ନୀଳମଣି ବିଦ୍ୟାରତ୍ନ : କାହିଁକି ଛାଡିଥିଲେ ବାମଣ୍ଡା?

0

* ସମ୍ବଲପୁର ହିତୈଶିଣି ‘ପତ୍ରିକାର ଥିଲେ ସମ୍ପାଦକ

  • GUEST EDITOR // ଶ୍ରୀକାନ୍ତ ଦାଶ//


 ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପବିତ୍ର ଜନ୍ମଦିବସ | ସେ ଏ ଜାତିର ଗର୍ବ ଓ ଗୌରବ | 1867 ଡିସେମ୍ବର 14ରେ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ବୈଦେଶ୍ଵର ଗ୍ରାମରେ ଜନ୍ମ ଲଭି ସ୍ଵକୀୟ ଗୁଣରେ ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳତା ଲାଭ କରିଥିଲେ |ଓଡ଼ିଆ ଭାଷା ସଂସ୍କୃତିକୁ ନଷ୍ଟ କରିଦେବାରେ ଅଣଓଡ଼ିଆଙ୍କ ଚକ୍ରାନ୍ତକୁ ପଣ୍ଡ କରିବାରେ ଯେଉଁ କେତେଜଣ ଓଡ଼ିଆ ସଂଗ୍ରାମ କରିଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ ପଣ୍ଡିତ ନୀଳମଣି |


ଛାତ୍ର ଜୀବନରୁ ଖବର କାଗଜ ଓ ବିଭିନ୍ନ ପତ୍ରପତ୍ରିକା ପଢିବାରେ ସେ ଆଗ୍ରହୀ ଥିଲେ | ଶିକ୍ଷକତାରୁ ସେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ |
ବାମଣ୍ଡା ନରେଶ ତାଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇ ତାଙ୍କୁ ନିଯୁକ୍ତି ଦେଇଥିଲେ | ଓଡ଼ିଆ ଭାଷା,ଓଡ଼ିଆ  ଭାବ ଓ ଓଡ଼ିଆ ରାଜ୍ୟ ଗଠନର ଅମର ବିନ୍ଧାଣି ସେ |
ବାମଣ୍ଡା ରାଜା 1887ରେ ପ୍ରକାଶନ ଆରମ୍ଭ କରିଥିବା ‘ସମ୍ବଲପୁର ହିତୈଶିଣି ‘ପତ୍ରିକାର ଦାୟିତ୍ୱ ନୀଳମଣିଙ୍କୁ ଦେଇଥିଲେ |ଏହି ପତ୍ରିକାକୁ ସାପ୍ତାହିକ କରି ସାରା ରାଜ୍ୟରେ ପ୍ରସିଦ୍ଧି ଦେବାରେ ସେ ସଫଳ ହୋଇଥିଲେ |ଏହାର ସମ୍ପାଦକ ଭାବେ ସେଥିରେ  ରାଧାନାଥ ରାୟ, ଗଙ୍ଗାଧର ମେହେର, ଫକୀରମୋହନ ସେନାପତି, ମଧୁସୂଦନ ରାଓ, ବିଶ୍ୱନାଥ କର, ଜଳନ୍ଧର ଦେବ ପ୍ରମୁଖଙ୍କ ଲେଖା  ନିୟମିତ ପ୍ରକାଶିତ କରୁଥିଲେ |   ସେ ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ ଓ ନିର୍ଭିକ ସମ୍ପାଦକ |ଲେଖା ପ୍ରକାଶକୁ ନେଇ ରାଜାଙ୍କ ସହ ଅସହମତି ଯୋଗୁଁ ସେ ବାମଣ୍ଡା ଛାଡି ଥିଲେ |
ଓଡିଶାର ବିଭିନ୍ନ ଅଞ୍ଚଳରେ ରହି ‘ପ୍ରଜାବନ୍ଧୁ ‘, ଗଞ୍ଜାମ ଗୁଣ ଦର୍ପଣ ‘, ‘ଉତ୍କଳ ଦୀପିକା ‘, ଓ ‘ଉତ୍କଳ ମଧୁପ ‘ଆଦିର ସମ୍ପାଦନା କରିଥିଲେ |ନୀଳମଣି ହିଁ ପ୍ରଥମେ ‘ଗଞ୍ଜାମ ସମ୍ମିଳନୀ ‘ଗଠନ ମାଧ୍ୟମରେ ‘ଉତ୍କଳ ସମ୍ମିଳନୀ ‘ର କଳ୍ପନା କରିଥିଲେ |ତାଙ୍କ ଉଦ୍ୟମରେ ଆୟୋଜିତ ଗଞ୍ଜାମ ସମ୍ମିଳନୀରେ ଉତ୍କଳ ଗୌରବ ମଧୁସୂଦନ ଦାସ ଯୋଗଦେଇ ଅନୁଭବ କରିଥିଲେ ଯେ ଓଡିଶାର ବିଚ୍ଛିନ୍ନାଞ୍ଚଳମାନଙ୍କୁ ଏକତ୍ରିତ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାର ଲକ୍ଷ୍ୟ ସାଧନ କରିବାକୁ ଏହିପରି ସମ୍ମିଳନୀ ଆବଶ୍ୟକ |ଏହାପରେ ଉତ୍କଳ ସମ୍ମିଳନୀ ଗଢ଼ା ହୋଇଥିଲା |


ନୀଳମଣି ବିଦ୍ୟାରତ୍ନ ଥିଲେ ଓଡିଆ ଭାଷା ଓ ଉତ୍କଳ ପ୍ରଦେଶର ଆଜୀବନ ସେବକ |ସମାଜରୁ କୁସଂସ୍କାର ଦୂର କରିବାକୁ ସେ ଅହରହ ଉଦ୍ୟମ କରୁଥିଲେ |ବିଧବା ବିବାହ ପ୍ରଚଳନ ଓ ବାଲ୍ୟ ବିବାହ ବନ୍ଦ ପାଇଁ ତାଙ୍କର ଅବଦାନ ସ୍ମରଣୀୟ |ସେ ପୁରୀରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ |
ଏଭଳି ଜଣେ ମହାପୁରୁଷଙ୍କୁ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି I

ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ I – ମୋବାଇଲ ନମ୍ବର 9238304919

Leave A Reply

Your email address will not be published.