ହିନ୍ଦୁ ମହିଳା କାହିଁକି ପାଳନ୍ତି ବାଲିତୃତୀୟା ବ୍ରତ?

0

ବାଲିତୃତୀୟା ବ୍ରତ
ଓଡିଆ ସଂସ୍କୃତି ଓ ପରମ୍ପରାରେ ଅନେକ ପୂଜା, ବ୍ରତର ବିଧାନ ରହିଛି |

ଏସବୁ ପୂଜା ବ୍ରତ ସାମାଜିକ, ସାଂସ୍କୃତିକ ଓ ପାରିବାରିକ ଜୀଵନକୁ ରସମୟ କରିଥାଏ ଓ ଶାନ୍ତି, ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରିଥାଏ |

ଏ ସବୁ ବ୍ରତ ମଧ୍ୟରେ ବାଲିତୃତୀୟା ବ୍ରତ ଅନ୍ୟତମ | ଏହି ବ୍ରତ ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟାରେ ହିନ୍ଦୁ ବିବାହିତା ମହିଳା ମାନେ ସ୍ୱାମୀଙ୍କ ପାଇଁ ନିଷ୍ଠାର ସହ ପାଳନ କରିଥାନ୍ତି |

ଅବଶ୍ୟ ଅନେକ ସ୍ଥାନରେ କୁମାରୀ ଝିଅମାନେ ସୁନ୍ଦର ଗୁଣଵାନ ପତି ପାଇବା ପାଇଁ ଏ ବ୍ରତ କରିଥାନ୍ତି |ସେମାନେ ସମ୍ପୂର୍ଣ୍ଣ ଉପବାସ ରହି ଶିବ ପାର୍ବତୀଙ୍କ ଧ୍ୟାନ କରନ୍ତି |

ବ୍ରତ ଦିନ ପ୍ରାତଃ କାଳରୁ ନଦୀ, ପୁଷ୍କରିଣୀ ଆଦି ଜଳାଶୟରେ ସ୍ନାନ କରି, ପାଣି ଭିତରୁ ବାଲି ଆଣି କୂଳରେ ବାଲିର ଶିବ ଲିଙ୍ଗ ସ୍ଥାପନ କରନ୍ତି |

ବିଭିନ୍ନ ରଙ୍ଗର ଫୁଲ, ବେଲପତ୍ର ରେ ଏହି ଲିଙ୍ଗକୁ ସଜାଇ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରନ୍ତି | ତା ପରେ ସେମାନେ ଘରକୁ ଆସି ଓଦା ବସ୍ତ୍ର ବଦଳେଇ ଭଲ ବସ୍ତ୍ର ପରିଧାନ କରି ଘରେ ଥିବା ଅନ୍ୟ ମାନଙ୍କ ପାଇଁ ରୋଷେଇ କରି ଖାଇବାକୁ ଦେବାସହ ଘରର ଅନ୍ୟ ସମସ୍ତକର୍ମ ସମ୍ପାଦନ କରନ୍ତି |

ସନ୍ଧ୍ୟାରେ ପୁନଃ ସ୍ନାନ କରି ନବ ବସ୍ତ୍ର ପରିଧାନ କରନ୍ତି ଓ ନୂଆ ଶଙ୍ଖା, ସହ ଅଳତା, ସିନ୍ଦୁର ନାଇ ପୂଜା ପାଇଁ ପ୍ରସ୍ତୁତ ହୁଅନ୍ତି | ହାତରେ ମେହେନ୍ଦି ଲଗାନ୍ତି (ହରଗୌରା ଫୁଲ ଓ ପତ୍ରକୁ ବାଟି ମେହେନ୍ଦି ପ୍ରସ୍ତୁତ କରନ୍ତି )କେହି ପୁରୋହିତଙ୍କୁ ଡାକି ଘରେ ପୂଜା କରନ୍ତି |

ଆଉ କେହି ଶିବ ମନ୍ଦିରରେ ପୂଜା କରନ୍ତି |
ଘରେ ପୁରୋହିତ କଳସ ଓ ବାଲୁକା ଲିଙ୍ଗ ସ୍ଥାପନ କରି ଦୁବ, ବରକୋଳି ପତ୍ର, ଫୁଲ, ବେଲପତ୍ର ଦେଇ, ବ୍ରତ ଧାରିଣୀଙ୍କୁ ସଂକଳ୍ପ କରାଇ ଯଥା ରୀତି ବ୍ରତ ଵିଧି ସମାପ୍ତ କରନ୍ତି |ଭୋଗରେ ନଡ଼ିଆ, କଦଳୀ, ସେଓ, ଅଙ୍ଗୁର, କାକୁଡି ଆଦି ଫଳ ଲାଗିଁହୁଏ | ବ୍ରତ ଚାରିଣୀ ପୁରୋହିତଙ୍କ ଠାରୁ ବ୍ରତ ଗୀତ ଶୁଣନ୍ତି |ପୂଜା ଶେଷରେ ସେମାନେ ଠାକୁରଙ୍କ ବନ୍ଦାପନା ସାରି ପୁରୋହିତଙ୍କୁ ପ୍ରଣାମ କରି ବିଦାୟ ଦିଅନ୍ତି ଓ ଅନୁରୋଧ କରନ୍ତି ପ୍ରାତଃ ସମୟରେ ଆସି ଦକ୍ଷିଣା ଗ୍ରହଣ କରିବାକୁ |

ତା ପରେ ସେମାନେ ଭୂମିରେ ଶୟନ କରନ୍ତି |ପ୍ରାତଃ ସମୟରେ ସ୍ନାନ କରି ବାଲୁକା ଲିଙ୍ଗଙ୍କୁ ଉଠାଇ, କଳସ ସହିତ ଜଳାଶୟରେ ବିସର୍ଜନ କରନ୍ତି |ଜଳାଶୟ ନିକଟରେ ପୂର୍ବରୁ ସ୍ଥାପିତ ବାଲୁକା ଲିଙ୍ଗଙ୍କୁ ମଧ୍ୟ ବିସର୍ଜନ ଜରନ୍ତି |ତତ୍ପରେ ଗୃହରେ ପୁରୋହିତଙ୍କୁ ଯଥାବିଧି ଦକ୍ଷିଣା ଦେଇ ଆଶୀର୍ବାଦ ନେଇ ପାରଣା କରନ୍ତି (ପୂର୍ବ ସନ୍ଧ୍ୟାରେ ହୋଇଥିବା ପ୍ରସାଦ ସେବନ କରନ୍ତି )|
ସମ୍ପୂର୍ଣ୍ଣ ଉପବାସ କରି ମଧ୍ୟ ବ୍ରତ ଧାରିଣୀ ମାନେ ସାମାନ୍ୟ ଦୁର୍ବଳ ଅନୁଭବ କରନ୍ତିନାହିଁ |

ଅନ୍ୟ ରାଜ୍ୟରେ ଏହାକୁ “ତିଜ”ବ୍ରତ ନାମରେ ପାଳନ କରାଯାଏ |.
ପ୍ରତି ବ୍ରତ, ପୂଜା ପଛରେ କିଛି ରୋଚକ କାହାଣୀ ରହିଥାଏ | ବାଲିତୃତୀୟା ବ୍ରତ ପଛରେ ମଧ୍ୟ ଏହିପରି କାହାଣୀ ରହିଛି |ପଦ୍ମ ପୁରାଣ ଅନୁସାରେ ପାର୍ବତୀ କଠୋର ତପସ୍ୟା କରି ଏହିଦିନ ଶିବଙ୍କୁ ସନ୍ତୁଷ୍ଟ କରି ପତି ରୂପେ ପ୍ରାପ୍ତ ହୋଇଥିଲେ | ଆଉମଧ୍ୟ ରାମାୟଣ କଥା ଅନୁସାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ମାତା ସୀତାଙ୍କୁ ରାବଣପୁରରୁ ଉଦ୍ଧାର କରିବା ପାଇଁ ପ୍ରଭୁ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରଭୁଙ୍କର ବାଲୁକା କିଙ୍ଗ ସମୁଦ୍ର କୂଳରେ ସ୍ଥାପନ କରି ପୂଜା କରିଥିଲେ ଓ ଏହିଦିନ ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ | ଏଣୁ ସେହିଦିନ ଠାରୁ ଏ ବ୍ରତ ପାଳିତ ହୋଇ ଆସୁଛି |

ମହିଳାମାନେ ଏକାଠିହୋଇ ଏ ବ୍ରତ ପାଳନ କରିବା ଦ୍ୱାରା ସାମାଜିକ ସୌହାର୍ଦ୍ଦ୍ୟ ସୃଷ୍ଟି ହୁଏ | ନାରୀ ଟିଏ ପରିବାରରେ ଶାନ୍ତି ସଦ୍ଭାବ ପାଇଁ ଏଭଳି କଠୋର ବ୍ରତ ପାଳନ କରି ତାର ସାମାଜିକ, ପାରିବାରିକ ପ୍ରତିବଦ୍ଧତା ପ୍ରକାଶ କରେ |

ଆମ ସାଂସ୍କୃତିକ ଜୀବନରେ ନାରୀର ମହନୀୟତାକୁ ଏହା ସାବ୍ୟସ୍ତ କରିଥାଏ 🙏

  • ଶ୍ରୀକାନ୍ତ ଦାଶ, ସଭାପତି ‘AUBI’ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
    Email srikantadash. bpc@gmail.com
    ଦୂରଭାଷ :9238304919

++++++++++++++ADVT+++++++++++++++++

Leave A Reply

Your email address will not be published.