ପ୍ରସନ୍ନ କୁମାର ହୋତା, ଦେବଦାସ ଛୋଟରାୟଙ୍କ ‘ଇତର କାହାଣୀ’-2

0
  • //TATKAL ODISHA//
  • ସମୀକ୍ଷା : ଶ୍ରୀକାନ୍ତ ଦାଶ
  • ପୁସ୍ତକ ସମୀକ୍ଷା :-ଇତର କାହାଣୀ
  • ସଂକଳକ- ପ୍ରସନ୍ନକୁମାର ହୋତା ଓ ଦେବଦାସ ଛୋଟରାୟ
  • ଭାଗ -2
    ଅନେକ କାହାଣୀ ପଢ଼ିଛି, ହେଲେ ‘, ଇତର କାହାଣୀ ‘ବହି ପଢିଲା ପରେ ଅନୁଭବ କଲି ମୋ ପଢ଼ା ଅସମ୍ପୂର୍ଣ୍ଣ | ବୟସ୍କ ମାନଙ୍କ ପ୍ରେମ କାହାଣୀ ଯେ ଏତେ ହୃଦୟ ସ୍ପର୍ଶୀ, ଏ ବହି ପଢିଲା ପରେ ଅନୁଭବ କଲି ଓ ମୋର ଅନୁଭବ ପାଠକ ମାନଙ୍କ ଆଗରେ ରଖିବାକୁ ଉଚିତ ମନେକଲି |
    ଏବେ ଶ୍ରୀଯୁକ୍ତ ହୋତା ମହୋଦୟ ଏପରି ଏକ ପୁସ୍ତକ ରଚନା କାହିଁକି କଲେ, ତା ଜାଣିବା ଜରୁରୀ ମନେହୁଏ | ସେ କହନ୍ତି, “…. ଓଡ଼ିଆ ପିଲେ ଏବେ ଓଡ଼ିଆ ଅକ୍ଷର ଚିହ୍ନି ପାରୁନାହାନ୍ତି “ସେଥିପାଇଁ ତାଙ୍କର କ୍ଷୋଭ |ଆଉ ସେଥିପାଇଁ ଭଲ ଗଳ୍ପ ସଂଗ୍ରହ କରି ଓଡ଼ିଆ ପାଠକ ସୃଷ୍ଟି କରିବା ସହିତ ମାତୃଭାଷାକୁ ରାଜ୍ୟ ତଥା ରାଜ୍ୟ ବାହାରେ ଉପଯୁକ୍ତ ସମ୍ମାନ ଦେବା ସେ ଚାହାନ୍ତି |ତେବେ ପରବର୍ତ୍ତୀ ଭାଗରେ ତାଙ୍କ ଉଦ୍ଦେଶ୍ୟ ଉପରେ ଆଲୋଚନା କରିବା |ଏବେ ତାଙ୍କ କାହାଣୀକାରଙ୍କ ଉପରେ ସେ ଯେଉଁ ମତ ଦେଇଛନ୍ତି ତା ଉପରେ ଆଲୋକପାତ କରିବା |
    ଶ୍ରୀଯୁକ୍ତ ପ୍ରସନ୍ନ କୁମାର ହୋତାମହାଶୟ 1978ମସିହାରେ ନୋବେଲ ପୁରସ୍କାର ପାଇଥିବା ସାହିତ୍ୟିକ ମାନନୀୟ ଆଇଜାକ ବାଜେଭିସ ସିଙ୍ଗରଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଓ ତାଙ୍କୁ ଉଦ୍ଧାର କରି ଲେଖିଛନ୍ତି,”… ବୟସ୍କ ମାନେ ଘୃଣା ଓ ନିର୍ଦ୍ଦୟତା କେବଳ ନିଜର ହିଁ ଅଭିବୃଦ୍ଧି କରେ ବୋଲି ଅନୁଭୂତିରୁ ସ୍ୱୀକାର କରନ୍ତି | ମାନବ ସଭ୍ୟତାର ମୂଳ ଉତ୍ସ ହେଲା ପ୍ରେମ ଓ ପ୍ରେମର ବହୁବିଧ ଅନ୍ତଃ ଓ ବହିଃ ପ୍ରକାଶ ସର୍ବୋପରି ଜୀଵନ ପ୍ରତି ପ୍ରେମ –ଏହି ଭାବନା ବୟସର ଅନୁଭୂତି ସଙ୍ଗେ ପରିପକ୍ୱ ହୁଏ |”
    ଆଉ ମଧ୍ୟ ସିଙ୍ଗରଙ୍କୁ ଉଦ୍ଧୃତ କରି କହନ୍ତି,”ଉଦ୍ଭଟ ଘଟଣା କାହାଣୀ ରସ ବର୍ଣ୍ଣନାକୁ ଜୀବନ୍ତ କରିବାକୁ ବ୍ୟବହାର କରାଯାଇପାରେ,; କିନ୍ତୁ କାହାଣୀ ନିଜେ ସମ୍ପୂର୍ଣ୍ଣ କ୍ଳିଷ୍ଟ ବା ଉଦ୍ଭଟ ହେବା ଅନାବଶ୍ୟକ |”
    ଏ ସତ୍ୟକୁ ବୁଝି କାହାଣୀସବୁ ଲେଖାଯିବା ଦରକାର, ବୋଲି ଲେଖକଙ୍କ ମତ | ବିଶେଷ କରି କାହାଣୀ ସବୁ ବୋଧଗମ୍ୟ ହେବା ସହିତ ସାମାଜିକ ବାର୍ତ୍ତା ବହନ କରୁଥିବା ଆବଶ୍ୟକ
  • ଶ୍ରୀଯୁକ୍ତ ହୋତା ଓ ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ଯେଉଁ ସବୁ କାହାଣୀ ନିର୍ବାଚିତ କରି ଏ ସଂକଳନ ପ୍ରକାଶ କରିଛନ୍ତି, ସେ ସବୁଥିରେ ମଣିଷ ପ୍ରକୃତିର ସମସ୍ତ ଦିଗକୁ ଧ୍ୟାନ ଦିଆଯାଇଛି, ଉଦ୍ଦେଶ୍ୟ ଓଡ଼ିଆ ପାଠକ ସଂଖ୍ୟା ବୃଦ୍ଧି ତଥା ଓଡ଼ିଆ ଭାଷାର ମାନ ରକ୍ଷା |
    ପ୍ରସଙ୍ଗକ୍ରମେ କବିଶେଖର ଚିନ୍ତାମଣି ମହାନ୍ତିଙ୍କ ଗୋଟିଏ ଉକ୍ତି ଉଦ୍ଧାର କରିବା ଉଚିତ ମନେକରେ |ସେ ନାଟ୍ୟକାର କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କୁ ଏକଦା ଉପଦେଶ ଦେଇ କହିଥିଲେ, “ଧାଡ଼ିଏ ଲେଖିବାପରେ ତାକୁ ଗାରମାରି କାଟିଦେବାର ପ୍ରୟାସ ନିକଟରୁ ଦୁରେଇ ରହି ସେଇ ଧାଡିର ଭାବ ଯେପରି ବଜାୟ ରହିବ ସେଇ ଅନୁସାରେ ପର ଧାଡି ଲେଖିବାର ଚେଷ୍ଟା କରିବା ଭଲ | ଥରେ ଯେଉଁ ଭାବ ମା’ ସରସ୍ବତୀ ଅନୁଗ୍ରହ କରିଛନ୍ତି ତାକୁ ଫିଙ୍ଗିଦେବା କବିର ଅପାରଗତା କେବଳ ନୁହେଁ, ସେଇଟା ମନ ଓ ଲେଖାକୁ ମଧ୍ୟ ଅପମାନ | କବି ସେଇଠି ହାରିଯାଏ..”ଏକଥା କହିବାର ତାତ୍ପର୍ଯ୍ୟ ଯେ ଭାଷା ସାହିତ୍ୟ ସୃଷ୍ଟି ପାଇଁ ସେଇ ଆବେଗ ରହିବା ଦରକାର | ଯାହା ଶ୍ରୀଯୁକ୍ତ ହୋତାଙ୍କ ମନରେ ରହିଛି
ଦେବଦାସ ଛୋଟରାୟ
  • ଲେଖକ ମତ ଦିଅନ୍ତି,”ପ୍ରାୟ ପ୍ରତ୍ୟେକ ଗଳ୍ପ ବୟସ୍କ ମାନଙ୍କ ନିଷିଦ୍ଧ ପ୍ରେମ ଅନୁଭୂତି ଉପରେ ପର୍ଯ୍ୟବସିତ |ଓଡ଼ିଆ ଗାଳ୍ପିକମାନେ ଦାରିଦ୍ର୍ୟ, ଭାବ ପ୍ରବଣତା, ଗ୍ରାମ, ଅବହେଳିତ ବୟସ୍କ ବାପା ମା’,ଅବକ୍ଷୟ ହେଉଥିବା ଉତ୍କଳୀୟ ସଂସ୍କୃତି, ଇତ୍ୟାଦି ଛଡା ଜୀବନର ବିଚିତ୍ର ଅବର୍ଣ୍ଣନୀୟ ଅନୁଭୂତିକୁ କାବ୍ୟିକ ସମ୍ମାନ ଦେଇ ଗଳ୍ପ ରଚି ପାରନ୍ତି ବୋଲି ଓଡ଼ିଆ ତଥା ବିଶ୍ୱ ସାହିତ୍ୟ ପାଠକ ମାନଙ୍କ ପାଖେ ଓଡ଼ିଆ ବୌଦ୍ଧିକତା ଯେ ସଂକୀର୍ଣ୍ଣ ନୁହେଁ, ଏହା ପ୍ରତିପାଦିତ କରିବାକୁ ଏ ସଂକଳନ ଏକ ଚେଷ୍ଟା |”
    ଏଥିରୁ ଲେଖକଙ୍କର ଓଡ଼ିଆ ଓ ଓଡିଶା ପ୍ରୀତି ଜଣାପଡେ | ତାଙ୍କ କାହାଣୀ ନିର୍ବାଚନ ତାଙ୍କୁ ଜଣେ ମାନବବାଦୀ ଉଦାର ବ୍ୟକ୍ତି ଭାବେ ସମାଜଆଗରେ ଠିଆ କରାଏ | ଗ୍ରୀକ ଦାର୍ଶନିକ ଡାୟୋଜିନିଶ ଦିନବେଳେ ହାତରେ ଲଣ୍ଠନ ଧରି ସଚ୍ଚା ମଣିଷ ଖୋଜିଲା ପରି ଶ୍ରୀଯୁକ୍ତ ହୋତା ମହୋଦୟ ନୃସିଂହ ତ୍ରିପାଠୀଙ୍କ ଗଳ୍ପ” ବ୍ରହ୍ମତ୍ରୀ ମହାନ୍ତିଙ୍କ ପ୍ରେମିକ “କାହାଣୀରେ ମଣିଷକୁ ଖୋଜିବା ସହିତ ତାର ଚରିତ୍ରର ବିଭିନ୍ନ ଦିଗକୁ ଆଲୋଚନା କରିଛନ୍ତି |

ସାଧାରଣ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନାକୁ ନେଇ ଯେ ଏଡ଼େ ସୁନ୍ଦର କାହାଣୀ ରଚନା କରାଯାଇପାରେ, ଏ କାହାଣୀ ତାର ଏକ ସୁନ୍ଦର ଉଦାହରଣ | ଆଉ ଜଣକୁ ନ ଦେଖି, ତା କବିତା ପଢି ତା ପ୍ରେମରେ ପଡିଯିବା, ଏ କାହାଣୀରେ ଦେଖିବାକୁ ମିଳେ | ଯାହା ବାସ୍ତବ ଜୀବନରେ ଘଟେ |

କାହାଣୀରୁ କିଛି,”ପଶୁ ଯୌନ କାମନାରେ କେବେ ବିବ୍ରତ ହୁଏନାହିଁ |ତାର ଯୌନ କ୍ରିୟା କେବଳ ପ୍ରଜନନ ନିମିତ୍ତ ଓ ପ୍ରକୃତିର ଅଧୀନ | ଗୋଟିଏ ଋତୁରେ ତାହା ଘଟେ ଓ ସରିଯାଏ |କିନ୍ତୁ ମଣିଷର ଯୌନ ଶକ୍ତି ପ୍ରକୃତିର ଅଧୀନ ନୁହେଁ |ସେ ଯେତେବେଳେ ଚାହେଁ ତାକୁ ବ୍ୟବହାର ବା ଅପବ୍ୟବହାର କରିପାରେ |”
ଆଉ ମଧ୍ୟ, “ପଶୁ ଭୂଇଁରେ ଚାଲୁଥିବା ରେଳ ଗାଡି ହେଲେ, ମଣିଷ ହେଉଛି ଉଡ଼ାଜାହାଜ |
“ଇତର କାହାଣୀ ‘କାହାଣୀର ଆଉଏକ କାହାଣୀ,”ପରିଚୟ ‘ଇଞ୍ଜିନିଅର ପ୍ରଦୋଷ ମିଶ୍ରଙ୍କର ଅନବଦ୍ୟ ସୃଷ୍ଟି |ମା”ର ଅନାବିଳ ସ୍ନେହ ମାର୍ମିକ ଭାବେ ଏଥିରେ ଉପସ୍ଥାପିତ | ବୁଲା କୁକୁର ଓ ବିଦେଶୀ କୁକୁରଙ୍କ ପ୍ରେମ,ଗୃହକର୍ତ୍ତା ଓ ତାଙ୍କ ପତ୍ନୀ ସୁଜାତାଙ୍କ ଦାମ୍ପତ୍ୟ ଅଭିମାନ –ସବୁର ଫେଣ୍ଟାଫେଣ୍ଟିକୁ ନେଇ କାହାଣୀ ଗତିଶୀଳ |

କାହାଣୀରୁ କିଛି,”ସୁଜାତାଙ୍କୁ ସ୍ୱାମୀଙ୍କ ତୀର୍ଯ୍ୟକ କଥା,”….. ମା”ତ କିଛି ମାଗୁଥିଲା, ଠାକୁରଙ୍କୁ |ତା ଠାକୁର ମିଛ ହୁଅନ୍ତୁ, କି ସତ, ହେଲେ ମାନିବା କଥା ତ ପୁରା ଠିକ |ସେ ଆମମାନଙ୍କ ପାଇଁ ତାଙ୍କର ଆଶୀର୍ବାଦଟିକେ ତ ଚାହୁଁଥିଲା |ତମ କାନରେ ତ ବିତୃଷ୍ନାର ଠିପି ଲାଗିଛି|ତମେ ଶୁଣିବ କେମିତି? ପାରିବାରିକ ଜୀବନର ମାନ, ଅଭିମାନ, ସ୍ନେହ, ପ୍ରୀତି –ସବୁକୁ ନେଇ ଏ କାହାଣୀ ରଚିତ | ଏ ସବୁର ଅନୁଭବ ନେବାକୁ ପାଠକ ମାନଙ୍କୁ ଅନୁରୋଧ |
ବାକି ଆଲୋଚନା ପରବର୍ତ୍ତୀ ଭାଗରେ ପ୍ରକାଶିତ ହେବ|

  • ଶ୍ରୀକାନ୍ତ ଦାଶ, ସଭାପତି, Association for the Undeveloped Beneficiaries of India (AUBI) ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ :9238304919

Leave A Reply

Your email address will not be published.