ୱାଇଫ୍ କିଡନାପ୍

0

* କମ ହସନ୍ତୁ : ପତି-ପତ୍ନୀଙ୍କ ନିଚ୍ଛକ କାହାଣୀ

+++++++++++++++++

  • ପ୍ରିୟବ୍ରତ ପଣ୍ଡା

+++++++++++++++++

କବି ସମ୍ମିଳନୀ ସାରି ଯେବେ
ଘରକୁ ଫେରିଲି, ମୁଁ ରାତି ବାରଟାରେ
ଦେଖିଲି ,ଦୁଆର ମୋର ଗୋଟା ପଣେ ମେଲା।
ଛାତିରେ ମୋ ଛନକା ପଶିଲା।
କବିତା ଆସର ନାଁ ଶୁଣି ,
ଖୋଲନ୍ତି ନାହିଁ ଯିଏ ଜମା କବାଟକୁ।
ସତରେ କଣ ସେଇ ଘରଣୀ
ଚାହିଁ ବସିଛନ୍ତି ମୋର ଫେରିବା ବାଟକୁ?

ଖୁସିରେ ମୁଁ କୁରୁଳି ଉଠିଲି।
ଘର ଭିତରକୁ ପଶୁପଶୁ ,
କବାଟରେ ଲାଗିଥିବା
ହାତଲେଖା ଚିଠିଟେ ଦେଖିଲି।
ଚିଠିରେ ଲେଖାଥିଲା,
ଘରବାଲିକୁ ତୋର ଆମେ ନେଇଛୁ ଉଠେଇ,
ପାଞ୍ଚଲକ୍ଷ ଟଙ୍କା ନଦେଲେ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ।

ଘରମଣି ପ୍ରାଣ ଯଦି ଚାହୁଁ ସଲାମତ,
କାଲି ସନ୍ଧ୍ୟା ସୁଦ୍ଧା ତଳେ ଥିବା ଠିକଣାରେ,
ଟଙ୍କା ଦେଇ ନେଇଯିବୁ ନିଜ ଅମାନତ।
ଆଉ ହଁ ! ଅତି ଚାଲାକିଆ ହୋଇ,
ଯିବୁନାହିଁ ପୋଲିସ୍ ଫାଣ୍ଡିକି।
ନହେଲେ ଜାଣିଥା ପୁଅ
ଅଲଗା ଅଲଗା ନେବୁ ମୁଣ୍ଡକୁ ଗଣ୍ଡିକି।

ଏମିତି ଚିଠିଟେ ଦେଖି,
କଣଯେ କରିବି ମୁଁ ପାରିଲିନି ଭାବି।
ସ୍ତ୍ରୀ ମୋର କିଡନାପ୍ ।
ଏଥିରେ ମୁଁ ଦୁଃଖ କରିବି ନା ଖୁସିରେ ନାଚିବି?
ଆଖିକୁ ବିଶ୍ବାସ ହେଲାନି ବୋଲି,
ଚିଠିଟାକୁ ଆଉଥରେ ଭଲରେ ପଢ଼ିଲି।
କାଳେ କିଏ ଦେଖିଦେବ,
କବାଟ କିଳିକି ବହଟେ ଖୁସିରେ ଗଡ଼ିଲି।

ଇଚ୍ଛା ହେଉଥିଲା ,ଅପହରଣକାରୀକୁ
କରିବାକୁ କୋଟି ଦଣ୍ଡବତ।
ମୋ ପାଇଁକି ସତେକି ସିଏ ସାକ୍ଷାତ ଦେବତାଙ୍କ ଦୂତ।
ହଟାତ୍ ମନରେ ମୋର ଆସିଲା ସନ୍ଦେହ।
ଯାହାଙ୍କ ରଡ଼ିକୁ ଖାଲି ମୋର ନୁହେଁ,
ପୁରା କଲୋନୀର ଭୟ।
ସେଭଳି ଜନ୍ତୁକୁ ଏତେ ସହଜରେ
ଉଠେଇନେଲେ, କେମିତି କେଜାଣି
ପଡ଼ିଶା ଘର ଲୋକବି ପାରିଲେନି ଜାଣି।

ଛାଡ଼! ଆଉ ଏତେ କଥା କାହିଁକି ଭାବିବି?
ଯିଏ ଉଠେଇ ନେଇଛି ସିଏ ସମ୍ଭାଳିବ,
ମୋର ତ ଚାରିଆଡ଼ୁ ଲାଭ ଖାଲି ଲାଭ ।
ଆଉ ଗୋଟେ କଥା ଭାବି ହେଲି ମୁଁ ଗର୍ବିତ।
ମୋ ପରି କବି ପାଖରେ
ପାଞ୍ଚ ଲକ୍ଷ୍ୟ ଥିବବୋଲି କେହିଜଣେ ଭାବିପାରିଲାତ!

ଏଣେ ଆଉଗୋଟେ କଥା ଭାବି
ମନେ ମୋର ଶଙ୍କା,
ଯଦି ଏମାନେ ଜାଣିବେ ପାଞ୍ଚଲକ୍ଷ କଣ?
ମୋ ପାଖରେ ଜମାରୁ ନାହିଁ ପାଞ୍ଚଟଙ୍କା,
ଏକଥା ଜାଣିଲେ ଅପହରଣକାରୀ ନିଶ୍ଚୟ ରାଗିବେ।
ଆଉ ରାଗରେ ଯଦି
ଶ୍ରୀମତୀଙ୍କୁ ଆଣି ପୁଣି ଛାଡ଼ିଦେଇ ଯିବେ?

ତେଣୁ ମନେ ମନେ ଅକାଟ୍ୟ ଉପାୟ ପାଞ୍ଚିଲି।
ସିଧା ଯାଇ ଥାନା ବାବୁଙ୍କ ପାଖେ ପହଞ୍ଚିଲି।
ଅମୃତାଞ୍ଜନ ବୋଳି ଝରେଇଲି ଧାର ଧାର ଲୁହ।
ସତେ ଯେମିତି ସହିପାରୁନାହିଁ ଆଉ ପତ୍ନୀଙ୍କ ବିରହ !
ଥାନାବାବୁ ପଚାରିଲେ- କଣ ହେଇଛି?
ମୁଁ କହିଲି – ସାର୍ !
ମୁଁ ଘରେ ନଥିବାବେଳେ ମୋ ଧର୍ମପତ୍ନୀଙ୍କୁ
କେହି ଜଣେ ଉଠେଇ ନେଇଛି।

ମୋ ମୁହଁରୁ ଏହିକଥା ଶୁଣି,
ସଙ୍ଗେ ସଙ୍ଗେ ବଦଳିଗଲା ତାଙ୍କର ଚାହାଣି।
ଥାନାବାବୁ କହିଲେ -କଣ ହେଲା?
ଉଠେଇ ନେଇଛି।
ନା ତୋ ଆଖିରେ ଧୂଳିଦେଇ,
ସ୍ତ୍ରୀ ତୋର କାହାସାଥେ ଲୁଚି ପଳେଇଛି?
ତୋ ଭାଗ୍ୟ ଭଲ।
ତୁ ନଥିବାବେଳେ ସିଏ ଯାଇଛି ପଳେଇ।
ନହେଲେ ପେଟ୍ରୋଲ ଢାଳିକି
ଦେଇଥାନ୍ତା ତତେ ସେ ଜଳେଇ।

କହିଲି – ସାର୍ !
ଏଇଟା ଫେରାର ନୁହେଁ, କିଡନାପ୍ କେଶ୍।
ମୋ ପାଖରେ ତାର ପ୍ରମାଣ ଅଛି।
ଏଇ ଦେଖୁନାହାନ୍ତି ! କିଡନାପର୍ ପରା
ପାଞ୍ଚଲକ୍ଷ ଟଙ୍କା ଡିମାଣ୍ଡ କରିକି ଚିଠି ଦେଇଛି।

ଥାନାବାବୁ କହିଲେ – ବେକାର କଥା !
ଆଜିକାଲି ଏଟା ଫେରାର ହେବାର ନୂଆ ତରିକା।
ନିଜେ ନିଜକୁ କରିକି ଅପହରଣ
ପ୍ରେମିକା ସାଙ୍ଗରେ ବିବାହିତ ଜଣେ ଯୁବକ ଫେରାର!
ଏ ଖବର ତମେ ଜାଣିନ?
ଠିକ୍ ସେମିତି ନାଟକ ରଚିଛି ତୋ ଘରବାଲି।
ଏ ଯାଏଁ ତ ସିଏ ଓଡ଼ିଶା ଛାଡ଼ିକି
ମଧ୍ୟପ୍ରଦେଶ କି ମହାରାଷ୍ଟ୍ର ଆଡେ ଯିବଣି ଚାଲି।

କହିଲି -ସାର୍ !
ମୋ ଶ୍ରୀମତୀ ସେମିତି ନୁହଁ ବିଶ୍ବାସ କରନ୍ତୁ,
ସନ୍ଧ୍ୟା ଆଗରୁ ଶୀଘ୍ର ଯାଇ ଅପହରଣକାରୀକୁ ଧରନ୍ତୁ।
ଭାରି ଗେରେଗେରେ ହେଇ ଥାନାବାବୁ
କହିଲେ – ତୋ ସ୍ତ୍ରୀ ର ବିବରଣୀ ସଙ୍ଗେ,
ଫଟୋ ଗୋଟେ ଦେଇ ଦେଇ ଯାଆ।
ଖବର ମିଳିଲେ ଫୋନ୍ କରି ଆମେ ଜଣେଇବୁ।
ଫଟୋ ସାଥେ ଦରଖାସ୍ତ ଲେଖି
ଥାନାବାବୁଙ୍କ ହାତରେ ଦେଲି ଯେବେ ଟେକି,
ଘରଣୀଙ୍କ ଫଟୋ ଦେଖି ଥାନାବାବୁ ଉଠିଲେ ଚମକି।

କହିଲେ -ହଇରେ ! ତୋ ୱାଇଫ୍ ର ଚେହେରା ଯାହା ,
ତାକୁତ ଟେକିବାକୁ ଲୋଡ଼ା ଜେସିବି ହାଇୱା।
ଫଟରୁ ଲାଗୁଚି,
ହେଇଥିବ ସିଏ ଦେଢ଼ କୁଇଣ୍ଟାଲରୁ ବଳି,
ଏତେ ସହଜରେ ତାକୁ ଟେକିନେଲା କୋଉ ବାହୁବଳୀ।
ଏବେ ତୋ କଥାରେ ମୋର
ଶହେରୁ ଶହେ ଆସିଲା ବିଶ୍ବାସ,
ଏମିତି ସ୍ତ୍ରୀକୁ ନେଇ ଫେରାର ହେବାକୁ
କରିବେନି କେହି କେବେ ଦୁଃସାହାସ।

ଏବେ ବାପ ଧନ ଘରକୁ ତୁ ଯା।
ପୋଲିସ୍ ଉପରେ ଭରଷା ରଖ,
ଘରକୁ ନିଶ୍ଚୟ ତୋର ଫେରିବ ଭାରିଯା।
ମନେ ମନେ ଭାବିଲି –
ଭରଷା ଅଛି ବୋଲିତ ଥାନାକୁ ଆସିଛି ମୁଁ ଧାଇଁ।l,
ଅପହରଣକାରୀଙ୍କ ଧମକ ମୁତାବକ,
ପୋଲିସ୍ କୁ ଜଣାଇଦେଲି ମାନେ
ଶ୍ରୀମତୀ ଆଉ ଫେରିବାର ପ୍ରଶ୍ନ ଉଠୁନାହିଁ।

ସକାଳୁ ସକାଳୁ ଯେବେ ଘରକୁ ଫେରିଲି
ୱାଇଫ୍ କିଡନାପ୍ ବୋଲି ,
ପୁରା କଲୋନୀ ଲୋକଙ୍କୁ ଡାକି ଜଣାଇଲି।
ଉପରକୁ ସମସ୍ତେ ସିନା କରୁଥିଲେ ଆହା,
ମୁଁ ଠିକ୍ ବୁଝି ପାରୁଥିଲି ଭିତରେ ଭିତରେ ସେମାନେ
କେତେ ଖୁସି ହେଉଥିବେ ଯାହା।
ସମବେଦନା ଜଣେଇବାକୁ ଆସିଲେ ପଡୋଶୀ ,
କିଏ ଦେଲା ଜଳଖିଆ କିଏ ଦେଲା ଚାହା।

ଉପରକୁ ଦୁଃଖୀ ସିନା ,
କିନ୍ତୁ ଏମିତିକା ସେବା ପାଇ
ଆନନ୍ଦ ମୋ କହିଲେ ନସରେ।
ମହାନ୍ତି ବାବୁଙ୍କ ମିସେସ ଦେଇଥିବା ଖାସି ମାଂସ ଖାଇ,
ଦିପହରେ ଶୋଇଲି ମୁଁ ଅତି ଆନନ୍ଦରେ।

କବାଟରେ ଠକ୍ ଠକ୍ ଶବ୍ଦରେ
ଭାଙ୍ଗିଗଲା ବହଳ ନିଦଟା,
ଘଣ୍ଟାକୁ ଚାହିଁ ଦେଖିଲି,
ବାଜିଛି ରାତି ଏଗାରଟା।
ମନେ ମନେ ଭାବିଲି
ଏତେ ରାତିରେ କିଏ ଡାକିବ କାହିଁକି?
ବୋଧ ହୁଏ ସାହୁ ବାବୁଙ୍କ ୱାଇଫ
ଆସିଥିବେ ଡିନର ନେଇକି।

ଅତି ଉତ୍ସାହିତ ହୋଇ ଯାଇ ଖୋଲିଲି କବାଟ।
ପାଦ ତଳୁ ମୋର ଖସିଗଲା ମାଟି,
ସାମ୍ନାରେ ଆଉ କେହିନୁହେଁ,
ଠିଆ ହୋଇଥିଲେ ଖୋଦ୍ ଆମର ଶ୍ରୀମତୀ।

ରାଗରେ ସେ କରୁଥିଲେ ଦାନ୍ତ କଡ଼ମଡ଼,
ମୋର ଏଣେ ହେଉଥିଲା ଛାତି ଧଡ଼ଧଡ଼।
ଅଠା ମାରି ଯାଉଥିଲା ପାଟି,
ତଥାପି ସାହସ କରି ପଚାରିଲି –
ଅପହରଣକାରୀଙ୍କ କବଳରୁ ଖସିଲ କେମିତି?

ଘରଣୀ କହିଲେ –
ମୋତେ କିଏ ଟେକିନବ? ଅଛି କାର ଯୁ?
ମୋ ଅପହରଣର ପ୍ଲାନ୍ ନିଜେ କରିଥିଲି ମୁଁ।
ତମେ ମତେ ଭଲପାଅ କେତେ
ପରୀକ୍ଷା କରିବି ବୋଲି,
କବାଟରେ ଚିଠିଟେ ଲଗେଇ
ଶିଡ଼ି ଘରେ ଯାଇ ଲୁଚିଥିଲି।

ଭାବିଥିଲି ମୋ ଅପହରଣ କଥା ଶୁଣି
ତମେ ବହୁତ୍ କାନ୍ଦିବ,
ମୋତେ ଉଦ୍ଧାର କରିବାପାଇଁ
କଲୋନୀ ଲୋକଙ୍କୁ ଯାଇ ଉଧାର ମାଗିବ।
ତମେ କିନ୍ତୁ ଏଡ଼ିକି ଶିଆଣା,
ମୁଁ ଆଉ ନଫେରେ ବୋଲି ଧାଇଁଗଲ ଥାନା।
ମୁଁ ଏଣେ ଭୋକରେ ବସିଛି,
ଆଉ ତମେ ଘୁଙ୍ଗୁଡ଼ି ମାରୁଛ ଖାଇ ପଡ଼ିଶାଘର ଖାନା।

ଏତିକି କହି ଶ୍ରୀମତୀ ଝଡ଼ ଭଳି ଘରକୁ ପଶିଲେ ,
ଫନି, ହୁଡୁହୁଡୁ ଭଳି ଭୀଷଣ ବର୍ଷିଲେ,
ଫନି ଆସି ଯିବା ପରେ ଉପକୂଳ ଅବସ୍ଥା ଯେପରି,
ମୋରବି ଅବସ୍ଥା ଏବେ ଠିକ୍ ସେହିପରି।

(ସଂଗୃହିତ )

Leave A Reply

Your email address will not be published.