ଧୀରେ ଧୀରେ ଦୁର୍ବଳ ହେଉଛି ଓଡ଼ିଆ ଜାତି ?

0

  • ++++++++++++++++++++++++++++++++++
  • GUEST EDITOR//ଶ୍ରୀକାନ୍ତ ଦାସ//
  • TATKAL ODISHA//ତୀର୍ଯ୍ୟକ //
  • ++++++++++++++++++++++++++++++++++
  • ଆଚରଣ, ଉଚ୍ଚାରଣରେ  ସମତା ରହୁ

୧୯୩୬ ମସିହା ଏପ୍ରିଲ ମାସ ୧ତାରିଖ ଦିନ ଆମ ରାଜ୍ୟ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କଲା I ଏହି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପଛରେ ଅନେକ ଘଟଣା ପ୍ରବାହ ରହିଚି ଓ ଅନେକ ବିଜ୍ଞ ବ୍ୟକ୍ତିଙ୍କର ସ୍ୱାର୍ଥ ତ୍ୟାଗ ରହିଛି.I ସେମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ I ଗୌରବମୟ ଆମର ଅସ୍ମିତା କିପରି ବଜାୟ ରହିପାରିବ,ସେ ପାଇଁ ମୋର ଚିନ୍ତା, ଚେତନାକୁ ପାଠକମାନଙ୍କ ଆଗରେ ପ୍ରକାଶ କରୁଛି…

++++++++++++++++++++++++++++++++++
ଇଂରାଜୀରେ ଗୋଟିଏ ବାକ୍ୟ ଅଛି- “Cowards read history,bravemen create it”
    ଆମେ ଆମର ପୂର୍ବଜଙ୍କର ଗରିମାମୟ ଗାଥା ପଢିଲେ,ବିଭିନ୍ନ ସଭାସମିତିରେ ସ୍ପଷ୍ଟ ଉଚ୍ଚାରଣପୂର୍ବକ ସେମାନଙ୍କ ଗୁଣଗାନ କଲେ,ମାତ୍ର ସେମାନଙ୍କ ଆଚରଣକୁ ଆମେ ଅନୁସରଣ କରୁନେ,ଏହା ଠାରୁ ବଳି ବିଡମ୍ବନା କ’ଣ ହୋଇପାରେ!!

  • ଧିରେ ଧିରେ ଦୁର୍ବଳ ହେବାକୁ ବସିଲାଣି ଏ ଜାତି …କପିଳ ସଂହିତାର ଉକ୍ତି:-
    ବର୍ଷାଣାଂ ଭାରତ ଶ୍ରେଷ୍ଠଃ,

ଦେଶାନାଂ ଉତ୍କଳ ଶ୍ରେଷ୍ଠଃ,

ଉତ୍କଳସ୍ୟ ସମଦେଶୋ,

ଦେଶୋନାସ୍ତି ମହିତଳେ”
ଆମ ପାଇଁ ଯଥେଷ୍ଟ ମହତ୍ୱ ରଖେ…ଏହି ପ୍ରେରଣାଦାୟୀ ଉକ୍ତିରେ ଭାରତର ରାଜ୍ୟମାନଙ୍କ ମଧ୍ୟରେ ଉତ୍କଳକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ଦିଆଯାଇଛି I ସେଇ ପୁଣ୍ୟଭୂମି ହେଉଛି ଆଜିର ଓଡିଶା,ଆମର ପ୍ରିୟ ଉତ୍କଳ ଜନନୀ I  ଆମେ ଆମର ଅତୀତର ଗୌରବାବହ ଇତିହାସକୁ ନେଇ ଗର୍ବିତ,ମାତ୍ର ଆଚରଣରେ ସଂପୂର୍ଣ ବିରୋଧି କାର୍ଯ୍ୟ କରୁଛେ I
  ନଅଙ୍କ ଦୂର୍ଭିକ୍ଷ ସମୟରେ  ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଓଡିଆ “ହା ଅନ୍ନ” କହି ପୋକମାଛି ପରି ମରିଗଲେ I ଇଁରେଜମାନଙ୍କ ଦ୍ୱାରା ଖୋଲାଯାଇଥିବା ଛତରରେ ଖାଦ୍ୟଖାଇ କିଛି ଓଡିଆ ଜୀବନ ବଞ୍ଚାଇଲେ “ବୁଭୂକ୍ଷିତଂ କିଂ ନ କରୋତି ପାପଂ” ନ୍ୟାୟରେ ସେମାନେ କିଛି ଭୁଲ କରି ନ ଥିଲେ I  ତଥାପି ସେତେବେଳେ କିଛି ସ୍ୱାଭିମାନୀ ଓଡିଆ ଛତରରେ ଖାଇ ଜୀବନ ବଞ୍ଚିଥିବା ଓଡିଆ  ଓଡିଆଣୀଙ୍କୁ  ଛତରଖିଆ ,ଛତରଖାଇ କହି ଘୃଣା ପ୍ରକଟ କରିଥିଲେ I ନଅଙ୍କ ଦୁର୍ଭିକ୍ଷର ଚିତ୍ର ଔପନ୍ୟାସିକ କାହ୍ନୁ ଚରଣଙ୍କ “ହା ଅନ୍ନ” ଓ “ଶାସ୍ତି “ଉପନ୍ୟାସରେ ମାର୍ମିକ ଭାବରେ ଉପସ୍ଥାପିତ I

ଏବେ କ’ଣ ହୋଇଛି?

ଅଧିକାଂଶ ଓଡିଆ ୫ ଟଙ୍କିଆ ଭାତ ଡାଲମା ଖାଇ ଆନନ୍ଦିତ,୨ ଟଙ୍କିଆ ଚାଉଳ ଓ ବିଭିନ୍ନ ଭତ୍ତା ପାଇ  ଖୁସିରେ ଗଦ୍ ଗଦ I ଜମି ପଡିଆ ରଖି ଛତରଖିଆ ବ୍ୟବସ୍ଥାରେ ବଞ୍ଚିବାକୁ ସେମାନେ ଧନ୍ୟ ମନେ କରୁଛନ୍ତି.ସେମାନେ ଏଥିପାଇଁ   ଲଜ୍ଜିତ ନୂହଁନ୍ତି I ଅଥଚ ଆମେ  ଏ ଜାତିର ଟେକ ରଖିବାକୁ ଆହ୍ୱାନ ଦେଉଛେ!

ଏହା କି ପ୍ରକାର ଆଚରଣ?

ଓଡିଶାକୁ ଏକ ନିଶାମୁକ୍ତ ରାଜ୍ୟ କରିବାପାଇଁ ଆମେ ସମସ୍ତେ ଚିତ୍କାର କରୁଛେ I ମାତ୍ର ଶାସନତନ୍ତ୍ର ଗଳିଗଳିରେ  ମଦ ଦୋକାନ ଖୋଲି ନିଶା ପ୍ରସାର ଦ୍ୱାରା ରାଜସ୍ୱ  ବଢେଇବାରେ ବ୍ୟସ୍ତ I ଶାସକ ମାନେ ବୁଝି ପାରୁନାହାଁନ୍ତି,ଗୋଦରା ଗୋଡରେ ମାଉଂସ ଲାଗିଲେ ସ୍ୱାସ୍ଥ୍ୟ ଉନ୍ନତିର ଲକ୍ଷଣ ନ ହେଲାପରି ଏ ପ୍ରକାର ରାଜସ୍ୱ ରାଜ୍ୟର ଅର୍ଥନୈତିକ ପ୍ରଗତିର ଚିତ୍ର ପ୍ରଦାନ କରି ନ ଥାଏ.ବରଂ ଏହାଦ୍ୱାରା ଭବିଷ୍ୟତ ଅର୍ଥନୀତି ଦୁର୍ବଳ ହୁଏ ,ରାଜ୍ୟର ଯୁବଶକ୍ତି ନିଶାସକ୍ତ ହୋଇ ରାଜ୍ୟପାଇଁ ବୋଝ ହୁଅନ୍ତି    ଗୋପାଳନ,ଗୋରକ୍ଷା ଉପରେ ଭାଷଣ ବାଜି କରିବାରେ ଆମେ ଧୁରନ୍ଧର,ହେଲେ କୁକୁର ସହିତ ଭ୍ରମଣକୁ ଆଭିଜାତ୍ୟର ପ୍ରତିକ ମନେକରୁଛୁ I
ଏହା କି ପ୍ରକାର ସଭ୍ୟତା.!!

ଉଲ୍ଲେଖ କରିବା ଉଚିତ୍ ମନେକରେ ଯେ, ପଶୁପାଳନର ମୁଁ  ବିରୋଧୀ  ନୂହେଁ I “ଜୀବେଦୟା”ଆମ ସଂସ୍କୃତିର  ଏକ ସ୍ୱତନ୍ତ୍ର ଅଂଗ.ଏ ତତ୍ୱରେ ବିଶ୍ୱାସରଖିଚେ ମାତ୍ର ନିର୍ଦ୍ଦୟତାର ସୀମା ଲଙ୍ଘି ନିରୀହ ପଶୁପକ୍ଷିଙ୍କ ମାଂସ ଆହାର କରି ତୃପ୍ତି  ଅନୁଭବ କରୁଛେ I   ଆମର ଶାସକମାନେ ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଚନ୍ତି. ଶିଶୁଙ୍କୁ ତାଙ୍କ ମନଲାଖି ଶିକ୍ଷା ଦେବାକୁ କହୁଚନ୍ତି.ସେମାନେ ବୁଝିବା ଉଚିତ୍ ଶିଶୁକୁ ସ୍ନେହ,ପ୍ରେମ, ଆକଟ ତଥା ସ୍ଥଳ ବିଶେଷରେ ଭୟ ଦେଖାଇ ପାଠମନସ୍କ କରିବା ଦରକାର.ମାତ୍ର ସେସବୁ ନ କରି ଶିକ୍ଷକ ମାନଙ୍କୁ ତାଗିଦ୍ କରି, ଦଣ୍ଡର ଭୟ ଦେଖାଇ ଆମର ଭବିଷ୍ୟତ ପିଢିକୁ ନଷ୍ଟ କରାଯାଉଛି.ଆଉ ଶିକ୍ଷକମାନଙ୍କ ଭିତରେ ଭେଦଭାବ ପୁରାଇ ସେମାନଙ୍କ ମଧ୍ୟରେ  ଦରମାଗତ ତାରତମ୍ୟ ରଖି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରାଯାଉଛି. ପ୍ରାୟ ଅଧିକାଂଶ ବିଦ୍ୟାଳୟର ଭିତ୍ତିଭୂମି ଦୁର୍ବଳ,ଏପରି ବ୍ୟବସ୍ଥାଭିତରେ  ଆମର ଶିକ୍ଷାବ୍ୟବସ୍ଥାରେ ସଚେତନ ,ଯୋଗ୍ୟ ନାଗରିକ  ଗଢାହେବେ ବୋଲି ଆହ୍ୱାନ ଦିଆଯାଉଛି.ମୋଟ ଉପରେ କହିବାକୁ ଗଲେ ଆମର ଶିକ୍ଷା,ସଂସ୍କୃ ତି, ଚାଷ,ଜମି ,ଜଙ୍ଗଲ,ଖଣି,ପାଣିସବୁ ନଷ୍ଟହେବାରେ ଲାଗିଚି.ଆମର ଖଣିଜ ଓ ବନ୍ୟ ସଂପଦର ଉପଯୁକ୍ତ ବିନିଯୋଗ ହେଉନି I  ଏବେ ବି ସମୟ ଅଛି ଆମର କୁଟୀର ଶିଳ୍ପ,କ୍ଷୁଦ୍ର ଶିଳ୍ପକୁ ବିକଶିତ କରାଯାଇ ପ୍ରତିଟି ହାତକୁ କାମ ଯୋଗାଇ ଦିଆଯାଉ. ଛତର ଖିଆ ଗୁଣକୁ ପରିହାରକରି କିପରି କର୍ମ କରି ସ୍ୱାଭିମାନର ସହ ବଞ୍ଚିହେବ ସେ କଥା ଯୁବଶକ୍ତିକୁ ବୁଝାଇ ସେପରି ପରିବେଶ ତିଆରି କରାଯାଉ.ପ୍ରତି କ୍ଷେତକୁ ବିହନ,ଖତ, ସାର,ପାଣିର ସୁବ୍ୟବସ୍ଥା କରାଯାଉ I     

ଆମର ଖଣିଜ ସଂପଦ,ଜଙ୍ଗଲ ସଂପଦ, ଜଳ ସଂପଦକୁ ନଷ୍ଟ ହେବାକୁ ନ ଦେଇ ଏସବୁର ସୁବିନିଯୋଗ କରି ଅର୍ଥନୈତିକ ବିକାଶ କରାଯାଉ I  ଏହାକଲେ ଆମକୁ ପଡୋଶି ରାଜ୍ୟମାନଙ୍କ ଉପରେ ମାଛ,ମାଂସ, ଅଣ୍ଡା, କଦଳୀ, ଆଳୁ , ପିଆଜ  ଆଦି ପାଇଁ  ନିର୍ଭରଶୀଳ ହେବାକୁ ପଡିବ ନାହିଁ.ଆମର ବିଶାଳ ବେଳାଭୂମି , ସୁନ୍ଦର ମନଲୋଭା ଘଞ୍ଚବନାନୀ ଓ ସବୁଜିମାଭରା ପାହାଡ ପର୍ବତ ,ଐତିହ୍ୟ ଭରା ମନ୍ଦିରTourist spot ଭାବରେ ଆମ ଅର୍ଥନୀତିର  ବିକାଶରେ ସହାୟ ହୋଇପାରିବ I     ତେବେ ଏ ସବୁର ବିକାଶରେ ସରକାରଙ୍କୁ  ସ୍ଥାନୀୟ ଜନ ସାଧାରଣଙ୍କ   ସକ୍ରିୟ ସହଯୋଗ ଦରକାର. ଆଉ ଆମର ଶାସ୍ତ୍ରୀୟ ଭାଷା ଓଡିଆକୁ  ଆମ ବୃତ୍ତି  ଓ କୃତ୍ତି ର ଭାଷା କରାଯାଉ I ଓଡିଆ ଆମର ମାତୃଭାଷା, ଏହା ଭାଷଣରେ ସତ,ମାତ୍ର ଆଚରଣରେ ଇଁରାଜୀ ଭାଷାର ପ୍ରାଧାନ୍ୟ ରହିଛି I ଏବେ ୧ମ ଶ୍ରେଣୀରୁ Spoken  english ର ପ୍ରଚଳନ ପାଇଁ ସରକାରୀ ନିଷ୍ପତ୍ତି ଆମ ପ୍ରିୟ ଭାଷାପାଇଁ ବିପଦଆଣିବ I ସରକାର ଏଭଳି ନିଷ୍ପତ୍ତିରୁ ଓହରି ଯିବାକୁ ନିବେଦନ କରୁଛି I ତେବେ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଏ ଦିଗରେ ଚିନ୍ତାକରି ସରକାରଙ୍କୁ  ଉପଯୁକ୍ତ ପରାମର୍ଶ ଦେବାକୁ ଅନୁରୋଧ I

ଏବେ କରୋନା ମହାମାରୀ ବିଶ୍ୱକୁ କବଳିତ କରିଚି.ତାର ନିରାକରଣ ପାଇଁ ସରକାରଙ୍କ ନିର୍ଦ୍ଦେଶିତ ମାର୍ଗକୁ ପାଳନ କରିବାକୁ ହେବ I

 Lock down, shut  Down ଯୋଗୁଁ ପରିବେଶର ଶୁଦ୍ଧତା ବଢିଛି I ପରବର୍ତ୍ତି ଅବସ୍ଥାରେ ଏ ଶୁଦ୍ଧ ପରିବେଶ ଯେପରି ବଜାୟ ରହେ ସେଥିପ୍ରତି ଆମକୁ ଯତ୍ନବାନ୍ ହେବାକୁ ପଡିବ I  ଓଡିଆ ଜାତୀୟ ସମ୍ମିଳନୀ  ଏ ଦିଗରେ କାର୍ଯ୍ୟକ୍ରମ ଜାରିରଖିବ I  

ଏଣୁ ମୋର ବିନମ୍ର ଅନୁରୋଧ ପ୍ରତି ଓଡିଆ ନିଜର ଉଚ୍ଚାରଣ ଓ ଆଚରଣରେ ସମତା ରଖନ୍ତୁ…ଆମର ଆଚରଣ ଗତ ଶୁଦ୍ଧତା ଦ୍ୱାରା ପୁନରାୟ ଏ ଜାତିର ଲୁପ୍ତ ଗୌରବକୁ ବିଶ୍ୱ ଦରବାରରେ ପୁନଃ ପ୍ରତିଷ୍ଠା କରିପାରିବା.
   ଜୟ ହିନ୍ଦ୍,ବନ୍ଦେ ଉତ୍କଳ ଜନନୀ,

  •  ଶ୍ରୀକାନ୍ତ ଦାଶ,  କାର୍ଯ୍ୟକାରୀ ସଭାପତି, ଓଡିଆ ଜାତୀୟ ସମ୍ମିଳନୀ
  • Mob : 9238304919

Leave A Reply

Your email address will not be published.