ପ୍ରସନ୍ନ କୁମାର ହୋତାଙ୍କ ଅଙ୍ଗେନିଭା କାହାଣୀ- “ମୁଖ୍ୟମନ୍ତ୍ରୀ ଓ ସିନେମା ଦେଖା”

0

++++++++++++++++++++++++++++++++

  • TATKAL ODISHA//GUEST EDITOR//
  • ଆଲେଖ୍ୟ –ପ୍ରସନ୍ନ କୁମାର ହୋତା
  • ++++++++++++++++++++++++++++++++++++

ଜୀବନ ଦୁଃଖସୁଖରେ ଭରା । ଆଇ.ଏ.ଏସ୍ . ଅଫିସର ହେଲେ କିଛି କାଇଦା କଟକଣା ଭିତରେ ଚଳିବାକୁ ହୁଏ । କେତେକ ଚାକିରୀରେ କିଛି ବିସ୍ମୟକର ଘଟଣା ବି ଘଟେ । ଏବେ ଭାବିଲେ ସତରେ ଏପରି ଘଟଣା ଘଟିଥିବା ପରି ନିଜର ବି ବିଶ୍ୱାସ ହୁଏ ନାହିଁ, ପାଠକମାନେ ଏବେ ପଢ଼ି କିପରି ବିଶ୍ୱାସ କରିବେ ! କିନ୍ତୁ ବେଳେବେଳେ ଜୀବନ ଗୋଟାଏ ସର୍କସ ପରି ହୋଇଯାଏ; ନିଜେ ମୁଖ୍ୟ ବିଦୂଷକ ବା ଜୋକରର ଭୂମିକା ଅଜାଣତରେ ତୁଲେଇ ହୋଇଯାଏ ।

ଧର୍ମପତ୍ନୀଙ୍କ ସହ ପ୍ରସନ୍ନ କୁମାର ହୋତା


ମୁଁ 1979 ରେ ମାନନୀୟ ନୀଳମଣି ରାଉତରାୟଙ୍କ ଦ୍ୱାରା କଟକ କଲେକ୍ଟର ରୂପେ ବଚ୍ଛା ହେଲି । ମୋର ନିଜ ମନରେ ଥିଲା ମୋର ପିଲାଦିନର ବାରିପଦା ସହରକୁ ଯିବାକୁ, ମୟୁରଭଞ୍ଜ ଜିଲ୍ଲା କଲେକ୍ଟର ହେବାକୁ ।

କିନ୍ତୁ ରାଉତରାୟ ସାର ଅଳ୍ପକଥା କହିବାରେ ଦକ୍ଷ – ମୁଁ ଯେତେ ବନେଇ ଚୁନେଇ କହିଲି – ସେ ଗୋଟିଏ ଶବ୍ଦ କହିଲେ -କଟକ । ଅଗତ୍ୟା ସପରିବାର ଆମେ କଟକ ଚାଲିଲୁ । ଭଲ ଘର, କଲେକ୍ଟର କୋଠୀ । ସବୁ ସୁବିଧା । କିନ୍ତୁ ଚବିଶି ଘଣ୍ଟା କାମ ଆଉ କାମ । ସେତେବେଳର ଅବିଭକ୍ତ କଟକ ଜିଲ୍ଲାରେ ୪୬ଟା ବ୍ଲକ୍, ୫୦ ଲକ୍ଷ ଜନସଂଖ୍ୟା । କଟକ ଠିକ୍ ଠାକ୍ ଚାଲିବା ଦରକାର ।

ଶ୍ରୀଯୁକ୍ତ ରାଉତରାୟ ପୁଅ ବିଜୟଶ୍ରୀଙ୍କ ମାଧ୍ୟମରେ ବୁଝାଇଦେଇଥିଲେ –‘ପ୍ରସନ୍ନକୁ କହିବ,କଟକ କଲେକ୍ଟର ଥିଲାବେଳେ ବସାରେ କୁକୁର ରଖିବ ନାହିଁ ।’

ଏତିକିରୁ ବୁଝିବା ଲୋକ ବୁଝିଯିବ -ଯାହା ମସୋରୀରେ ଟ୍ରେନିଙ୍ଗରେ ବି ଶିଖା ହୋଇନଥିଲା- ପଦେ କଥାରେ ମଞ୍ଜକଥାଟି ଜାଣିହେଲା । କଟକର ସଫଳ ଜିଲ୍ଲା ମାଜିଷ୍ଟ୍ରେଟ୍ ହେବାକୁ ହେଲେ ତୁମ ଓ ଲୋକଙ୍କ ଭିତରେ କୌଣସି ଆଡ଼ମ୍ୱର ବ୍ୟବହାର ଚଳିବ ନାହିଁ । କୁକୁର ପୋଷିବା ଜିଲ୍ଲାପାଳ ପାଇଁ ଲୋକଙ୍କଠାରୁ ଦୂରେଇଯିବା ପରି ଘଟଣାର ସୂତ୍ରପାତ କରିପାରେ । ତେବେ ପିଲାଦିନୁ ଆମ ଗୋସେଇଁବାପା ପଣ୍ଡିତ କୃପାସିନ୍ଧୁ ହୋତା ଯିଏ ଥିଲେ ବିଶିଷ୍ଟ ଭୂଦାନନେତା ; ସେ ମଧ୍ୟ ଏହି କଥା ବାରମ୍ୱାର କହୁଥିଲେ ।
କଟକରେ ସବୁକାମ ସୁରୁଖୁରୁରେ ଚାଲିଲା । ସମସ୍ତଙ୍କ ସ୍ନେହ ସମର୍ଥନରେ ମୁଁ କାର୍ଯ୍ୟ ତୁଲାଇବାରେ ଲାଗିଲି ।

ତେବେ କାମର ସମୟନିର୍ଘଣ୍ଟ କିଛି ନଥାଏ । ସବୁଦିନ ସକାଳ ଛ’ ସାଢ଼େ ଛ’ଟାରୁ ଆରମ୍ଭ କରି ରାତି ବାରଟା ପର୍ଯ୍ୟନ୍ତ, ଏମିତି ସପ୍ତାହ ଓ ମାସ ସାରା କାମ । ଖାଇବାକୁ ବସିଥିବ ଜରୁରୀ ଫୋନ ଆସିବ କି ଏମିତି ଘଟଣା ଘଟିବ -ଯାହା କୁହନ୍ତି ନାକରେ କାନରେ ଖାଇବା ଦି’ଟା ଗୁଞ୍ଜି ଦେଇ କୌଣସି ମତେ ପ୍ରାଣଧାରଣ କରିବା କଥା ।
କେତେବେଳେ ଜଗତସିଂହପୁରରେ ବନ୍ଧଭାଙ୍ଗି ପାଣି ପଶିଗଲାଣି, ତ କେତେବେଳେ କଟକ ସହର ବାଦାମବାଡ଼ିରେ ବନ୍ୟାପାଣିରେ ଭାସିଆସି ବଣୁଆ ଦନ୍ତାହାତୀ ଉପଦ୍ରବ କଲାଣି । ତେବେ ଭଗବତ୍ କରୁଣାରୁ ଭଲମନ୍ଦ ସବୁ ଅବସ୍ଥା ସମ୍ଭାଳି ହୋଇ ଚାଲିଥାଏ ।

ପ୍ରତିଦିନ ଖବରକାଗଜରେ ଜିଲ୍ଲାପାଳଙ୍କ କିଛି ଗୁଣଗାନ ପ୍ରଚାର । ତାହା ପଢ଼ି ନିଜକୁ ବି ମଝିରେ ମଝିରେ ହସ ଲାଗୁଥାଏ । ଭାଗ୍ୟ ଭଲ, ପଦବୀର ମାୟା ମୁଣ୍ଡକୁ ଚଢ଼ିନଥାଏ । ମତେ ସ୍ପଷ୍ଟବାଦିତା ପାଇଁ କ୍ଷମା କରାଯାଉ- ମୁଁ ଦେଖିଛି ଉପରିସ୍ଥ ବା ମୋ ପରବର୍ତ୍ତୀ କିଛି ସହକର୍ମୀ ଜିଲ୍ଲାପାଳ ହୋଇ କିଛି ଅଦ୍ଭୁତ ଆଡମ୍ୱରପୂର୍ଣ୍ଣ ବ୍ୟବହାର କରନ୍ତି । ପଦବୀର ଆସାରତା ଓ ମାୟାକୁ ବୁଝିପାରନ୍ତି ନାହିଁ । ତେବେ ଛାଡ଼ନ୍ତୁ ସେ କଥା । ଆପଣମାନଙ୍କ ନିକଟରେ ସେ ବେଳର ଏକ ମଜାଦାର ଘଟଣାର କଥା କୌଣସି ଅସତ୍ୟର ବା କଳ୍ପନା ବିଳାସିତାର ଆଶ୍ରା ନ ନେଇ ବର୍ଣ୍ଣନା କରୁଛି ।


ମୋର କର୍ମକୁଶଳତା ଓ ପ୍ରଶଂସା ଆଦିରେ ହୁଏତ ମୋ ବାପା ଖୁସି ଥିଲେ । କିନ୍ତୁ ମୋର ସ୍ତ୍ରୀ ଓ ପିଲାମାନେ ଅବହେଳିତ ହୋଇଥିଲେ । ଦିନେ ରବିବାର; ସକାଳୁ ସକାଳୁ କଥା ଚରମ ସୀମାରେ ପହଞ୍ଚିଗଲା: ‘ଆଜି ଆମେ ସମସ୍ତେ ମିଶି ସିନେମା ଦେଖିବାକୁ ଯିବୁ । ଆଜି କୌଣସି କାମ ବାହାନା ଚଳିବ ନାହିଁ । ନୂଆ ଛବି ଆସିଛି, ଦୁର୍ଗା ଟକିଜ୍ ବୋଲି ଟାଉନହଲ ଆଗକୁ ନୂଆ ସିନେମାହଲ୍ ଖୋଲିଛି । ଏବେଠାରୁ ଟିକଟ୍ କର । ଆଜି ସଂଧ୍ୟାରେ ଠିକ୍ ଟାଇମରେ ବାହାରି ଆମେ ସିନେମା ଦେଖିବା ‘। ‘ତଥାସ୍ତୁ’ କହିବା ଛଡ଼ା ମୋର ଗତ୍ୟନ୍ତର ନ ଥିଲା । କାହାକୁ ଜଣେ ପଇସା ଦେଇ ପଠାଇ ଚାରିଟା ଟିକଟ୍ ଅଣାହେଲା । କଲେକ୍ଟର ସପରିବାର ସିନେମା ଯାଉଛନ୍ତି ବୋଲି ଆଗରୁ ଜଣାଗଲେ ଅଯଥା ଗହଳି, ସିନେମା ମାଲିକ ମାତ୍ରାଧିକ୍ୟ ଆତିଥ୍ୟ ପ୍ରଦର୍ଶନ କରି ଅସହଜ ବାତାବରଣ ସୃଷ୍ଟି କରିବେ, ସହରର ଭଦ୍ରସମାଜର ଦୃଷ୍ଟିକଟୁ ହେବ ।


ପାଞ୍ଚଟା ବାଜିଲା; ସମସ୍ତେ ଘରେ ଭଲ ଲୁଗାପଟା ପିନ୍ଧି ତିଆର । ଗୋଟିଏ ନୂଆ ଫିଆଟ୍ କାର କିଣା ହୋଇଥାଏ । ଚାକିରୀର ଦଶ ବର୍ଷ ପାର ପ୍ରଥମ ନୂଆ କାର୍। ଡ୍ରାଇଭର ଗାଡ଼ି ଆଣି ପୋର୍ଟିକୋରେ ଲଗାଇଲେ । ସ୍ତ୍ରୀ ଓ ଅତ୍ୟୁତ୍ସାହୀ ପିଲା ଦୁଇଜଣ ଆଉ ମୁଁ ବାରଣ୍ଡାରୁ ଗାଡ଼ି ଆଡ଼କୁ ଆଗେଇଲୁ । ଠିକ୍ ଏହି ସମୟରେ ଘର ଫୋନ୍ ବାଜି ଉଠିଲା । ସ୍ତ୍ରୀ ବିରକ୍ତ ହୋଇ କହିଲେ, ‘ଫୋନ୍ ମୋଟେ ଧରନାହିଁ । ନିଶ୍ଚେ କେହି ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହୋଇଥିବେ; ଆମ ସିନେମା ଦେଖାରେ ଗଣ୍ଡଗୋଳ ହେବ ।’ ମୁଁ ତ କର୍ତ୍ତବ୍ୟର ଦାସ । ଫୋନ୍ ଅଡର୍ଲି ଧାଇଁ ଆସି କହିଲେ, ‘ମୁଖ୍ୟମନ୍ତ୍ରୀ’ ! ବାଧ୍ୟହୋଇ ଘର ଭିତରକୁ ଯାଇ ଫୋନ ଧରିଲି ।


‘ପ୍ରସନ୍ନ, ମୁଁ ଆଉ କିଛି ସମୟରେ କଟକ ଆସୁଛି । ଉତ୍କଳ ରଜକ ସମାଜଙ୍କ ବିଶିଷ୍ଟ ଉତ୍ସବ । ମୁଁ ମୁଖ୍ୟ ଅତିଥି । ଉତ୍କଳ ସାହିତ୍ୟସମାଜ ହଲରେ ହେବ । ତୁମେ, ଏସ୍.ପି. ଅନ୍ୟ ଅଫିସରମାନେ ଟିକେ ଉପସ୍ଥିତ ରହିବ ।’
ଅକାଳେ ବଜ୍ରପାତ ! ତେବେ ସିନେମା ???
ଆଗକୁ ଅଛି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବାଇ ଇଲେକ୍ସନ୍ । ଭାବମୂର୍ତ୍ତି ଅକ୍ଷୁଣ୍ଣ ରହିବା ଦରକାର । ସମାଜର ସବୁ ଶ୍ରେଣୀର ଜନସାଧାରଣଙ୍କ ସମର୍ଥନ ଏକାନ୍ତ ଆବଶ୍ୟକ । ‘ଅଲ୍ ଓଡିଶା ରଜକସମାଜ’ ଏକ ପ୍ରଭାବଶାଳୀ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ମନା କିପରି କରିବେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ରଜକସମାଜର ସଭାପତି ଓ କର୍ମକର୍ତ୍ତାଙ୍କ ଆଗପଛରେ ଜିଲ୍ଲାପାଳ, ଏସ୍.ପି. ଆଦି ନ ଧାଇଁଲେ ରଜକସମାଜର କର୍ମକର୍ତ୍ତାଙ୍କ ଖାତିର କିପରି ଜଣାପଡ଼ିବ !!

ତେଣୁ ସେ ସଭାରେ ଆମର ଏକ ଛଦାମର କାମ ନଥିଲେ ମଧ୍ୟ ସେମାନଙ୍କ ଅନୁରୋଧରେ ଖୋଦ ମୁଖ୍ୟମନ୍ତ୍ରୀ ମହୋଦୟ ଆଉ ଆମେ ସମସ୍ତେ ଉପସ୍ଥିତ ରହିବୁ ବୋଲି କହିଦେଲେ ।
ଏବଂ ଥରେ ସେ କହିଦେଲେ କେହି ଅନୁପସ୍ଥିତ ରହିବା ତାଙ୍କର ଅସମ୍ମାନ ….ଏବଂ ତା’ଠାରୁ ବଳି ….ରଜକସମାଜର ଅବମାନନା । ଏବେ ଭାବନ୍ତୁ ଜିଲ୍ଲାପାଳ ଯେ କି ତା ବ୍ୟକ୍ତିଗତ ଜୀବନରେ ଅନ୍ୟ ବିବାହିତ ପୁଋଷଙ୍କ ପରି ଅଳ୍ପବହୁତ ଏକ ଗୃହପାଳିତ ପ୍ରାଣୀ, ସେ କରେ କଣ !!
ଏହି ଦୁଇପାଞ୍ଚ ମିନିଟ ମଧ୍ୟରେ ବିଚକ୍ଷଣା ପତ୍ନୀ ଅବସ୍ଥା ଠଉରେଇ ସାରିଲେଣି । କହିଲେ, ‘ କ’ଣ ଆଜିବି ସିନେମା ବନ୍ଦ୍, ଅବା ଆମେ ଏକୁଟିଆ ଯିବୁ ? ତୁମେ ଆମକୁ ସିନେମା ଦେଖାଇବ ନାହିଁ ?’
ମୁଁ କହିଲି, ‘ଆରେ ନା, ନା, ଗାଡ଼ିରେ ଯାଇ ବସ । ପିଲାମାନେ ପଛରେ ବସନ୍ତୁ, ତୁମେ ଆଗରେ ବସ । ମୁଁ ଗାଡ଼ି ଚଲାଇବି ।’
ସେ କହିଲେ, ‘କଣ ହେଲା ? ଘର ଗାଡ଼ି ତ ବ୍ୟବହାର ହେଉଛି । ତୁମ ସରକାରୀ ଗାଡ଼ି ନୁହେଁ । ଡ୍ରାଇଭର ଟିକେ ସାଙ୍ଗରେ ଗଲେ କଣ ମହାଭାରତ ଅଶୁଦ୍ଧ ହୋଇଯିବ !’
ମୁଁ କହିଲି, ‘ସେପରି କିଛି ନୁହେଁ ଯେ …ସିନେମା ହଲକୁ କେତେ ପ୍ରକାର ଲୋକ ଆସିଥିବେ । ମୋର ବି ନିଜ ନୂଆ ଗାଡ଼ି ଚଲାଇବାକୁ ଟିକେ ଇଚ୍ଛା ।’ ଅଗତ୍ୟା ସମସ୍ତେ ବସିଲେ । ମୁଁ ଗାଡ଼ି ଷ୍ଟାର୍ଟ କଲି । ଅଳ୍ପକେ ଠାରରେ ବୁଝେଇଦେଲି; ଡ୍ରାଇଭର ବସନ୍ତ ସରକାରୀ ଧଳା ଆମ୍ୱାସାଡାର ଗାଡ଼ି ଧରି ପଛେ ପଛେ ଆସିଲେ । ସ୍ତ୍ରୀ କହିଲେ, ‘ସେ କାହିଁକି ପଛରେ ଆସୁଛନ୍ତି ?’ ମୁଁ କହିଲି, ‘ଆରେ ଆମ ଗାଡ଼ିଟା ନୂଆ । ପାର୍କିଙ୍ଗ୍ ସୁବିଧା ଅସୁବିଧା ହୋଇପାରେ । ଗାଡ଼ି ଉପରେ ଟିକେ ନଜର ରଖିବ । ଦରକାର ହେଲେ ସାହାଯ୍ୟ କରିବ ।’ ଏପରି ପରିବାରକୁ ବୁଝାଇ ଆମେ ପହଞ୍ଚିଗଲୁ ସିନେମା ହଲରେ । ବସନ୍ତ ଆମ ପଛେ ପଛେ । ନିଜ ଗାଡ଼ି ସୁବିଧାରେ ରଖାହେଲା । ସବୁ ସତର୍କତା ସତ୍ତ୍ୱେ ହଲ୍ ମାଲିକଙ୍କୁ ଆମ ଆସିବା କଥା ଜଣାପଡ଼ିଯାଇଥିଲା । ସେ ଆମକୁ ପାଛୋଟି ନେଇ ବାଲକୋନୀ ଆଡ଼କୁ ଆଗେଇଲେ । ମୁଁ ତାଙ୍କୁ କହିଲି, ‘ଆପଣ ଟିକେ ପିଲାମାନଙ୍କୁ ବସାନ୍ତୁ । (ସେତେବେଳେ ପିଲାମାନଙ୍କୁ କହିଲେ ଭଦ୍ରସମାଜରେ ସ୍ତ୍ରୀ ଓ ପରିବାର ସମସ୍ତଙ୍କୁ ବୁଝା ଯାଉଥିଲା ।) ମୁଁ ଟିକେ ଟଏଲେଟ୍ ଯାଇ ଆସୁଛି ।’ ସେମାନେ ଯେମିତି ସିଢ଼ିଚଢ଼ା ଆରମ୍ଭ କଲେ ମୁଁ ଦୌଡ଼ିଯାଇ ଗାଡ଼ିରେ ବସିଗଲି, ବସନ୍ତ ଯିଏକି ଗାଡ଼ି ବୁଲାଇ ଷ୍ଟାର୍ଟକରି ରେଡି ହୋଇ ରହିଥିଲେ, କହିଲି, ‘ଚଲାଅ ଟାଉନହଲ’; ଆଗକୁ ଆମେ ଧାଇଁଲୁ । ଉତ୍କଳ ସାହିତ୍ୟ ସମାଜ ହଲ ପାଖେ ପହଞ୍ଚି ଓହ୍ଲାଉ ଓହ୍ଲାଉ ଦେଖିଲି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଲାଗିଗଲାଣି । ମୁଁ ଜନତାଙ୍କ ଭିଡ଼ ଭିତରେ ଗଳିଯାଇ ତାଙ୍କ କାରର ଦ୍ୱାର ଖୋଲି ଠିଆ । ସେ ଓହ୍ଲାଇ ପଡ଼ି ଚାରିଆଡ଼େ ଟିକେ ଚାହିଁଲେ, କହିଲେ, ‘କଲେକ୍ଟର କାହାନ୍ତି’? ଆଗ ସିଟରେ ବସି ରଜକସମାଜର ସଭାପତି ତାଙ୍କ ଗାଡ଼ିରେ ଆସି ଥିଲେ । ସେ ଓହ୍ଲାଇ କହିଲେ, ‘ସାର୍, ଜିଲ୍ଲାପାଳ ପରା ଆପଣଙ୍କ କାର ଦୁଆର ଖୋଲି ଠିଆ ହୋଇଛନ୍ତି ।’

ଜାନକୀ ପଟ୍ଟନାୟକ ସ୍ମିତହାସ୍ୟରେ କହିଲେ, ‘ହଁ ତ, ତୁମେ ଏଠି । ମୁଁ ଏଠି ସେଠି ତୁମକୁ ଖୋଜୁଛି ।’ ତାପରେ ତାଙ୍କ ସାଙ୍ଗେ ଆମେ ସମସ୍ତେ ସେ ହଲକୁ ଚାଲିଲୁ । ମୁଖ୍ୟମନ୍ତ୍ରୀ ମଞ୍ଚାସୀନ ହେଲେ । ରଜକସମାଜ ସଭାପତି ମୋ ପାଇଁ ଚୌକୀ ବ୍ୟବସ୍ଥା ଭାଗ୍ୟକୁ କରିନଥିଲେ । ‘ଆଣ ଚୌକୀ’ କହିବା ଭିତରେ ମୁଁ ତାଙ୍କୁ ‘ଆପଣଙ୍କ ସଭା ଭଲରେ ଚାଲୁ’ ବୋଲି ସମ୍ଭାଷଣ କରି ମଞ୍ଚରୁ ଚମ୍ପଟ ମାରିଲି । ବସନ୍ତ ପୂର୍ବପରି ଗାଡ଼ି ଘୁରାଇ ଷ୍ଟାର୍ଟ କରି ତିଆର । ଏସ୍.ପି. ବାହାରେ ଠିଆ- ଶ୍ରୀଯୁକ୍ତ ପୂର୍ଣ୍ଣେନ୍ଦୁ ସେନାପତି । ଆଡିସନାଲ୍ ଏସ୍.ପି. ଶ୍ରୀଯୁକ୍ତ ମନମୋହନ ପ୍ରହରାଜ ଏବଂ ଆମ ଦକ୍ଷ ଏସ୍.ଡି.ଓ. ଶ୍ରୀଯୁକ୍ତ ଜି.ସି.ଦାସ । ପୂର୍ଣ୍ଣେନ୍ଦୁ କହିଲେ, ‘ଆମର ଏଠି କି କାମ !’ ମୁଁ କହିଲି, ଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କଣ କରିବା । ଟିକେ ଧୈର୍ଯ୍ୟ ଧରନ୍ତୁ ।’ ରାସ୍ତା ଉପରେ ସେ ତିନିଜଣ ଅଗତ୍ୟା ଠିଆ ହୋଇ ଗପିଲେ । ମୁଁ ଧାଇଁଲି ସିନେମା ଘରକୁ । ଧଇଁସଇଁ ହୋଇ ସିଟ ଖୋଜି ପିଲାଙ୍କ ପାଖେ ବସିଗଲି । ସ୍ତ୍ରୀ କହିଲେ, ‘ସିନେମା ଆରମ୍ଭ ହୋଇଗଲା । ଏପର୍ଯ୍ୟନ୍ତ କଣ କରୁଥିଲ । ଏ ପାନ ବଦଭ୍ୟାସଟା ଛାଡ଼ ତ । ପଇସା ଦେଇ ଟିକେଟ କିଣି ଆସିଛ । ପୁରା ସିନେମା ଦେଖିବା କଥା ।’ ମୁଁ ତାଙ୍କ ସଙ୍ଗେ ତର୍କ ନ କରି ସୁନାପିଲା ପରି ବସି ସିନେମା ଦେଖିଲି !


ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀଙ୍କ ହଲଠାରୁ ସିନେମାହଲ ପାଖାପାଖି 400 ମିଟର ଦୂରମାତ୍ର ଥିଲା । ହାଫ୍ ଟାଇମ୍ ପାଖେଇଲା । ହିନ୍ଦୀ ସିନେମା ଦେଖି ଦେଖି ମୋର ଅନୁମାନ ହୋଇଯାଇଥାଏ, କାହାପରେ କଣ ହେବ । ସିନେମା ହଲ ମାଲିକ ଲସି ପଠାଇଛନ୍ତି । ତାକୁ ପିଇ ସମସ୍ତେ ସିନେମା ଦେଖୁଥାନ୍ତି । ମୁଁ ଉଠି ଛିଡ଼ାହେଲି । ସ୍ତ୍ରୀ ଚାପାଗଳାରେ ପଚାରିଲେ, ‘ଆରେ ସିନେମା ମଝିରୁ କେଉଁଆଡ଼େ ବାହାରିଲ ?’
ମୁଁ କହିଲି, ‘ବାଥରୁମ’ । ଧାଇଁଲି; ବସନ୍ତ ରେଡି । ପୁଣି ଗାଡ଼ିରେ ବସି ଦୁହେଁ ପହଞ୍ଚିଲୁ ମିଟିଙ୍ଗ୍ ହଲ ପାଖରେ । ସେତେବେଳକୁ ତିନି ସହକର୍ମୀ ହାଇମାରି ଅସ୍ଥିର । ମତେ ଦେଖି ପଚାରିଲେ, ‘ଆପଣ କୁଆଡ଼େ ଯାଇଥିଲେ ?’ (ସେତେବେଳେ ମୋବାଇଲ ଯୁଗ ଆରମ୍ଭ ହୋଇ ନ ଥାଏ ।)

ମୁଁ ହସିଦେଇ କିଛି ନ କହି ସଭାସ୍ଥଳକୁ ଗଲି । ଏପରିକି କିଛି ବାହାନା କରି ମୁଖ୍ୟମନ୍ତ୍ରୀଙ୍କ ପାଖଦେଇ ଚାଲିଗଲି । ସେ ମତେ ଦେଖିଲେ । ଇଙ୍ଗିତରେ ସବୁ ଠିକ ଅଛି ବୋଲି ଜଣାଇଲେ । ତାଙ୍କ ଭାଷଣ ଆରମ୍ଭ ହୋଇ ନ ଥାଏ । ରଜକସମାଜର ବିଭିନ୍ନ କର୍ମକର୍ତ୍ତାମାନେ ତାଙ୍କୁ ସାଦର ସମ୍ଭାଷଣ ଜାରି ରଖିଥାନ୍ତି । ପୁଣି ବସନ୍ତ, ପୁଣି ଗାଡ଼ି, ପୁଣି ସିନେମା ହଲ । ଦ୍ୱିତୀୟାର୍ଦ୍ଧ ଆରମ୍ଭ ହୋଇଯାଇଥାଏ ।

ମୁଁ ବସୁ ବସୁ କହିଲି, ‘ହିରୋର ମା ହସପିଟାଲରେ ନା !’ ସ୍ତ୍ରୀ ସନ୍ଦେହରେ ଚାହିଁଲେ । ମୁଁ କହିଲି, ‘ମୋ ଅଣ୍ଟା ଟିକେ ଦରଜ ଲାଗୁଥିଲା ତ ! ମୁଁ ପଛଆଡ଼େ ଠିଆହୋଇ ଦେଖୁଥିଲି ।’

ସିନେମା ଚାଲିଲା । ଭିଲିୟାନ୍ ଶେଷରେ ହୀରୋ ହାତରୁ ପ୍ରହାର ଖାଇଲା ।

  • ମୁଁ ପିଲାଙ୍କୁ କହିଲି, ‘ଏଠି କାହାଣୀ ସରିଲା, ସିନେମାରେ ଏବେ ପୋଲିସ ଆସି ପହଞ୍ଚି ଭିଲିୟାନକୁ ବାନ୍ଧିନେବ । ଚାଲ ଘରକୁ ଯିବା ।’
  • ସ୍ତ୍ରୀ ପୁଣି ରାଗିଗଲେ ; କହିଲେ, ‘ଏ କି ନାଟ ଲଗେଇଛ ମ, ସିନେମା ନ ସରୁଣୁ ଆମକୁ କାହିଁକି ଘୋଷାଡୁଛ ?’


ମୁଁ କହିଲି, ‘ଦେଖ କେତେ ଗହଳି । ସିନେମା ସରିଗଲେ ତଳେ ଲୋକଙ୍କ ଭିଡ଼ ହୋଇଯିବ ।ମୁ ଟିକେ ଭୁଲ୍ କଲେ ଗହଳିରେ ଗାଡ଼ିରେ ଦାଗ ଲଗି ଯିବ’ । ଏତକ ଶୁଣି ସ୍ତ୍ରୀ ମଧ୍ୟ ସମର୍ଥନ କରି ପିଲାଙ୍କୁ ଧରି ଶୀଘ୍ର ତଳକୁ ଚାଲି ଆସିଲେ । ତାଙ୍କୁ ପଛ ସିଟରେ ପିଲାଙ୍କ ସହ ବସାଇଦେଲି । ଗହଳି ବଢ଼ିବ ଭାବି ସେ ପ୍ରତିବାଦ ନକରି ବସିଗଲେ । ମୁଁ ଗାଡ଼ି ଡ୍ରାଇଭ କଲି । ଠିକ ମୁଖ୍ୟମନ୍ତ୍ରୀଙ୍କ ମିଟିଙ୍ଗ ହଲ ପୂର୍ବରୁ ବସନ୍ତ ବି ଗାଡ଼ି ରଖି ଅପେକ୍ଷା କରିଥିଲେ । ମୁଁ ଘର ଗାଡ଼ି ଦାୟିତ୍ୱ ତାକୁ ଧରାଇଦେଇ ମିଟିଙ୍ଗ ହଲ ଗେଟ ପାଖକୁ ଚାଲିଲି । ଏସ୍.ଡି.ଓ. ଙ୍କ ଜିପ୍ ମୋ ଘରଗାଡ଼ି ପଛେ ପଛେ ଯାଇ ବସନ୍ତଙ୍କୁ ଆଣିବାକୁ ଗଲା । ମୁଁ ଏସ୍.ଡି.ଓ.ଙ୍କୁ ସିନେମା ଦେଖା କଥା ବିଶ୍ୱାସରେ କହିଥିଲି । ସେ ଏତେ ବଡ଼ ରାଷ୍ଟ୍ର ରହସ୍ୟ ନିଜ ପେଟ ଭିତରେ ହଜମ୍ ନ କରିପାରି ଆଡିସନାଲ ଏସ୍.ପି.ଙ୍କୁ କହି ସାରିଥିଲେ । କିନ୍ତୁ ଉଭୟେ ଏସ୍.ପି.ଙ୍କୁ କିଛି କହିନଥାନ୍ତି । ମତେ ହଲ୍ ଗେଟ ପାଖେ ଦେଖି ପୂର୍ଣ୍ଣେନ୍ଦୁ ସାର କହିଲେ, ‘ତୁମେ କୁଆଡ଼େ ଯାଉଛ; ଆସୁଛ । ଏଠି ତ କିଛି କାମ ନାହିଁ; ମୁଁ ଠିଆ ହୋଇ, ବସି ବସି ବୋର୍ ହୋଇଗଲିଣି । ଆଜି ମୋ ଶ୍ୱଶୁର ଘରେ ଭୋଜି ନିମନ୍ତ୍ରଣ । ମୁଁ ଏବେ ଯାଉଛି ।’


ମୁଁ କହିଲି, ‘ ଦେଖ ଭାଇ । ସେ କଥା ତୁମେ ସ୍ଥିର କରିବ । ମୁଖ୍ୟମନ୍ତ୍ରୀ କହିଥିଲେ, ତେଣୁ ମୁଁ ତୁମକୁ କହିଥିଲି । ତୁମ ଇଚ୍ଛା । ମୁଁ ସମ୍ଭାଳିବାକୁ ଚେଷ୍ଟା କରିବି ।’ ସେ ଗୁଁ ଗୁଁ ହୋଇ ଆଉ ପାଞ୍ଚ ମିନିଟ ରହିଲେ । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଆରମ୍ଭ ହୋଇଯାଇଥିବା ମୁଁ ଶୁଣି ପାରୁଥିଲି । ଏସ୍.ପି. ବାହାରି ଗଲେ । ଦୁଇତିନି ମିନିଟ ପରେ ମୁଖ୍ୟମନ୍ତ୍ରୀ ହଲରୁ ବାହାରି ଆସିଲେ । ମତେ ଦେଖିଲେ, ‘କହିଲେ, ଆରେ ଆପଣ ସେତେବେଳଠୁ ଏଠି ଠିଆ ହୋଇଛନ୍ତି, ଭିତରେ ବସିଥାନ୍ତେ ସିନା । ଆଉ ଏସ୍.ପି. କେଉଁଆଡ଼େ ଗଲେ ?’ ଏତିକି କହି ସେ ଗାଡ଼ିରେ ବସି ଭୁବନେଶ୍ୱର ଅଭିମୁଖେ ଚାଲିଲେ ।
ଶୀତ ରାତି। ଭିଡ ନଥିଲା, ରକ୍ଷା ହେଲା। କାରଣ ଆଡିସନାଲ ଏସ୍.ପି. ପ୍ରହରାଜ, ଏସ୍.ଡି.ଓ. ଜି.ସି.ଦାସ ହସି ହସି ଲୋଚକୋଚା ହୋଇ ରାସ୍ତାରେ ବସି ପଡ଼ିଲେ ।

କହିଲେ, ‘ସାର୍, ଏସ୍.ପି. ପୁରା ଅଢ଼େଇ ଘଣ୍ଟା ଠାଏଁ ଅଟକି ରହିଲେ । ଏବେ ମାତ୍ର ଗଲେ । ଆପଣ ଏବେ ଆସିଲେ ….ଭାଗ୍ୟଦେବୀ ବି ଆପଣଙ୍କ ସାଥିରେ । ଆପଣଙ୍କୁ କେହି ପାରିବେନି ।’

ଯାହା କୁହନ୍ତି, ‘କଦଳୀ ବିକା ଓ ଠାକୁର ଦେଖା’ ଏକାଠି ସଂପନ୍ନ ହୋଇଗଲା ।

(ଅନେକ ଦିନ ପରେ Facebook ରେ ଶ୍ରୀଯୁକ୍ତ ମନମୋହନ ପ୍ରହରାଜଙ୍କ ଫଟୋ ଦେଖିଲି। ପୁରୁଣା ଦିନ କଥା ମନେ ଆସିଲା। ପାଠକ ବୃନ୍ଦ କଟକି ଗୁଲିଖଟି ଭାବି ହସି ଦେଲେ ଶ୍ରମ ସାର୍ଥକ ବୋଲି ଏ ପରିଣତ ବୟସରେ ଟିକେ ଖୁସି ହୋଇଯିବି।)

  • ପ୍ରସନ୍ନ କୁମାର ହୋତା, Rtd IAS, ନୂଆଦିଲ୍ଲୀ
  • MOB : 8368131097

Leave A Reply

Your email address will not be published.