ସଫଳ ‘ନୀଳ ବିପ୍ଳବ’: ବାଲେଶ୍ୱର ଦେଶରେ ନଂ1
- ଓଡ଼ିଶା ପାଇଁ ଗର୍ବରେ ବିଷୟ, ବାକି ଜିଲ୍ଲା ଉତ୍ସାହିତ
- ପରୀକ୍ଷାମୂଳକ ଭାବେ ମୟୂରଭଞ୍ଜ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଶୁଖୁଆ ଓ ମାଛଗୁଣ୍ଡକୁ ସଫଳତାର ସହ ଅନ୍ତର୍ଭୁକ୍ତ କରାଯାଇଛି
- ଭୁବନେଶ୍ୱର //TATKAL ODISHA//
ରାଜ୍ୟରେ “ନୀଳ ବିପ୍ଲବ” ସଫଳ ହୋଇଛି I ଏଥିପାଇଁ ରାଜ୍ୟ ସରକାର ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେଉଛନ୍ତି ।
ମତ୍ସ୍ୟଚାଷୀଙ୍କ ରୋଜଗାରକୁ ବହୁଗୁଣିତ, ଜୀବିକାର ଉନ୍ନତିକରଣ, ଲାଭଦାୟକ ନିଯୁକ୍ତି ସୃଷ୍ଟି, ପୁଷ୍ଟି ସୁରକ୍ଷା ଏବଂ ଓଡ଼ିଶାର ରପ୍ତାନୀ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ଜଳକୃଷିର ଏକ ପ୍ରମୁଖ ଭୂମିକା ରହିଛି। ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟକ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି ଓ ୧୫.୮୯ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି।
ଏହାର ସୁଯୋଗ ନେଇ ସମଗ୍ର ଦେଶର ମତ୍ସ୍ୟ କ୍ଷେତ୍ରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ’ ଭାବେ ପୁରସ୍କୃତ ହୋଇଛି ବାଲେଶ୍ୱର I
ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲ୍ଲା ଭାବେ ସମ୍ମାନ ପ୍ରଦାନ କରାଯାଇଛି।
ମତ୍ସ୍ୟ ବିଭାଗ ଓଡ଼ିଶା ସଚିବ ଆର ରଘୁପ୍ରସାଦ କହିଥିଲେ, ଚାରି ଶହ ଅଶୀ
କି ମି ସୁଦୀର୍ଘ ଉପକୂଳ, ୪.୧୮ ଲକ୍ଷ ହେକଫର ଖାରି ଜଳକ୍ଷେତ୍ର, ୬.୮୬ ଲକ୍ଷ ହେକଫର ମଧୁର ଜଳକ୍ଷେତ୍ର (ନଦୀ, ଜଳଭଣ୍ଡାର ଓ ପୋଖରୀ ଇତ୍ୟାଦି) ଆଦି ଭାରତର ମତ୍ସ୍ୟ ସମ୍ପଦକୁ ସମୃଦ୍ଧ କରୁଛି। ୨୦୨୦-୨୧ ବର୍ଷରେ ୮.୭୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ସହ ଓଡ଼ିଶା ସର୍ବଭାରତୀୟ ସ୍ତରରେ ସର୍ବାଧିକ ମାଛ ଉତ୍ପାଦନରେ ୪ର୍ଥ ସ୍ଥାନରେ ପହଞ୍ଚିଛି ଯାହାକି ରାଜ୍ୟ ସମ୍ବଳର ୨.୩୩% ଅଟେ। ବିଗତ ୫ ବର୍ଷରେ ମତ୍ସ୍ୟ କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ୧୩%। ଓଡ଼ିଶାରେ ମାଛର ଚାହିଦା ଅଧିକ । ଶତକଡା ୯୪ ଭାଗ ଲୋକ ମାଛ ଖାଇବାକୁ ଭଲ ପାଇଥାନ୍ତିି।
ମତ୍ସ୍ୟ ନିର୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ କହିଥିଲେ,ଓଡ଼ିଶାର ମତ୍ସ୍ୟ ଉତ୍ପାଦ ଅନ୍ତର୍ଜାତୀୟ ବଜାର ଯଥା ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ, ଜାପାନ, ଚୀନ, ତଥା ଏସୀୟ ଓ ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ପ୍ରବଳ ଚାହିଦା ରହିଛି । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇ ୨୦୨୦-୨୧ ରେ ୬୧୦୦୦ ମେଟ୍ରିକ ଟନରେ ପହଞ୍ଚିଛି, ଯାହାର ମୂଲ୍ୟ ୩୧୦୮ କୋଟି ଟଙ୍କା ଅଟେ।
ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ଅନେକଗୁଡିଏ ସବସିଡ଼ି ଭିିତ୍ତିକ ଯୋଜନା ଯୋଗୁଁ ବହୁସଂଖ୍ୟାରେ ଚାଷୀ ଓ ଉଦ୍ୟୋଗୀମାନେ ମଧୁର ଜଳ ଓ ଖାରି ଜଳ ମାଛ ଚାଷ କ୍ଷେତ୍ରକୁ ଆକର୍ଷିତ
ହେଉଛନ୍ତି ।
ଶ୍ରୀ ପ୍ରଧାନ କହିଥିଲେ, ନୂତନ ପୋଖରୀ ଖନନ ମାଧ୍ୟମରେ ମଧୁରଜଳ ଓ ଖାରିଜଳ ମତ୍ସ୍ୟଚାଷ କ୍ଷେତ୍ରର ବିକାଶ ନିମନ୍ତେ ରାଜ୍ୟ ସରକାର ଚାଷୀମାନଙ୍କୁ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ସବସିଡ଼ି ପ୍ରଦାନ କରୁଛନ୍ତିି। ଗ୍ରାମ ପଂଚାୟତ ପୋଖରୀଗୁଡିକୁ ଦୀର୍ଘମିଆଦି ସୂତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ମାଛ ଚାଷ ନିମନ୍ତେ ଲିଜ ପ୍ରଦାନ କରାଯାଉଛି। ସମ୍ପ୍ରତି ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ୮,୩୦୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧୁରଜଳ ମାଛଚାଷରେ ନିୟୋଜିତ ଅଛନ୍ତି।
ଜଳଭଣ୍ଡାରଗୁଡିକରେ ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ଏହାର ଜଳଭାଗକୁ ଲିଜ ଦେବା ପାଇଁ ଗତବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା ନୀତି ନିର୍ଦ୍ଧାରଣ କରାଯାଇଛି । ଅନେକ ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ଅତି ଆଗ୍ରହପୂର୍ବକ ଏଥିରେ ଆକର୍ଷିତ ହୋଇ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛଚାଷ କରୁଛନ୍ତି । ଜଳଭଣ୍ଡାର ଲିଜରୁ ମିଳୁଥିବା ରୟାଲିଟି ଅର୍ଥ ସ୍ଥାନୀୟ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଦ୍ୱାରା ମାଛ ଯାଆଁଳ ଛାଡିବା, ଡଙ୍ଗା ଓ ଜାଲ ତଥା ସେ ସମ୍ପର୍କିତ କାର୍ଯ୍ୟ ପାଇଁ ବିନିଯୋଗ ହୁଏ।
ପ୍ରଚୁର ମାଛ ଉତ୍ପାଦନ ସମ୍ଭାବନା ସୃଷ୍ଟି କରିଥିବା ଅଭିନବ ଓ ନୂତନ ଜ୍ଞାନ କୌଶଳ ଯୁକ୍ତ ବାୟୋଫ୍ଲକ ବା ଜୈବ ପୁଞ୍ଜ ପଦ୍ଧତି ମାଛଚାଷ ଯୁବଗୋଷ୍ଠୀ ଓ ଚାଷୀମାନଙ୍କୁ ଆକର୍ଷିତ କରୁଛି । ବାୟୋଫ୍ଲକ ମାଛଚାଷକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସବସିଡ ବାବଦରେ ଗତ ଦୁଇବର୍ଷରେ ରାଜ୍ୟ ସରକାର ୪୦ କୋଟି କରିଛନ୍ତି । ସେହିପରି ମତ୍ସ୍ୟଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡିକର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି।
ରାଜ୍ୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୁଷ୍ଟି ବୃଦ୍ଧି ନିମନ୍ତେ ମାଛ ଖାଇବାକୁ ପ୍ରୋତ୍ସାହନ ଦେବାକୁ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ସହଯୋଗରେ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପରୀକ୍ଷାମୂଳକ ଭାବେ ମୟୂରଭଞ୍ଜ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଶୁଖୁଆ ଓ ମାଛଗୁଣ୍ଡକୁ ସଫଳତାର ସହ ଅନ୍ତର୍ଭୁକ୍ତ କରାଯାଇଛି।
ରାଜ୍ୟ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ଉଦ୍ୟୋଗୀ ଓ ଚାଷୀଙ୍କୁ ମତ୍ସ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମ ଯଥା ବ୍ୟବସାୟିକ ମାଛ, ଚିଙ୍ଗୁଡି,କଙ୍କଡା ଚାଷ, ଯାଆଁଳ ଉତ୍ପାଦନ କେନ୍ଦ୍ର, ମାଛ ପ୍ରକ୍ରିୟାକରଣ କେନ୍ଦ୍ର, ମାଛ ଖାଦ୍ୟ ପ୍ରସ୍ତୁତି କାରଖାନା, ପଞ୍ଜୁରୀ ମଧ୍ୟରେ ମାଛ ଚାଷ, ମାଛଧରା ଡଙ୍ଗା ଓ ଜାଲ ଇତ୍ୟାଦି ନିମନ୍ତେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ପ୍ରଦାନ କରାଯାଉଛି I