ଧାର୍ଯ୍ୟ ସମୟରେ ସରିବ କୋଷ୍ଟାଲ ହାଇ ୱେ
- ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା : ଧର୍ମେନ୍ଦ୍ର
- ଭୁବନେଶ୍ବରରେ ଏନଏଚ୍ଆଇ ଅଧିକାରୀଙ୍କ ସହ ସମୀକ୍ଷା
- ଭୁବନେଶ୍ବର,//TATKAL ODISHA/
ଧାର୍ଯ୍ୟ ସମୟରେ ସରିବ କୋଷ୍ଟାଲ ହାଇ ୱେ I ସେହିପରି ଭୁବନେଶ୍ବର ରିଙ୍ଗ୍ ରୋଡ ଏବଂ ଆଠ ଲେନ ବିଶିଷ୍ଟ ପାରାଦୀପ-ବଡ଼ବିଲ ପ୍ରକଳ୍ପ ବି ନିର୍ଦ୍ଧାରିତ ସମୟରେ ସାରିବାକୁ ଲକ୍ଷ୍ୟ ରହିଛି I
ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଠାରେ ଏନଏଚ୍ ଏବଂ ଏନଏଚଏଆଇର ଅଧିକାରୀଙ୍କ ସହ ରାଜ୍ୟରେ କ୍ରିୟାନ୍ଵୟନ ହେଉଥିବା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସମୀକ୍ଷା କରିବା ସହ ନିର୍ବାଚିତ ସମୟରେ ପ୍ରକଳ୍ପର କାମ ଶେଷ ହେବା ଉପରେ ଗୁରୁତ୍ବାରୋପ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ରାଜପଥ ପ୍ରକଳ୍ପ ଯଥା ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପ୍ରକଳ୍ପର ଅଗ୍ରଗତି, ଭୁବନେଶ୍ବର ରିଙ୍ଗ୍ ରୋଡ୍ ପ୍ରକଳ୍ପ, ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ ଜୋରିଡ଼ର ଏବଂ ରାଜ୍ୟରେ ନିର୍ମାଣାଧୀନ ବିଭିନ୍ନ ରାଜପଥ ପ୍ରକଳ୍ପ ସହ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ପୂର୍ବ ଭାରତର ଭିତ୍ତିଭୂମି ବିକାଶ ହେବ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁରେ ଓଡ଼ିଶା ରହିବ । ଏହି ସମସ୍ତ ପ୍ରକଳ୍ପ କିଭଳି ନିର୍ବାରିତ ସମୟରେ ଶେଷ ହେବ ସେ ନେଇ ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ସରକାର ଓଡିଶାରେ ଜାତୀୟ ରାଜପଥ ପ୍ରକଳ୍ପକୁ ଗୁରୁତ୍ଵ ଦେଉଛନ୍ତି । ସେହିପରି ଓଡିଶାର ଅର୍ଥନୀତିରେ ଗୁରୁତ୍ବ ବହନ କରୁଥିବା କୋଷ୍ଟାଲ ହାଇୱେକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମରୁ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରି ଆସୁଛନ୍ତି । ଏହି ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । ରାଜ୍ୟରେ ଚାଲୁଥିବା ଏନ୍ଏଚ୍ଆଇ ପ୍ରକଳ୍ପ ଓଡିଶାର ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ପର୍ଯ୍ୟଟନ ଶିଳ୍ପକୁ ତ୍ବରାନ୍ବିତ କରିବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ।