ଧର୍ମେନ୍ଦ୍ରଙ୍କ କେତେ ବଢ଼ିଲା ‘ପାଓ୍ବାର’?

0
  • GUEST EDITOR // SUNIL PANDA//

++++++++++++++++++++++++++++++++++++
TATKALODISHA// POLITICAL ANALYSIS//

++++++++++++++++++++++++++++++++++
ମୁକୁ ପ୍ରଧାନ I ଧର୍ମେନ୍ଦ୍ର ପ୍ରଧାନ I ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ଚେହେରା। ନିଜକୁ ନବୀନ ପଟନାୟକଙ୍କ ବିକଳ୍ପ ଭାବେ ଓଡିଶାରେ ଉପସ୍ଥାପିତ କରିବାରେ ସେ ଏବଂ ତାଙ୍କର ଟିମ କେବେ ବି ଅଵହେଳା କରିନାହାନ୍ତି। 

 ୨୦୧୪ରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଧର୍ମେନ୍ଦ୍ରଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ ପରି ‘ମାଲଦାର’ ବିଭାଗର ମନ୍ତ୍ରୀ ପଦ ଦେଇ ତାଙ୍କର କେନ୍ଦ୍ରରେ ଥିବା ଦବଦବାକୁ ସ୍ବୀକୃତି ଦେଇଥିଲେ। ପରେ ଅତିରିକ୍ତ ଭାବେ କୌଶଳ ବିକାଶ ଓ ୨୦୧୯ ରୁ ଦ୍ବିତୀୟ ଥର ପାଇଁ ତୈଳ ମନ୍ତ୍ରାଳୟ ସହ ଇସ୍ପାତ ପରି ବିଭାଗରେ କ୍ୟାବିନେଟ ପାହ୍ୟା ଦେଇ ଆଉଥରେ କେନ୍ଦ୍ର ବିଜେପିରେ ଧର୍ମେନ୍ଦ୍ରଙ୍କ ଅଧିପତ୍ୟକୁ ସ୍ବୀକୃତି ଦେଇଥିଲେ। ଯଦିଓ ୨୦୧୯  ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ତାଙ୍କ ହାତରେ କେନ୍ଦ୍ର ନ୍ୟସ୍ତ  କରିଥିଲା, ମିଶନ ୧୨୦ ଟାର୍ଗେଟ ନେଇ ଚାଲିଥିବା ଓଡିଶା ବିଜେପି ସମସ୍ତ ଚେଷ୍ଟା କରି ସୁଦ୍ଧା ଅଠେଇସି ଆସନରୁ ବଢ଼ି ପାରିଲା ନାହିଁ I ହେଲେ ଲୋକସଭାରେ ପାର୍ଟି ୮ଟି ଆସନ ଜିତି  ଏକ ସମ୍ମାନ ଜନକ ସ୍ଥାନକୁ ଆସିପାରିଥିଲା। 

ଏହା ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପୂନର୍ଗଠନରେ ଧର୍ମେନ୍ଦ୍ରଙ୍କ ହାତରୁ ତୈଳ ଓ ଗ୍ୟାସ , ଓ ଇସ୍ପାତ ବିଭାଗ କାଢି ନିଆଯାଇ  ଶିକ୍ଷା ଓ କୌଶଳ ବିକାଶ ବିଭାଗ ଦିଆଯାଇଛି। ଅପରପକ୍ଷରେ ଅଶ୍ବନୀ ବୈଷ୍ଣବଙ୍କୁ ଓଡିଶାରୁ ଗୁରୁତ୍ୱପୂର୍ଣ୍ଣ ରେଳ, ଯୋଗାଯୋଗ ଏବଂ ଆଇଟି ବିଭାଗ ଦିଆଯିବା ପରେ ଏକ ଚର୍ଚ୍ଚା ଦାନା ବାନ୍ଧିବା ଆରମ୍ଭ କରିଥିଲା ଯେ’ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ପତିଆରା କମୁଛି? ରାଜ୍ୟ ବିଜେପିରେ ମଧ୍ୟ ଧର୍ମେନ୍ଦ୍ର ବିରୋଧୀ ଗୋଷ୍ଠୀ ବେଶ ସକ୍ରିୟ ହୋଇ ପଡିଛନ୍ତି। ଅଳ୍ପ କିଛି ଦିନ ତଳେ ଏକ ତାରକା ହୋଟେଲରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା  ଏବଂ ପ୍ରତାପ ଷଡ଼ଙ୍ଗୀ ଏକାଠି ହୋଇଥିଲେ I ଅନୁଷ୍ଠାନିକ ଭାବେ ସେମାନେ ତାହାକୁ ଘୋଷଣା କରି ନ ଥିଲେ ହେଁ କଥା ଲୁଚି ନ ଥିଲା I ‘ଦାଣ୍ଡରେ ପଡ଼ି ହାଟରେ’ ପଡୁଥିଲା I 
    ଠିକ ଏହି ସମୟରେ ନିର୍ବାଚନକୁ ସମ୍ମୁଖୀନ ହେବାକୁ ଯାଉଥିବା ଉତ୍ତର ପ୍ରଦେଶର ‘ପ୍ରଭାରୀ‘ ଭାବେ ମୁକୁ ଵା ଧର୍ମେନ୍ଦ୍ରଙ୍କ ମନୋନୟନ ବିଜେପି ରାଜ୍ୟ ରାଜନୀତରେ ଏକ ‘ନୁଆ ଟ୍ଵିଷ୍ଟ’  ଆଣିଛି। ରାଜନୈତିକ ବିଶାରଦମାନେ ଭିନ୍ନ ଗଣିତ ବି କଷିଵା ଆରମ୍ଭ କରିଛନ୍ତି I ହେଲେ ହେଲା କଣ?
   ଧର୍ମେନ୍ଦ୍ରଙ୍କ ଅନୁଗତମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ ହେବା ସହ ସୋସିଆଲ ମେଡିଆରେ ମୁକୁଙ୍କ ଦବଦବା ବଢ଼ିଛି ବୋଲି ମତ ପୋଷ୍ଟ  କରୁଥିବା ଦେଖା ଯାଉଛି I ଖୁବ ଭଲ କଥା I ଓଡିଶା ପାଇଁ ଗର୍ବର କଥା I ଏଭଳି ସ୍ଥିତିରେ ବିରୋଧୀ ଶିବିର ‘ସାଇଲେଣ୍ଟ’  ହୋଇଯିବା ସ୍ବାଭାବିକ I ହେଲେ ସୋସିଆଲ ମେଡିଆରେ କିଛି ଲୋକ ପ୍ରସଙ୍ଗକୁ ତାଜା କରି ରଖିଛନ୍ତି I ଫଳରେ ସେମାନଙ୍କ ପାଇଁ ତାହା ଏକ ପ୍ରକାର ଯୁଦ୍ଧ କ୍ଷେତ୍ର ପାଲଟିଛି I 
ପ୍ରିଣ୍ଟ ମେଡିଆ ଓ ଇଲୋକ୍ଟ୍ରୋନିକ ମେଡିଆ ମଧ୍ୟ ଏହାକୁ ଗୁରୁତର ସହ ନେଇ ଖବର ପ୍ରସାରିତ ହେଉଛି । 
କଥା ଟି ଏଇଠି, ସତରେ କଣ ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ହାର ଜିତ ବା ସଫଳତା ଧର୍ମେନ୍ଦ୍ରଙ୍କ ଉପରେ ନିର୍ଭର କରେ?? 

୨୦୧୭ ଉତ୍ତର ପ୍ରଦେଶ ନିର୍ବାଚନ ଓ ୨୦୨୨ ନିର୍ବାଚନ ଭିତରେ ଆକାଶ ପାତାଳ ପ୍ରଭେଦ। ଆଗଥର ବିଜେପିର କୌଣସି ମୂଖ୍ୟମନ୍ତ୍ରୀ ଚେହେରା ନଥିଲେ। ଏଥର କିନ୍ତୁ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯିବ। ଯୋଗୀଙ୍କ ପାଞ୍ଚ ବର୍ଷର କାର୍ଯ୍ୟ କାଳକୁ ଲୋକ ମୂଲ୍ୟାୟନ କରିବେ। ତାଙ୍କର ଗୁଣ୍ଡା ଦମନ ତାଙ୍କ ପାଇଁ ଲାଭ ଦେବ କି ନାହିଁ ତାହା ନିର୍ବାଚନ ଫଳାଫଳ କହିବ। ଏପରିକି ଉତ୍ତର ପ୍ରଦେଶରେ ଏଥର ମୋଦୀ ଅପେକ୍ଷା ଯୋଗୀ ହିଁ ଅଧିକ ପ୍ରାସଙ୍ଗିକ। ଅତ୍ୟାବଶ୍ୟକ ଜିନିଷର ଅହେତୁକ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବେଶ ବାଧୁଛି I ଏହାରି ଭିତରେ ଧର୍ମୀୟ ସମୀକରଣ ଓ ଯୋଗୀଙ୍କ ପାଞ୍ଚ ବର୍ଷ କାଳ ଶାସନ କାଳ ଏକ ଲେଖା ଯୋଖା ହିସାବ ହେବ ଉତ୍ତର ପ୍ରଦେଶ ନିର୍ବାଚନ ଫଳାଫଳ। ବର୍ତ୍ତମାନର ଗୃହ ମନ୍ତ୍ରୀ ଅମିତ ସାହା ଉତ୍ତରପ୍ରଦେଶ ନିର୍ବାଚନ ପରିଚାଳନା କରୁଥିଲେ I ସେ ବି ସଫଳତା ପାଇଥିଲେ I ତାଙ୍କ ଗୋଟି ଚାଳନା ନିଆରା ବୋଲି ସେ ବାରମ୍ବାର ପ୍ରମାଣ କରିଛନ୍ତି I ତେବେ ଧର୍ମେନ୍ଦ୍ର??


 ହଁ, ଅବଶ୍ୟ ପ୍ରଭାରୀ ଭାବେ ସଫଳତାର ଶ୍ରେୟ ତ ନିଶ୍ଚୟ ଧର୍ମେନ୍ଦ୍ର ପାଇବେ I ସେ ‘କଚେ ପୁଅ ବାର’ କରିବେ I ଯଦି  ବିଫଳ ହେବେ?ତାହାଲେ ତାଙ୍କର ଦୀର୍ଘ ବର୍ଷର ନିଷ୍ଠାର ସହ କାର୍ଯ୍ୟ ‘ଶୁଖୁଆ ପୁଡ଼ାରେ’ ଯିବ I ତେଣୁ  ରାଜନୀତିର ଏଇ କଣ୍ଟକିତ ପଥ ଅତିକ୍ରମ କରି ଧର୍ମେନ୍ଦ୍ର ବାବୁଙ୍କୁ ନିଜକୁ ନୂଆ ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ପଡ଼ିବ I ଏହା ହିଁ ଧ୍ରୁବ ସତ୍ୟ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି I ଦେଖାଯାଉ ଭବିଷ୍ୟତ ସ୍ଥିତି କଣ ହେଉଛି…

(ଲେଖକଙ୍କ ନିଜସ୍ୱ ମତ)…. ସମ୍ପାଦିକା

Leave A Reply

Your email address will not be published.