ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ :’ଜେଜେ ହାତଗଢ଼ା ମୂର୍ତ୍ତି’
ଗଳ୍ପ
*ଜେଜେ ହାତଗଢା ମୂର୍ତ୍ତି*
*ମନୋଜ କୁମାର ମହାପାତ୍ର*
ଏମିତି ଜଣେ ଲୋକ କୋଲକାତାରେ ନାହିଁ ଯିଏ ରୁବି ପ୍ରାଇଭେଟ ହସ୍ପିଟାଲକୁ ନ ଜାଣିଛି l ହସ୍ପିଟାଲଟି ଚିକିତ୍ସା ପ୍ରଯୁକ୍ତିବିଦ୍ୟାର ଅତ୍ୟାଧୁନିକ ଉପକରଣ ଦ୍ୱାରା ଯେପରି ସଜ୍ଜିତ, ସେମିତି ତାର ବିଭିନ୍ନ ବିଭାଗର ଭିଜିଟିଂ ସ୍ପେସିଆଲିଷ୍ଟ ଡାକ୍ତରମାନେ l ଖ୍ୟାତନାମା ମେଡ଼ିସିନ ସ୍ପେସିଆଲିଷ୍ଟ ଡାକ୍ତର ଅନିମା ଓଝାକୁ କିଏ ବା ନଜାଣିଛି ! ପ୍ରତି ମାସରେ ତାଙ୍କର ଦୁଇଥର ଉପସ୍ଥିତି ଏଇ ହସ୍ପିଟାଲକୁ କରିଦିଏ ଲୋକାରଣ୍ୟ, ସତେକି ସେ ହିଁ ଦେବ-ବୈଦ୍ୟ ଧନ୍ଵନ୍ତରିଙ୍କର ଆଶିଷପ୍ରାପ୍ତ କନ୍ୟା ! ତାଙ୍କର ରୋଗ ଚିହ୍ନଟକାରି ବୃତ୍ତିଗତ ପାରଙ୍ଗମତା ଏବଂ ଲକ୍ଷ୍ୟଭେଦୀ ମେଡ଼ିସିନ ପ୍ରେସକ୍ରିପସନ କ୍ୱଚିତ ବିଫଳତାର ସମ୍ମୁଖୀନ ହୁଏ l କିନ୍ତୁ ତାଙ୍କର ପଦେକଥାର ଲାଳିତ୍ୟ କାଳେ ଅଧା ରୋଗ ଭଲ କରିଦିଏ ବୋଲି ଲୋକେ ବିନା ଦ୍ଵିଧାରେ କହନ୍ତି l
ଏକଦା ହସ୍ପିଟାଲରେ ରୋଗୀ ଦେଖିସାରି ଅନିମା ଉପର ତାଲାରୁ ଓଲ୍ହାଇଲା ବେଳେ ଦେଖିଲେ ଗ୍ରାଉଣ୍ଡ ଫ୍ଲୋରର ଲାଉଞ୍ଜର ଏକ କୋଣରେ ସୁନ୍ଦର ପାଷାଣ ଦେବୀ ମୂର୍ତ୍ତିଟିଏ l ଟିକିଏ ଦୂରରୁ ଅଟକି ଯାଇ କହିଲେ - ଆରେ ମୁଁ ଅନେକ ବାର ଏଠାକୁ ଆସିଛି କିନ୍ତୁ କେବେ ବି ମୋ ଆଖି ଏହା ଉପରେ ପଡିନି ? ତାଙ୍କୁ ପାଛୋଟି ନେଉଥିବା ଡାକ୍ତର କହିଲେ - ମାଡାମ, ଏହି ମୂର୍ତ୍ତି ହସ୍ପିଟାଲ ଆରମ୍ଭରୁ ରହିଛି l ଆପଣଙ୍କ ନଜର ବୋଧେ ପଡିନି l
ଅନିମା ଉତ୍କଣ୍ଠିତ ହେଇ ତତକ୍ଷଣାତ ମୂର୍ତ୍ତି ନିକଟକୁ ଚାଲି ଆସିଲେ ସତ କିନ୍ତୁ ସେ ନିମିଷକେ ନିଜେ ସ୍ଥାଣୁ ମୂର୍ତ୍ତିଟିଏ ପାଲଟିଗଲେ ବିସ୍ମୟରେ ଓ ଉଲ୍ଲାସରେ l ନା ତାଙ୍କ ପାଟିରୁ କଥା ପଦଟିଏ ବାହାରୁଛି ନା ଟିକେ ହଲି ପାରୁଛନ୍ତି l ଆଖିରେ ଲୁହ ଢଳ ଢଳ ଅଥଚ ନିଗିଡି ପଡୁନି ତଳକୁ l ଦୁଇଟି ନିଷ୍ପ୍ରାଣ ଆଖିକୁ ଚାହିଁଛି ଦୁଇଟି ପ୍ରାଣବନ୍ତ ଆଖି l ସତେକି ଚେତନା ସ୍ପର୍ଶରେ ଜଡ଼ ଜୀବନ୍ତ ହେଇ ଅବ୍ୟକ୍ତ ସ୍ୱରରେ କଥା କହୁଛି !! ଆଉ ସେଇ ସ୍ୱର ତରଙ୍ଗ ଭଳି ଭେଦି ଯାଉଛି ଡାକ୍ତର ମାଡାମଙ୍କ ପ୍ରତି ଲୋମକୁପରେ !!
ଆହାଃ.... କି ଚମତ୍କାରିତାର ଅଭିବ୍ୟକ୍ତି ସତେ ! ଯାହାକୁ ବର୍ଷ ବର୍ଷ ଧରି ଖୋଜୁଥିଲି, ଯାହା ପାଇଁ ଅଶ୍ରୁ ଅଧିକାଂଶ ସମୟରେ ଢଳ ଢଳ କରିଦିଏ ମୋର ଖୋଜନ୍ତା ଆଖିକୁ, ସେ ହିଁ ଏଠାରେ ବସିଛି ମୋର ବାଟକୁ ଚାହିଁ ! ନା ସେ କିଛି କହିପାରିଲେ ନା ଭାବିପାରିଲେ l ସ୍ଥାଣୁ ବିଗ୍ରହଟିଏ ପରି ଠିଆ ହେଇଥିଲେ l
ତାଙ୍କୁ ପାଛୋଟି ନେଉଥିବା ଡାକ୍ତର ବିଚଳିତ ହେଇ ପଚାରିଲେ - କଣ ହେଲା ମାଡାମ, ଦେହ କଣ ଭଲ ଲାଗୁନି ? ସେ କିଛି ଉତ୍ତର ନଦେଇ ପଛକୁ ଫେରି, ପାଦ ଗଣି ଗଣି ପୁଣି ଉପର ତାଲାର ନିଜ କକ୍ଷକୁ ଫେରି ଆସିଲେ l ନିଜ ଚେୟାରରେ ବସି ଯାଇ ଟେବୁଲରେ ଥୁଆ ଯାଇଥିବା ଗ୍ଲାସରୁ ପାଣି ଢକ ଢକ ପିଇ ଦୀର୍ଘ ନିଃଶ୍ୱାସଟିଏ ମାରିଲେ l
ତାଙ୍କର ଏଭଳି ସ୍ନାୟୁବିକ ଦୁର୍ବଳତା ପରିଲକ୍ଷିତ କରି ସାଥି ଡାକ୍ତର ଅବାକ ହେଇ ଚୁପ ଚାପ ଠିଆ କେଇଥିଲେ କିନ୍ତୁ କିଛି ପଚାରିବାକୁ ତାଙ୍କ ପାଟିରୁ ବାକ୍ୟ ସ୍ଫୁରୁ ନଥିଲା l ଶେଷରେ ଡାକ୍ତର ଓଝା କହିଲେ - ଆପଣ ଦୟାକରି ହସ୍ପିଟାଲର ପ୍ରତିଷ୍ଠାତା ଡାକ୍ତର ଗାଙ୍ଗୁଲିଙ୍କୁ ମୋ ପାଖକୁ ଆସିବାକୁ କହିବେ କି ?
ଡାକ୍ତର ଗାଙ୍ଗୁଲି କିଛି ସମୟ ପରେ ପହଂଚି, ସାମ୍ନା ଚେୟାରରେ ବସିବା କ୍ଷଣି ଡାକ୍ତର ଓଝା ଉତ୍କଣ୍ଠିତ ସ୍ୱରରେ ପଚାରିଲେ - ଡାକ୍ତର ଗାଙ୍ଗୁଲି ! ଆପଣଙ୍କ ଲାଉଞ୍ଜରେ ଯେଉଁ ନାରୀ ମୂର୍ତ୍ତି ସ୍ଥାପିତ, ତାକୁ କେଉଁଠୁ ପାଇଲେ ?
ଡାକ୍ତର ଗାଙ୍ଗୁଲି ଉତ୍ସାହିତ ସ୍ୱରରେ କହିଲେ - ସେ ଏକ ଇତିହାସ l ସେଇ ମୂର୍ତ୍ତିଟିକୁ ଅନେଜ ବର୍ଷ ତଳେ ମୁଁ ମୁମ୍ବାଇରୁ ଉପହାର ଭାବେ ପାଇଥିଲି l ସେ ସମୟରେ ମୁଁ କାଣ୍ଡି ହସ୍ପିଟାଲରେ ହାର୍ଟ ସର୍ଜନ ଭାବେ କାମକରୁଥିଲି l ଏକଦା ଜଣେ ଧନୀ ହୀରା ବ୍ୟବସାୟୀ ଜଟିଳ ହୃଦ ରୋଗରେ ଆକ୍ରାନ୍ତ ହେଇ ଆଡମିଟ ହେଲେ, ବଂଚିବାର ଆଶା ନଥିଲା l ତାଙ୍କର ଓପନ ହାର୍ଟ ସର୍ଜରୀ ତୁରନ୍ତ କରିଥିଲି l ସେ ମୋତେ ଏଇ ମୂର୍ତ୍ତିଟି ଉପହାର ଦେଇ ସେଦିନ କହିଥିଲେ - ଡାକ୍ତର ସାହେବ, ବହୁ ଟଙ୍କା ଦେଇ ଏଇ ମୂର୍ତ୍ତିଟିକୁ ମୁଁ ଲଣ୍ଡନର ଏକ ସମ୍ଭ୍ରାନ୍ତ ମାର୍କେଟରୁ କିଣିଥିଲି l ଓଡ଼ିଶାର କୋଣାର୍କ ମନ୍ଦିରର ପାଷାଣ ମୂର୍ତ୍ତି ଢାଞ୍ଚାରେ ତିଆରି ହେଇଛି l
କିଛିବର୍ଷ ପରେ ରୁବି ହସ୍ପିଟାଲଟି କୋଲକତାରେ ପ୍ରତିଷ୍ଠା କରି ଏଇ ମୂର୍ତ୍ତିଟିକୁ ଲାଉଞ୍ଜରେ ରଖିଛି l କଣ ସୁନ୍ଦର ହେଇନି ?
ଡାକ୍ତର ଓଝାଙ୍କର ଗଭୀର ଆବେଗଗ୍ରସ୍ତ କପାଳ ସାମାନ୍ୟ କୁଞ୍ଚିତ ହେଲା l ସେ ଅନ୍ୟମନସ୍କ ଭାବରେ କହିଲେ - ନା... ନା ସୁନ୍ଦର କି ଅସୁନ୍ଦର କଥା ମୁଁ ଭାବୁନି l ସନ୍ତାନ ଆଖିରେ ଗର୍ଭଧାରିଣୀ ମା ସର୍ବଦା ସୁନ୍ଦର ଓ କମନୀୟ l ସେଠି ସୁନ୍ଦର ଅସୁନ୍ଦର ପ୍ରଶ୍ନ କେବେ ଜାତ ହୁଏନି l
ଡାକ୍ତର ଗାଙ୍ଗୁଲିଙ୍କର ବିବ୍ରତ କଣ୍ଠ ଥରି ଉଠିଲା - ମାଡାମ, କିଛି ବୁଝିପାରୁନି ଆପଣଙ୍କ କଥା l ମୂର୍ତ୍ତିଟା କେମିତି ମା ହେବ ?
ଡାକ୍ତର ଓଝା ବାଷ୍ପରୁଦ୍ଧ କଣ୍ଠରେ କହିଲେ - ଅବଶ୍ୟ ମୁଁ ମିରାକ୍ଳରେ ବିଶ୍ୱାସ କରେନି କିନ୍ତୁ ଆଜି ଯାହା ଘଟିଲା, ତା ଚମତ୍କାରିତା ନୁହେଁ ତ ଆଉ କଣ ବୋଲି ଭାବୁଛି l ଡାକ୍ତର ଓଝା ଖର ନିଃଶ୍ୱାସଟିଏ ମାରି କହିଲେ - ଆପଣ ମୋତେ ଏହି ମୂର୍ତ୍ତିଟି ଦେଇପାରିବେ ? ମୂର୍ତ୍ତିର ଦାମ ମୁଁ ଦେଇଦେବି, ତା ସହିତ କୋଣାର୍କ ଢାଞ୍ଚାରେ ଆପଣଙ୍କୁ ଆଉ ଗୋଟିଏ ମୂର୍ତ୍ତି ଦେବି l ଏତକ କହି ଅଜାଣତରେ ବୋହି ଯାଉଥିବା ଲୁହକୁ ପୋଛିଲେ l
ଡାକ୍ତର ଗାଙ୍ଗୁଲି ସେତବେଳକୁ ବାକରୁଦ୍ଧ l କଣ କହିବେ ଭାବି ପାରିଲେନି ସତ କିନ୍ତୁ ମନେ ମନେ ଭାବୁଥିଲେ ଯେ ଏଭଳି ସ୍ୱନାମଧନ୍ୟ ଡାକ୍ତର ସାମାନ୍ୟ ପଥର ମୂର୍ତ୍ତି ପାଇଁ କାନ୍ଦୁଛନ୍ତି !!! ସେ ସାମାନ୍ୟ ପ୍ରକୃତିସ୍ଥ ହେଇ କହିଲେ - ମାଡାମ, ନୋ ପ୍ରୋବ୍ଲେମ l ଆପଣଙ୍କୁ ମୂର୍ତ୍ତିଟି ଦେବି l କିନ୍ତୁ ଗୋଟିଏ ସର୍ତ୍ତ l ମୂର୍ତ୍ତି ପଛରେ ଥିବା ରହସ୍ୟ ମୋତେ କହିବେ ପ୍ଲିଜ l
ଡାକ୍ତର ଓଝାଙ୍କ ଆଖି ଦୁଇଟି ଉଜ୍ଜ୍ୱଳ ଦେଖାଗଲା l ସେ ସ୍ମିତ ହସି କହିଲେ - ଠିକ ଅଛି l ମୁଁ ତ ପନ୍ଦରଦିନ ପରେ ଏଠାକୁ ଆସିବି l ଭୁବନେଶ୍ୱରରେ ପହଂଚି ଆପଣଙ୍କ ନିକଟକୁ ନୂଆ ମୂର୍ତ୍ତିଟିଏ ପେକିଂ କରି ଟ୍ରାନ୍ସପୋର୍ଟ ଟ୍ରକରେ ପଠାଇଦେବି l
ଆଠଦିନ ବିତିଛି କି ନାହିଁ ଡାକ୍ତର ଗାଙ୍ଗୁଲି ନାରୀ ମୂର୍ତ୍ତିଟିଏ ଟ୍ରାନ୍ସପୋର୍ଟର ପାଖରୁ ରିସିଭ କଲେ l ପେକିଂ ଖୋଲି ମୂର୍ତ୍ତିଟିକୁ ଦେଖିବା ମାତ୍ରେ ତାଙ୍କର ଖୁସି ସୀମା ଲଂଘନ କଲା l ଏଇଥିପାଇଁ ଯେ ଲାଉଞ୍ଜରେ ଥିବା ମୂର୍ତ୍ତି ଅପେକ୍ଷା ଏଇ ନୂଆ ମୂର୍ତ୍ତିଟି ଶହେଗୁଣରେ ସୁନ୍ଦର ଦେଖିବାକୁ l
ପନ୍ଦରଦିନ ଅତିକ୍ରାନ୍ତେ ପରବର୍ତୀ ଭିଜିଟରେ ଡାକ୍ତର ଓଝା ରୁବି ହସ୍ପିଟାଲରେ ପହଂଚି ପ୍ରଥମେ ଲାଉଞ୍ଜରେ ଥିବା ମୂର୍ତ୍ତିକୁ ଶ୍ରଦ୍ଧାରେ ଭୂମିଷ୍ଟ ପ୍ରଣାମ କରି ରୋଗୀ ଦେଖିବା କାର୍ଯ୍ୟରେ ବ୍ୟସ୍ତ ରହିଲେ l ମଧ୍ୟାହ୍ନ ଭୋଜନ ପରେ ଡାକ୍ତର ଗାଙ୍ଗୁଲି ହଠାତ ତାଙ୍କ କକ୍ଷରେ ପହଂଚି କହିଲେ - ମାଡାମ, ଆପଣ ପଠାଇଥିବା ମୂର୍ତ୍ତିଟି ରିଅଲି ଫାଣ୍ଟାଷ୍ଟିକ l ତେବେ ଲାଉଞ୍ଜର ମୂର୍ତ୍ତିଟାକୁ ପେକିଂ କରି ଟ୍ରାନ୍ସପୋର୍ଟରେ ଭୁବନେଶ୍ଵର ପଠାଇ ଦେଉଛି l
ଡାକ୍ତର ଓଝା ଚିଇଁକି ଉଠି କହିଲେ - ନୋ ନୋ l ମା'କୁ କଷ୍ଟ ହେବ l ଏଥର କାର ନେଇ ଆସିଛି, ମୋରି ପାଖରେ ତାକୁ ଶୁଆଇ ଅତି ଯତ୍ନରେ ନେବି l
ଡାକ୍ତର ଗାଙ୍ଗୁଲି ଆଉ ଠିଆ ହେବେ କଣ, ସେ ଦୁମ କିନା ମାଡାମଙ୍କ ସାମ୍ନା ଚେୟାରରେ ବସି ଅକାବକା ହେଇ ଚାହିଁଲେ l ଡାକ୍ତର ଓଝା ନମ୍ରତା ସହ କହିଲେ - ଶୁଣନ୍ତୁ ମୂର୍ତ୍ତି ପଛରେ ଥିବା ମୋ ଭାବାବେଗପୂର୍ଣ୍ଣ ଇତିହାସ l
କୋଣାର୍କ ଅଞ୍ଚଳରେ ମୋ ଜେଜେ ବଟକୃଷ୍ଣ ଓଝା ଥିଲେ ଜଣେ କୁଶଳୀ ପାଷାଣ ମୂର୍ତ୍ତିକାର l ଲୋକେ କହନ୍ତି ତାଙ୍କର ନିହାଣ ମୁନରେ ଗଢ଼ା ମୂର୍ତ୍ତିମାନେ କାଳେ ନିସ୍ତବ୍ଦରେ କଥା କୁହନ୍ତି l ତାଙ୍କ ହାତଗଢା ଦେବ ଦେବି ମୂର୍ତ୍ତି ଅନେକ ମନ୍ଦିରରେ ଆଜି ପୂଜିତ l କେବଳ ସେତିକି ନୁହେଁ ଦେଶ ବିଦେଶରେ ତାଙ୍କର ମୂର୍ତ୍ତି ମଧ୍ୟ ବିକ୍ରି ହୁଏ l ତାଙ୍କର ଖୁବ ନାଁ l
ଇତ୍ୟବସରେ ଡାକ୍ତର ଗାଙ୍ଗୁଲି ଖୁବ ଅଧର୍ଯ୍ୟ ହେଇ, ବାଡ଼ବତା ନ ମାନି କହି ପକାଇଲେ - ହଁ ହଁ ତାଙ୍କ ନାଁ ମୁଁ ଶୁଣିଛି l ସେ ତ କିଛି ବର୍ଷ ତଳେ ପଦ୍ମ ଭୂଷଣ ସମ୍ମାନରେ ଭୂଷିତ ହେଇଥିଲେ ନା ?
ଡାକ୍ତର ଓଝା ବିରକ୍ତ ହେଇ କହିଲେ - ନା ନା l ସେ ପଦ୍ମଫଦ୍ମ ପୁରସ୍କାର କଥା ଛାଡ଼ନ୍ତୁ l ଆଜିକାଲି ଯୁଗରେ କିଏ କାହାର ପ୍ରତିଭାକୁ ଚିହ୍ନେ ! ମୋ ଜେଜେ କୌଣସି ପୁରସ୍କାର ପାଇନାହାନ୍ତି, ଲବି କରିବା ତ ଦୂରର କଥା l ତାଙ୍କ ନିହାଣ ଭଲ ତ ସେ ଭଲ l
ହଁ କଣ କହୁଥିଲି କି, ମୋ ବାପା ଜେଜେଙ୍କର ଏକମାତ୍ର ପୁତ୍ର l କିନ୍ତୁ ଜେଜେଙ୍କର ଠିକ ଓଲଟା l ସେ ଖୁବ ଅଳସୁଆ ଓ ପରିବାର ପ୍ରତି ତାଙ୍କର ଟିକେ ନିଘା ନ ଥାଏ l କୌଳିକ ବୃତ୍ତିରେ ବିଲକୁଲ ମନ ନାହିଁ ବରଂ ସାଙ୍ଗ ପଞ୍ଝାଏ ମେଳରେ ପଶା ଖେଳିବେ, ତାସ ଖେଳିବେ ଗଂଜେଇ ଟାଣିବେ, ମୋ ମା କୁ ଗାଳିଗୁଲଜ ଏମିତିକି ବାଡାବାଡ଼ି କରିବାକୁ ପଛେଇବେନି l ଜେଜେ ବି ବାପାଙ୍କର ଗାଳିରୁ ବର୍ତ୍ତୁ ନଥିଲେ l ମା ବହୁ ସମୟରେ ମୋ ମୁହଁକୁ ଚାହିଁ କାନ୍ଦି ଜୀବନ ବଞ୍ଚେ l ମୁଁ ଥିଲି ମା ବାପାଙ୍କର ଏକମାତ୍ର ଝିଅ l କିନ୍ତୁ ମୋ ମାକୁ ଜେଜେ ଏତେ ଭଲ ପାଆନ୍ତି ଯେ କଉଁ ଶଶୁର ବୋହୂକୁ ଏମିତି ଭଲ ପାଉନଥିବେ l
ବାପାଙ୍କର ପାରିବାରିକ ଉପଦ୍ରଵ ଦିନକୁ ଦିନ ସୀମା ଲଂଘିଲା l କଳସୀରେ ବୁନ୍ଦା ବୁନ୍ଦା ଜଳ ଯଦି ନିତି ପଡେ କଳସୀ ଉଛୁଳି ପଡିବ କି ନାହିଁ ? ତାହା ହିଁ ହେଲା l ମୋ ମା ବେକରେ ଦଉଡି ଦେଇ ଆତ୍ମହତ୍ୟା କଲା l ମୁଁ ସେଇ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥାଏ l
ମା'କୁ ହରାଇବାର ଅସହ୍ୟ ଦୁଃଖରେ ଘାଣ୍ଟି ହେଉଥିବାବେଳେ ଜେଜେଙ୍କର ସ୍ନେହ ମୋ କ୍ଷତର ମଲମ ସଦୃଶ ଥିଲା l ଛାଈଟିଏ ଭଳି ମୋ ପାଖେ ପାଖେ ରହି ମୋତେ ଆଶ୍ୱାସନା ଦେବା ସହିତ ମୋର ପାଠପଢାରେ ଯେପରି କ୍ଷତି ନଘଟେ ସେଥିପ୍ରତି ସେ ଅନବରତ ଯତ୍ନବାନ ଥିଲେ l କିନ୍ତୁ ମୋ ପାଇଁ ସବୁଠାରୁ ଦୁଃଖର ବିଷୟ ଥିଲା ଯେ ସେ ଆଉ ନିହାଣ ଧରିଲେନି, ସବୁବେଳେ ମୋ ମା'କୁ ସମସ୍ତଙ୍କ ଅଲକ୍ଷ୍ୟରେ ଝୁରି ଝୁରି କାନ୍ଦୁଥିଲେ l କହିବାକୁ ଗଲେ ଜଣେ ଶିଳ୍ପୀର ମୃତ୍ୟୁ ହେଲା l ଯିଏ ଯେତେ ତାଙ୍କୁ ବୁଝାଇଲେ ବି ସେ କାହାର କଥାକୁ କର୍ଣ୍ଣପାତ କଲେନି l
ଏମିତି ଦୁଃଖଦ ସମୟ ବିତୁଥିବାବେଳେ ମୋ ଜେଜେଙ୍କ ଓଠରେ ହଠାତ ତିନିବର୍ଷ ପରେ ହସ ଦେଖି ଅବାକ ହେଲି l ସେ ନିହାଣ ମୁନକୁ ପଜାଉ ପଜାଉ କହିଲେ - ଅନିମା ଆଉ ଚିନ୍ତା କରନା l କାଲି ଯାଇ କଟକ ମେଡିକାଲ କଲେଜରେ ନାମ ଲେଖାଇ ଦେବି l ତୁ ଡାକ୍ତର ହେବୁ l ସେତେବେଳକୁ ମୋର ମେଡିକାଲ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହେବାର ପନ୍ଦର ଦିନ ବିତିଥାଏ l
ମୁଁ ବିଚଳିତ ସ୍ୱରରେ ପଚାରିଲି - ଏତେ ଟଙ୍କା ? ସେ କହିଲେ ତୋର ଚିନ୍ତା କରିବାର ନାହିଁ l ମୋ ନିହାଣ ଟଙ୍କା ଦେବ l ଅଧିକ ଜାଣିବାକୁ ସେ ମୋତେ ସୁଯୋଗ ଦେଲେନି l
ମେଡିକାଲ କଲେଜରେ ଆଡ଼ମିସନ କରି କଟକରେ ହଷ୍ଟେଲରେ ରହି ପାଠ ପଢିଲି l
ଅନେକ ଦିନ ମାନସିକ ଚାପ ଓ ଦୁଶ୍ଚିନ୍ତାରେ ଘାଣ୍ଟି ହେଇ ଶେଷରେ ସେ ହାତୁଡି ଓ ନିହାଣ ଧରି ପାଞ୍ଚଫୁଟର ଏକ ସରସ୍ୱତୀ ମୂର୍ତ୍ତି ଗଢିବାରେ ମଜ୍ଜିଗଲେ l ଦିଲ୍ଲୀର ଗୋଟିଏ ନବ ନିର୍ମିତ ମନ୍ଦିରରେ ଏଇ ମୂର୍ତ୍ତିଟିକୁ ସ୍ଥାପନ କରାଯିବ l ପୁଣି ଆମ ଘରୁ ଶୁଭିଲା ହାତୁଡି ଓ ନିହାଣ ଶବ୍ଦ l ଚଳଚଞ୍ଚଳ ହେଲା ଘର ଅଗଣା l ଅପୂର୍ବ ଉନ୍ମାଦନା ମୋ ଜେଜେଙ୍କର ହାତକୁ କର୍ମମୁଖର କଲା l
ଛମାସ ପରେ କଟକରୁ ଆସି ଦେଖେତ ଦାଣ୍ଡପିଣ୍ଡାରେ ବସି ଜେଜେ ବିଡି ଟାଣୁଛନ୍ତି l ତାଙ୍କର ହାଡୁଆ ମୁହଁ ବେଶ ଉଜ୍ଜ୍ୱଳ l ବ୍ୟଗ୍ର କଣ୍ଠରେ ପଚାରିଲି - ମୂର୍ତ୍ତି ଗଢ଼ା କଣ ସରିଗଲା ଜେଜେ? ସେ ହସି କହିଲେ - ହଁ, ଦେଖିଲୁ କେମିତି ହେଇଛି l
ସଅଳ ପାଦରେ ଘର ଭିତରକୁ ପଶି ଦେଖେତ ଗୋଟିଏ ପିଢା ଉପରେ ମୂର୍ତ୍ତି ଠିଆ ହେଇଛି l ଯେତେ ଚାହୁଁଥାଏ ସେତେ ମୋ ମା ଭଳି ଦେଖାଯାଉଥାଏ l ଅବିକଳ ମୋ ମା l ମୁଁ ଖୁସିରେ ଆତ୍ମହରା ହେଇ ଡାକ ଛାଡ଼ିଲି - ଜେଜେ ଦୌଡ଼ି ଆସ ଦେଖିବ ମୋ ମା ଗୋଟାପଣେ ମୋ ପାଖକୁ ଫେରି ଆସିଛି l
ଜେଜେ ଦୌଡ଼ି ଆସି କହିଲେ - କାହିଁ ମୋ ସୁନାଲାଖି ବୋହୂ !! ମୁଁ କହିଲି ହେଇ ଦେଖୁନ l ସରସ୍ୱତୀଙ୍କ ମୂର୍ତ୍ତି ଗଢିନ, ତା ଜାଗାରେ ଗଢିଦେଇଛ ମୋ ମା'ର ଅବିକଳ ମୂର୍ତ୍ତି l ମୁଁ ଜାଣେ ପରା ମୋ ମା'କୁ ଯେମିତି ଦିନ ରାତି ଝୁରୁଛ, ତାର ପ୍ରତିଫଳନ ଏଇ ମୂର୍ତ୍ତି l
ଜେଜେଙ୍କର ସେତେବେଳେ ଯାଇ ହୋସ ପଶିଲା l ଏପର୍ଯ୍ୟନ୍ତ ସେ ଜାଣିନାହାନ୍ତି ଯେ ସରସ୍ୱତୀ ମୂର୍ତ୍ତି ଜାଗାରେ ନିଜର ବୋହୂର ମୂର୍ତ୍ତିଟିଏ ଗଢି ଦେଇଛନ୍ତି l ସେ ଅବାକ ହେଇ ମୂର୍ତ୍ତିକୁ ଚାହିଁ ଥିଲେ ସତେକି ଅନ୍ୟ ଜଣେ ମୂର୍ତ୍ତିକାର ଏଇ ମୂର୍ତ୍ତିକୁ ଗଢି ତାଙ୍କୁ ଭେଟି ଦେଇଛି l
ମୋ ମା'ର ଅବିକଳ ରୂପ ମୂର୍ତ୍ତିରେ ଦେଖି ଜେଜେଙ୍କୁ ସେଦିନ କହିଥିଲି - ଜେଜେ, ମୋ ମା ଏଣିକି ଆମ ଘରେ ରହିବ, ତାକୁ ଆଉ କାହାକୁ ଦେବନି l ଜେଜେ କହିଲେ - ହଉ l ଯେଉଁ କୋଠରୀର ଖଟରେ ମା ଶୋଉଥିଲା ସେହି
ଖଟ ଉପରେ ମୂର୍ତ୍ତିଟିକୁ ଜେଜେ ରଖିଦେଲେ l
ଅବଶ୍ୟ ପରେ ବୀଣା ଧରିଥିବା ସୁନ୍ଦର ସରସ୍ୱତୀ ମୂର୍ତ୍ତିଟିଏ ଗଢି ଦିଲ୍ଲୀ ମନ୍ଦିରକୁ ବିକ୍ରି କରିଥିଲେ l ମୂର୍ତ୍ତି ବିକ୍ରି କରି ଜେଜେ ଯେତେ ଟଙ୍କା ଉପାର୍ଜନ କରନ୍ତି ସବୁତକ ମୋ ପାଠପଢାରେ ଖର୍ଚ୍ଚ ହୁଏ l ପ୍ରାୟ ପାଞ୍ଚବର୍ଷ ଅତିକ୍ରାନ୍ତେ କଠିଣ ପରିଶ୍ରମ ଦ୍ୱାରା ଜେଜେଙ୍କର ସ୍ୱାସ୍ଥ୍ୟରେ ଘଟିଲା ଅବନତି l
ମୋର ଏମ. ବି. ବି. ଏସ ଚତୁର୍ଥ ବର୍ଷ ବେଳକୁ ଜେଜେ ଆଉ କିଛି କାମ କରିପାରିଲେନି l ମୁଁ ବି ତାଙ୍କୁ କାମ କରାଇ ଦେଲିନାହିଁ l ସେହି ବର୍ଷ ଜେଜେଙ୍କର ପଦଟିଏ କଥା ଆଜି ବି ମୋର ମନେ ଅଚ୍ଛି କିନ୍ତୁ ସେହି ପଦେକଥାର ରହସ୍ୟ ସେତେବେଳେ ବୁଝି ପାରିନଥିଲି – ତୁ ମେଡ଼ିସିନରେ ପୋଷ୍ଟ ଗ୍ରାଜୁଏସନ କରିବୁ l ମୁଁ କିଛି ନ କହିବାରୁ ସେ ମୋତେ ଗମ୍ଭୀର କଣ୍ଠରେ କହିଲେ – ଅନେଇଛୁ କଣ ? ମୋତେ ଜବାବ ଦେ l ତାଙ୍କର କଥାଟାକୁ ସେଦିନ ହାଲୁକା ଭାବେ ନେଇ କହିଲି – ହଉ ହେଲା l ନିଶ୍ଚୟ ପିଜି କରିବି l
ଇୟା ଭିତରେ ଛଅ ମାସ ବିତିଛି କି ନାହିଁ ଜେଜେ ହଠାତ ଅସୁସ୍ଥ ହେଇପଡିଲେ l ତାଙ୍କୁ ତୁରନ୍ତ ଗାଁରୁ ନେଇ ଆସି କଟକ ମେଡ଼ିକାଲରେ ଆଡ଼ମିସନ କରିଦେଲି l ପନ୍ଦର ଦିନ ଧରି ରାତି ଦିନ ତାଙ୍କ ବେଡ଼ ପାଖରେ ବସି ସେବା କଲି l ଏକଦା ରାତି ଅନିଦ୍ରା ହେଇ ତାଙ୍କ ବେଡ଼ ପାଖରେ ବସି କେତେବେଳେ ଢୋଳେଇ ପଡିଛି ମୋତେ ଜଣା ନଥିଲା l କିନ୍ତୁ ହଠାତ ମୋ ମୁଣ୍ଡକୁ ଆଉଂଶୁ ଥିବାର ସ୍ପର୍ଶ ପାଇ ମୁଁ ଚିଇଁକି ଉଠି ଦେଖେତ ଜେଜେ ହସି କହୁଛନ୍ତି – ଅନିଲୋ, ମୋ ଅନ୍ତେ ମାକୁ କେବେ ଖୋଜି କାନ୍ଦିବୁନି l ସେ ଓ ମୁଁ ତୋ ପାଖେ ସବୁବେଳେ ରହିବୁ l ମୁଁ କିନ୍ତୁ ତାଙ୍କ କଥା ବୁଝି ନପାରି କହିଲି – ତୁମେ ଭଲ ହେଇଯିବମଃ l ବେକାର କଥା କୁହନା, ଶୋଇପଡ଼ l
ଦୁଇଦିନ ପରେ ଜେଜେଙ୍କର ବାସ୍ତରୀ ବର୍ଷ ବୟସରେ ମୃତ୍ୟୁ ହେଲା l ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା l ଶ୍ମଶାନରୁ ଫେରି ଘରେ ଆସି ଦେଖେତ ମା କୋଠରୀରେ ମୋର ମା’ ମୂର୍ତ୍ତିଟି ନାହିଁ l ଛାତି ଫାଟିବାର ବେଦନାକୁ ଆତ୍ମସ୍ଥ କରି ଖୋଜିଲି ସାରା ଘରର କୋଣ ଅନୁକୋଣ l କେଉଁଠି ପାଇଲିନି l କାନ୍ଦି କାନ୍ଦି ମୋର ଆଖି ଫୁଲିଗଲା l ଗାଁର ଅନେକ ଲୋକଙ୍କୁ ପଚାରିଲି କାହା ଠାରୁ ସଠିକ ଖବର ପାଇଲିନି l ଟଙ୍କା ମୋତେ ମାସକୁ ମାସ କିଏ ଦେବ ? ପାଠପଢା କଣ ଅଧାରୁ ରହିଯିବ ?
ଏମନ୍ତ ଦୁଶ୍ଚିନ୍ତା ମାଡି ବସୁଥିବାବେଳେ ମୋର ନଜର ହଠାତ ପଡିଲା ଜେଜେଙ୍କ କାଠ ବାକ୍ସ ଉପରେ l ବାକ୍ସ ଖୋଲି ଦେଖେତ ଜେଜେ ଓ ମୋର ଜଏଣ୍ଟ ବେଙ୍କ ପାସବୁକ l ପୃଷ୍ଠା ଲେଉଟାଇଲା ବେଳେ ଦେଖିଲି ଜେଜେଙ୍କ ହାତଲେଖା ଦୁଇ ତିନି ଧାଡ଼ିର ଚିଠିଟିଏ – ଅନିଲୋ ! ତୋ ମା’ର ମୂର୍ତ୍ତିଟିକୁ ପନ୍ଦରଲକ୍ଷ ଟଙ୍କାରେ ଇଂଲଣ୍ଡର ଜଣେ ବିଦେଶୀକୁ ବିକି ପାସବୁକରେ ଡିପୋଜିଟ କରିଛି l ତୋର ପିଜି ପର୍ଯ୍ୟନ୍ତ ପଢା ହେଇଯିବ ନିଶ୍ଚୟ l
ମୋର ବୁକୁଫଟା କାନ୍ଦର ଚିତ୍କାର ସାରା ନିଶବ୍ଦ ଘରକୁ ଦୁଲୁକେଇଲା l ପାସବୁକଟିକୁ ଚୁମାଟିଏ ଦେଇ ମୁଣ୍ଡରେ ଲଗାଇଲି l ସେହି ଦିନରୁ ମୋ ମା’ର ମୂର୍ତ୍ତିକୁ ଖୋଜୁଛି ତ ଖୋଜୁଛି ଆଜିପର୍ଯ୍ୟନ୍ତ l ଅନିମା ଆଖି ଓ ନାକରୁ ବୋହୁଥିବା ଅଶ୍ରୁକୁ ପୋଛି ଇଷତ ହସିଲେ l
ଡାକ୍ତର ଗାଙ୍ଗୁଲି ବି ରୁମାଲରେ ଆଖି ପୋଛୁଥିବା ସମୟରେ ତାଙ୍କ ହାତକୁ ବଢ଼ାଇଦେଲେ କୋଡିଏ ଲକ୍ଷ ଟଙ୍କାର ଚେକ ଡାକ୍ତର ଓଝା ମୂଲ୍ୟ ବାବଦରେ l
ଡାକ୍ତର ଗାଙ୍ଗୁଲି ତୁରନ୍ତ ଚେକ ଫେରାଇ ଦେଇ କହି ଉଠିଲେ – ନୋ ନୋ….ମୂର୍ତ୍ତିଟିକୁ ଉପହାରରେ ପାଇଥିଲି କିନ୍ତୁ ଆଜି ମୁଁ ଏଇଟିକୁ ଆପଣଙ୍କୁ ଉପହାର ଦେଇ ମୁଁ ଧନ୍ୟ l
ମା ମୂର୍ତ୍ତିଟିକୁ କାର ପଛ ସିଟରେ ନିଜ ପାଖରେ ଶୁଆଇ, ହଜିଲା ଧନ ପାଇବାର ଖୁସିକୁ ଛାତି ଭିତରେ ସାଇତି, ଗଦଗଦ ହୃଦୟରେ ଭୁବନେଶ୍ୱର ଚାଲିଆସିଲେ ଡାକ୍ତର ଓଝା l
————–000000———–
© copy right : Manoj Kumar Mahapatra (27.1.23)