ୟୁକ୍ରେନ ଫେରନ୍ତା ମେଡ଼ିକାଲ ଛାତ୍ରଛାତ୍ରୀ ଓ ଭାରତ

0
  • ଡ଼ ସତ୍ୟେନ୍ଦ୍ର ପଟ୍ଟନାୟକ
  • TATKAL ODISHA//ନୂଆ ସ୍ତମ୍ବ-ସିଧାକଥା//

ରୁଷିଆ-ୟୁକ୍ରେନ ଯୁଦ୍ଧ ଜନିତ ଅସଂଖ୍ୟ ସାମାଜିକ, ଅର୍ଥନୈତିକ ତଥା ମାନବୀୟ ସମସ୍ୟା ମଧ୍ୟରୁ ୟୁକ୍ରେନରେ ଅଧ୍ୟୟନରତ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମସ୍ୟା ସେମାନଙ୍କ ଭବିଷ୍ୟତ ଉପରେ ଏକ ବରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ୟୁକ୍ରେନର ବିଭିନ୍ନ ସହରରେ ପଢ଼ୁଥିବା ହଜାର ହଜାର ଭାରତୀୟ ଡ଼ାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି ଏବଂ ସେଠାରେ ଫସି ରହିଥିବା ପ୍ରାୟ ୨୦,୦୦୦ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୨,୦୦୦ ଓଡ଼ିଆ ପିଲା ମଧ୍ୟ ଅଛନ୍ତି ।

ଭାରତ ସରକାର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ହେତୁ ବହୁ ଛାତ୍ରଛାତ୍ରୀ ଓଡ଼ିଶା ଫେରି ଆସିଲେଣି । ଛାତ୍ରମାନଙ୍କ ପ୍ରତି ସମବେଦନା ତଥା ସେମାନଙ୍କ ଭବିଷ୍ୟତ ପାଇଁ ଶିକ୍ଷା ତଥା ସମାଜସେବାରେ ନିଜସ୍ୱ ପରିଚୟ ସୃଷ୍ଟି କରିଥିବା ଡ଼କ୍ଟର ଅଚ୍ୟୁତ ସାମନ୍ତ ଚିନ୍ତା ପ୍ରକାଶ କରିବା ସହ ଏହି ଘରବାହୁଡ଼ା ପିଲାମାନଙ୍କ ଶିକ୍ଷା ସମାପ୍ତି ପ୍ରତି ଦୃଷ୍ଟି ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଛନ୍ତି ।

ଏତଦ୍ ବ୍ୟତୀତ ଆଇଏମଏ (ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍‌)ର ସେକ୍ରେଟାରୀ ଜେନେରାଲ ଡ଼କ୍ଟର ଜୟେଶ ଲେଲେ ମଧ୍ୟ ସରକାରଙ୍କୁ ଅନୁରୋଧ କରି ଏହି ଛାତ୍ରଛାତ୍ରୀମାନଙ୍କ ସପକ୍ଷରେ ନିଜସ୍ୱ ଚିନ୍ତା ଜଣେଇଛନ୍ତି । ମାନବିିକ ସୃଷ୍ଟିକୋଣରୁ ଏ ସମସ୍ତ ଚନ୍ତା ସ୍ୱାଗତ ଯୋଗ୍ୟ କିନ୍ତୁ ପ୍ରଶ୍ନ ଉଠୁଛି ଏହା କ’ଣ ସମ୍ଭବ? ୟୁକ୍ରେନରୁ ଅଧା ପାଠପଢ଼ି ଫେରିଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଭାରତବର୍ଷର ବିଭିନ୍ନ ମେଡ଼ିକାଲ କଲେଜରେ ପଢ଼ିବାର ସୁଯୋଗ ଦେବା କହିବା ଯେତେ ସହଜ କରିବା ସେତିକି କଷ୍ଟ ସାଧ୍ୟ ମନେହୁଏ । ଏ ବିଷୟରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ଜାଣିବା ଦରକାର ଯେ ଏତେ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଡ଼ାକ୍ତରୀ ପଢ଼ିବାକୁ ବିଦେଶ ଯାଉଛନ୍ତି କାହିଁକି! କେଉଁ କେଉଁ ଦେଶରେ ଭାରତୀୟ ଛାତ୍ରମାନେ ପଢ଼ୁଛନ୍ତି ଏବଂ ସେମାନଙ୍କୁ ଭାରତବର୍ଷରେ ପଢ଼ିବା ପାଇଁ ସୁଯୋଗ ଦେବାରେ ଅସୁବିଧା କ’ଣ ଏବଂ ଏହାର ଅର୍ଥନୈତିକ ଦିଗ ମଧ୍ୟ ବିଚାର ଯୋଗ୍ୟ ।

ପ୍ରତ୍ୟେକ ବର୍ଷ ପ୍ରାୟ ୨୫,୦୦୦ରୁ ୩୦,୦୦୦ ଛାତ୍ରଛାତ୍ରୀ ଭାରତରୁ ଏମବିବିଏସ ପଢ଼ିବା ପାଇଁ ବିଦେଶ ଯାଉଛନ୍ତି । ଏହାର କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ ଭାରତବର୍ଷରେ ଡ଼ାକ୍ତରୀ ପଢ଼ିବା ପାଇଁ ପ୍ରାୟ ୫୦- ୬୦ ଲକ୍ଷ ବା ତା’ଠାରୁ ବେଶୀ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଦେଶରେ ତାହାର ଅର୍ଦ୍ଧେକ ଖର୍ଚ୍ଚ ହୋଇଥାଏ । ଏହା କେତେକାଂଶରେ ସଠିକ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜଲାଣ୍ଡ ତଥା ଆମେରିକାରେ ଏ ଖର୍ଚ୍ଚ ଭାରତବର୍ଷଠାରୁ ଯଥେଷ୍ଟ ଅଧିକ ।

ଉଦାହରଣ ସ୍ୱରୂପ ଇଂଲଣ୍ଡରେ ଡ଼ାକ୍ତରୀ ପଢ଼ିବା ପାଇଁ ୨ ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୁଏ । ସେହିଭଳି ଅନ୍ୟାନ୍ୟ ଦେଶ ତଥା ଆମେରିକାରେ ସମପରିମାଣ ବା ଏହାଠାରୁ ବେଶୀ ଟଙ୍କା ଖର୍ଚ୍ଚ ହେଉଥିବାରୁ ଅନ୍ୟାନ୍ୟ ଦେଶ ତୁଳନାରେ କମ୍ ଭାରତୀୟ ଏଠାକୁ ଡ଼ାକ୍ତରୀ ପଢ଼ିବାକୁ ଯାଇଥାନ୍ତି । ଏହାଛଡ଼ା ଏହି ଦେଶମାନଙ୍କରେ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରବେଶିକା ପରୀକ୍ଷାରେ ପାଶ କରିବାକୁ ପଡ଼େ । ଉଦାହରଣ ସ୍ୱରୂପ ଇଲଣ୍ଡରେ ପଢ଼ିବା ପାଇଁ ୟୁକେ କ୍ଲିନିକାଲ ଆପ୍ଟିଚୁଡ଼ ଟେଷ୍ଟ (ୟୁକେସିଏଟି), ବାୟୋମେଡ଼ିକାଲ ଆଡ଼ମିଶନ ଟେଷ୍ଟ (ବିଏମଏଟି) ପ୍ରଭୃତିରେ ପାଶ କରିବାକୁ ପଡ଼େ । ସେହିଭଳି ଆମେରିକାରେ ଏମବିବିଏସ ପଢ଼ିବା ପୂର୍ବରୁ ପ୍ରି ମେଡ଼ିକାଲ ଡ଼ିଗ୍ରୀ ପ୍ରୋଗ୍ରାମ୍ ଶେଷକରି ପରୀକ୍ଷାରେ ପାଶ କରିବାକୁ ପଢ଼େ । ଏହାଛଡ଼ା ଇଂରାଜୀଜ୍ଞାନ ସମ୍ପର୍କିତ ପରୀକ୍ଷାରେ ଆଇଇଏଲଟିଏସ ବା ଟଏଫେଲ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ପାଶ କରିବାକୁ ପଡ଼େ । ସେଥିପାଇଁ ଅଧକାଂଶ ଭାରତୀୟ ଛାତ୍ରଛାତ୍ରୀ ଋଷିଆ, ୟୁକ୍ରେନ, ଫିଲିଫାଇନ୍ସ, ନେପାଳ, ବଙ୍ଗଳାଦେଶ, ଚୀନ, କିରଗିଜସ୍ତାନ, କାଜାଖସ୍ତାନ, ଆର୍ମେନିଆ, ଜର୍ଜିଆ ଇତ୍ୟାଦି ଦେଶକୁ ପଢ଼ିବାକୁ ପସନ୍ଦ କରିନ୍ତି । କାରଣ ଏହି ଦେଶମାନଙ୍କରେ ପଢ଼ିବା ପାଇଁ କୌଣସି ପରୀକ୍ଷା ଦେବାକୁ ପଡ଼େନାହିଁ ବା ଏଠାରେ ବେଶୀ ଖର୍ଚ୍ଚ ମଧ୍ୟ ହୁଏ ନାହିଁ ।

ଭାରତବର୍ଷରେ ମେଡ଼ିକାଲ ପଢ଼ିବା ପାଇଁ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କୁ ନିଟ୍ ପରୀକ୍ଷା ଦେଇ ପାଶ କରିବାକୁ ପଡ଼େ । ଏହି ପରୀକ୍ଷାରେ ପାଶ କରିବା ସହଜ ନୁହେଁ । କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଦେଇଥିବା ବକ୍ତବ୍ୟ ଅନୁଯାୟୀ ୨୦୨୦ – ୨୧ ଶିକ୍ଷା ବର୍ଷରେ ଭାରତରେ ଥିବା ୫୬୨ ମେଡ଼ିକାଲ କଲେଜରେ ପ୍ରାୟ ୮୪,୬୪୯ଟି ଡ଼ାକ୍ତରୀ ସିଟ ଥିଲା ।

ଓଡ଼ିଶାରେ ୮ଟି ସରକାରୀ ଓ ୪ ଟି ବେସରକାରୀ କଲେଜରେ ମୋଟ ୧୯୫୦ଟି ସିଟ୍ ମଧ୍ୟରୁ ସରକାରୀ କଲେଜରେ ୧୨୫୦ ଓ ବେସରକାରୀ କଲେଜରେ ୭୦୦ ସିଟ୍ ଅଛି । ଦେଶର ସମସ୍ତ ସରକାରୀ କଲେଜମାନଙ୍କରେ ଏମବିବିଏସ ଫିସ୍ ୨୪୦ (ମୌଲାନା ଆଜାନ ମେଡ଼ିକାଲ କଲେଜ) ଟଙ୍କାରୁ ଆରମ୍ଭ କରି ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିବା ବେଳେ ବେସରକାରୀ କଲେଜମାନଙ୍କରେ ଏହି ଫିସ୍ ୨୧ ଲକ୍ଷରୁ ୪୦ ଲକ୍ଷ ପର୍ଯ୍ୟନ୍ତ । ଏହା କେବଳ କୋର୍ସ ଫିସ ଏବଂ ଏହା ସହ ହଷ୍ଟେଲ ଫିସ୍ ଅଲଗା ଦେବାକୁ ପଡ଼େ । ଏତଦ୍ ବ୍ୟତୀତ ବେସରକାରୀ କଲେଜମାନଙ୍କରେ ମ୍ୟାନେଜମେଣ୍ଟ କୋଟା ଏବଂ ପ୍ରବାସୀ କୋଟା ପାଇଁ ଉଦ୍ଦିଷ୍ଟ ଥିବା ଫିସ ସାଧାରଣତଃ ଯଥାକ୍ରମେ ୨୫ ଲକ୍ଷ ରୁ ୪୦ ଲକ୍ଷ ଓ ୨,୧୧,୦୦୦ରୁ ୨୨,୫୦,୦୦ (ଡ଼ଲାର) ହୋଇଥିବା ବେଳେ ଅନେକ କ୍ଷେତ୍ରରେ ବିଭିନ୍ନ କଲେଜ ବିନା ରସିଦରେ ବହୁ ଟଙ୍କା ନେଉଥିବା ନଜିର ମଧ୍ୟ ରହିଛି ।

ବେସରକାରୀ କଲେଜମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ମେଡ଼ିକାଲ କଲେଜ, ଟୁମକୁର ସବୁଠାରୁ କମ୍ ଫିସ ନେଉଥିବା ବେଳେ ଏସଆରଏମ ମେଡ଼ିକାଲ କଲେଜ ସର୍ବାଧିକ ଫିସ ନେଉଛନ୍ତି । ଭାରତବର୍ଷରେ ଡ଼ାକ୍ତରୀ ପଢ଼ା ବ୍ୟୟବହୁଳ ହେବା ସହ ଏଥିପାଇଁ ହେଉଥିବା ଭର୍ତ୍ତି ପ୍ରକିୟା ମଧ୍ୟ ଅତ୍ୟଧିକ ଜଟିଳ । ୨୦୨୧ ମସିହାରେ ୧୪,୧୦,୭୫୫ ଜଣ ନିଟ୍ ପରୀକ୍ଷା ଦେଇଥିବା ବେଳେ ମାତ୍ର ୭,୯୭,୦୪୨ ଜଣ କୃତକାର୍ଯ୍ୟ ହୋଇଥିଲେ । ସମଗ୍ର ଦେଶରେ ମାତ୍ର ୮୪,୬୪୯ ସିଟ ଥିବାବେଳେ ୧୪ ଲକ୍ଷରୁ ଊର୍ଦ୍ଧ କୃତୀ ଛାତ୍ରଛାତ୍ରୀମାନେ ପଢ଼ିବା ପାଇଁ ସୁଯୋଗ ପାଉନାହାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଘ ଅନୁଯାୟୀ ଭାରତବର୍ଷରେ ପ୍ରତ୍ୟେକ ୧୧୦୦୦ ଲୋକମାନଙ୍କ ପାଇଁ ମାତ୍ର ଜଣେ ଡ଼ାକ୍ତର ଅଛନ୍ତି । ଏ ଦୃଷ୍ଟିରୁ ବିଚାର କଲେ ଭାରତବର୍ଷରେ ଦରକାର ଥିବା ସତ୍ତ୍ୱେ ବେଶୀ ଛାତ୍ର ଡ଼ାକ୍ତରୀ ପଢ଼ିବାର ସୁଯୋଗ ପାଉନାହାନ୍ତି । ଏହାର ମୂଳ କାରଣ ହେଲା ପର୍ଯ୍ୟାପ୍ତ ମେଡ଼ିକାଲ କଲେଜ ସିଟ୍ ନାହିଁ ଏବଂ ଏଠାରେ ପାଠ ପଢ଼ିବା ବ୍ୟୟବହୁଳ ।

ଏହି ଦୁଇ ପ୍ରମୁଖ କାରଣ ହେତୁ ବହୁ ସଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ମେଡ଼ିକାଲ ପଢ଼ିବାକୁ ଯାଉଛନ୍ତି । ଏହାର ମୁଖ୍ୟ କାରଣ ହେଲା ସେଠାରେ ଖର୍ଚ୍ଚ କମ୍ ଓ ଭର୍ତ୍ତି ହେବା ପାଇଁ କୌଣସି ପରୀକ୍ଷା ଦେବାକୁ ପଡ଼େନାହିଁ, କିନ୍ତୁ ବିଦେଶରୁ ପାଠ ଶେଷକରି ଭାରତ ଆସିବା ପରେ ଛାତ୍ରଛାତ୍ରୀମାନଙ୍କୁ ଏମସିଆଇ ଦ୍ୱାରା କରାଯାଉଥିବା ଫରେନ ମେଡ଼ିକାଲ ଗ୍ରାଜୁଏଟ ପରୀକ୍ଷାରେ ପାଶ କରିବାକୁ ପଡ଼ିଥାଏ । ଅଧିକାଂଶ କ୍ଷେତ୍ରରେ ବହୁ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପାଶ କରିପାରନ୍ତି ନାହିଁ । ମାତ୍ର ୧୦ ରୁ ୨୦ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥାନ୍ତି । ଏସବୁ ସତ୍ତ୍ୱେ ଅଧିକାଂଶ ଛାତ୍ରଛାତ୍ରୀ ବିଦେଶ କାହିଁକି ଯାଉଛନ୍ତି!

ବିଦେଶରେ ଡ଼ାକ୍ତରୀ ପଢ଼ିବା ପାଇଁ ଯାଉଥିବା ଅଧିକାଂଶ ଛାତ୍ରଛାତ୍ରୀ ବାହାରର ଚାକଚକ୍ୟ, ଖୋଲା ପରିବେଶ ଏବଂ ଖୋଲା ସମାଜ ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଦେଶରେ ଛତୁଫୁଟିଲା ଭଳି ବ୍ୟବସାୟିକ ଶିକ୍ଷା ଏଜେନ୍ସିମାନେ ପ୍ରଚାର ମାଧ୍ୟମରେ ପିଲାମାନଙ୍କ ଅଭିଭାବକମାନଙ୍କୁ ଅଳ୍ପ ପଇସାରେ ଡ଼ାକ୍ତର ହବାର ସ୍ୱପ୍ନ ଦେଖାଇଥାନ୍ତି । ଏହା ଦ୍ୱାରା ଏହି ଏଜେନ୍ସିର ଏଜେଣ୍ଟମାନଙ୍କର ବିଭିନ୍ନ ଦେଶରେ ନିଜସ୍ୱ ବ୍ୟବସାୟ ମଧ୍ୟ ଅଛି । ଉଦାହରଣସ୍ୱରୂପ ୟୁକ୍ରେନରେ ପଢ଼ୁଥିବା ଛାତ୍ରମାନଙ୍କ ପାଇଁ ପ୍ରତି କଲେଜରେ ସେମାନଙ୍କର ମ୍ୟାନେଜରମାନେ ଅଛନ୍ତି । କିରଗୀଜସ୍ତାନରେ ପଢ଼ୁଥିବା ଛାତ୍ରମାନଙ୍କୁ ପଠାଉଥିବା ଏଜେଣ୍ଟମାନେ ନିଜ ନିଜର ହୋଟେଲ ଖୋଲି ସେଠାରେ ଖାଇବାକୁ ବାଧ୍ୟ କରି ଯଥେଷ୍ଟ ପଇସା ରୋଜଗାର କରନ୍ତି । ବିଦେଶରେ ଭାତ, ଡ଼ାଲି ଖାଇବାକୁ ମିଳୁଥିବାରୁ ପିଲାମାନେ ମଧ୍ୟ ବାଧ୍ୟ ହୋଇ ଖାଇଥାନ୍ତି । ଏଥିରେ ଏଜେଣ୍ଟମାନଙ୍କର ରୋଜଗାର ମଧ୍ୟ ଭଲ ହୁଏ ।

ବର୍ତ୍ତମାନ କଥାହେଲା ସେଠାରୁ ଆସିବା ପରେ ଏହି ପିଲାମାନେ କ’ଣ କରନ୍ତି । ମଧ୍ୟଏସିଆରେ ବିଭିନ୍ନ ଦେଶମାନଙ୍କରୁ ପଢ଼ିସାରିବା ପରେ ବହୁଛାତ୍ର ଡ଼ାକ୍ତରୀ ଛଡ଼ା ଅନ୍ୟାନ୍ୟ ବ୍ୟବସାୟ କରନ୍ତି । ଅନେକ ଏଜେଣ୍ଟ ମଧ୍ୟ ହୋଇଯାନ୍ତି । ଏବେ ଯଦି ୟୁକ୍ରେନରୁ ଆସିଥିବା ପିଲାମାନେ ବିଭିନ୍ନ କଲେଜରେ ଭର୍ତ୍ତିହେବେ ସେମାନେ ପୁଣିଥରେ ସ୍ଥାନୀୟ ପିଲାମାନଙ୍କ ଭଳି କଲେଜ ଫିସ୍ ଦେବେ ତ? ଯଦି ସରକାର ସେମାନଙ୍କ ପାଇଁ ଫିସ ଦେଇଦିଅନ୍ତି ତାହାଲେ ସେମାନେ ଯଦି ସରକାରୀ ଫିସ ହିସାବରେ ପଇସା ଦେବେ, ତାହାଲେ ସ୍ଥାନୀୟ ପିଲାମାନ ଏହାର ପ୍ରତିବାଦ କରିବେ ନାହିଁ ତ? ଯଦି ୟୁକ୍ରେନରୁ ଆସି ବିନା ନିଟ୍ ପରୀକ୍ଷାରେ ଏଠାରେ ଭର୍ତ୍ତି ହୁଅନ୍ତି ତାହାଲେ ଯେଉଁସ୍ଥାନୀୟ ପିଲାମାନେ ନିଟ୍ ପାଶ କରି ମଧ୍ୟ ଭର୍ତ୍ତି ହୋଇ ପାରିନାହାନ୍ତି ବା ସେଥିରେ କୃତକାର୍ଯ୍ୟ ହୋଇ ପାରିନାହାନ୍ତି ତାହାଲେ ସେମାନେ ସରକାରଙ୍କୁ ନିଶ୍ଚୟ ତାଙ୍କ ବିଷୟରେ ପୁର୍ନବିଚାର କରିବାକୁ ଦାବି କରିବେ । ସରକାର ସେଥିପାଇଁ ପ୍ରସ୍ତୁତ ତ? ତା’ପରେ ୟୁକ୍ରେନ ଯଦି ଏକ ଉଦାହରଣ ସୃଷ୍ଟି କରେ ତାହାଲେ ବିଦେଶରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀମାନେ ଅଧାପାଠପଢ଼ି ଭାରତ ଫେରିଆସିଲେ ସେମାନଙ୍କ ପାଇଁ ସରକାର କ’ଣ ବ୍ୟବସ୍ଥା କରିବେ ସେ ବିଷୟରେ ଚିନ୍ତା କରିବା ଦରକାର ।

ଏ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ଯଦି ଭାରତବର୍ଷରେ ମେଡ଼ିକାଲ ପଢ଼ା ଶସ୍ତା ହୁଏ ଏବଂ ସମସ୍ତ ଇଛୁକ ଛାତ୍ରଛାତ୍ରୀମାନଙ୍କୁ ଏହାର ସୁଯୋଗ ଦିଆଯାଏ ତାହାଲେ ଭାରତବର୍ଷରେ ଡାକ୍ତର ଅଭାବ ରହିବ ନାହିଁ ବା ଦେଶରୁ ବିଦେଶକୁ ଯାଉଥିବା ଲକ୍ଷ ଲକ୍ଷ ଟଙ୍କା ଦେଶରେ ରହିପାରିବ ।

// DR SATYENDRA PATNAIK //

 (English in Graduation, MA in Ancient Indian History, Culture & Archaeology. (Visva Bharati University) Santiniketan, Ph.D in History. Professor under Gauhati University. Now Rector in KIIT University. Authored several books on History, religion, Tourism, Social Anthropology.)

MOB: 94370 41465

Leave A Reply

Your email address will not be published.