ଅଧାଗଢ଼ା ଦିଅଁ ଓ ବିଶ୍ୱକର୍ମା

0

TATKAL ODISHA// CULTURE//

++++++++++++++++++++++++++++++++++++

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ବି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ ବୋଲି କୁହାଯାଏ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ ।  ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ ।

+++++++++++++++++++++++++++++++++++++

ବିଶ୍ୱକର୍ମା

 ମହାପ୍ରଭୁ  ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ହିଁ ନିର୍ମାଣ କରିଥିଲେ

କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀଙ୍କୁ ଅଣାଇ କାମରେ ଲଗାଇଥିଲେ I କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା ।

   କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍‌ ଠକ୍‌ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନ ପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଅଧଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିଲେ…

ଶୂନ୍ୟବାଣୀ ହେଲା-

 “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା” ।

ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ I 

ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଏ ।

(wikipidia-ସଂଗୃହିତ) 

Leave A Reply

Your email address will not be published.