ଏକ ଦମ ‘ଗ୍ରୀନ ଦୀପାବଳୀ’

0

◆ କମ ହସନ୍ତୁ ◆

  • ///TATKAL STORY TELLERS ///

    .
    ଏବର୍ଷ ଗ୍ରୀନ ଦୀପାବଳୀ ପାଳନକୁ ନେଇ ଛକ ଉପରେ ଥିବା ଚା ଦୋକାନରେ ଆଲୋଚନା ଚାଲିଥିଲା।

ରମେଶ ବାବୁ ଖବରକାଗଜ ଓଲଟାଇ କହିଲେ,

  • ଆମ ରାଜ୍ୟ ସରକାରତ ଏବର୍ଷ କରୋନା କଟକଣାକୁ ପ୍ରାଧାନ୍ୟ ଦେଇ ଦୀପାବଳୀରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କଲେ। ହେଲେ ହାଇକୋର୍ଟରେ, ଏ ଗ୍ରୀନ ଦୀପାବଳୀ କେସ ପୁଣି କଣ ? ଶାଗୁଆ ରଙ୍ଗର ବାଣ ମାର୍କେଟ କୁ ଆସିଲାଣି ନା କଣ ?”
ସବୁଜ ବାଣ

ପାଖରେ ବସିଥିବା ରଜତ ବାବୁ କହିଲେ,

-ଆରେ ଭାଇ, ଶାଗୁଆ ରଙ୍ଗ ନୁହେଁ, ବରଂ ପରିବେଶ ଅନୁକୂଳ କିଛି ବାଣ। ଯାହାକୁ ଫୁଟେଇଲେ ଶବ୍ଦ ଓ ବାୟୁ ପ୍ରଦୂଷଣ ବହୁତ କମ। ସୁପ୍ରିମକୋର୍ଟ ପରା ଯେଉଁ ବାଣରେ ବେରିଅମ ସଲଟ ଥିବ ତାକୁ ବ୍ୟାନ କରିଛନ୍ତି। ତେଣୁ ଯେଉଁ ବାଣରେ ସେଇ ରାସାୟନିକ ପଦାର୍ଥ ନଥିବ, ତାକୁ ବୋଧେ ଫୁଟାଇବାକୁ ସରକାର ଅନୁମତି ଦେବେ।”

ରମେଶ ବାବୁ ପୁଣି ପଚାରିଲେ,

ଏମିତିରେ ସେ ବାଣ କମ୍ପାନୀ ଗୁଡାକ ଦୁନିଆର ସର୍ବଶ୍ରେଷ୍ଠ ଠକ।ଦଶ ଟଙ୍କାର ବାଣ ପ୍ୟାକେଟ ଉପରେ ଦୁଇଶ ଟଙ୍କା ବୋଲି ଛାପନ୍ତି ଓ ଆମ ଘରପାଖ ବାଣ ଦୋକାନୀ ଆମକୁ ପଚାଶ ପ୍ରତିଶତ ଡିସକାଉଣ୍ଟ ଦେଇ ସୁଦ୍ଧା, ଦୁଇ ଶହରୁ ୩ଶହ ପରସେଣ୍ଟ ଲାଭ ପାଏ। ସରକାରବି ଏ ଦାମ ବିଷୟରେ ଜାଣିଶୁଣି ଅଜଣା ରୁହନ୍ତି। ଆଜିକାଲି ହଜାରେ ଟଙ୍କାର ବାଣ ପିଲାଙ୍କ ପାଇଁ କିଣିଲେ ଗୋଟେ ଛୋଟ ପ୍ୟାକେଟରେ ଆସୁଛି ଓ ଦଶ ପନ୍ଦର ମିନିଟରେ ବାଣ ଶେଷ।”

ଚା ଦୋକାନୀ ମୁକୁନ୍ଦ କହିଲା,

-ଆଛା, ସାର, ଏବେ ହ୍ଵାଟ୍ସଆପ ରେ ଗୋଟେ ମେସେଜ ବୁଲୁଛି କି ଏଥର ଦୀପାବଳୀ ରେ ଭାରତ ଆତ୍ମନିର୍ଭର ହୋଇଛି ବୋଲି ଚୀନ ବାଣ ବ୍ୟବସାୟୀଙ୍କ ଭୀଷଣ କ୍ଷତି ହୋଇଛି। ଏଇଟା କଣ ସତ ?”

ହୋ ହୋ ହୋଇ ହସି ପଛପଟେ ଠିଆ ହୋଇଥିବା ଆଚାର୍ଯ୍ୟ ବାବୁ କହିଲେ,

-ହ୍ଵାଟ୍ସଆପ ୟୁନିଭରସିଟି ବାଲାଙ୍କ ବୁଦ୍ଧି ତଥା ସମୟକୁ ଦେଖି ମେସେଜ ଭାଇରାଲ କରିବାର ପାରିବାପଣିଆ ଆଗରେ ଚୀନ ବି ହାର ମାନିବ। ଅନ୍ୟ ଯେଉଁଥିରେ ହେଉ କି ନହେଉ, କଞ୍ଚା ମିଛ ପ୍ରଚାର କରିବାରେ ଏଇ ହ୍ଵାଟ୍ସଆପ ୟୁନିଭରସିଟି ଲୋକେ ବିଶ୍ୱଗୁରୁ।ଯେମିତି କରୋନା ବେଳେ କହୁଥିଲେ, ଏବେ ଚୀନ ଜିନିଷ ପୁରା ବ୍ୟାନ। ହେଲେ ଭେଣ୍ଟିଲେଟର ଠୁ ଆରମ୍ଭ କରି ଆଣ୍ଟିବାୟୋଟିକ ଯାଏଁ ସବୁ ଚୀନ ରୁ ହିଁ ଆସୁଥିଲା। ଦୀପାବଳୀ ଦିନ ରାତିରେ ଦେଖିବ କେତେ ଚାଇନା ବାଣ ଫୁଟିବ। ତେବେ ମଜା କଥା ହେଉଛି, ଆମ ରାଜ୍ୟ ବାଣ ବେପାରୀମାନେ କାଳେ ସେମାନଙ୍କର ଗତ ବର୍ଷ ଶିବକାଶୀ ରୁ ଆଣି ବିକ୍ରୀ ନହୋଇ ବଳିଯାଇଥିବା ୨୫ କୋଟି ଟଙ୍କାର ବାଣ ଏବର୍ଷ ବିକ୍ରି କରିବାକୁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।”

ଦୀର୍ଘନିଶ୍ୱାସ ଛାଡି ରଜତ ବାବୁ କହିଲେ,

-ଏମିତି ଦେଖିବାକୁ ଗଲେ, ବର୍ଷକୁ ଥରେ ବେପାର କରି ଗୁଜୁରାଣ ମେଣ୍ଟାଉ ଥିବା ବ୍ୟବସାୟୀ ଙ୍କ ଘର ଚଳିବ କେମିତି ? ସେମାନେ ବି ଧାର ଉଧାର କରି ବାଣ ଆଣି ଏଯାଏଁ ସୁଧ ଗଣୁଥିବେ। ମୋତେ ଲାଗୁଛି ସେମାନଙ୍କୁ ଅନୁମତି ମିଳିଯିବ।”

ମୁକୁନ୍ଦ ପଚାରିଲା,

-ସେଇ ବାଣ ବିକିଲେ, ଗ୍ରୀନ ଦୀପାବଳୀ କେମିତି ହେବ ?”

ମୁରୁକି ହସି ରମେଶ ବାବୁ କହିଲେ,

-ଆରେ ଗ୍ରୀନ ଦୀପାବଳୀ ଅର୍ଥ ପରା ରଜତ ବାବୁ ବୁଝାଇଦେଲେ, ତଥାପି ତୁ ବୁଝିପାରୁନୁ ?

କମ ଶବ୍ଦ ଓ ପ୍ରଦୂଷଣ ଵାଲା ବାଣ ପାଇଁ ଅନୁମତି ମିଳିବ। ତେଣୁ ଆମ ରାଜ୍ୟ ବେପାରୀଙ୍କ ପାଖରେ ଗତ ବର୍ଷର ଷ୍ଟକ ଥିବା ସବୁ ବାଣ ଯଦି ଆମେ କିଣି ଫୁଟାଇବା, ତେବେ ପୁରୁଣା ବାଣ ବୋଲି ସେଥିରୁ ଅଧେ ଫୁଟିବ ନାହିଁ , ଆଉ ଆର ଅଧକ ନିଶ୍ଚୟ ଫୁସୁକି ଯିବ। ତେଣୁ ଶବ୍ଦ ଓ ପ୍ରଦୂଷଣର ଭୟବି ରହିବନି। ଏମିତିକି ଜଣେ ସେଇ ବାଣ ଫୁଟାଇଲେ, ପଡିଶା ଘର କଥା ଛାଡ, ନିଜ କାନକୁ ବି ଶବ୍ଦ ହେବନି।

ସୁରକ୍ଷିତ ପରିବେଶରେ, ଏକଦମ ଗ୍ରୀନ ଦୀପାବଳୀ।”

ସମସ୍ତେ ଏକାସାଙ୍ଗରେ ହସି ଉଠିଲେ।

  • ଡ଼ଃ ପ୍ରକାଶ ତ୍ରିପାଠୀ

Leave A Reply

Your email address will not be published.