ପ୍ରଥମାଷ୍ଟମୀ: ‘ଦୁହାଁ’ ‘ପୋଢ଼ୁଁଆ’ ପୂଜା

0
  • ଆଲେଖ୍ୟ :// ଶ୍ରୀକାନ୍ତ ଦାସ //
  • TATKAL ODISHA//ଐତିହ୍ୟ ଖୋଜ//


ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ |ଏହା ଓଡ଼ିଆମାନଙ୍କର ଅନ୍ୟତମ କୃଷିଭିତ୍ତିକ ପ୍ରମୁଖ ପର୍ବ | ଏହି ପର୍ବରେ ମା’ଷଠୀ ଦେବୀଙ୍କୁ ପୂଜା କରାଯାଇ ଘରର ବଡ ପୁଅ ଵା ଝିଅ ର ସୁଖ, ସମୃଦ୍ଧି ଆୟୁଷ କାମନା କରାଯାଏ, ଵା ସେମାନଙ୍କୁ ପୋଢ଼ୁଁଆ କରାଯାଏ |

ଜ୍ୟେଷ୍ଠ ପୁଅ ଵା ଝିଅଙ୍କୁ ପିଢାରେ ବସାଇ ବନ୍ଦାପନା କରି ସେମାନଙ୍କର କୁଶଳ ମଙ୍ଗଳ କାମନା କରାଯାଉଥିବାରୁ ଏହାକୁ ଜ୍ୟେଷ୍ଠାଷ୍ଟମୀ ମଧ୍ୟ କୁହନ୍ତି |ଏଥିରୁ ପିତା ମାତା ତଥା ପରିବାରର ସମସ୍ତ ସଦସ୍ୟ ବଡ ସନ୍ତାନ ପ୍ରତି କେତେ ସ୍ନେହ ଆଦର ପ୍ରକାଶକରନ୍ତି ତାହା ଏ ପର୍ବରୁ ଜଣାପଡେ |ଆଉ ସେମାନଙ୍କ ପାଇଁ ମାମୁଁ ଘରୁ ନୂତନ ବସ୍ତ୍ର ଓ ମିଠା ଆସିଥାଏ |ଏଥିପାଇଁ ମାମୁଁଙ୍କୁ ଅଷ୍ଟମୀ ବନ୍ଧୁ କହନ୍ତି |ଏ ପର୍ବରେ ନୂଆ ଅରୁଆ ଚାଉଳ, ବିରିରେ ଛେନା, ନଡ଼ିଆ ପୁର ଦେଇ ହଳଦୀ ପତ୍ର ପିଠା ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ଲାଗି କରାଯାଏ |ଆଉ ସୁସ୍ୱାଦୁ ଏଣ୍ଡୁରି ପିଠା ଓ କ୍ଷୀରି ପ୍ରସ୍ତୁତ ହୁଏ |ପ୍ରଥା ଅନୁଯାୟୀ ଏଣ୍ଡୁରି ହାଣ୍ଡି ସାତ ଦିନ ଯାଏଁ ରହେ ଓ ତା ପରେ ଭଙ୍ଗାଯାଏ|


ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ଏହି ପର୍ବରେ ବଡଭାଇ ବଳରାମ ପୋଢ଼ୁଁଆ ହୁଅନ୍ତି, ଆଉ ଲିଙ୍ଗରାଜ ମଧ୍ୟପୋଢ଼ୁଁଆ ହେବାକୁ ମିତ୍ରେଶ୍ଵର ବରୁଣେଶ୍ଵର ମନ୍ଦିରକୁ ଯାଇଥାନ୍ତି | ଓଡ଼ିଶାରେ ବିଭିନ୍ନ ମନ୍ଦିରରେ ପୂଜିତ ଦେବା ଦେବୀ ମଧ୍ୟ ପୋଢ଼ୁଁଆ ହୋଇଥାନ୍ତି | |ଘରର ଜ୍ୟେଷ୍ଠସନ୍ତାନ ଏହି ପର୍ବରେ ପୋଢ଼ୁଁଆ ହେଉ ଥିବାରୁ ଏହା ମଧ୍ୟ ପୋଢ଼ୁଁଆ ଅଷ୍ଟମୀ ନାମରେ ପ୍ରସିଦ୍ଧ ଅଟେ |କେତେକ ପରିବାରରେ ପ୍ରଥମ ସନ୍ତାନ ସହ ଦ୍ଵିତୀୟକୁ ମଧ୍ୟ ବନ୍ଦାପନା କରାଯାଏ, ଯାହାକୁ ‘ଦୁହାଁ ‘ କହନ୍ତି | ‘ଦୁହାଁ’ ‘ପୋଢ଼ୁଁଆ ‘ ପୂଜା ପରମ୍ପରା ଓଡ଼ିଶାରେ ବହୁ ପ୍ରାଚୀନ ପ୍ରଥା |


ତେବେ ଏ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜ୍ୟେଷ୍ଠକୁ ପରବର୍ତ୍ତୀ ମୁରବୀ ଭାବେ ସ୍ୱୀକାର କରାଯାଏ ଓ ସେ ମଧ୍ୟ ପିତାଙ୍କ ଵା ମୁରବୀଙ୍କ ମୃତ୍ୟୁ ପରେ ଘରର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବାକୁ ଆଗ୍ରହୀ ହୁଏ | ଦାୟିତ୍ୱ ବୋଧର ଏ ପର୍ବ କହିଲେ ଅତ୍ୟୁକ୍ତି ହେବନି ; ଏ ପର୍ବ ଏବେ କେବଳ ପାରମ୍ପରାରେ ରହିଯାଇଛି |

ଯେଉଁ ପିତା, ମାତା କଷ୍ଟ ସହି ଜ୍ୟେଷ୍ଠ ପୁଅକୁ ଏତେ ସମ୍ମାନ ଦେଇଥାନ୍ତି, ସେ ବଡପୁଅ ପ୍ରାୟ ପିତା, ମାତାଙ୍କୁ ବାର୍ଦ୍ଧକ୍ୟରେ ଅବହେଳା ପ୍ରଦର୍ଶନ କରେ |ନିଜର ଦାୟିତ୍ୱ ଭୁଲିଯାଇ ସେମାନଙ୍କୁ ଘରୁ ବାହାର କରିଦିଏ ଵା ଆବଶ୍ୟକ ସ୍ଥଳେ ଜରା ନିବାସରେ ଶେଷ ଜୀବନରେ ଛାଡିଦେଇ ଆସେ, ଯେଉଁଠି
ସେମାନେ ଅବହେଳିତ ହୋଇ ଶେଷ ଜୀବନ ଯନ୍ତ୍ରଣାରେ କାଟିବାକୁ ବାଧ୍ୟ ହୁଅନ୍ତି |
ସମାଜରେ ଏଭଳି ଏନେକ ଉଦାହରଣ ଦେଖାଯାଉଛି |


ଆଜିର ଏ ପବିତ୍ର ଦିବସରେ ପ୍ରତି ଜ୍ୟେଷ୍ଠ ପୁଅ ଝିଅଙ୍କୁ (‘ଦୁହାଁ ‘ ‘ପୋଢ଼ୁଁଆ )’ନିବେଦନ ସେମାନେ ଏ ପର୍ବର ଗୁରୁତ୍ୱ ବୁଝି ପିତା ମାତାଙ୍କ ସେବା କରନ୍ତୁ |ସେବା ଯତ୍ନ ମାଧ୍ୟମରେ ସେମାନେ ପିତୃ ମାତୃଋଣରୁ ମୁକ୍ତି ପାଇବେ|

  • ଶ୍ରୀକାନ୍ତ ଦାଶ, ସଭାପତି “ଅବି ‘ଓ କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ I
  • ମୋବାଇଲ ନମ୍ବର :9238304919

Leave A Reply

Your email address will not be published.