ଏଣିକି ରବି ଟକିଜ ଛକରୁ ପୁରୀ ବାଇପାସ ରୋଡ-‘ଶହୀଦ ଦିବାକର ମାର୍ଗ’

0
  • ଶହୀଦଙ୍କୁ ସରକାରଙ୍କ ଉଚିତ ସମ୍ମାନ
  • ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ, ଲାଗିଲା ଫଳକ
  •  ନୂଆ ଟଙ୍କପାଣି ରୋଡ”- ସାଇ ମନ୍ଦିରରୁ ଟଙ୍କପାଣି
  • ଭୁବନେଶ୍ୱର,//TATKAL ODISHA//

ବହୁ ବାଦ ବିବାଦ ପରେ ଶେଷରେ ରାଜ୍ୟ ସରକାର ନ୍ୟାୟ ଦେଇଛନ୍ତି I ଦେଶ ମାତୃକା ପାଇଁ ମାତ୍ର ତେତିଶ ବର୍ଷ ବୟସରେ ପ୍ରାଣବଳୀ ଦେଇଥିବା ଶହୀଦ ଦିବାକର ମହାପାତ୍ରଙ୍କର ଅମର ଆତ୍ମାକୁ ସମ୍ମାନିତ କରାଯାଉଛି I ଏଣିକି ରବି ଟକିଜ୍ ଛକ ଠାରୁ ପୁରୀ ବାଇପାସ୍ ରୋଡ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତାର ନାଁ ହୋଇଛି  “ଶହୀଦ ଦିବାକର ମାର୍ଗ” I ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି I


   ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ସଠିକ ନିଷ୍ପତ୍ତି ନେଇଛନ୍ତି I ପୂର୍ବରୁ ଥିବା ରବି ଟକିଜ ଠାରୁ ଟଙ୍କପାଣି ମନ୍ଦିର ଯାଏ ରାସ୍ତାକୁ ଦୁଇ ଭାଗରେ ଓ ଦୁଇ ନାମରେ ବିଭକ୍ତ କରାଯାଇଛି I

ଶହୀଦ ଦିବାକର

ତାହା ହେଉଛି…
1. ଟକିଜ୍ ଛକ- ପୁରୀ ବାଇପାସ୍ ରୋଡ – “ଶହୀଦ ଦିବାକର ମାର୍ଗ”

2. ବାଇପାସ ସାଇ ମନ୍ଦିର ଠାରୁ ଟଙ୍କପାଣି ମନ୍ଦିର– “ନୂଆ ଟଙ୍କପାଣି ରୋଡ” 
   ପ୍ରଥମ ଭାଗ ରାସ୍ତା ଶହୀଦ ଦିବାକର ମାର୍ଗ ରୂପେ ନାମିତ ହୋଇଥିବାରୁ ଶହୀଦ  ଦିବାକର ମହାପାତ୍ରଙ୍କର ପରିବାର ଓ ଶିବ ନଗର ବାସିନ୍ଦା ଏବଂ ଶହୀଦ ଦିବାକର ଟ୍ରଷ୍ଟ ପକ୍ଷରୁ ଖୁସି ଜାହିର କରାଯାଇଛି I ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 
କିଏ ସେ ଦିବାକର? ଜାଣନ୍ତୁ….
 ଦିବାକର ମହାପାତ୍ର 1974ରେ ଜନ୍ମ ଗ୍ରହଣ କରିଥିଲେ। ପିତା ସ୍ଵର୍ଗତ ହରିହର ମହାପାତ୍ର ଓ ମାତା କାଞ୍ଚନ ମହାପାତ୍ର ଙ୍କର ସେ ସର୍ବ କନିଷ୍ଠ ପୁତ୍ର ଥିଲେ। 
   ଦିବାକର  ଶିବନଗର ଭୁବନେଶ୍ଵରର ନିବାସୀ ଥିଲେ। ସେ ଭୁବନେଶ୍ଵରର ୟୁନିଟ 8 ବାଳକ ଉଚ୍ଚ ବିଦ୍ୟାଳୟ ରୁ 1989ରେ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ତାଙ୍କର ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଅର୍ଥନୀତି ରେ ଯଥାକ୍ରମେ ବିଜେ ବି ମହାବିଦ୍ୟାଳୟ, ଭୁବନେଶ୍ଵର ଓ ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ବିଶ୍ଵଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଧୀର, ଶାନ୍ତ, ସହିଷ୍ଣୁତା ଓ ପରୋପକାରୀ ସ୍ଵଭାବ ପାଇଁ ସେ ସମସ୍ତଙ୍କର ଆଦରଣୀୟ ଥିଲେ। ଭାରତୀୟ ବାୟୁସେନାରେ 1999 ରେ ଯୋଗଦାନ କରି ସେ ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ। 2000ରେ 32 Batch, Direct Officer Recruitmentରେ ସଫଳତାର ସହିତ କେନ୍ଦ୍ରୀୟ ଆରକ୍ଷୀ ପୋଲିସ୍ ବଳରେ Asst. Commandant ଭାବେ ମାଉଣ୍ଟଆବୁରେ ତାଲିମ ନେଇଥିଲେ। ଏହି କର୍ମକ୍ଷେତ୍ରରେ ସେ ପ୍ରଥମେ ଅମରନାଥ, ଡୋଡା, କିସ୍ଟୋୱାଡ, ଇଟାନଗର ଓ ଛତିଶଗଡ଼ର ଦଣ୍ଟେୱାଡରେ ଦେଶବାସୀଙ୍କୁ ସୁରକ୍ଷା ଦେବା ଓ ସନ୍ତାସବାଦୀଙ୍କୁ ଦମନ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କର ଦେଶସେବା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା କେବେ ହେଲେ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଜର ବିପଦସଂକୁଳ ନିୟୋଜନକୁ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରୁନଥିଲେ। 
       ତାଙ୍କର ଦଶବର୍ଷ ଦେଶସେବା ସମୟ ମଧ୍ୟରେ 41 ବାଟାଲିୟନର Dy Commandant ଭାବେ ଛତିଶଗଡ଼ ରାଜ୍ୟର ଦଣ୍ଟେୱାଡାରେ ନିୟୋଜନ ଦେଶର ସବୁଠାରୁ ଭୟଙ୍କର ବିପଦଶଙ୍କୁଲ ଥିଲା। Sept 29, 2008ରେ ଭାରତର ସର୍ବପ୍ରଥମ ନାଗରିକ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କର ଚିତ୍ରକୁଟ ପରିଦର୍ଶନ ସମୟରେ  ବସ୍ତର ଠାରେ ନିରାପତ୍ତା ବାହିନୀ ସୁରକ୍ଷା କାର୍ଯ୍ୟ ତଥା କମ୍ବିଂ ପ୍ରକ୍ରିୟା ଚାଲୁଥିଲା ସମୟରେ ବିଶ୍ୱାସଘାତକ, ଦେଶଦ୍ରୋହୀ ମାଓଵାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅନ୍ୟ ତିନି ଜଣ ସୁରକ୍ଷାକର୍ମୀଙ୍କ ସହ ଶହୀଦ ହୋଇଗଲେ ଦିବାକର।

ରାଜ୍ୟ ସରକାର ତାଙ୍କୁ ଉଚିତ ସମ୍ମାନ ଦେଇଥିବା ସଚେତକ ମହଲରେ ପ୍ରକାଶ I

Leave A Reply

Your email address will not be published.