ପ୍ରସନ୍ନ କୁମାର ହୋତାଙ୍କ ଅଙ୍ଗେନିଭା କାହାଣୀ-5: “ଉତ୍କଳ ଦିବସ”

0
ଉତ୍କଳ ଦିବସ
+++++++++++++++++++++
* ପ୍ରସନ୍ନ କୁମାର ହୋତା
+++++++++++++++++++++
 //ଏକ// 

  ଛାତ୍ରବେଳେ ଦିଲ୍ଲୀ, ରେଭେନ୍‌ସା କଲେଜରେ ପଢ଼ୁଥିବା ବେଳେ ଏପ୍ରିଲ ପହିଲାରେ ଛୁଟି ହେଉଥିଲା । ଆମେ ସମସ୍ତେ ଜାଣିଥିଲୁ ଯେ ଛୁଟି ଉତ୍କଳ ଦିବସ ପାଇଁ ମିଳୁଛି । ୧୯୩୬ ମସିହା ଏପ୍ରିଲ ପହିଲାରେ  ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା । ତାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଏମ୍.ଏ. ପଢ଼ିବାକୁ ଗଲି । ଏକ ନୂତନ ଜୀବନର ସ୍ୱାଦ ସେଠାରେ ଅନୁଭବ କଲି । ଆମ ରକ୍ଷଣଶୀଳ ଓଡ଼ିଆ ସମାଜରୁ ବିଚ୍ୟୁତ ହୋଇ ଦିଲ୍ଲୀରେ ପହଞ୍ଚି ମାନସିକ ସ୍ତରରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଲା । 
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନର ପ୍ରଣାଳୀ, ଲାଇବ୍ରେରୀ ଭରା ବହି, ସେଠାକାର ଚଳଣୀରେ ପଞ୍ଜାବୀ ସଂସ୍କୃତିର ଉତ୍ସାହର ପ୍ରତିଫଳନ ଦେଖି ମାନସିକ ସ୍ତରରେ କିଛି ନୂତନ ଆଶା ଓ ସ୍ୱପ୍ନ ଜାଗରିତ ହେଲା । ସେତେବେଳେ ଶିଖ୍ ଭାଇଭଉଣୀ ମାନଙ୍କୁ ଦେଖି ଆହୁରି ଉତ୍ସାହିତ ଲାଗୁଥିଲା । ଆମ ଅନ୍ତତଃ ମୋ ତୁଳନାରେ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, କାମ କରିବାକୁ ଅଫୁରନ୍ତ ସ୍ପୃହା ଏବଂ ସବୁକଥାରେ ଆଶାବାଦୀ କଥାବାର୍ତ୍ତା ମତେ ଅନେକ ପ୍ରଭାବିତ କରିଥିଲା । ମୁଁ ସେତେବେଳେ ଗୋଟିଏ ଛୁଟିଦିନରେ କନଟ୍ ପ୍ଲେସରୁ ଆମ କଲେଜ ହଷ୍ଟେଲକୁ ଫେରିବା ବେଳକୁ ଲକ୍ଷ୍ୟ କଲି ଯେ ବଙ୍ଗଳା ସାହେବ ଗୁରୁଦ୍ୱାରାକୁ ଏକ ଶୋଭାଯାତ୍ରା କରୋଲବାଗ ଆଡ଼ୁ ବାହାରି ଯାଉଛି । ଧନୀ, ଦରିଦ୍ର, ପୁରୁଷ, ସ୍ତ୍ରୀ -ଯାହା କୁହାଯାଏ ଆବାଳବୃଦ୍ଧବନିତା- ଶିଖ୍ ସଂପ୍ରଦାୟର ବ୍ୟକ୍ତିମାନେ ପରସ୍ପର ହାତରେ ହାତ ଛନ୍ଦି ହସିହସି ବୋଧହୁଏ କିଛି ସ୍ଲୋଗାନ୍ ଦେଇ ବା କିଛି ଜୟଜୟକାର ଧ୍ୱନି କରି ରାସ୍ତା ଭର୍ତ୍ତି କରି ଚାଲିଛନ୍ତି । କୌତୁହଳରେ ଅନ୍ୟମାନଙ୍କୁ ପଚାରି ବୁଝିଲି ଯେ ତାହା ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ; ଏବଂ ତାଙ୍କ ବିଦିତ ନେତୃତ୍ୱର ସ୍ମୃତିରେ ଶୋଭାଯାତ୍ରା ବାହାରିଛି; ସେଥିରେ ସମସ୍ତ ଶିଖ୍ ସଂପ୍ରଦାୟ ଖୁସିମନରେ ପୂର୍ଣ୍ଣପ୍ରାଣରେ ଜନତା ଦରବାରରେ ନିଜ ଗୁରୁଙ୍କ ସମ୍ମାନରେ ଶୋଭାଯାତ୍ରା  କରି ଚାଲିଛନ୍ତି । ଏ କଥା ମୋ ସ୍ମୃତିପଟରେ ଏକ ସଂଗୋପନ କୋଣରେ ଲୁକ୍କାୟିତ ହୋଇ ରହିଲା ।
ସମୟ ଗଡ଼ି ଚାଲିଲା । ପଢ଼ା ଶେଷ ହେଲା - ୧୯୬୮ରେ ସିଭିଲ୍ ସର୍ଭିସ୍ ପାଇଁ ପରୀକ୍ଷା ଦେଲି । ତତ୍ ସହିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନାର ସୁଯୋଗ ବି ମିଳିଲା । ଦରମା ସାତଶହ ଅଠେଇଶ ଟଙ୍କା । ସେ କିଛିଦିନ ବେଶ୍ ଆନନ୍ଦରେ କଟିଲା । ଆଇ.ଏ.ଏସ୍. ପରୀକ୍ଷାଫଳ ଯେବେ ପ୍ରକାଶିତ ହେଲା ସାରା ବିଶ୍ୱବିଦ୍ୟାଳୟରେ ମୋ ନାମ ଖେଳିଗଲା ।  ପ୍ରଥମ ଦଶ ଜଣଙ୍କ  ମଧ୍ୟରେ ସ୍ଥାନ ଥିବାରୁ ରେଡିଓରେ  ନାମ ଘୋଷିତ ହେଲା । ନିଜ ଜନ୍ମସ୍ଥାନ ଓଡ଼ିଶାର ଆଇ.ଏ.ଏସ୍. ଅଫିସର ରୂପେ କାମ କରିବା ସୁଯୋଗ ମିଳିଲା । 


ଅସଂଲଗ୍ନ -//ଦୁଇ//

 ଜେଆରଡି ଟାଟାଙ୍କ ସହ ଭେଟ 
୧୯୭୫ରେ ମତେ ଅପ୍ରତ୍ୟାଶିତ ଭାବେ Industrial Promotion  and Investment Corporation of Odisha Ltd.(IPICOL)ରେ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ରୂପେ ନିଯୁକ୍ତି କରାଗଲା । ମୁଁ ୧୯୭୨-୭୪ ଆମେରିକା ଫେଲୋସିପ୍ ପାଇ ନ୍ୟୁୟର୍କର ପ୍ରସିଦ୍ଧ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ କିଛି ପଢ଼ିଥିଲି । କିଛି ଭଲ ଜିନିଷ ଶିଖିବାକୁ ମିଳିଥିଲା । ଫେରି ରାଉରକେଲାରେ ପୋଷ୍ଟିଙ୍ଗ୍, ସବ୍ କଲେକ୍ଟର ରୂପେ ବର୍ଷେ କାମ କଲି । ଭଲ କାମ କରିବା ବିଷୟରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଏବଂ ମାନନୀୟ ଏଲ୍.ଆର. ପରିଜାଙ୍କ ଠାରୁ ଗାଳିଖାଇ, ଯାହା କିଛି ଖଇଚା  ଦୋଷ ଥିଲା, ତାହା ପରିତ୍ୟାଗ କରି ସମର୍ପିତ ଭାବରେ ପ୍ରକୃତ କାମ କରିବା ଆରମ୍ଭ କଲି ।
ଭଲକାମର ମୂଳମନ୍ତ୍ର ହେଲା ଯେଉଁ କାମ ମିଳିବ ସେଥିରେ ସମର୍ପିତ ଭାବେ କାମ କରିବ -ଜନସାଧାରଣଙ୍କ କାମ କରିବାରେ ଆନନ୍ଦ ଅନୁଭବ କରିବ । ଏବଂ ସମସ୍ତ ସହକର୍ମୀଙ୍କ ସଙ୍ଗେ ପରାମର୍ଶ କରି ଶୀଘ୍ର ଶୀଘ୍ର କାମ କରିବ । ଆତ୍ମ-ମୁଗ୍ଧ  ନ ହୋଇ ପ୍ରତ୍ୟେକ କାମରେ ଥିବା ଜ୍ଞାନ ଓ କୌଶଳକୁ ମନଦେଇ ସବୁ ସ୍ତରରୁ ଶିଖିବ । କୌଣସି ବିଶିଷ୍ଟ ବିଷୟ ବା ବ୍ୟକ୍ତିଙ୍କ ସଙ୍ଗେ ବାର୍ତ୍ତାଳାପ କରିବା ପୂର୍ବରୁ ସେଥିପାଇଁ ପ୍ରସ୍ତୁତି କରିଥିବ । ଏବଂ ସକାଳ ସାତରୁ ରାତି ସାଢ଼େ ଏଗାରଟା ପର୍ଯନ୍ତ କାମ ବିଷୟରେ ନିମଗ୍ନ ରହିବ - ଭାବିବ, ପ୍ରସ୍ତୁତି କରିବ, ଏବଂ ଦ୍ରୁତ ଗତିରେ କାମ କରିବ, କରାଇବ।
ଇପିକଲରେ ପ୍ରଥମ ଦୁଇମାସ ଆମେରିକାନ୍ ପଢ଼ା କିଛି କାମ ଦେଲା ନାହିଁ । ଗୋଟିଏ ଶିଳ୍ପ ପ୍ରକଳ୍ପ ସ୍ଥାପନର ଆଦ୍ୟପ୍ରାନ୍ତ ଜାଣିବାକୁ କିଛି ବୈଷୟିକ ଜ୍ଞାନ, ତାହା ସଙ୍ଗେ ସମସ୍ତ ଆର୍ଥିକ ତଥ୍ୟ ତନ୍ନ ତନ୍ନ କରି ଜାଣିଥିବା ଦରକାର । ପ୍ରାଣପଣେ ଚେଷ୍ଟା ଆରମ୍ଭ କଲି -ବ୍ୟାଙ୍କ ଚେୟାରମ୍ୟାନ୍ ମାନେ ମୋର ବିନୀତ ଚେଷ୍ଟା ଦେଖି ସ୍ନେହରେ କାମ ବତାଇଲେ । ବନ୍ଧୁ ସହକର୍ମୀ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ଆଇ.ଆଇ.ଏମ୍. ଅହମଦାବାଦରୁ ଏମ୍.ବି.ଏ. ପଢ଼ିଥିଲେ । ଡିସକାଉଣ୍ଟେଡ୍ କ୍ୟାସ୍ ଫ୍ଲୋ, ନେଟ୍ ପ୍ରେଜେଣ୍ଟ ଭାଲ୍ୟୁ, ଇଣ୍ଟରନାଲ୍ ରେଟ୍ ଅଫ ରିଟର୍ଣ୍ଣ ଆଦି ମୋଟାମୋଟି ଜାଣିଗଲି । ବାରବର୍ଷର କ୍ୟାସ୍ ଫ୍ଲୋ କିପରି ଗୋଟିଏ ପ୍ରକଳ୍ପର ସଫଳତାକୁ ସାବ୍ୟସ୍ତ କରିବାକୁ ଦରକାର ହୁଏ ତାହା ପ୍ରତି ସମ୍ମାନ ଦେବା ଶିଖିଗଲି । ଦିଲ୍ଲୀରୁ ଲାଇସେନ୍‌ସ ବୋଲି ଖଣ୍ଡେ କାଗଜ ମିଳେ, କିନ୍ତୁ ଶିଳ୍ପ ସ୍ଥାପନ କରିବାକୁ ପୁଞ୍ଜି ବମ୍ୱେରେ ବ୍ୟାଙ୍କମାନେ ସ୍ଥିର କରନ୍ତି । ସେଠି ଆଇ.ଏ.ଏସ୍. ବୋଲି ବା ଓଡ଼ିଶା ଗରିବ ରାଜ୍ୟ, ତେଣୁ ସାହାଯ୍ୟ ପାଇବା ହକଦାର ଏପରି କୌଣସି କଥାବାର୍ତ୍ତାର କିଛି ମୂଲ୍ୟ ନଥାଏ । ଆପଣ କିପରି ବ୍ୟାଙ୍କ ମାନଙ୍କ ଗୋଷ୍ଠୀ ମଧ୍ୟରେ ଏକାଗ୍ରତାର ସହିତ ସବୁ ପ୍ରଶ୍ନର ଉତ୍ତର ସଠିକ୍ ଦେଇପାରିବେ, ତା ଉପରେ ପୁଞ୍ଜି ମଞ୍ଜୁରୀ ନିର୍ଭର କରେ । ତେଣୁ ଚାରି ମାସରେ ଏଥିରେ ଦକ୍ଷତା ବଢ଼ାଇବାକୁ ହେଲା । 
ଓଡ଼ିଶା ସେତେବେଳେ ଭାରତର ଶିଳ୍ପ ମାନଚିତ୍ରରେ ବହୁତ ପଛରେ । ପ୍ରତ୍ୟେକ ରାଜ୍ୟରେ ଇପିକଲ ପରି ସରକାରୀ ଅନୁଷ୍ଠାନ ଗଢ଼ି ଉଠି ଶିଳ୍ପପତିମାନଙ୍କୁ ନିଜନିଜ ରାଜ୍ୟରେ ନୂଆ ଶିଳ୍ପ ପ୍ରକଳ୍ପ କରିବାକୁ ପ୍ରବର୍ତ୍ତାଉଥାନ୍ତି । ଭୁବନେଶ୍ୱରରେ ସେତେବେଳେ କୌଣସି ଭଲ ହୋଟେଲଟିଏ ବି ନ ଥିଲା । ପ୍ରାଚୀ ହୋଟେଲ ଥିଲା ପ୍ରଥମ ଯାହାକୁ ମଧ୍ୟ ମୁଁ ଇପିକଲରୁ ସାହାଯ୍ୟ କରି ପ୍ରତିଷ୍ଠିତ କରାଇ ପାରିଥିଲି । ଉଡ଼ାଜାହାଜ ଆସିବା ମଧ୍ୟ କଲିକତାରୁ । ଏହିପରି ଅବସ୍ଥାରେ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା କାଠିକର ପାଠ । ଏହି ଅବସ୍ଥା ଭିତରେ ବେଲପାହାଡ଼ ରିଫ୍ରାକ୍ଟରିଜର ମୁଖ୍ୟ ଶ୍ରୀଯୁକ୍ତ ଘୋଷ ଓ ମାନନୀୟ ଋଷି ମୋଦିଙ୍କ ସଦିଚ୍ଛାରେ ଟାଟା ଗ୍ରୁପ୍ ସହିତ ଦୁଇଟି ବଡ଼ ପ୍ରକଳ୍ପ ବିଷୟରେ କଥାବାର୍ତ୍ତା ଆରମ୍ଭ ହୋଇଗଲା -ଇପିକଲ ରିଫ୍ରାକ୍ଟରୀ ପ୍ରକଳ୍ପ ଏବଂ ଅନ୍ୟଟି ହେଲା ସ୍ପଞ୍ଜ ଆଇରନ୍ ପ୍ରକଳ୍ପ ଯାହା ସେ ପର୍ଯ୍ୟନ୍ତ ଭାରତରେ ବ୍ୟବସାୟିକ ସ୍ତରରେ ଆରମ୍ଭ ହୋଇନଥିଲା । ଆମେ ସମସ୍ତେ ଇପିକଲରେ ବହୁତ ଖୁସି ହୋଇଗଲୁ -କାରଣ ସେତେବେଳେ ଓଡ଼ିଶାରେ ୧୯୫୦ ଠାରୁ ୧୯୭୫ ମସିହା ପର୍ଯ୍ୟନ୍ତ ପଚିଶ ବର୍ଷରେ ମାତ୍ର ୩୬ ଗୋଟି ବୃହତ୍ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ଥିଲା ।
ହଠାତ୍ ଟାଟା ଗ୍ରୁପରେ କିଛି ତଳସ୍ତରରେ ଆଭ୍ୟନ୍ତରୀଣ କନ୍ଦଳ ଆରମ୍ଭ ହୋଇଗଲା ଏବଂ ଶ୍ରୀଯୁକ୍ତ ଘୋଷଙ୍କୁ ଅପଦସ୍ଥ କରିବାକୁ ଇପିକଲ ସଙ୍ଗେ ରିଫ୍ରାକ୍ଟରୀ ପ୍ରକଳ୍ପ ବିଷୟରେ ଟାଟା ଗ୍ରୁପରେ ପୁନର୍ବିଚାର ହେବ ବୋଲି ଆମକୁ କୁହାଗଲା । ସମସ୍ତଙ୍କ ମନ ଦୁଃଖ ।
ଏହି ସମୟରେ ମୋର ପାଟନା ଯିବାକୁ ଦରକାର ହେଲା । କଲିକତା ପର୍ଯ୍ୟନ୍ତ ଯାଇ ସେଠାରୁ କଲିକତା-ରାଞ୍ଚି-ପାଟନା ଫ୍ଲାଇଟ୍ ଧରିଲି । ସାରା ଜୀବନ ମୋର ଗୋଟିଏ ଗୁରୁତର ବଦଭ୍ୟାସ -ସମୟ ଅନୁବର୍ତ୍ତିତାର ଅଭାବ । ଫ୍ଲାଇଟରେ ଚଢ଼ିବାକୁ ଯାଇ ଶେଷ ମୁହୂର୍ତ୍ତରେ ପହଞ୍ଚିଲି । ସେତେବେଳେ ଆଜି ଭଳି ଏତେ କଟକଣା ନଥିଲା, ଟିକେଟ୍ ପାସ୍ ଧରି ସିଧା ଉଡ଼ାଜାହାଜକୁ ଯାଇ ହେଉଥିଲା । ଉଡ଼ାଜାହାଜ ପାଖେ ପହଞ୍ଚି ଦେଖିଲି ଜଣେ ଦୀର୍ଘକାୟ ବ୍ୟକ୍ତିତ୍ଵ ଗୋଟିଏ ସୁନ୍ଦର ଘିଅ ରଙ୍ଗର ସଫାରିସୁଟ୍ ପିନ୍ଧି ଉଡ଼ାଜାହାଜ ଚାରିପଟେ ବୁଲୁଛନ୍ତି -ତାଙ୍କ ଆଗପଛରେ ଦଳେ ପୋଲିସ । ମୁଁ ଚୁପଚାପ୍ ଯାଇ ବସିଗଲି । ଉଡ଼ାଜାହାଜରେ ଅଳ୍ପ ଯାତ୍ରୀ ଥିଲେ । ସେ ବିଶିଷ୍ଟ ବ୍ୟକ୍ତି କିଛି ସମୟରେ ଭିତରକୁ ଆସି ମଝିଆ ମଝି ଜାଗାରେ ଗୋଟିଏ ଖାଲି ସିଟରେ ବସିଲେ । ମୁଁ ଜାଣିପାରିଲି ଯେ ମାନ୍ୟବର ଜେ.ଆର.ଡି. ଟାଟାଙ୍କର ସହଯାତ୍ରୀ ହେବାର ସୌଭାଗ୍ୟ ମୁଁ ଲାଭ କରିଛି । ସେ ଚୁପ୍ ହୋଇ ବସି The Statesman କାଗଜ ପଢ଼ିବାରେ ନିମଗ୍ନ । ମୁଁ ସାହସ କରି କିଛି ସମୟପରେ ଉଠି ତାଙ୍କ ସିଟ୍ ପାଖକୁ ଯାଇ ଠିଆହେଲି । ସେ ମୁଣ୍ଡ ଉଠାଇ ମତେ ଦେଖିଲେ । ମୁଁ ନମସ୍କାର ହେଲି ଏବଂ କହିଲି,  “ମାନ୍ୟବର, ମୁଁ ଓଡିଶା ସରକାରଙ୍କ ଇପିକଲରେ କାମ କରେ । ଆମେ ବହୁତ ଆଶା କରିଥିଲୁ ଆପଣଙ୍କ ଗ୍ରୁପ୍ ଇପିକଲ ସଙ୍ଗେ ରିଫ୍ରାକ୍ଟରୀ ପ୍ରକଳ୍ପ କରିବେ ବୋଲି ।” ମୁଁ ଆଉ କିଛି କହିବା ପୂର୍ବରୁ ସେ କହିଉଠିଲେ,  “ହଁ, ତେବେ ଦେଶରେ ଅନେକ ଗୁଡ଼ାଏ ରିଫ୍ରାକ୍ଟରୀ ପ୍ରକଳ୍ପ ଖୋଲାଯାଇଛି । ଆଉ ବୋଧହୁଏ ଡିମାଣ୍ଡ ନାହିଁ ; ପ୍ରକଳ୍ପ ସଫଳ ହୋଇନପାରେ ।”
 ମୁଁ ସେ ପ୍ରକଳ୍ପର ମୋଟା ପ୍ରୋଜେକ୍ଟ ରିପୋର୍ଟକୁ ଆମୂଳଚୂଳ ପଢ଼ି ମନେରଖିଥିଲି । ମୋର ଭାବନା ହେଲା -ଏହାହିଁ ଅପୁର୍ବ ସୁଯୋଗ । ସବୁ କଥା ଠିକ୍ ଭାବେ କହିବାକୁ ମା ସରସ୍ୱତୀ ମୋ କଣ୍ଠରେ ବିରାଜନ୍ତୁ ! ଆରମ୍ଭ କଲି -“ମାନ୍ୟବର, ଏ ପ୍ରକଳ୍ପ ଅଲଗା ପ୍ରକାରର ରିଫ୍ରାକ୍ଟରୀ ବ୍ରିକ୍ କରିବ । ଷ୍ଟିଲ୍ ପ୍ଲାଣ୍ଟ ପାଇଁ ନୁହେଁ; ସିମେଣ୍ଟ ଓ ଗ୍ଲାସ୍ ଶିଳ୍ପରେ ଏହା ବ୍ୟବହାର ହେବ । ତାଙ୍କ ରାୟପୁର ଠାରୁ କଲିକତା ପର୍ଯ୍ୟନ୍ତ କେତେ ନୂଆ ସିମେଣ୍ଟ ଓ ଗ୍ଲାସ୍ ପ୍ରକଳ୍ପ ପ୍ରଥମଥର ଆସୁଛି ତାର ବିବରଣୀ ଦେଲି । ଆଉ କହିଲି ଯେ ଯେଉଁ ଫାୟାର କ୍ଲେ ବ୍ୟବହାର ହେବ ତାହା ଖୋର୍ଦ୍ଧା ପାଖ ତାଳବସ୍ତରୁ ନିଆଯିବ । ସେଠାରେ ୨୦ଟି ହୋଲ୍ କରାହୋଇ ପ୍ରସପେକ୍ଟିଙ୍ଗ କରାହୋଇଛି । ବାରବର୍ଷ ପାଇଁ ଯଥେଷ୍ଟ ଭଲ ଓ ଶସ୍ତା କଞ୍ଚାମାଲ ଅଛି । ଆହୁରି ବିସ୍ତୃତ ଅଞ୍ଚଳ ଲାଗି କରି ଅଛି, ଆହୁରି ଫାୟାର୍ କ୍ଲେ ଡିପୋଜିଟ୍ ଅଛି ବୋଲି ପ୍ରମାଣ ଅଛି । ଢେଙ୍କାନାଳରେ ପ୍ରକଳ୍ପ ହେବ । ଅନଗ୍ରସର ଜିଲ୍ଲାର ସବୁ ସୁବିଧା ମିଳିବ । ଏପରିକି, ପ୍ରସ୍ତାବିତ ଖଣିରୁ ପ୍ରକଳ୍ପ କେତେଦୂର, କ୍ୟାରେଜ ସମୟ ଓ ଖର୍ଚ୍ଚର ବିବରଣୀ ଦେବାରେ ଲାଗିଲି ଇତ୍ୟାଦି ଇତ୍ୟାଦି । ସେ ଧୈର୍ଯ୍ୟର ସହିତ ମତେ ଦଶବାର ମିନିଟ ଶୁଣିଲେ କୌଣସି ବାଧା ନଦେଇ । ମୁଁ ଠିଆ ହୋଇ ଗୋଟିଏ ପରେ ଗୋଟିଏ ତଥ୍ୟ ପ୍ରଦାନ କରି ଚାଲିଥାଏ । ସବୁ ଶୁଣିବା ପରେ ପଚାରିଲେ, “କ୍ୟାପିଟେଲ ଟୁ ଆଉଟପୁଟ୍ ରେସିଓ କେତେ ?” ମୁଁ କହିଲି, “ସାର୍, କ୍ୟାପିଟେଲ ଏକ ହେଲେ ଆଉଟ ପୁଟ୍ ତିନ୍ ଏବଂ ଡେଟ୍ ସର୍ଭିସ କଭରେଜ୍ ରେସିଓ ୨.୭୫ ଏବଂ ଇଣ୍ଟର୍ନାଲ ରେଟ୍ ଅଫ ରିଟର୍ଣ୍ଣ ୧୫% ରୁ ୧୮% ।” ସେ ସ୍ନେହରେ ମୋ କଥା ଶୁଣି କହିଲେ, “ତୁମେ କ’ଣ ଜଣେ ଇଂଜିନିୟର ?” ମୁଁ ଚଗଲା, ନ ଡରି ରହସ୍ୟ କରି କହିଲି, “ମାନ୍ୟବର, ମୋର ଇଂଜିନିୟରିଙ୍ଗ ଯୋଗ୍ୟତା ନାହିଁ । ମୁଁ ଜଣେ ତିନି ଅକ୍ଷରିଆ ଘୃଣିତ ବ୍ୟକ୍ତି ।” ସେ ହସିଦେଇ କହିଲେ, “ଏହାର ମାନେ କ’ଣ ?” ମୁଁ କହିଲି,  “ଆଜ୍ଞା ମୁଁ ଜଣେ ଆଇ.ଏ.ଏସ୍.  ଏବଂ ଇପିକଲର ମ୍ୟାନେଜିଙ୍ଗ ଡାଇରେକ୍ଟର ।” ସେ ଭଦ୍ରାମୀର ପରାକାଷ୍ଠା ଦେଖାଇ କହିଲେ, “ନା, ନା, ସେପରି କାହିଁକି କହୁଛ ? କିଛି ଆଇ.ଏ.ଏସ୍. ଅଫିସର ଭଲ କାମ କରନ୍ତି ।” ମୁଁ ଆଉ କଥା ନ ବଢ଼ାଇ ମୋ ସିଟକୁ ଫେରି ଆସିଲି । 
ପାଟନାରେ ଦୁଇଦିନ ରହି ତୃତୀୟ ଦିନ କଲିକତା ବାଟେ ଫେରିବାକୁ ପୁଣି ଉଡ଼ାଜାହାଜ ଧରିବାକୁ ଗଲି । ସବୁଥର ପରି ଲେଟ ଲତିଫ୍ ଢଙ୍ଗରେ ଡେରିରେ ଯାଇ ପହଞ୍ଚିଲି । ଟାଇମ୍ ହୋଇ ଯାଇଥିଲା; ଦୌଡ଼ିକରି ଯାଇ ଚଢ଼ିଗଲି । ଏଥର ଉଡ଼ାଜାହାଜ ଖଚାଖଚ୍ ଭରା । ପଛ ଆଡୁ ପ୍ରବେଶ । ସବୁ ସିଟରେ ଲୋକ; ଧୀରେ ଧୀରେ ଆଗେଇଗଲି । ସଭା ଆଗରେ ଗୋଟିଏ ସିଟ୍ ଖାଲି । ସେଠି ବସିପଡ଼ି ଖୁସିରେ ନିଃଶ୍ୱାସ ମାରି ମୋ ଡାହାଣପଟକୁ ଚାହିଁଲି । କେହି ଚିହ୍ନା ଦେଖାଗଲେ ନାହିଁ । ବାଁପଟ ଝରକାକୁ ଲାଗି ଦୁଇଟି ସିଟ୍ । ମୋ କଡ଼ରେ ବସିଛନ୍ତି ସ୍ୱୟଂ ଜେ.ଆର.ଡି. । ମୁଁ ନମସ୍କାର ହେବା ପୂର୍ବରୁ ସେ ହାତ ବଢ଼ାଇ ମୋ ହାତକୁ ଧରି କହିଲେ, “ହେ ଯୁବକ, ତୁମେ ମୋ ପିଛା କାହିଁ କରୁଛ ?”
ମୁଁ ତ ଆଗରୁ କହିଛି ମୁଁ ଟିକେ ବଗୁଲିଆ; ମା ସରସ୍ୱତୀଙ୍କୁ ସ୍ମରଣ କରି ତତ୍ କ୍ଷଣାତ୍ କହିଲି, “ମାନ୍ୟବର, ଆପଣଙ୍କୁ ଦୁଇଦିନ ତଳେ ପ୍ରଥମ ଭେଟିବା ମୋ ପାଇଁ ଅତୀବ ଭାଗ୍ୟର କଥା ଥିଲା । କିନ୍ତୁ ଏଥର ମତେ ଭାଗ୍ୟଦେବୀଙ୍କ ଠାରୁ ବଳି ଐଶ୍ୱରିକ ଆଶୀର୍ବାଦ ମିଳିଛି ଏବଂ ଆପଣଙ୍କୁ ଅନୁରୋଧ କରିବାକୁ ସୁଯୋଗ ମିଳିଛି ଯେ ଈଶ୍ୱର ଚାହୁଁଛନ୍ତି ଯେଉଁ ପ୍ରଦେଶର ଲୁହାପଥରରୁ ଆପଣଙ୍କ ବିଦିତ ପୂର୍ବପୁରୁଷ ଷ୍ଟିଲ୍ ପ୍ଲାଣ୍ଟ ଆରମ୍ଭ କରିଥିଲେ, ସେହି ପ୍ରଦେଶ ପାଇଁ ଆପଣ ଆହୁରି କିଛି କରିବେ -ନହେଲେ ମୋ ପରି ଅକିଞ୍ଚନ ଲୋକ ଆପଣଙ୍କୁ ଏତିକି କମ ଦିନରେ ଦୁଇ ଦୁଇ ଥର କାହିଁକି ଭେଟିବାର ସୁଯୋଗ ଲଭନ୍ତା ।” ଏପରି ଚଟାପଟ ଉତ୍ତରରେ ସେ ହସି ପକାଇଲେ; ସାରା ଏକ ଘଣ୍ଟା ଯାତ୍ରା ସମୟ ମୋ ସଙ୍ଗେ ବିଭିନ୍ନ ବିଷୟରେ ନିଜ ଆଡ଼ୁ ଆଲୋଚନା କଲେ । ତାଙ୍କ କଡ଼ରେ ବସିଥାନ୍ତି ବିଖ୍ୟାତ ନାନୀ ପାଲକିୱାଲା; ସେ ନିଜ ନଥିପତ୍ର ପଢ଼ୁଥାନ୍ତି - ଆମ ଆଲୋଚନାରେ ଭାଗ ନେଉନଥାନ୍ତି । ଅଧ ଘଣ୍ଟେ ସମୟ ଆଲୋଚନାରେ ଗଲାପରେ ଜେ.ଆର.ଡି. କହିଲେ, “ତୁମ କଥା ମନେ ରଖିଛି । ଆମେ ରିଫ୍ରାକ୍ଟରୀ ପ୍ରକଳ୍ପ କରିବୁ *। ମୁଁ ସୁଯୋଗ ଦେଖି କହିଲି, "ଏକ୍ସିଲେନ୍ସୀ, ରିଫ୍ରାକ୍ଟରୀ ଛୋଟ ପ୍ରୋଜେକ୍ଟ । ଭଲ ପ୍ରୋଜେକ୍ଟ ହେଉଛି ସ୍ପଞ୍ଜ ଆଇରନ୍ ।” ଜେ.ଆର.ଡି. ବିଦିତ ବିଶାରଦ; ମୁଁ ଅର୍ବାଚୀନ ବାଳୁତବୁଦ୍ଧିସଂପନ୍ନ । ସେ କହିଲେ, “କିନ୍ତୁ ସ୍ପଞ୍ଜ ଆଇରନ୍ ଏ ପର୍ଯ୍ୟନ୍ତ ବ୍ୟବସାୟିକ ରୂପରେ ଆରମ୍ଭ ହୋଇନାହିଁ । ତାହାର ବ୍ୟବସାୟିକ ସଫଳତା ସନ୍ଦେହଜନକ ।” ମୁଁ ସ୍ପଞ୍ଜ ଆଇରନ୍ ରିପୋର୍ଟକୁ ଲାଇନ୍ ବାଇ ଲାଇନ୍ ଟିକିନିଖି କରି ପଢ଼ିଥିଲି; ସବୁ କଥା ବିଶାରଦ ମାନଙ୍କ ସଙ୍ଗେ ଆଲୋଚନା କରି ସମ୍ୟକ୍ ରୂପରେଖ ମୋ ମନରେ ଆଙ୍କି ରଖିଥିଲି । ମୁଁ କହିଲି, “ହେ ମହାଭାଗ, ଆପଣଙ୍କ ପିତାମହ ଯେଉଁ ଦିବ୍ୟ ଦୂରଦୃଷ୍ଟି ରଖି ଓଡ଼ିଶା ବିହାର ସୀମାକୁ ସୁଦୂର ବମ୍ୱେରୁ ଆସି ଷ୍ଟିଲ୍ ପ୍ଲାଣ୍ଟ ଆରମ୍ଭ କରିଥିଲେ ସେତେବେଳେ କେହି ଭାରତରେ ଷ୍ଟିଲ୍ ପ୍ଲାଣ୍ଟ କଥା ଭାବିନଥିଲେ । ଏବେ ଯେଉଁ ପଦ୍ଧତିରେ ଷ୍ଟିଲ୍ ଉତ୍ପାଦନ ହେଉଛି ତାହା ଆସ୍ତେ ଆସ୍ତେ ପୁରୁଣାକାଳିଆ ହୋଇଗଲାଣି । ଷ୍ଟିଲ୍ ସାମଗ୍ରୀର ଭବିଷ୍ୟତ ହେଲା ସ୍ପଞ୍ଜ ଆଇରନ୍- କଣ୍ଟିନ୍ୟୁୟସ୍ କାଷ୍ଟିଙ୍ଗ୍ ଇଲେକ୍ଟ୍ରିକ୍ ଆର୍କ ଫର୍ନେସ ମାଧ୍ୟମରେ । ଏହା ହେଉଛି ଷ୍ଟିଲ୍ ଜଗତର ଭବିଷ୍ୟତ । ଏ ସବୁ କଥା ଡା. ପି.କେ. ମହାନ୍ତି ହାତଧରି ମତେ ପଢ଼ାଇ ବୁଝାଇଥିଲେ । ସେ କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ କାରଖାନା କରିବାର ପ୍ରାରମ୍ଭିକ କାମ କରିଥିଲେ । ଇପିକଲ ସହାୟତା କରିଥିଲା । ଏବେ ମୁଁ ଜାଣିନି ଏସବୁ କଥା କେତେଦୂର ସତ୍ୟରେ ପରିଣତ ହେଲା କି ନାହିଁ । କିନ୍ତୁ ସେତେବେଳେ ଯେଉଁ ପାଠ ପଢ଼ିଥିଲି, ତଥ୍ୟ ସଂଗ୍ରହ କରିଥିଲି, ଜାମଶେଦପୁର ବୁଲି ପରୀକ୍ଷାମୂଳକ ସ୍ପଞ୍ଜ ଆଇରନ୍ ପାଇଲଟ୍ ପ୍ଲାଣ୍ଟ ଦେଖି କଥାବାର୍ତ୍ତା କରିଥିଲି -ସେସବୁ କିଛି ମନେଥିଲା । ଲୁହାପଥର ଉତ୍ତୋଳନ ପ୍ରକ୍ରିୟା, ସେଥିରେ ବ୍ଲୁ ଡଷ୍ଟ  ଏବଂ ଭାରତୀୟ କୋଇଲାର ଖାଦ ବେଶି ଏ କଥା ଜାଣିଥିଲି । ଜେ.ଆର.ଡି. ହିମାଳୟ ସଦୃଶ, ମୁଁ ତାଙ୍କ ଆଗରେ ବାଲି ଗେରେଡ଼ା ମାତ୍ର । କିନ୍ତୁ ଖୁବ୍ ଦମ୍ଭ ଧରି ଆଉ ବିନୟର ସହିତ ତାଙ୍କୁ କହିଚାଲିଲି । ଭାରତରେ ମୁଣ୍ଡ ପିଛା ଷ୍ଟିଲ ବ୍ୟବହାର ଅନ୍ୟ ଦେଶ ତୁଳନାରେ କେତେ କମ ଏବଂ ଭବିଷ୍ୟତରେ ତାହା ନିଶ୍ଚୟ ବଢିବ କହିଲି। ସେ ମତେ ଦେଖୁଥାନ୍ତି, ଗାଳି ଦେଉନଥାନ୍ତି, ଚୁପ୍ କରାଉ ନ ଥାନ୍ତି କିନ୍ତୁ ବିଭିନ୍ନ ପ୍ରକାରର ଅନୁସନ୍ଧିତ୍ସୁ ପ୍ରଶ୍ନ ପଚାରି ଚାଲିଥାନ୍ତି । 
ଏହିପରି କଥା ହେଉ ହେଉ ବିମାନ ଦମଦମ ପହଞ୍ଚିଗଲା । ମୁଁ ତାଙ୍କୁ ବିଦାୟ ପ୍ରଣାମ କରି ଭୁବନେଶ୍ୱର ଫେରିଲି । ତା’ର ପ୍ରାୟ ଦୁଇଦିନ ପରେ କୌଣସି ସରକାରୀ ଛୁଟି ଥିଲା; ମୁଁ କିନ୍ତୁ ଅଫିସରେ ବସି କିଛି ବାକିଆ କାମ କରୁଥାଏ । ଫୋନ୍ ବାଜିଲା -ଚିଫ୍ ସେକ୍ରେଟାରୀ । ଇଂରେଜୀରେ କହିଲେ- “ଆରେ ହୋତା, ତୁମେ କ’ଣ କରିଛ  ! ମୋ ସାମନାରେ ଋଷି ମୋଦିଜୀ ବସିଛନ୍ତି । ସେ ଟିସ୍କୋ ବିମାନ ଧରି ଆସିଛନ୍ତି । ତୁମେ ଆଜି ଆଇ.ଏ.ଏସ୍. ରୁ ଇସ୍ତଫା ଦେଇ ତାଙ୍କ ସଙ୍ଗେ ବିମାନରେ ଜାମସେଦପୁର ଯିବ । ଜେ.ଆର.ଡି. ଟାଟା ସ୍ୱୟଂ ତୁମକୁ ସେଠି ଅପେକ୍ଷା କରୁଛନ୍ତି । ତୁମେ ଟାଟା ଗ୍ରୁପକୁ ଜଏନ୍ କରିବ ।”
ବୀର ଉତ୍କଳ ଓଡ଼ିଆ ବୋଲି ପିଲାଦିନେ ବେଳେବେଳେ ପରସ୍ପରକୁ ହସାହସିରେ ଉତ୍ସାହ ଦେବାକୁ କହୁଥିଲୁ । ମୁଁ କ୍ଷଣେ ନିରୁତ୍ତର ରହି କହିଲି,  “ସାର୍, ଆପଣ ଜାଣିଛନ୍ତି ଇସ୍ତଫା ଦେବା ଓ ତାହା ଗୃହୀତ ହେବାର ଏକ ପ୍ରଣାଳୀ ଅଛି ଏବଂ ମୁଁ ମୋ ବାପାଙ୍କୁ ନ ପଚାରି ଏ ବିଷୟରେ ସଙ୍ଗେ ସଙ୍ଗେ କହିପାରିବି ନାହିଁ ।”
କଥା ଲମ୍ୱାଇ ଲାଭ ନାହିଁ । ବାପା ବଡ଼ଭାଇଙ୍କୁ ପଚାରିଲେ ଏବଂ ଦୁହେଁ ମନାକଲେ । ବାପା କହିଲେ, “ଆରେ କୃପାସିନ୍ଧୁ ହୋତା (ବିଶିଷ୍ଟ ଭୂଦାନ ଆନ୍ଦୋଳନ ନେତା ଏବଂ ଆମ ପରିବାରର ମୁଖ୍ୟ) ଜନସେବା ପସନ୍ଦ କରିବେ । ଆଇ.ଏ.ଏସ୍. ରେ ରୁହ ।”
ମଝିରେ ମଝିରେ କେତେଥର ମନରେ ପ୍ରଶ୍ନ ଉଠିଛି -କେଡ଼େ ବଡ଼ ସୁଯୋଗ ହାତଛଡ଼ା କଲି ଯେ !

//ତିନି//- ଉତ୍କଳ ଦିବସ

ଯେପରି ସରକାରୀ ଚାକିରୀରେ ହୁଏ, କିଛି ବର୍ଷ (ଚାରି ବର୍ଷ ଲଗାତର ଗୋଟିଏ କାମରେ- ଇପିକଲ ରେ; ତିନିଜଣ ଚିଫ୍ ମିନିଷ୍ଟର ଓ ଜଣେ ଗଭର୍ଣ୍ଣରଙ୍କ ଅଧୀନରେ କାମ କରିବା ସହଜ ନୁହେଁ) ପରେ ହୋଇ ବଦଳି ହେଲି । ସେହି ଚାରି ବର୍ଷରେ ୩୬ ଗୋଟି ନୂତନ ବୃହତ୍ ଓ ମଧ୍ୟମ ଶିଳ୍ପ ଓଡ଼ିଶାରେ ସ୍ଥାପିତ ହୋଇପାରିଲା ନୂତନ ଦାୟିତ୍ବ, କଟକ ଜିଲ୍ଲାପାଳ।
ସାତଦିନରେ ସତୀ ଜାଣିପାରିଲା ସତ ଅପେକ୍ଷା ଧୈର୍ଯ୍ୟ, ଜ୍ଞାନ ଅପେକ୍ଷା ନିରୁଦବିଗ୍ନତା ଇତ୍ୟାଦି କଲେକ୍ଟର କାମରେ ସଫଳ ହେବାପାଇଁ ଦରକାର । ସେ ଅନୁସାରେ ନିଜକୁ ସଜାଡ଼ି ନେଲି । ତୁରନ୍ତ ସଠିକ୍ ଉତ୍ତର ଦେବାରେ ଅଭ୍ୟସ୍ତ ଥିଲି, କଡ଼ାପାନ କଳରେ ଜାକି ମୁରକି ହସିବା ଶିଖିବା ଆରମ୍ଭ କଲି । ପ୍ରାୟ ଏକ ନୂତନ ପ୍ରଣାଳୀ ଓ ଦୁନିଆ; କିନ୍ତୁ ତାରି ମଧ୍ୟରେ ମୁଣ୍ଡ ଠିକ୍ ରଖି ଭଲକାମ କରିବା ଦରକାର; ରାତିରେ ନିଶ୍ଚିନ୍ତ ହୋଇ ଶୋଇବା ଦରକାର; ସକାଳୁ ଉଠିଲେ ନିଜ ମୁହଁ ଦେଖି ଲଜ୍ଜିତ ହେବାକୁ ଯେପରି ନପଡ଼େ ସେପରି କାମ ସୁଚାରୁରୂପେ ତୁଲାଇବା ଦରକାର !   
ପାନଖିଆ କଥା ଆରଥରକୁ । ଏଥର ଆପାତତଃ ଅସଂଲଗ୍ନ ଖଣ୍ଡାଂଶ ମାନଙ୍କ ମୂଳକଥାକୁ ଆସିବା । ‘ଉତ୍କଳ ଦିବସ’ । କର୍ମକ୍ଷେତ୍ରରେ ବର୍ଷେ ବି ଅଭିଜ୍ଞତା ହୋଇନାହିଁ । ଏପ୍ରିଲ ପହିଲା ଆସିଗଲା । ଆସିଗଲେ ମୋ ପାଖକୁ ସ୍ନେହୀ ଓ ଦକ୍ଷ ଡି.ପି.ଆର.ଓ. ଶ୍ରୀ ଦେ । ‘ସାର୍ କାଲି ଏପ୍ରିଲ ପହିଲା, ଉତ୍କଳ ଦିବସ । ଦିନବେଳା ଛୁଟି । ସଂଧ୍ୟାରେ ଉତ୍କଳ ଦିବସ ଉପଲକ୍ଷେ ସଭା ହେବ । ଡା. ଶ୍ରୀରାମଚନ୍ଦ୍ର ଦାଶ ମୁଖ୍ୟବକ୍ତା ହେବେ । ଆପଣ ସଭାପତି । ସଂଧ୍ୟା ସାତଟା ।’ ମୁଁ ନିଜର ବାଜେ ଅଭ୍ୟାସ ଜାଣିଛି -କାଳେ ବିଳମ୍ୱ କଲେ ସଭା ମର୍ଯ୍ୟାଦା ନଷ୍ଟ ହେବ, ମୁଁ ନିଜକୁ ସଜାଗ ରଖି ଗରମ ସତ୍ତ୍ୱେ ଗଳାବନ୍ଧ କୋଟ ପିନ୍ଧି ସଭାସ୍ଥଳରେ ପହଞ୍ଚିଗଲି । ସ୍ଥାନ ମୋର ପୁରୁଣା ସ୍କୁଲ ଖ୍ରୀଷ୍ଟ କଲେଜିଏଟ୍ ସାମନା, କଳାବିକାଶ କେନ୍ଦ୍ର ପାଖାପାଖି ୟୁନିଅନ୍ କ୍ଲବ୍ ପଡିଆ । କିଛି ଲାଇଟ ଆଦି ଲାଗିଛି ଆଉ ୩୦ରୁ ୪୦ଟି ଟୌକୀ ପଡ଼ିଛି ।  ମୁଁ ଦେଖିଲି ସଭାସ୍ଥଳରେ ଖୁବ ବେଶି ହେଲେ ଦଶଜଣ ଏବଂ ସେ ମଧ୍ୟରୁ ଅର୍ଦ୍ଧାଧିକ ଆମ ନିଜ ଅଫିସ, ସହକର୍ମୀ ବୃନ୍ଦ । ଡା. ଦାଶ ଆସିଲେ- ଶୂନ୍ୟ ଶ୍ରୋତୃମଣ୍ଡଳୀ ସତ୍ତ୍ୱେ ତାଙ୍କ ବାଗ୍ମୀତାରେ ସେ ଅଧଘଣ୍ଟା କହିଲେ -ସାଧାରଣତଃ ସେ ଘଣ୍ଟେ କୁହନ୍ତି -ଖାଲି ଚୌକୀମାନଙ୍କ ସାମନାରେ କେତେ ବା ଉଦବୋଧନ ଦେବେ !  ଦୁଇଚାରିଟା ଫଟ ବି ଉଠିଲା । ପଛ ଆଡ଼କୁ ଅନତିଦୂରରେ ବାରବାଟୀ ଷ୍ଟାଡିୟମ -ଯାହା କୁହନ୍ତି ବେହିଆଙ୍କ ବାରବାଟୀ ଚାଷ । ମୋର ମୁଣ୍ଡ ଲଜ୍ଜାରେ ନଇଁଗଲା । କିନ୍ତୁ ମୋ ସହକର୍ମୀ ଅବା ଡା. ଦାଶ କେହି କିଛି ଦୁଃଖପୂର୍ଣ୍ଣ ମନ୍ତବ୍ୟ ଦେଲେ ନାହିଁ । ସେମାନେ ବୋଧହୁଏ ଏ ବାସ୍ତବତା ସଙ୍ଗେ ଅଭ୍ୟସ୍ତ ।
ତା’ ଆରଦିନ ଖବରକାଗଜରେ କଟକରେ ଉତ୍କଳ ଦିବସ ପାଳନ ଶୀର୍ଷକ ସଚିତ୍ର ସଂକ୍ଷିପ୍ତ ବିବରଣୀ ବାହାରିଲା । ମତେ କିନ୍ତୁ ବହୁତ ଗ୍ଳାନି ବୋଧ ହେଲା । ସେହି ଯେ ସଂକଳ୍ପ ମନେମନେ ଗ୍ରହଣ କଲି, ତା'ପରେ ସାରାଜୀବନ ମୋ ଦ୍ୱାରା ଆହୂତ ସଭାରେ ସଦାବେଳେ ଭରପୁର ଦର୍ଶକ । ଯଦି ସଭା କରିବ -ବିଷୟ ଓ ଦିବସର ମର୍ଯ୍ୟାଦା ବଜାୟ ରହିବା ଏକାନ୍ତ ଆବଶ୍ୟକ ।  
ତେବେ ଉତ୍କଳ ଦିବସରେ ଛୁଟି ଉପଭୋଗ କରୁଥିବା ଛାତ୍ରଛାତ୍ରୀ, କର୍ମଚାରୀ ଆଦିଙ୍କୁ ସଭାସ୍ଥଳକୁ କିପରି ଆକର୍ଷିତ କରି ଆଣିବା ଏବଂ ସେ ବରାଦୀ ଆସିବାରେ ଅବା କି ଲାଭ !   
ମୁଁ ଉପାୟ ପାଞ୍ଚିଲି । ଏପ୍ରିଲ ବିଗତ ହେବାର କିଛି ମାସ ପରେ ଦୁର୍ଗାପୂଜା ପାଳନ ନିମିତ୍ତ ସାଜସାଜ ରବରେ କଟକର ସାହିବସ୍ତି ଦୁଲକିଲା । କଲେକ୍ଟର କଟକ ସହର ପୂଜା କମିଟିର ସଭାପତି । ପୂଜା ଆୟୋଜନ ପାଇଁ ସଭା ହେଲା । ପ୍ରତ୍ୟେକ ୱାର୍ଡର କାଉନ୍‌ସିଲର ମାନେ ଏବଂ ସାହି ପୂଜା କମିଟିର ମୁଖିଆମାନେ ଆସିଗଲେ -ବଡ଼ହଲରେ ପ୍ରାୟ ଷାଠିଏ ସତୁରୀଜଣ ଗଣ୍ୟମାନ୍ୟ ଲୋକ ଯେଉଁମାନେ କଟକର ଦୈନନ୍ଦିନ ଚଳଣିର ପ୍ରାଣକେନ୍ଦ୍ର । ମୁଁ ତାଙ୍କୁ ଆହ୍ୱାନ ଦେଲି -ପୂଜା ସଙ୍ଗେ ଉତ୍କଳ ଦିବସ ମଧ୍ୟ ଆଲୋଚନା ହେବ । ସେମାନେ ପରସ୍ପର ମୁହଁ ଚାହାଁଚୁହିଁ ହେଲେ । ଦୁଇତିନିଥରରେ ବୁଝିଲେ -ଆପଣଙ୍କ ଅବଗତି ପାଇଁ ସଂକ୍ଷେପରେ କହୁଛି, ପ୍ରଥମେ ସେମାନେ ଅସମ୍ମତ ହେଲେ । ମୁଁ କହିଲି, ଦୁର୍ଗାପୂଜାରେ ଯେମିତି ଦୁର୍ଗାମାତାଙ୍କ ବନ୍ଦନା କରାଯାଏ, ସେପରି ଉତ୍କଳ ଦିବସରେ ବନ୍ଦେ ଉତ୍କଳ ଜନନୀ କରାହେବ । ଭାବନ୍ତୁ ଏକ ପ୍ରକାରର ଆଗାମୀ ଏପ୍ରିଲ ପହିଲା ମାଆଙ୍କ ଆବାହନୀ ରୂପେ ଆରମ୍ଭ ହେବ; ଏବଂ ଏକଥା ତ ଆପଣମାନେ ଜାଣନ୍ତି ଯେ ବାରିଷ୍ଟର ମଧୁବାବୁଙ୍କ କର୍ମକ୍ଷେତ୍ର କଟକ -କଟକ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାରେ ଅଗ୍ରଣୀ ଭୂମିକା ନେଇଥିଲା । ଏକା ମଧୁବାବୁ ଏ କାମ କରି ପାରିନଥାନ୍ତେ । ନିଶ୍ଚୟ ଅନେକ କଟକିଆ ସେତେବେଳେ ତାଙ୍କ ସଙ୍ଗେ ଅଣ୍ଟାଭିଡ଼ି ବାହାରିଥିବେ । ତା’ପରେ ତାଙ୍କୁ କହିଲି ଯେ ପ୍ରସ୍ତାବ ଗ୍ରହଣ କରାଯାଉ ପ୍ରତ୍ୟେକ ପୂଜା କମିଟି ତାଙ୍କ ସଂଗୃହୀତ ଚାନ୍ଦା ଅର୍ଥର ଦଶ ଶତକଡ଼ା ବଞ୍ଚ୍ଚାଇ ରଖିବେ । ମାର୍ଚ୍ଚ ୩୦, ୩୧ ଏବଂ ପହିଲା ଏପ୍ରିଲ ଦିନ ଖର୍ଚ୍ଚ କରିବେ, ନିଜ ସାହିପିଲାମାନଙ୍କୁ, ଶିଳ୍ପୀ କଳାକାରଙ୍କୁ ଏକାଠି କରି ପିଲାମାନେ ସମବେତ କଣ୍ଠରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବେ । ଶ୍ରେଷ୍ଠ ଦଳ ପହିଲା ଏପ୍ରିଲ ଦିନ ଏହି ସଙ୍ଗୀତ ଆରମ୍ଭରେ ଗାନ କରିବେ ଏବଂ ପ୍ରତ୍ୟେକ ସାହିପୂଜା କମିଟି ନିଜ ରୁଚି ଅନୁସାରେ ଓଡ଼ିଶାର କୌଣସି ଏକ ଐତିହାସିକ ଘଟଣା ବା କିମ୍ୱଦନ୍ତୀ ଉପରେ ଆଧାରିତ  ସାଂସ୍କୃତିକ ଅନୁଷ୍ଠାନ ଯେପରି ପାଲା, ଦାସକାଠିଆ ଠାରୁ ନେଇକରି ଛୋଟ ନାଟକ-ଏକାଙ୍କିକା ପରିବେଷଣ କରିବେ । ତା’ପରେ ହସିକରି କହିଲି, ସାହି ସାହିରେ କଳିଝଗଡ଼ା ବେଳେ ଲାଠି ଧରି ବାହାରିବାକୁ ଆପଣମାନଙ୍କ ଭିତରୁ କେତେ ଜଣଙ୍କ ଇଚ୍ଛା । ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ ଯେ ମୋ ଉପରେ ବିଶ୍ୱାସ କରି ସମାଧାନ ମୋ ଉପରେ ଛାଡ଼ି ଲାଠି ଆଦି କାମରେ ଲଗାଉ ନାହାନ୍ତି । ଉତ୍କଳ ଦିବସ ପୂର୍ବରୁ ପାଇକ ଖେଳ -ଲାଠି ଚାଳନା, କୁସ୍ତି ପ୍ରତିଯୋଗିତା ମଧ୍ୟ କରାଯାଇପାରେ ଏବଂ ଏପ୍ରିଲ ପହିଲା ସଂଧ୍ୟାରେ ତାର ନମୁନା ଶ୍ରେଷ୍ଠ ଦୁଇଦଳ ଭିତରେ ପ୍ରଦର୍ଶନ କରାଯାଇପାରେ । ଏବଂ ଶେଷରେ କହିଲି - “ଓଡ଼ିଆ ବୋଲି କଟକିଆ ଗର୍ବ କରନ୍ତି କି ନାହିଁ । ବରଂଚ କଟକିଆଙ୍କ ଦୁର୍ନାମ ଯେ ସେମାନେ ନିଜକୁ ସବୁଠାରୁ ଶ୍ରେଷ୍ଠ ଓଡ଼ିଆ ବୋଲି ଭାବନ୍ତି -ଯଦି ଏକଥା କିଛି ବି ସତ ତେବେ ଅନ୍ୟମାନେ ଭଲଭାବେ ଉତ୍କଳ ଦିବସକୁ ସମ୍ମାନ ଦେବା ପୂର୍ବରୁ ଆମେ କଟକବାସୀ ବାଜି ଜିତିବାକୁ ହେବ ।” 
ଏତେକ -ଆପଣ କହିବେ- ସଂକ୍ଷେପ ବକ୍ତବ୍ୟ କିପରି ? ବିଶ୍ୱାସ କରନ୍ତୁ ମୁଁ ପ୍ରାୟ ଅଧଘଣ୍ଟାଏ କାଳ ବାୟାପରି ଯୋଶରେ କହିଚାଲିଲି । ମୋ ଆଖିରେ ଲୁହ ଆସିଗଲା । ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳର ଗୁରୁ ଗୋବିନ୍ଦ ସିଂଜୀ ମହାରାଜଙ୍କ ଜନ୍ମ ଉତ୍ସବରେ ଧନୀଦରିଦ୍ର ସମସ୍ତେ କିପରି ଶୋଭାଯାତ୍ରାରେ ଭାଗ ନିଅନ୍ତି ସେ କଥା ଭାବାବେଗରେ କହୁ କହୁ ମୋ ଆଖିରୁ ଲୁହ ବୋହିଲା- ଜଣେ ବର୍ଷୀୟାନ୍ ମୁରବି ଉଠିଆସି ମୋ ଆଖିଲୁହ ନିଜ ଗାମୁଛାରେ ପୋଛିଦେଲେ । କହିଲେ,  “ସମସ୍ତେ ଠିଆହୋଇ ପ୍ରତିଜ୍ଞା କର । ଏଥର ଦୁର୍ଗାପୂଜା ଚମକାଇବା । ଆଉ ଏପ୍ରିଲ ପହିଲା ଉତ୍କଳ ଦିବସରେ ସମସ୍ତେ ହୋତା ସାର୍ କହିଲାପରି ସବୁ ସାହି ଭଲ ଭାବରେ ଭାଗ ନେବେ" ।
ମୁଁ ସେତେବେଳେ କଟକ ମ୍ୟୁନିସିପାଲିଟି ଚେୟାରମ୍ୟାନ ମଧ୍ୟ । ତେଣୁ ଶହୀଦ ଭବନ ପାଖ ଖୋଲା ପଡ଼ିଆରେ ମଞ୍ଚ ଆଲୋକସଜ୍ଜାର ଭାର ମ୍ୟୁନିସିପାଲିଟି ନେଲା । 
ଦୁର୍ଗାପୂଜା, କାଳୀପୂଜା ସରିଲା । ମାର୍ଚ୍ଚମାସର ଶେଷରେ ଅଫୁରନ୍ତ ଉତ୍ସାହରେ ସାହି-ସାହିରେ ଆଭ୍ୟନ୍ତରୀଣ ପ୍ରତିଯୋଗିତା ଚାଲିଲା । ତାପରେ ମାର୍ଚ୍ଚ ୩୦-୩୧ରେ ବଛାବଛି ପ୍ରତିଯୋଗିତା । ପ୍ରତି ସଂଧ୍ୟାରେ ପ୍ରାୟ ପାଞ୍ଚହଜାର ଦର୍ଶକ । ମୁଁ କୌଣସି କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରୁନଥାଏ । ମୋର ଯାହା ମନେଅଛି ଶ୍ରୀଯୁକ୍ତ ପତିତପାବନ ମହାପାତ୍ର ଓ ଶ୍ରୀଯୁକ୍ତ ସିଂହ ମ୍ୟୁନିସିପାଲ ଚିଫ୍ ଅଫିସର ଏବଂ ଶ୍ରୀ ଦେ ମିଶି ସବୁକାମ ସୁରୁଖୁରୁରେ କରୁଥାନ୍ତି । ଏପ୍ରିଲ ଏକ ତାରିଖ ସଂଧ୍ୟାରେ ମୁଁ ପାଞ୍ଚମିନିଟ ସ୍ୱାଗତ ଭାଷଣ ଦେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଲି -‘ଓଡ଼ିଶା ତଥା କଟକର ପ୍ରାଣ କଟକର ସାହିବସ୍ତିର ଉନ୍ନତ ସଂସ୍କୃତିରେ ଲୁକ୍କାୟିତ’ ବୋଲି କହିଲି । ଯୋଡ଼ହସ୍ତ ନମସ୍କାର କରି କହିଲି ଯେ ଉତ୍କଳ ଦିବସରେ ଯେତେ ବଡ଼ ବାଗ୍ମୀ ହୁଅନ୍ତୁ, କିନ୍ତୁ କେବଳ ଜଣେ କହିବେ -ମୋର ସେଥିରେ କମ ବିଶ୍ୱାସ । ସାହିବସ୍ତିର ସମସ୍ତେ ଭାଗନେବେ, ମଞ୍ଚରେ ବିରାଜିବେ, ଉତ୍କଳ ଜନନୀଙ୍କୁ ନିଜ ନିଜ ଅନୁସାରେ ବନ୍ଦାଇବେ -ମୁଁ ଏଥିରେ ବେଶି ବିଶ୍ୱାସ କରେ । ଆଶ୍ଚର୍ଯ୍ୟର ବିଷୟ -ସେଦିନ ସଂଧ୍ୟାରେ ପନ୍ଦର ହଜାର ଦେଖଣାହାରୀ ଥିଲେ । 
ପରେ ମତେ କୁହାଗଲା ଯେ ମାନନୀୟା ଜୟନ୍ତୀ ପଟ୍ଟନାୟକ ଓ ତତ୍କାଳୀନ ଆଡଭୋକେଟ୍ ଜେନେରାଲ ଶ୍ରୀଯୁକ୍ତ ଗୋବିନ୍ଦ ଦାସ (ଅମାବାସ୍ୟାର ଚନ୍ଦ୍ର) ସେ ବାଟେ ଗାଡ଼ିରେ ବସି ଭୁବନେଶ୍ୱର ଯାଉଥିଲେ । ଏତେ ଜନସମାଗମ ଦେଖି ଘଡ଼ିଏ ଅଟକି ପଚାରି ଅନୁଷ୍ଠାନର କିଛି ଦୃଶ୍ୟ ଅଳ୍ପ ଦେଖି ଯାଇ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ।  
ମୋ କାନକୁ ଏକଥା ଆସିଲା । ସେତେବେଳେ ଭାବିଲି, ମୋ ବାପା ବୋଧହୁଏ ଠିକ୍ -ଟାଟା ଗ୍ରୁପ୍ ଜଏନ୍ କରିଥିଲେ ବ୍ୟକ୍ତିଗତ ଦାରିଦ୍ର୍ୟ ହଟିଥାନ୍ତା । ଉଚ୍ଚସ୍ତରର କାମ କରିବାକୁ ସୁଯୋଗ ମିଳିଥାନ୍ତା ! କିନ୍ତୁ ସମାଜର ସବୁ ସ୍ତରର ଜନସାଧାରଣଙ୍କ ସ୍ନେହ ସମର୍ଥନ ମିଳିଲେ ମନରେ ଯେଉଁ ଅପୂର୍ବ ପୁଲକ ଆସେ, ତାହା ଅନୁଭବ କରି ହୋଇନଥାନ୍ତା । ପ୍ରଶାସକର କ୍ଷମତା ସୀମିତ, ଚାକିରି ଜୀବନକାଳ ସୀମିତ -ହୁଏତ ଧନସଂପତ୍ତି ମଧ୍ୟ । କେତେକ ସମକାଳୀନ ସାଙ୍ଗସାଥୀଙ୍କ ତୁଳନାରେ ମଧ୍ୟ କମ । କିନ୍ତୁ ରାଜନୀତିକ ଏବଂ ଏବେ ବିଚାରାଳୟର ସମୟ ସମୟରେ ତାଡ଼ନା ସତ୍ତ୍ୱେ ଭଲ କାମ କରି ଜନସାଧାରଣଙ୍କ ସ୍ନେହ ବିଶ୍ୱାସ ପାଇବା ଏକ ଐଶ୍ୱରୀୟ ସୁଯୋଗ ।
ଏହି ଅପୂର୍ବ ସୁଯୋଗ ଚାହୁଁ ଚାହୁଁ ହାତଛଡ଼ା ହୋଇଯାଏ; ଜୀବନ ସୀମିତ, ଅବସର ସମୟ ଆସିଯାଏ । ଭଲ ପ୍ରଶାସକ ହେବାକୁ ହେଲେ ମନ ପରିବ୍ୟାପ୍ତ ହେବା ଦରକାର, ମନରେ ଧନୀ ହେବା ଦରକାର, ପକେଟରେ ନୁହେଁ । ଲୋକଙ୍କୁ ସମର୍ପିତ ରହିଲେ ଯେଉଁ ଧନ ମିଳେ ତାହା ଆଗରେ ପାର୍ଥିବ ଧନ-ସଂପତ୍ତି ତୁଳନୀୟ ନୁହେଁ । ଲୋକ ସମର୍ଥନ ହିଁ ପ୍ରଶାସକର ସବୁଠାରୁ ବଡ଼ ଶକ୍ତି ।

ପ୍ରସନ୍ନ କୁମାର ହୋତା,
  • ପ୍ରସନ୍ନ କୁମାର ହୋତା,EX IAS
  • ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ନୂଆଦିଲ୍ଲୀ

Leave A Reply

Your email address will not be published.