ଚୂଡ଼ାନ୍ତ ଭୋଟର୍ ତାଲିକାରୁ ୩.୪୪ ଲକ୍ଷ ବାଦ୍

0

  • ସଂଶୋଧିତ ତାଲିକା ନାମରେ ତ୍ରୁଟି ଥିଲେ ପୂର୍ବଭଳି ଅନଲାଇନ୍‌, ଅଫ୍‌ଲାଇନ୍‌ରେ ଆବେଦନ କରନ୍ତୁ: ଲୋହାନୀ
  • ରାଜନୈତିକ ଦଳଙ୍କୁ ବିନା ମୂଲ୍ୟରେ ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବ

ଭୁବନେଶ୍ୱର,//TATKAL ODISHA//

ସଂଶୋଧିତ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି । ଭୋଟର୍ ତାଲିକାରୁ ମୋଟ୍ ୩.୪୪ ଲକ୍ଷଙ୍କୁ ବାଦ୍ ଦିଆଯାଇଛି । ତେବେ ୩,୮୨,୬୦୧ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ୍ କୁମାର ଲୋହାନୀ ।

ମୋଟ୍ ଭୋଟର ସଂଖ୍ୟା -୩.୨୯ କୋଟି

  • ପୁରୁଷ ଭୋଟର-୧,୬୭,୯୬,୬୦୩
  • ମହିଳା ଭୋଟର- ୧,୬୧,୮୩,୮୩୫
  • ତୃତୀୟ ଲିଙ୍ଗ ଭୋଟର୍ -୩୦୨୫


 ସିଇଓ ଶ୍ରୀ ଲୋହାନୀ କହଇଛନ୍ତି ଯେ, ଚୂଡ଼ାନ୍ତ ତାଲିକାରେ ମୋଟ୍ ଭୋଟରଙ୍କ ସଂଖ୍ୟା ୩,୨୯,୮୩,୬୪୩ ଥିଲେ ହେଁ ଏଥିରେ ୧,୬୭,୯୬,୬୦୩ ପୁରୁଷ ଭୋଟର ଓ ୧,୬୧,୮୩,୮୩୫ ମହିଳା ଭୋଟ୍‌ର ଏବଂ ୩୦୨୫ ତୃତୀୟ ଲିଙ୍ଗ ଭୋଟର୍ ଅଛନ୍ତି । ଚିଠା ଭୋଟର୍ ତାଲିକାରେ ୯୯.୧୪% ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଥିଲାବେଳେ ଚୂଡ଼ାନ୍ତରେ ତାହା ବୃଦ୍ଧି ପାଇ ୯୯.୭୭% ହୋଇଛି । ସେହିପରି ଭୋଟର୍ ତାଲିକାରେ ଫଟୋ ଥିବା ଭୋଟର୍‌ଙ୍କ ସଂଖ୍ୟା ବି ବୃଦ୍ଧି ପାଇ ୯୯.୭୪% ହୋଇଛି । ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ୩,୪୪,୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ବୁଧବାର ଠାରୁ ଉପଲବ୍ଧ ହୋଇପାରିବ ।

ସମସ୍ତ ଭୋଟର୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ରେ ତନଖି କରି ପାରିବେ । ଏହା ବ୍ୟତୀତ ଚଳିତ ଚୂଡ଼ାନ୍ତ ଭୋଟର୍ ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ,ତାହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ ‘ଏକକ ମୋବାଇଲ୍‌’ ମାଧ୍ୟମରେ ବି ନିଜର ନାମ ସଂଶୋଧନ ପାଇଁ ଆବେଦନ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ ।


 ସିଇଓ କହିଛନ୍ତି ଯେ,୨୦୨୧ରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪,୧୦,୦୭୬ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ୫,୨୩,୭୪୪ ହୋଇଛି । ୨୦୨୧ରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର୍ ଅନୁପାତ ୯୫୮ ଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି । ସେହିପରି ୨୦୨୧ରେ ଚୂଡ଼ାନ୍ତ ଭୋଟର ତାଲିକାରେ ୩,୩୮,୪୫୮ ଭୋଟରଙ୍କ ଫଟୋ ତାଲିକାରେ ନଥିବାବେଳେ ତାହା ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି । ଭୋଟର ତାଲିକା ପ୍ରସ୍ତୁତିର ଶୁଦ୍ଧିକରଣରେ ଆଶାନୁରୂପ ଗୁଣାତ୍ମକ ଅଭିବୃଦ୍ଧି ଘଟିଛି ।

୨୦୨୧ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ମାତ୍ର ୭% ଭୋଟର ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବା ବେଳେ ବ୍ୟାପକ ପ୍ରଚାର ପ୍ରସାର ଓ ସମସ୍ତ ହିତାଧିକାରୀଙ୍କ ଅଂଶ ଗ୍ରହଣ ଯୋଗୁଁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ୬୪%ରୁ ଅଧିକ ଭୋଟର ଆବେଦନ କରିଛନ୍ତି । ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ ସଂପୂର୍ଣ୍ଣ ମାଗଣାରେ ସ୍ପୀଡ୍ ପୋଷ୍ଟ୍ ମାଧ୍ୟମରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ, ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳଙ୍କୁ ବିନା ମୂଲ୍ୟରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।


 ଉଲ୍ଲେଖନୀୟ ଯେ, ରାଜ୍ୟରେ ୨୦୨୨ ପାଇଁ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ରେ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଥିଲା । ଭୋଟରଙ୍କର ଦାବି ଆପତ୍ତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮,୬୫,୫୭୦ ଗୋଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨,୦୨,୧୦୧ ଅର୍ଥାତ୍ ୬୪.୪୪% ଦାବି ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ ୬,୬୩,୪୬୯ ଅର୍ଥାତ୍ ୩୫.୫୬% ଦାବୀ ଓ ଆପତ୍ତି ଅଫ୍‌ଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.