ଆଉ ଏକ ନିଚ୍ଛକ ଅନୁଭୂତି ‘ବିରଳ ବନ୍ଧୁତା’

0
  • +++++++++++++++++++++++++++++
  • GUEST EDITOR //ଶ୍ରୀକାନ୍ତ ଦାସ//
  • TATKAL ODISHA// ତୀର୍ଯ୍ୟକ// 
  • ++++++++++++++++++++++++++++++

ମୋର ତିନି ମାମୁଁ  | ବଡ଼ ବିଶ୍ୱେଶ୍ୱର ତ୍ରିପାଠୀ, ମଝିଆଁ ଗୋପେଶ୍ୱର ତ୍ରିପାଠୀ, ସାନ ସର୍ବେଶ୍ୱର ତ୍ରିପାଠୀ | ବନ୍ଧୁତା ରକ୍ଷା ତଥା ପରୋପକାରୀ ଭାବେ କେହି କମ ନୁହନ୍ତି | ଏବେ ବଡ଼ମାମୁଁଙ୍କ କଥା ଲେଖୁଛି |   

       ବଡମାମୁଁ  late ବିଶ୍ୱେଶ୍ୱର ତ୍ରିପାଠୀ ଥିଲେ ଜଣେ ରୂଷି ପ୍ରତିମ ମଣିଷ.ସ୍ନେହୀ,ସରଳ, ଅମାୟିକ ମଣିଷ |ତାଙ୍କ ସହିତ କଟେଇଥିବା ସମୟଏବେ ବି ମୋ ମନ ଭିତରେ ଜୀବନ୍ତ ରହିଚି ଓ ମୋତେ ପ୍ରେରଣା ପ୍ରଦାନ କରୁଚି | ତାଙ୍କ ବନ୍ଧୁପ୍ରିୟତା ଏବେ ବିରଳ |ବନ୍ଧୁତାର ପରିଭାଷା ସେ ମୋତେ ଶିଖେଇଛନ୍ତି | ମୋର ବନ୍ଧୁ,ମୋତେ ଭଲ ପାଉଥିବା ଜ୍ଞାତି ପରିଜନ ଏହା ଜାଣି ସେ କଥାକୁ ପାଳନକଲେ ଏ ସଂସାରଟା ସ୍ୱର୍ଗ ପାଲଟିଯିବ..|

ମୋ ବଡ  ଭାଇନା (Late ରବି ନାରାୟଣ ଦାଶ, ଯାହାଙ୍କୁ ବୁଲା ଭାଇନା ଡାକୁ)ଙ୍କ ବଡ ପୁଅ ଗୁଫୁନ୍ ବ୍ରତ ଘର ସମୟର କଥା | ବଡ ମାମୁଁ ବ୍ରତଘରରେ ଯୋଗ ଦେବାକୁ ଆସିଥା’ନ୍ତି |ଗାଁ ଶଙ୍ଖାମେରୀରେ ମାମୁଁଙ୍କୁ ପ୍ରାୟ ସମସ୍ତେ ଭଲପା’ନ୍ତି,ସମ୍ମାନ କରନ୍ତି |କାରଣ ସେଥିଲେ ଜଣେ ପ୍ରସିଦ୍ଧ ଆୟୁର୍ବେଦିକ ଡାକ୍ତର |ରୋଗୀ ପାଇଁ ସେ ଥିଲେ ସାକ୍ଷାତ୍ ଅଶ୍ୱିନୀକୁମାର |
  ବ୍ରତ ଘର ସରିଲା, ଗାଁ ଲୋକେ ଭୋଜିଖାଇ ଯେଝା ଘରକୁ ଗଲେ |ଏହି କାର୍ଯ୍ୟକ୍ରମ ସରିଲା ବେଳକୁ ରାତି ପ୍ରାୟ ସାଢେ ୧୨ଟା | ଆମେ ଭାଇମାନେ କ୍ଳାନ୍ତ ଶରୀର ଶାନ୍ତ ପାଇଁ  ରାତିରେ ମହାନଦୀରେ ଗାଧୋଇ ଘରକୁ ଫେରି ମାଛ ଭଜା ଓ ପଖାଳ ଖାଇଲୁ  | ଦିନର ବ୍ୟସ୍ତତାରେ ଆଉ ଭୋଜୀ ଖାଇବାର ଆଗ୍ରହ ନ ଥିଲା |     

  ତରକାରୀ ଟିକିଏ ଟିକିଏ ଯାହା ଚାଖିବାକୁ ନେଇଥିଲୁ |କ୍ଷିରୀ ବାସିରେ ଖାଇଲେ ଭଲ ଲାଗିବ ବୋଲି ଦେବ ଭାଇନା ମା’କୁ କହୁଥାନ୍ତି  | କାରଣ ବୁଢିମା’ପାଟିକରି କହୁଥାଏ “ଆରେ, କ୍ଷିରୀ ଟିକିଏ ଖାଇ ଦିଅରେ..’ତାକୁ ଯେତେ କହୁଥାଉ”ତୁ ଯା’ଶୋଇବୁ,ସେ ଯାଉ ନ ଥାଏ.କହୁଥାଏ ‘ତୁମେ ଖାଇ ଶୋଇବାକୁ ଗଲେ ମୁଁ ଶୋଇବି ‘ | ନନା ବି ଅପେକ୍ଷା କରିଥା’ନ୍ତି | ଆମ ଖାଇବା ସରିବ,ସେ ଓ ମାମୁଁ ଶୋଇବାକୁ ଯିବେ |

ରାତି ପ୍ରାୟ ୧ଟା ୨୦ | ମାମୁଁ ମୋତେ କହିଲେ ବେ’ଗି ଖାଇଦେ,ମାଧବ ଘରଆଡେ ଟିକେ ବୁଲି ଆସିବା |ଏ କଥାଶୁଣି ସମସ୍ତେ ଆଶ୍ତର୍ଯ୍ୟ ହେଲେ | ମୁଁ କହିଲି “ମାମୁଁ, ସକାଳେ ଯିବା | ସେ ଆଉ ଆମ ସାହିରେ ରହୁ ନାହାଁନ୍ତି,କନ୍ତପଡା ରେ ନୂଆ ଘର କରି ରହୁଚନ୍ତି | ଏଠରୁ ଦେଢ କି.ମି. ବାଟ ହେବ |ମାମୁଁ କହିଲେ’ ମାତ୍ର ଏତିକି ବାଟ ! ଲଣ୍ଠନ ଧର, ଠେଙ୍ଗା ଧର,ଯିବା,ଆଉ ଡେରି କରନା” | ଯେତେ କହିଲି ସକାଳେ ଯିବା | ସେ ଶୁଣିବାକୁ ନାରାଜ  | ତାଙ୍କୁ ନିରୁତ୍ସାହିତ କରିବାପାଇଁ କହିଲି  |’ମାଧବ ଭାଇନା ପିଲାଙ୍କୁ ଧରି ଭୋଜି ଖାଇବାକୁ ଆସିଥିଲେ, ତୁମକୁ ନମସ୍କାର କଲେ, ସେତେବେଳେ କଥାହେଲନି?’ ଆଉ ମୁଁ ଯେବେ ଭୂବନେଶ୍ୱର ଯାଏ ସେ ତୁମକଥା ପଚାରନ୍ତିନି,ଆଉ ତୁମେ ବି କେବେ ତାଙ୍କ କଥା ପଚାରିନ? ତା ପରେ ତୁମେ ଡମଣଗାଡିଆ ଆୟୁର୍ବଦିକ୍ dispensary ଛାଡିବା ପ୍ରାୟ ୧୫ ବର୍ଷ ହେଲାଣି |

  • ସେତେବେଳର ଆତ୍ମୀୟତା କ’ଣ ଏବେ ଅଛି.?

ତା’ ଛଡା ତୁମେ ଜଣେ ପ୍ରସିଦ୍ଧ ଆୟୁର୍ବେଦ ବିଶେଷଜ୍ଞ |ବିଭିନ୍ନ ଯାଗାରେ ରହି ନିଜର ସ୍ୱତନ୍ତ୍ର ପରିତୟ ତିଆରି କରିଚ |ଖାଲି ସେତିକିନୂହେଁ ଶ୍ରୀଜଗନ୍ନାଥ ଆୟୁର୍ବେଦିକ୍ ଭେଷଜ ମହାବିଦ୍ୟାଳୟର  Superitendentପରି ପଦବୀ ମଣ୍ଡନ କରି ଅବସର ନେଇଛ | ଆଉ ମାଧବ ଭାଇନା, ଅଖ୍ୟାତ ପଲ୍ଲୀର ପ୍ରାଥମିକ ଶିକ୍ଷକ ! ସେ ତୁମକୁ ଭୂଲିଯିବେଣି” ମାମୁଁ କହିଲେ”ଆତ୍ମୀୟତା ମରେନି | ଆମର ବନ୍ଧୁତା କୃଷ୍ଣ  ସୁଦାମାର ବନ୍ଧୁତା”ବନ୍ଧୁତାରେ ସ୍ତର ଦେଖାଯାଏନି,ଧନସଂପତ୍ତି ଦେଖାଯାଏନି, ଦେଖାଯାଏ ବିଶ୍ୱାସ ଓ ଭଲ ପାଇବା |ଆରେ ମୋ ଭଳି ଜଣେ ବିଶିଷ୍ଟ ତଥା ସମସ୍ତ ସୁବିଧା ଥିବା ଲୋକଟି ଯଦି ତାକୁ ଦେଖାକରିବାକୁ ଆସିପାରିନି, ତାର  ଇଛା ଥିଲେ ବି ସେ କେମିତି ଯିବ?ତାର ଭଲ ପାଇବା ମୋତେ ଏଠିକି ଟାଣି ଆଣିଚି | ଏହା ଏବେ ମୁଁ ବୁଝିପାରୁଚି |

ସେ ମୋତେ ବିକଳ ହୋଇ ଖୋଜୁଚି | ସକାଳେ ହୁଏତ ମୋର ଏ ଭାବ ନ ଥାଇପାରେ, ଆଉ ସେ କର୍ମ ଜଞ୍ଜାଳରେ  ସକାଳୁ କୁଆଡେ ଚାଲି ଯିବାର ସମ୍ଭାବନାକୁ ଏଡେଇ ଦେଇ ହେବନି |ଏଣୁ ଏଇଟା ଠିକ୍ ସମୟ ପରସ୍ପରକୁ ଭେଟିବାର |

ଉପସ୍ଥିତ ଅନ୍ୟମାନଙ୍କୁ ଚାହିଁ କହିଲେ ‘    
                  ମନେରଖ ସମସ୍ତେ, ଯିଏ ଖୋଜୁଚି, ସୁଯୋଗଅଛି ସେ ଯିବ | ଅମୁକଘରକୁ ମୁଁ ଏତେ ଥର ଗଲିଣି, ସେ ଦିନେ ମୋ ଘରକୁ ଆସିଲାନି….ଏ ବିଚାର ଠିକ୍ ନୂହେଁ | ସେ ହୁଏତ ସମୟ ସୁଯୋଗ ପାଇନି ,ଏଣୁ ଆସିନି | ଆଉ ବୁଝିରଖ ସେ ଖୋଜୁଚି ବୋଲି ତୁମେ ତା ପାଖକୁ ଯାଉଛ…  ସମସ୍ତଙ୍କ ଆଖିରୁ ନିଦ ଚାଲି ଯାଇଥିଲା | 

  • ନନା କହିଲେ”ଯା’ଦେଖି କି ଯିବ | ଶୀଘ୍ର ଯାଇ ଆସ” ବାଧ୍ୟହୋଇ ମାମୁଁଙ୍କ ସହ ସେଇ ରାତିରେ ଲଣ୍ଠନ ଧରିଗଲି | ମାଧବ ଭାଇନାଙ୍କ ଦ୍ୱାରରେ ମାମୁଁ ୨ଥର ଆଘାତ କରି ଡାକିଲେ, “ମାଧବ,ମାଧବ,ମୁଁ ଆସିଚି,’କବାଟ ଖୋଲିନି,ସେପଟୁ ମାଧବ ଭାଇନା ଉତ୍ତର ଦେଲେ”ମୋ ନାଥଭାଇନା କି?’ମୁଁ ଆଶ୍ଚର୍ଯ୍ୟ ହୋଇଗଲି ! କେହି କାହାକୁ ଦେଖି ନାହାଁନ୍ତି,ଅଥଚ ସ୍ୱର ବାରି ମାଧବ ଭାଇନା ଉତ୍ତର ଦେଉଛନ୍ତି ଦୀର୍ଘ୧୫ ବର୍ଷ ପରେ ! କବାଟ ଖୋଲି ମାଧବ ଭାଇନା ମାମୁଁଙ୍କୁ କୁଣ୍ଢେଇ ପକେଇଲେ,  ମାମୁଁମଧ୍ୟ |ଉଭୟଙ୍କ ଆଖିରୁ ଲୁହ ଗଡି ଯାଉଥାଏ |ଭାଇନା କହିଲେ”ତୁମକୁ ଆଉ ଦେଖିବି ଏ ବିଶ୍ୱାସ ନଥିଲା !ଯାହାହେଉ ମୋର ଭାଗ୍ୟ  |
  • ମାମୁଁ କହିଲେ”ତୁମକୁ ଦେଖିବାକୁ ମନ ବିକଳ ହେଲା  | ଏଣୁ ଚାଲି ଆସିଲି | ବୁଢା ହେଲିଣି, ଆଉ ଆସିପାରିବିନି |ଯା ଶୋଇବ,ମୁଁ ଯାଉଛି | ଆମେ ଫେରିଲୁ | ମାମୁଁଙ୍କର  ଡାକ ନାଁ ‘ନାଥ’, ସେଦିନ ଜାଣିଲି |ମୋ ଆଖିରୁ ଲୁହ ଗଡିଆସିଲା  | କି ଅପୂର୍ବ ବନ୍ଧୁତା ! ମାମୁଁ କହିଲେ “ଦେଖିଲୁ, ସେ ମୋତେ କେତେ ବିକଳ ହୋଇ ଖୋଜୁଥିଲା”! ମୋ ପାଟିରେ ଭାଷା ନ ଥିଲା…
  • ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି ‘, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ
  • ମୋବାଇଲ ନମ୍ବର -9238234069

Leave A Reply

Your email address will not be published.