ହୀରାକୁଦକୁ ‘ଶୁନ୍ୟ ଫ୍ଲୋରାଇଡ’ ଜଳଭଣ୍ଡାରରେ ପରିଣତ କର

0
  • ଶିଳ୍ପ ସଂସ୍ଥା ଓ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦେଶ : ମୁଖ୍ୟ ଶାସନ ସଚିବ
  • ସହରାଞ୍ଚଳ-ଜଙ୍ଗଲର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କର

    ଭୁବନେଶ୍ୱର,//TATKAL ODISHA //

ହୀରାକୁଦ ଜଳଭଣ୍ଡାର ନିକଟରେ ଥିବା ଆଲୁମିନିୟମ୍ ପ୍ଲାଣ୍ଟରୁ ନିର୍ଗତ ଫ୍ଲୋରାଇଡ୍ ଯେପରି ଜଳଭଣ୍ଡାର ମଧ୍ୟକୁ ନଯାଏ ସେଥିପ୍ରତି ସତର୍କ ଦୃଷ୍ଟିରଖିବାକୁ ହେବ I ଫ୍ଲୋରାଇଡ୍ ବିଘଟନ ପ୍ରକ୍ରିୟାରେ ଭୁତଳ ଜଳ ସଂକ୍ରମିତ ନ ହେବାକୁ ବି ଦୃଷ୍ଟି ଦେବାକୁ ପଡି଼ବ I ଶିଳ୍ପ ସଂସ୍ଥା ଓ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଏହି କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I


ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ପରିଚାଳନା ପରିଷଦ ବୈଠକ ବସିଥିଲା I ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ବିଭିନ୍ନ ଶିଳ୍ପାଞ୍ଚଳ ଓ ସହରରେ ପ୍ରଦ୍ୟୁଷଣ ମୁକ୍ତ ସ୍ୱଚ୍ଛ-ବାୟୁ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ସହରାଞ୍ଚଳ-ଜଙ୍ଗଲ ସ୍ୱଚ୍ଛ ବାୟୁ, ଭୁତଳ ଜଳସ୍ତର ଏବଂ ସୁସ୍ଥ ଜୀବନ ଧାରଣ ନିମନ୍ତେ ବହୁଭାବେ ସହାୟକ ହୋଇଥାଏ। ଏହାଛଡ଼ା ସହରାଞ୍ଚଳ ଜଙ୍ଗଲ ବିକାଶଧାରାକୁ ସତେଜ ରଖିବା ସହ ସବୁଜ-ବାତାବରଣ ସୃଷ୍ଟି କରିଥାଏ । ଉଦାହରଣ ସ୍ୱରୂପ ଭୁବନେଶ୍ୱରରେ ଥବା ଭରତପୁର ଅଭୟାରଣ୍ୟ, ଏକାମ୍ର କାନନ, ଜୟଦେବ ବାଟିକା ଏବଂ ଚନ୍ଦକା ଜଙ୍ଗଲ ରେଞ୍ଜ ଭୁବନେଶ୍ୱର ସହର ପାଇଁ ବରଦାନ ସଦୃଶ କାର୍ଯ୍ୟ କରୁଛି ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ବାୟୁର ଗୁଣାତ୍ମକମାନ ବିକାଶ କରିବା ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରୁ ସୃଷ୍ଟି ହେଉଥିବା ପ୍ରଦ୍ୟୁଷଣର ଉପଯୁକ୍ତ ନିରାକରଣ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

ସମୀକ୍ଷାରୁ ଜଣାପଡ଼ିଥିଲାଯେ ମୁଖ୍ୟ ଶାସନ ସଚିବଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ୧୪୫ ଟି ଅଧିକ ପ୍ରଦ୍ୟୁଷଣ ସୃଷ୍ଟିକାରୀ ଶିଳ୍ପ ଚିହ୍ନଟ କରାଯାଇଥିଲା । ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦ୍ୟୁଷଣର ପରିମାଣ ଓ ନିରାକରଣ ପରିଚାଳନା ନିମନ୍ତେ ଏହି ଶିଳ୍ପାନୁଷ୍ଠାନ ମାନେ ଉପଯୁକ୍ତ ସ୍ଥାନରେ ଉଚ୍ଚ କ୍ଷମତା ସଂପନ୍ନ ପ୍ରଦ୍ୟୁଷଣ ପର୍ଯ୍ୟବେକ୍ଷଣ କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୨୪ ଟି ଶିଳ୍ପାସଂସ୍ଥାରେ କ୍ୟାମେରା ସ୍ଥାପିତ ହୋଇସାରିଛି ଏବଂ ସେଗୁଡ଼ିକୁ ଓ୍ୱେବ୍ ପୋର୍ଟାଲ ମଧ୍ୟମରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହ ସଂଯୋଜିତ କରାଯାଇଛି । ୬୧ ଟି ଶିଳ୍ପରେ କ୍ୟାମେରା ସ୍ଥାପନ କାର୍ଯ୍ୟ ଚାଲୁରହିଛି । ବାକିରହିଥିବା ସଂସ୍ଥାମାନେ ସମୟାନୁବନ୍ଧିତ ଭାବେ କ୍ୟାମେରା ସ୍ଥାପନ ଏବଂ କେନ୍ଦ୍ରିୟ ନିୟନ୍ତ୍ରଣ କକ୍ଷ ସହ ସଂଯୋଜନ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ I


ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ-ବାୟୁ ଯୋଜନା ଏବଂ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଅଂଚଳମାନଙ୍କରେ ପରିବେଶ ପରିମାପକ ଜିଓ ଡାଟାବେସ୍ ପ୍ରସ୍ତୁତି ସମ୍ବନ୍ଧିତ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଏକାମ୍ର କ୍ଷେତ୍ର ସ୍ୱଚ୍ଛ-ବାୟୁ କାର୍ଯ୍ୟଯୋଜନାରେ ସର୍ବନିମ୍ନ ନିର୍ଗମନ ଜୋନ୍ (ଲେସ୍ ଏମିସନ୍ ଜୋନ୍) ପଦ୍ଧତି ପ୍ରୟୋଗ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଭୁବନେଶ୍ୱର ମହାନଗର ନିଗମ, ପ୍ରଦ୍ୟୁଷଣ ବୋର୍ଡ, ପୁର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ସକ୍ରିୟଭାବେ ସାମିଲ୍ କରାଇ ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ସହଭାଗୀ-ଭିତ୍ତିକ ଓ ଲକ୍ଷଭେଦୀ କରାଇବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।


ବୋର୍ଡର ସଦସ୍ୟ ସଚିବ ଡଃ ମୁରୁଗେସାନ୍ ଜଣାଇଥିଲେ ଯେ ତାଳଚେର ସହର ପାଇଁ ପ୍ରାକୃତିକ ପରିବେଶ ମାପକ ଜିଓ-ଡାଟାବେସ୍ ପ୍ରସ୍ତୁତ କରିଛି । ଏହି ବ୍ୟବସ୍ଥାକୁ ଶିଘ୍ର ରାଉରକେଲା, କେନ୍ଦୁଝର, ବାଲେଶ୍ୱର, କଳିଙ୍ଗନଗର ଓ ଅନୁଗୁଳ ଶିଳ୍ପାଞ୍ଚଳମାନଙ୍କରେ ପ୍ରୟୋଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ତ୍ୱରିତ ନିଷ୍ପତ୍ତି ଏବଂ କାର୍ଯ୍ୟାନ୍ୱୟନ ନିମନ୍ତେ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟମାନଙ୍କୁ ଅଧିକ କ୍ଷମତା ବିକେନ୍ଦ୍ରୀକରଣ ପ୍ରସ୍ତାବ ମଧ୍ୟ ବୈଠକରେ ଅନୁମୋଦିତ ହୋଇଥିଲା ।


ପରିବେଶ ନିର୍ଦ୍ଦେଶକ ସୁକାନ୍ତ ନନ୍ଦ, ବ୍ରଏଲର ଏବଂ ଫ୍ୟାକ୍ଟ୍ରିଜ ନିର୍ଦ୍ଦେଶକ ଡଃ ଏନ୍. ଥିରୁମାଲା ନାୟକ, ପ୍ରଦ୍ୟୁଷଣ ବୋର୍ଡ ସଦସ୍ୟ ସଚିବ ଡଃ କେ. ମୁରୁଗେସାନ୍, ବିଶେଷଜ୍ଞ ସଦସ୍ୟ ଡଃ ଅଜିତ୍ ପଟ୍ଟନାୟକ, ପ୍ରଫେସର ଅତନୁ ପତି, ଡଃ ଜି.କେ. ରାୟଙ୍କ ସହ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.