୭ ପଞ୍ଚାୟତ, ୧୧୧ ୱାର୍ଡ ମତଦାନରୁ ବାଦ୍‌

0
  • ରାଜ୍ୟରେ ୬,୭୯୪ ଗ୍ରାମ ପଞ୍ଚାୟତ,୯୧,୯୧୬ ୱାର୍ଡରେ ଭୋଟ୍

  • ଭୁବନେଶ୍ୱର,//TATKAL ODISHA //

ରାଜ୍ୟରେ ସାତ ପଞ୍ଚାୟତ ଓ 111 ୱାର୍ଡରେ ହେବନାହିଁ ମତଦାନ I କେବଳ ୬,୭୯୪ ଗ୍ରାମ ପଞ୍ଚାୟତ ଓ ୯୧,୯୧୬ଟି ୱାର୍ଡରେ ହେବ ଭୋଟ୍ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏନେଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି I

ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ,୨୦୧୭ ପଞ୍ଚାୟତ ନିର୍ବାଚନରେ ୬୮୦୧ ଗ୍ରାମ ପଞ୍ଚାୟତ ନିମନ୍ତେ ଭୋଟ୍ ଗ୍ରହଣ ହୋଇଥିଲା । ହେଲେ ୨୦୨୨ ପଞ୍ଚାୟତ ନିର୍ବାଚନରେ ସେଥିରୁ ୭ଟି ପଞ୍ଚାୟତ କମିଛି । ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଂଖ୍ୟା ୯୨,୦୨୭ ରହିଥିଲାବେଳେ ୨୦୨୨ ନିର୍ବାଚନରେ ୱାର୍ଡ ସଂଖ୍ୟା ୧୧୧ ମଧ୍ୟ ହ୍ରାସ ପାଇଛି । ତେଣୁ ୬୭୯୪ ଗ୍ରାମ ପଞ୍ଚାୟତ ଓ ୯୧,୯୧୬ଟି ୱାର୍ଡ ପାଇଁ ଭୋଟ୍ ଗ୍ରହଣ କରାଯିବ I


 ଶ୍ରୀ ପାଢ଼ୀ କହିଛନ୍ତି ଯେ, ହ୍ରାସ ପାଇଥିବା ୭ ପଞ୍ଚାୟତ ଭିତରୁ ତିନି ଜିଲ୍ଲାରେ ଅନ୍ତର୍ଭୁକ୍ତ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ରେଥିବା ଶ୍ରୀକୃଷ୍ଣପୁର, ରେମୁଣା, ଗଣିପୁର ଓ ଗଣେଶ୍ୱରପୁର ଆଦି ୪ଟି ଗ୍ରାମ ପଞ୍ଚାୟତ ରେମୁଣା ଏନ୍‌ଏସିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ଗ୍ରାମ ପଞ୍ଚାୟତ ତାଲିକାରୁ ବାଦ୍ ଦିଆଯାଇଛି । ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଦଲକ ଗ୍ରାମପଞ୍ଚାୟତ, ଓଡ଼ଗାଁ ଏନ୍‌ଏସିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି ୨ ଗ୍ରାମପଞ୍ଚାୟତକୁ ତାଲିକାରୁ ବାଦ୍ ଦିଆଯାଇଛି । ବରଗଡ଼ ଜିଲ୍ଲାର ବିଜେପୁର ଗ୍ରାମ ପଞ୍ଚାୟତ, ବିଜେପୁର ଏନ୍‌ଏସିରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଚୂଡ଼ାନ୍ତ ଗ୍ରାମ ପଞ୍ଚାୟତ ତାଲିକାରୁ ବି ବାଦ୍ ଦିଆଯାଇଛି । ଅନ୍ୟପକ୍ଷରେ ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ୍ କର୍ପୋରେସନ ପୁନର୍ଗଠନ ପାଇଁ ୧୧୧ ୱାର୍ଡ ହ୍ରାସ ପାଇଛି । ଏଥିମଧ୍ୟରେ ରେମୁଣା ଏନ୍‌ଏସିରେ ୮ଟି ଗ୍ରାମ ପଞ୍ଚାୟତର ୫୭ଟି ୱାର୍ଡ ଅନ୍ତର୍ଭୁକ୍ତ ହୋଇଥିବାରୁ ଚୂଡ଼ାନ୍ତ ୱାର୍ଡ ତାଲିକାରୁ ବାଦ୍ ପଡ଼ିଛି । ସେହିପରି ୩୨ଟି ୱାର୍ଡ ଓଡ଼ଗାଁ ଏନ୍‌ଏସିରେ ଅନ୍ତର୍ଭୁକ୍ତ ହୋଇ ପଞ୍ଚାୟତ ୱାର୍ଡ ତାଲିକାରୁ ବାଦ୍ ପଡ଼ିଥିବାବେଳେ ବିଜେପୁର ଏନ୍‌ଏସିରେ ୧୯ଟି ୱାର୍ଡ ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିରେ ୨ଟି ୱାର୍ଡ ଅନ୍ତର୍ଭୁକ୍ତ ହୋଇ ଗ୍ରାମପଞ୍ଚାୟତ ୱାର୍ଡତାଲିକାରୁ ବାଦ୍‌ପଡ଼ିଛି । ଭୁବନେଶ୍ୱର ବ୍ଲକ୍ ଅନ୍ତର୍ଗତ ନୂଆ ଇଞ୍ଜାଣ ଗ୍ରାମପଞ୍ଚାୟତ ଗଠନ ଯୋଗୁଁ ଏବଂ କଳାରାହଙ୍ଗ ଗ୍ରାମ ପଞ୍ଚାୟତର ଉଚ୍ଛେଦ ଯୋଗୁଁ ଗୋଟିଏ ୱାର୍ଡ ହ୍ରାସ ପାଇଛି ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.