର ପଢ଼ା ଅତ୍ୟଧିକ ଏବଂ ଲାଇବ୍ରେରୀ ଚମତ୍କାର -ବହିରେ ଭରା। ରାଜନୀତି ବିଜ୍ଞାନର ଛାତ୍ର ହିସାବରେ ଦେଖି ଚମତ୍କୃତ ହେଲି ଯେ ସେଠାରେ John Locke ଙ୍କ ସ୍ୱହସ୍ତ ଲିଖିତ ପାଣ୍ଡୁଲିପି ମଧ୍ୟ ଅଛି। ଘଣ୍ଟା ଘଣ୍ଟା ବସି ପଢ଼େ। ଦିନେ ଏହିପରି ପଢ଼ୁପଢ଼ୁ ଥକା ଲାଗିଲା।

 କିଛି ଅଲଗା ପଢ଼ିବାକୁ ମନ ହେଲା। କ୍ୟଟଲଗରେ ଆଖି  ବୁଲାଇ ଦେଖିଲି, ରିଜର୍ଭ ସେକ୍ସନରେ ହେନେରୀ ମିଲରଙ୍କ ସେହି ବିଦିତ ଉପନ୍ୟାସ ‘Tropic of Capricorn’ ଅଛି । ଭାବିଲି ଯୌବନ ପ୍ରଥମ ଅବସ୍ଥାର ଚାପଲ୍ୟରେ ବିଦିତ ଲେଖକଙ୍କ ମୂଲ୍ୟାଙ୍କନ ଠିକ୍ କରିପାରିନଥିଲି- ଆଉଥରେ ପଢ଼ି ଦେଖେ।

 ଲାଇବ୍ରେରୀୟାନ୍  ଆଣି ବହିଟି ବଢ଼ାଇଲେ, ଭିତରେ ବସି ପଢ଼ିବାକୁ ହେବ। ଏକ ମୋଟା ବନ୍ଧେଇ ବହି- ଉପରେ ଲେଖା ହୋଇଛି ‘Tropic of Capricorn’ ତଳେ Henry Miller. ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବାବୁଲା ମାନସିଂହ ଆଣିଥିବା ପତଳା ବହିପରି ଆଦୌ ଦେଖା ଯାଉନଥାଏ। ବସି ପଢ଼ିବା ଆରମ୍ଭ କଲି, ସକାଳ ଏଗାରଟାରୁ ପଢ଼ିଲି ଯେ ଭୋକଶୋଷ ଭୁଲି ଚାରିଟା ବାଜିଗଲା। ଦୁଇ ଦିନରେ ବହିଟି ସରିଲା। ଅପୂର୍ବ ସାହିତ୍ୟକୃତି -ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବାବୁଲା ମାନସିଂହ ଆଣିଥିବା ବହି ସଙ୍ଗେ କୌଣସି ସଂପର୍କ ନାହିଁ। କିଛି କିଛି ଜାଗାରେ ବର୍ଣ୍ଣନା ସ୍ରୋତରେ କିଛି ତଥାକଥିତ ନଗ୍ନ ବିବରଣୀ ଅଛି; କିନ୍ତୁ ତାହା ସାହିତ୍ୟସ୍ରୋତର ସ୍ୱାଭାବିକ ପରିପ୍ରକାଶ। ମୂଳ ସ୍ରୋତ ନୁହେଁ। ହେନେରୀ ମିଲର୍ ଅଦ୍ଭୁତ ଲେଖକ, ତାଙ୍କର ଲେଖାର କ୍ଷୋଭ- ସୃଷ୍ଟି ଓ ସୃଷ୍ଟିକର୍ତ୍ତାଙ୍କୁ ନେଇ; କାଳ ସମୟର ବାହାରେ ସେ ବିରାଟ ସାହିତ୍ୟକୃତି। ମୁଁ ଜାଣିପାରିଲି  ଯେହେତୁ ତାଙ୍କର ବହିର କିଛି ଅଂଶରେ ନଗ୍ନତା ଅଛି, ତତ୍କାଳୀନ ଆମେରିକାର ରକ୍ଷଣଶୀଳ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କ ବହିର ପ୍ରକାଶନ ଆମେରିକାରେ ନିଷିଦ୍ଧ କରି ଦେଇଥିଲେ।

ଏହି ଘଟଣା କୌତୁହଳ ଓ ପ୍ରଚାର ସୃଷ୍ଟି କରିଥିଲା। ତାହାର ସୁଯୋଗ ନେଇ କିଏ ସବୁ ‘ପଣ୍ଡି’ ବହି ଲେଖି ସେଥିରେ ହେନେରୀ ମିଲରଙ୍କ ନାମ ଯୋଡ଼ି ଦେଇଥିଲେ। ସେ ପ୍ରକାର ବହି ଭାରତକୁ ଆସି ଦିଲ୍ଲୀ ପରି ଉନ୍ନତ ନଗରୀରେ ଭଦ୍ରସମାଜରେ ଅରିଜିନାଲ୍ ହେନେରୀ ମିଲରଙ୍କ ଲେଖା ରୂପେ ପଢ଼ାଗଲା ଓ ଗମ୍ଭୀର ଚର୍ଚ୍ଚା ମଧ୍ୟ କରାଗଲା।

ଏବେ ସେ NYU ପାଖଗଳିର ଛୋଟ ଦୋକାନକୁ ଫେରିବା। ସେଠି କାଗଜ ପତ୍ରିକା ଦେଖୁଦେଖୁ ମୁଁ ଆରପଟରେ ରଖା ହୋଇଥିବା କିଛି ପତଳା ବହି ଦେଖିଲି। ବ୍ୟାସକବି ଫକିରମୋହନଙ୍କ ଚନ୍ଦ୍ରମଣିବାବୁଙ୍କ ଇଷ୍ଟାଇଲରେ ପାଖକୁ ନଜାଣିଲା ପରି ଲାଗିଗଲାରୁ ଜାଣିପାରିଲି ଯେ ‘ଆରେ ଏ ତ ସେହି ଭଦରଖିଆ ଟୋକା’। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦେଖିଥିବା ‘Tropic of Capricorn’ ଏବଂ ସେହିପରି ଅନ୍ୟ କିଛି ବହି!

ହର୍ଷ, ଉଲ୍ଲାସ ଓ ବିଷାଦ ଏକାଠି ଅନୁଭବ କଲି -‘କେତେ କମରେ ଆମେ ଚଳୁଥିଲୁ’ ଏବଂ କେତେ ପ୍ରକାରର ଲେଖା ଓ ପଢ଼ା … କିନ୍ତୁ ସେଥିରେ ପଢ଼ିଥିବା ଉଦୟନାଥ ଷଢ଼ଙ୍ଗୀଙ୍କ ଅପୂର୍ବ ‘ଟମକକାଙ୍କ କୁଟୀର’, ‘ମରଣ ଦୁଆରେ’ -ପ୍ରଫୁଲ୍ଲ ଦାସଙ୍କ ଅନୁଦିତ ନୋବେଲ ପୁରସ୍କାରପ୍ରାପ୍ତ ଉପନ୍ୟାସ ସବୁ। ପ୍ରେମଚାନ୍ଦ ଓ ରବୀନ୍ଦ୍ରନାଥଙ୍କ ସବୁଲେଖାର ଓଡ଼ିଆ ସଂସ୍କରଣ। କେତେ କଣ୍ଡୁରୀଚରଣ ଦାସ ଓ ଯୋଗେନ୍ଦ୍ର ମହାନ୍ତିଙ୍କ ଲେଖା ଡିଟେକଚିଭ୍ ଉପନ୍ୟାସ।

ଯୁବ ତଥା କିଶୋର ବନ୍ଧୁଙ୍କୁ ଅନୁରୋଧ - ପଢନ୍ତୁ, ଫୋନ୍ ବା ଟିଭି ବା କମ୍ପ୍ୟୁଟର କେବଳ ନୁହେଁ - ବହି, ବହି ଓ ବହି। କୌଣସି ପଢା ବୃଥା ଯାଏ ନାହିଁ। ଗୋଟିଏ ଉଦାହରଣ: ମୋ ଆଇଏଏସ ଚାକିରୀ ଶେଷ ବେଳକୁ ୨୦୦୬ ସେପ୍ଟେମ୍ବର ମାସରେ ନରୱେ ପ୍ରଧାନ ମନ୍ତ୍ରୀ ମତେ ଡକାଇ ପଠାଇଲେ। ପହଞ୍ଚି ସମ୍ୟକ୍ ଆଲୋଚନା ଆରମ୍ଭ। ମେକ୍ସିକୋ ସ୍ୱାସ୍ଥ୍ୟମନ୍ତ୍ରୀ (ତାଙ୍କ ପରିଚୟ ପରେ ଜାଣିଲି, ଏଵଂ ଜାଣିଲି ଯେ ସେ WHO ର ଛ ବର୍ଷ ଧରି ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଥିଲେ) ଏକ୍ସପର୍ଟ ହିସାବରେ ମତେ ଦେଢ଼ ଦିନ ଜେରା କଲେ। ଶେଷରେ ଆମେ ପ୍ରଧାନ ମନ୍ତ୍ରୀଙ୍କୁ ବନ୍ଦ କକ୍ଷରେ ଭେଟିଲୁ। ଏକ୍ସପର୍ଟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅନ୍ୟ ସବୁ ନରୱେ ଅଫିସର୍ ବିଶଦ ବିବରଣୀ ଦେଇ କେତେ ତଥ୍ୟ, ପରିସଂଖ୍ୟାନ ଆଦି କହି ଚାଲିଲେ।

ମୁଁ ଲକ୍ଷ୍ୟ କଲି, ପ୍ରଧାନ ମନ୍ତ୍ରୀ ଶୁଣିଶୁଣି ଥକି ଗଲେଣି। ଶେଷରେ ସେ ମତେ ପଚାରିଲେ, ' ଆପଣ କାହିଁକି ଆମଠାରୁ ପଇସା ନେଇ କଣ କରିବେ? ମୁଁ କହିଲି, 'ମାନ୍ୟବର, ଭାରତର ସ୍ବାସ୍ଥ୍ୟ ବଜେଟ୍  ବର୍ଷକୁ ବାର ହଜାର କୋଟି ଟଙ୍କା (ସେତେବେଳେ), ଆପଣ  ଆମ ଦେଶ ପିଲାଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ କିଛି ଭଲ କାମ ଚାହୁଁଛନ୍ତି । ଆପଣଙ୍କ ଟଙ୍କା ଯେତେ ଦରକାର୍ ନୁହେଁ, ତା' ଠାରୁ ଅଧିକ ଆବଶ୍ୟକ  ନୂତନ ପ୍ରକାରେ କାମ କରିବାକୁ ନିଷ୍ଠା । ନରୱେ ପିଲାଙ୍କ ସ୍ନେହ ଭାରତ ପିଲାଙ୍କ ପାଖରେ ପହଞ୍ଚିବା ସବୁଠାରୁ ବେଶୀ ଲୋଡା । ମୁଁ ମୋ ପିଲାଦିନେ ନରୱେ ଲୋକକଥାରେ ପଢିଥିଲି ଗୋଟିଏ ପ୍ରତ୍ୟୁତ୍ପନ୍ନମତି ଚତୁର ବାଳକ ଗାଥା ଯେ କି ସବୁ ସମସ୍ୟା ଅଚିରେ ସମାଧାନ କରିପାରୁଥିଲା। ମାନ୍ୟବର, ଆପଣ ତା' ନାମ ଯଦି କେହି ମନେ ରଖିଛନ୍ତି, ତେବେ ସେ ଏହି ନରୱେ-ଭାରତ ଶିଶୁ ସ୍ୱାସ୍ଥ୍ୟ ବିଶେଷ ପ୍ରୋଗ୍ରାମର 'ବ୍ରାଣ୍ଡ ମାସ୍କଟ' ହେଲେ ପ୍ରକଳ୍ପ ନିଶ୍ଚୟ ସଫଳ ହେବ।' ସେ ଏ ଉତ୍ତର ଶୁଣି ସଙ୍ଗେ ସଙ୍ଗେ କହିଲେ,  'ମୁଁ ଏହି ମୁହୂର୍ତ୍ତରେ ଘୋଷଣା କରୁଛି ଯେ ମି. ହୋତାଙ୍କୁ ନରୱେ ସରକାର ଶହେ ମିଲିୟନ ଡଲାର ସହ ସବୁ ପ୍ରକାରରେ ସମର୍ଥନ କରିବେ।' ସପ୍ତମ ଶ୍ରେଣୀରେ ପଢା ଲୋକକଥା କାମ ଦେଲା !

୧୯୭୩ରେ ପଢ଼ିଲି ମାର୍କୱେଜଙ୍କ ବିଦିତ ‘One Hundred Years Of Solitude’.  ହନଲୁଲୁରେ ପହଞ୍ଚି ପ୍ରଥମ ଦିନରେ ସବୁ କାମ ଛାଡି ବହିଟି ସାରିଲି। ନୂଆ ସୁନ୍ଦର ଜାଗା; ଭୂସ୍ୱର୍ଗ। ପରିବାରଠାରୁ ତିରସ୍କୃତ ହେଲି ଯେ ତାଙ୍କୁ ବୁଲାଇବାକୁ ନନେଇ ବହି ପଢ଼ୁଛି -‘ଯେପରି ବହି କୁଆଡ଼େ ପଳାଇ ଯାଉଛି।’ ମୁଁ ଉତ୍ସାହରେ କହିଲି,‘ଏହିପରି ଆଉ ଗୋଟିଏ ବହି ସେ ଲେଖିଲେ ନିଶ୍ଚୟ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ।’ ପରିବାରର ବ୍ୟଙ୍ଗ, ‘ହଁ, ତୁମକୁ ନୋବେଲ କମିଟିରେ ମେମ୍ୱର କରାଯିବ।’ କିପରି କାହାକୁ ବୁଝାଇବି -ବହି ଅସୁମାରି ….ଜୀବନ ସୁମାରି। ଯିବା ଘଣ୍ଟି ବାଜିବା ସମ୍ଭବ; ଦୁଃଖ ଯେ ଏପର୍ଯ୍ୟନ୍ତ ଅନେକ ଭଲବହି ଅପଢ଼ା ରହିଯାଇଛି।
                —--
  • ପ୍ରସନ୍ନ କୁମାର ହୋତା, EX IAS
  • ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ନୂଆଦିଲ୍ଲୀ

Leave A Reply

Your email address will not be published.