ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୌମ୍ୟଙ୍କ ଚତୁର୍ମୁଖୀ ‘ଆଟାକ’??

0


ପୁଣି ସମ୍ପାଦକୀୟ : କାହିଁକି ଚିହିଁକୁଛନ୍ତି? କିଛି ଲୋକଙ୍କ ପ୍ରଶ୍ନ??

  • TATKAL ODHISHA//ANALYSIS//


ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ। ଆମ ବିଚାରରେ ପାର୍ଟି ବଡ଼ ନା ମାଟି ବଡ଼ ଆଦୌ ଏକ ବିବାଦୀୟ ପ୍ରସଙ୍ଗ କି ପ୍ରଶ୍ନ ନୁହେଁ। ମାଟିର ସ୍ବାର୍ଥ ସର୍ବୋପରି।” 

ସପ୍ତାହେ ଅନ୍ତରରେ ବିଜେଡି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲେଖିଛନ୍ତି  ଦୁଇଟି ‘ସମ୍ପାଦକୀୟ’ I ଏଥର ‘ଆମ ଘର ହାଲଚାଲ’ ସ୍ତମ୍ବରେ “ବୃତ୍ତି, ପାର୍ଟି ଓ ମାଟି”ଶୀର୍ଷକ ଆଲେଖ୍ୟଟି ତାଙ୍କର ଯେତିକି ଚର୍ଚ୍ଚିତ ହୋଇଛି, ସେତିକି ବିବାଦର ଗଣ୍ଡି ଭିତରକୁ ବି ଠେଲି ହୋଇ ଯାଇଛି I ଶାସକ ଦଳରେ କିଛି ନେତା ଏହାକୁ ସହଜରେ ହଜମ କରି ପାରୁ ନ ଥିଲାବେଳେ  ସୌମ୍ୟ ବାବୁ କିନ୍ତୁ ନ ଛୋଡ଼ୁବନ୍ଧା I କ୍ରମାଗତ ଭାବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କିଛି କଥା କହି ଚାଲିଛନ୍ତି I

ଏଥର ସୌମ୍ୟ ବାବୁ ତାଙ୍କ ଲେଖାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଚତୁର୍ମୁଖୀ ଅଟାକ କରିଛନ୍ତି I ତାହା କଟା ଘା’ରେ ଚୂନ ଲେପନ ଭଳି କାର୍ଯ୍ୟ ହୋଇଛି ବୋଲି କେତେକ ଅଭିଯୋଗ କରିଛନ୍ତି I ସେ ଲେଖିଛନ୍ତି…

ସୌମ୍ୟ ବାବୁଙ୍କ ସମ୍ପାଦକୀୟ


ଏଭଳି ପୃଷ୍ଠଭୂମିରେ ମମିତା ହତ୍ୟାକାଣ୍ଡକୁ ନେଇ ଦିବ୍ୟଶଙ୍କର ମିଶ୍ରଙ୍କ କଥିତ ଭୂମିକା ଆମ ପାଇଁ ଅନୁରୂପ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ବୃତ୍ତି, ପାର୍ଟି ଓ ମାଟିର ସ୍ବାର୍ଥ କଥା ପୁଣି ମନକୁ ଆସୁଛି। ଦିବ୍ୟଶଙ୍କର ମିଶ୍ର ମମିତା ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ୍‌ ବିବୃତି ଦେଇ ଆମର ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଇଛନ୍ତି। ଦଶଟି ବିନ୍ଦୁରେ ସେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି ନିରବତା ଭଙ୍ଗ କରିଛନ୍ତି।”

ସୌମ୍ୟ କହିଛନ୍ତି…

ପ୍ରଥମରୁ କହିଛନ୍ତି ଯେ ମମିତା ମେହେରଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ସେ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ଜଣେ ବାପା ଭାବରେ ମେହେର ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ଅଛି। ଥିଲେ କ’ଣ ହେବ, ମାନ୍ୟବର ବିଧାୟକ କିନ୍ତୁ ସେହି ସମବେଦନା ଜଣାଇବା ପାଇଁ ଆଜି ପର୍ଯ୍ୟନ୍ତ ପରିବାର ନିକଟକୁ ଯିବାକୁ ଉଚିତ ମଣିଲେ ନାହିଁ କି ସମୟ ପାଇଲେ ନାହିଁ।

ସୋମ୍ୟ ବାବୁ ଦିବ୍ୟଶଙ୍କରଙ୍କ ଆଦର୍ଶ ସମ୍ପର୍କିତ ପ୍ରଶ୍ନ କରିବା ଛଳରେ ଅନେକ କଥା କହିଛନ୍ତି…

“ଜଣେ ବିଧାୟକ ଓ ବାୟୁସେନାର ଅଧିକାରୀ ଭାବେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବା ଅପରାଧ ନୁହେଁ। ପରବର୍ତ୍ତୀ ସମୟରେ ସେହି ଅନୁଷ୍ଠାନରେ ଘଟିଥିବା ଅପରାଧ ପାଇଁ ତାଙ୍କୁ ଦୋଷୀ କରାଯାଇ ପାରିବ ନାହିଁ। ତେବେ ଏଠାରେ କେବଳ ଗୋଟିଏ କଥା ସ୍ମରଣ କରାଇଦେଲେ ଯଥେଷ୍ଟ ହେବ ଯେ ସମ୍‌ ହସ୍ପିଟାଲରେ ନିଅଁା ଲାଗିଯିବା ଘଟଣାରେ ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁବାବୁଙ୍କର କୌଣସି ଭୂମିକା ନଥିଲା। ତଥାପି ନୈତିକ ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବା ପାଇଁ ପଡ଼ିଥିଲା। ଏହାଦ୍ବାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଉଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା?”

“ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳ ଏଭଳି ଏକ ଘୃଣ୍ୟ ଷଡ୍‌ଯନ୍ତ୍ରରେ ଲିପ୍ତ ଅଛନ୍ତି, ମନ୍ତ୍ରୀଙ୍କ ପରିବାର ଏ ନେଇ ମାନହାନି ମକଦ୍ଦମା କରିବେ ବୋଲି ସୂଚନା ଦେଇଛନ୍ତି। ଆଶା କରୁଛି ଅଦାଲତ ତା’ର ଉଚିତ ବିଚାର କରି ନ୍ୟାୟ ଦେବେ। ତେବେ ସଂଖ୍ୟାଖେଳର ନିର୍ବାଚନସର୍ବସ୍ବ ରାଜନୀତି ଓ ପ୍ରତି‌ଦ୍ବନ୍ଦ୍ବିତାମୂଳକ ବଜାରରେ ଆମ ରାଜନୈତିକ ଦଳ ଓ ଗଣମାଧ୍ୟମଗୁଡ଼ିକ ମଧ୍ୟ ନିଜ ଆଚରଣ ସମ୍ପର୍କରେ ନିଜେ ଆତ୍ମସମୀକ୍ଷା କରିବା ଉଚିତ।”

ମାନ୍ୟବର ମନ୍ତ୍ରୀ ମହୋଦୟ ସାମ୍ବାଦିକ ଓ ମିଡ଼ିଆ ହାଉସ୍‌ମାନଙ୍କୁ ବ୍ୟକ୍ତିଗତ ଓ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହୃତ ନହୋଇ ନୈତିକତା ଅନୁଯାୟୀ ବଞ୍ଚିବା ପାଇଁ ପରାମର୍ଶ ଦେଇଛନ୍ତି। ନୈତିକତାର ମୂଲ୍ୟବୋଧ କ’ଣ ଗୋଟିଏ ପକ୍ଷଙ୍କ ପାଇଁ? ନିଜ ପକ୍ଷର ମୂଲ୍ୟବୋଧ କଥା ଗଲା କୁଆଡ଼େ?” 

ତାଙ୍କ ବିରୋଧରେ ଯଦି କିଛି ପ୍ରମାଣ ଅଛି ତାହା ପୁଲିସ କିମ୍ବା କୋ‌ର୍ଟରେ ଦାଖଲ କରାଗଲେ ସେ କେବଳ ପଦବିରୁ ଇସ୍ତଫା ଦେବେ ନାହିଁ ବରଂ ସାଧାରଣ ଜୀବନରୁ ସନ୍ନ୍ୟାସ ନେବେ। “ବାରମ୍ବାର ନୈତିକତାର ଦ୍ବାହି ଦେଇ ସନ୍ନ୍ୟାସ ନେବେ ବୋଲି କହୁଥିବା ମନ୍ତ୍ରୀ ମହୋଦୟଙ୍କୁ ଗୋଟିଏ ଅତୀତ ଓ ଗୋଟିଏ ନିକଟ ଅତୀତର ପ୍ରଶ୍ନ ପଚାରୁଛୁ।”

ଅତୀତରେ ରେଳ ଦୁର୍ଘଟଣାରେ ନୈତିକତା ଦୃଷ୍ଟିରୁ ଲାଲାବାହାଦୁର ଶାସ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ନିକଟ ଅତୀତରେ ଅତନୁ ସବ୍ୟସାଚୀ ନାୟକଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାପାଇଁ କାଳେ କୁହାଯାଇଥିଲା। ଏମାନଙ୍କ ବିରୋଧରେ କ’ଣ ପ୍ରମାଣ ଥିଲା? ପ୍ରମାଣ ଖୋଜିବାର ଦାୟିତ୍ବ ପୁଲିସ ନା ସାଧାରଣ ନାଗରିକଙ୍କର?

ସୌମ୍ୟ ବାବୁ କହିଛନ୍ତି…

ଶେଷରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କୁ ମଧ୍ୟ ମାନ୍ୟବର ମନ୍ତ୍ରୀ ତାଙ୍କ ସପକ୍ଷରେ ବ୍ୟବହାର କରିବା ପାଇଁ ଭୁଲି ନାହାନ୍ତି। ସାଧାରଣ ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଯେ ଈଶ୍ବରଙ୍କ ନିକଟରେ ଶରଣାପନ୍ନ ହୁଏ ତାହା ସହଜରେ ବୁଝି ହେଉଛି। ତେବେ ମାନ୍ୟବର ମନ୍ତ୍ରୀ ମହୋଦୟ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି? ତାଙ୍କ ସପକ୍ଷରେ ତ ବହୁତ ବଡ଼ବଡ଼ ଲୋକ ଅଛନ୍ତି।”

“ଗତ ତିନି ସପ୍ତାହର ମନ୍ତ୍ରୀଙ୍କ ଆଚରଣ ଆମର ସନ୍ଦେହ ଓ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଉଛି। ମୁଖ୍ୟମନ୍ତ୍ରୀଙ୍କର ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ମହୋଦୟଙ୍କର ଯୋଗ ଦେବାର ଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପରିପ୍ରେକ୍ଷୀରେ ସେ ସେହି କାର୍ଯ୍ୟକ୍ରମକୁ ଗଲେ ନାହିଁ। ସରକାରୀ ସଭାକୁ ଯାଉନଥିବା ମନ୍ତ୍ରୀ ମନ୍ତ୍ରିସଭାରେ କିପରି ରହିବେ ବୋଲି ଓଲଟା ପ୍ରଶ୍ନ ଉଠିଲା। ତା’ ପରେ ପରେ ଦ୍ବିତୀୟ ସରକାରୀ କାର୍ଯ୍ୟକ୍ରମ ଟେକ୍ସଟାଇଲ୍‌ ମେଳାରେ ପୁଣି ମନ୍ତ୍ରୀ ଦୃଶ୍ୟମାନ ହେଲେ। ପୁଣି କୁହାଯାଉଛି ଯେ ବିଗତ ଦିନମାନଙ୍କରେ ମନ୍ତ୍ରୀ ମହୋଦୟ ଭୁବନେଶ୍ବରରେ ଥିବା ନିଜ ସରକାରୀ ବାସଭବନରେ ନରହି ଅନ୍ୟ ଜଣେ ବନ୍ଧୁଙ୍କ ଘରେ ରହୁଥିଲେ। ସମ୍ଭବତଃ ବିରୋଧୀ ଦଳମାନଙ୍କର ପ୍ରତିବାଦ ପରିପ୍ରେକ୍ଷୀରେ ସେ ସରକାରୀ ବାସଭବନରେ ରହିବା ପାଇଁ ନିଜକୁ ସୁରକ୍ଷିତ ମଣୁନଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯଦି ଗୃହରାଷ୍ଟ୍ର ମନ୍ତ୍ରୀ ନିଜେ ସୁରକ୍ଷିତ ନୁହନ୍ତି ସେ ଅନ୍ୟକୁ ସୁରକ୍ଷା ଦେବେ କିପରି?ନିକଟ ଅତୀତରେ ଏ ପ୍ରକାର ଦ୍ବନ୍ଦ୍ବ ସମୟରେ ଆମର ବିଚାର ଓ ଭୂମିକା କିପରି ହେବା ଉଚିତ ସେ ସମ୍ପର୍କରେ ଆମର ମତ ରଖିବାକୁ ଯାଇ ଆମେ ଅନେକ ସମାଲୋଚନାର ଶରବ୍ୟ ହୋଇଛୁ। ଯେପରିକି ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନା ତୃତୀୟ ନୟନ, ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ନିରପେକ୍ଷତା, ଗ୍ରାହକ ବଡ଼ ନା ବିଜ୍ଞାପନଦାତା, ଆମ ବୃତ୍ତି ପାଇଁ ପାର୍ଟି ବଡ଼ ନା ମାଟି ଇତ୍ୟାଦି… ଇତ୍ୟାଦି… ଇତ୍ୟାଦି….। ଆମ ବିଚାରରେ ଏସବୁ ପ୍ରସଙ୍ଗରେ ଆମର ଭୂମିକା କ’ଣ ହେବା ଉଚିତ ଆମେ ନିଶ୍ଚୟ କରି ସାରିଛୁ। ଏଥିରେ କୌଣସି ବିଚାର ବିଭ୍ରାଟ ନାହିଁ। ଆଜିର ଦୁନିଆରେ ଗଣମାଧ୍ୟମ ନିରପେକ୍ଷ ହେବା ସମ୍ଭବ ନୁହେଁ। ପକ୍ଷଭୁକ୍ତ ହେବା କଥାଟିକୁ ଲୁଚାଇ ରଖିବା ପାଇଁ ଚେଷ୍ଟା ନ କରି ନିଜ ପକ୍ଷକୁ ଖୋଲାଖୋଲି ସ୍ବୀକାର କରି ପାଠକ ଏବଂ ଗ୍ରାହକଙ୍କ ଉପରେ ଆମେ ବିଚାର ଛାଡ଼ି ଦେଇଛୁ। ଗ୍ରାହକ ଓ ପାଠକ ହିଁ ଭଗବାନ। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ଆମେ ପକ୍ଷଧର। ବିଜ୍ଞାପନଦାତାଙ୍କ ଉପରେ ନିର୍ଭର କରିବାର ବାଧ୍ୟବାଧ୍ୟକତାରୁ ମୁକ୍ତି ପାଇବା ପାଇଁ ଆମେ ଗ୍ରାହକମାନଙ୍କୁ ବାରମ୍ବାର ନିବେଦନ କରି ମୂଲ୍ୟବୃଦ୍ଧିର ବୋଝ ଲଦିଛୁ। ଆମର ଏ ପ୍ରକାର ନିଷ୍ପତ୍ତି ଓ ଭୂମିକା ସମସ୍ତଙ୍କ ପାଇଁ ମଙ୍ଗଳକାରକ ହେବ ବୋଲି ଆମେ ବିଶ୍ବାସ କରୁ। ଗଣମାଧ୍ୟମ ତା’ର ବୃତ୍ତିଗତ କୌଳୀନ୍ୟ ରକ୍ଷା କରିବା ସଙ୍ଗେସଙ୍ଗେ ଆବଶ୍ୟକ ପଡ଼ୁଥିବା ସତ୍ୟ ଖବର ଦେଇ ସୁଶାସନ ପାଇଁ ସହାୟକ ହୋଇଥାଏ। ସତ୍ୟାଗ୍ରହୀ ଗଣମାଧ୍ୟମଗୁଡ଼ିକ ବିରୋଧୀଦଳମାନଙ୍କ ଭଳି ଶାସକ ଦଳର ଶତ୍ରୁ ନୁହନ୍ତି, ବରଂ ମିତ୍ର ହୋଇ ପାରନ୍ତି। ଏହାଦ୍ବାରା ପାର୍ଟିର ଭାବମୂର୍ତ୍ତି ଉଜ୍ଜ୍ବଳ ହେବ ସିନା ମଳିନ ପଡ଼ିବ ନାହିଁ। ଓଲଟା ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ। ଆମ ବିଚାରରେ ପାର୍ଟି ବଡ଼ ନା ମାଟି ବଡ଼ ଆଦୌ ଏକ ବିବାଦୀୟ ପ୍ରସଙ୍ଗ କି ପ୍ରଶ୍ନ ନୁହେଁ। ମାଟିର ସ୍ବାର୍ଥ ସର୍ବୋପରି।”

Leave A Reply

Your email address will not be published.