ସ୍ମୃତିର ଆଇନା :ବାରିପଦାର ‘ସୂର୍ଯ୍ୟ ନିବାସ’

0
  • ମନୋଜ ବେହେରା
  • TATKAL ODISHA//ଐତିହ୍ୟ ଖୋଜ//

***************************************************

ବାରିପଦାର ଏହି ପୁରୁଣା ଦୁଇ ମହଲା କୋଠା : ଇତିହାସରୁ ସାଉଁଟା କାହାଣୀ
———————————————————————-
ଏହି ବାଟ ଦେଇ ସମସ୍ତଙ୍କର ସବୁବେଳେ
ଯାତ୍ରା ହେଉଛି …….
ହେଉଥିବ ….. ମଧ୍ୟ ।
ସମସ୍ତଙ୍କ ସାଥୀରେ ..
ତା’ର ପରିଚୟ ।
କିନ୍ତ ତା’ସହ ସମସ୍ତଙ୍କର ପରିଚୟ ନାହିଁ ।ବାରିପଦା ସହରର ମଧ୍ୟସ୍ଥଳରେ ଏହି ଦୁଇମହଲା ଘର ଏବେବି ମୁଣ୍ଡଟେକି ଛିଡାହୋଇଛି ।
ସେଇ ଘର ….. ଯେଉଁଠି ….କେତେ ମଧୁର ମୂହୁର୍ତ୍ତର ସୃତିକୁ ଜଡାଇ ହୋଇ ରହିଛି ।

ଅତୀତର କେତେ କଥା ,କେତେ ବ୍ୟଥା ବେଦନା ତା’ ଦେହରେ ସମାହିତ
ସେଇ ଘରେ ।
ଏପରିକି ଜନସାଧାରଣଙ୍କ କଥା ଅଭଧାନରେ ଏକ ସାଧାରଣ ଶବ୍ଦ ହୋଇଯାଇଛି -“ସୂର୍ଯ୍ୟ ନିବାସ ।”

ଇଛାହେଲା ସମୟର ସଂଳାପ ସାଜିଥିବା ‘ସୂର୍ଯ୍ୟ ନିବାସ ”ବିଷୟରେ କିଛି ତଥ୍ୟ ସଂଗ୍ରହ କରିବାକୁ ।
ଏହା ବିଷୟରେ କୌଣସି ବହିରେ ବିଶେଷ କିଛି ଉଲ୍ଲେଖ ନାହିଁ ।
ତଥାପି ମୁଁ ଯତ୍ କିଞ୍ଚିତ୍ ତଥ୍ୟ ସଂଗ୍ରହ କରିପାରିଛି ତାହାକୁ ଆଧାର କରି ଏହି ତଥ୍ୟ ମୂଳକ ଲେଖାଟି ପ୍ରସ୍ତୁତ କରିଛି ।
ତେବେ ଏହାର ଇତିହାସ ସମ୍ପର୍କରେ ଜାଣିବା ପାଇଁ ଆମକୁ ଯିବାକୁ ହେବ ବାରିପଦା ଠାରୁ ତିରିଶ କିମି ଦୂର ‘ବେତନଟୀ’
ସେଠାରେ ଥିବା ଏକ ଛାତ୍ରାବାସ ର କଥା ।
ବଡସାହି ଓ ମାଣତ୍ରୀ ରାସ୍ତାର ଦୋଛକିରେ ତିଆରି ହୋଇଥିଲା ଏହି ଛାତ୍ରାବାସ ।

କିଛି ବଛା, ବଛା ଛାତ୍ର ମାନଙ୍କୁ ଏହି ଛାତ୍ରାବାସ ରେ ରଖିବାର ବ୍ୟବସ୍ଥା ଥାଏ ।ପାଖା ପାଖି ଚାଳିଶ ଜଣ ଅନ୍ତେବାସୀଙ୍କ ରହିବାରେ ଏହି ଛାତ୍ରାବାସ ଥିଲା ସେ ସମୟରେ ସମ୍ପୂର୍ଣ୍ଣ ନୂଆ ।
ଯୋଜନା ମୁତାବକ୍ ନିର୍ମିତ ଏହି ଛାତ୍ରାବାସର ପରିସରରେ ରହିଥାଏ ପରିଚାଳକ ଙ୍କ ବାସଗୃହ,ରୋଷେଇଗୃହ,ଭଣ୍ଡାରଘର,
କୂଅ ଓ ବଗିଚା ସହ ଖେଳପଡିଆ
ଇତ୍ୟାଦି ।
ଛାତ୍ରାବାସର ପୂର୍ବ ଦିଗରେ ଥିଲା ଧାନକ୍ଷେତ,ଦକ୍ଷିଣପଶ୍ଚିମକୁ ବିସ୍ତୃତ ଶାଳବଣର ପରିବେଶ ନିଶ୍ଚିତରେ କୁହାଯାଇପାରିବ ଛାତ୍ରାବାସର ଅନ୍ତେବାସୀଙ୍କୁ ଶାନ୍ତ ଏବଂ ଆକର୍ଷଣ କରୁଥିବ।
ପୁଣି ଶାଳଗଛର ଫୁଲ ତା’ସହ କୁଡୁଚି ଫୁଲର ମହକ ସତରେ ଭାରାକ୍ରାନ୍ତ ମନକୁ ବେଶ ସତେଜ କରୁଥିବ।

ଯଦି କେବେ ଆପଣ ବାରିପଦା ବୁଲିବାକୁ ଯାଉଛନ୍ତି, ତାହାଲେ ଏହି ସ୍ମୃତିର ସନ୍ତକ “ସୂର୍ଯ୍ୟ ନିବାସ” ବୁଲିବାକୁ କେବେ ଭୁଲନ୍ତୁ ନାହିଁ… ସେଠାରେ ପହଁଚିଲା ପରେ ନିଜେ କିଛି ଅଦ୍ଭୁତ ‘ଶିହରଣ’ ଅନୁଭବ କରିବେ ନିଶ୍ଚୟ …

ସମସ୍ତ ଛାତ୍ର ବେତନଟୀ ସ୍ଥିତ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର।
ଏହି ଛାତ୍ରାବାସର ପ୍ରତିଷ୍ଠାତା ଥିଲେ ଶ୍ରୀଯୁକ୍ତ ବିଦ୍ୟାଧର ମହାପାତ୍ର ।
ଭାରତର ଦେଶୀୟ ରାଜ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଗଡଜାତ ରାଜ୍ୟ ପ୍ରଥମେ ରାଜତନ୍ତ୍ର ଶାସନ ବ୍ୟବସ୍ଥାକୁ ରୂପାନ୍ତରୀଣ କରି ଏକ ଜନପ୍ରିୟ ସରକାର ର ଗଠନ ହୁଏ ।ପ୍ରଜାମଣ୍ଡଳର ନେତା ଶରତ ଚଦ୍ର ଦାସ ଙ୍କ ଅଧକ୍ଷତା ରେ କ୍ଷମତା ହସ୍ତାନ୍ତର ହୁଏ ଡିସେମ୍ବର ୯ ତାରିଖ ୧୯୪୭ ମସିହାରେ ଏବଂ ଏକ ତିନି ଜଣିଆ ମନ୍ତ୍ରୀମଣ୍ଡଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାସ ,ଶ୍ରୀଯୁକ୍ତ ବିଦ୍ୟାଧର ମହାପାତ୍ର ,ଶ୍ରୀଯୁକ୍ତ ମହେଶ୍ବର ନାଏକଙ୍କ ନେଇ ଗଠିତ ହୁଏ ।

ଶରତ ଚନ୍ଦ୍ର ଦାସ ହୁଅନ୍ତି ପ୍ରଧାନମନ୍ତ୍ରୀ ,
ଭାରତ ସ୍ଵାଧୀନତା ପାଇବା ପୂର୍ବରୁ ମହାରାଜା ସାର୍ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଶରତ ଚନ୍ଦ୍ର ଦାସଙ୍କ ମନ୍ତୀମଣ୍ଡଳକୁ ଦାୟିତ୍ୟପୂର୍ଣ୍ଣ ଶାସନ ଅର୍ପଣ କରି ଶ୍ରୀମନ ମହାରାଜା ମୟୂରଭଞ୍ଜର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ ।
ଶରତ ଚନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ପଦ ସହ ଗୃହ,ଅର୍ଥ,ଯୋଜନା ଓ ପୁନର୍ଗଠନ ବିଭାଗ ଦାୟିତ୍ୟରେ ।
ବିଦ୍ୟାଧର ମହାପାତ୍ର ରାଜସ୍ୱ ଆଇନ,ସ୍ୱାସ୍ଥ୍ୟ ,ଏବଂ ସ୍ୱାୟତ୍ତ ଶାସନ ଦାୟିତ୍ୟ ବହନ କଲେ।

ମହେଶ୍ଵର ନାୟକଙ୍କ ଦାୟିତ୍ୟରେ ରହିଲା ଉନ୍ନୟନ,ଶିକ୍ଷା ,ଯୋଗାଣ,ପରିବହନ,
ବାରିକ ମିସ୍ତ୍ରୀ, ବାଣିଜ୍ୟ ଓ ଶ୍ରମ ବିଭାଗ।
ବାରିପଦା ସହର ମଧ୍ୟରେ ପରେଡପଡିଆ ସ୍ଥିତ ଏକ ଦୁଇମହଲା ଘର ।
ସୂର୍ଯ୍ୟନିବାସ ନାମରେ ପରିଚିତ।
ଏହି ଘରେ ରହୁଥାନ୍ତି
ବିଦ୍ୟାଧର ମହାପାତ୍ର।

ଛଅଜଣ କନ୍ୟାଙ୍କ ସହ ଏକ ମାତ୍ର ପୁତ୍ର ସୂର୍ଯ୍ୟ ନାରାୟଣ ସେମାନଙ୍କ ପ୍ରାଣରେ ଆଶାର ଆଲୋକ ଜାଳିଦେଇଥିଲା।
କିନ୍ତ ହାଇ । ବିଧିର ବିଧାନ ବଡ ବିଚିତ୍ର ।ମାତ୍ର ୧୬ ବର୍ଷ ବୟସରେ ପୁତ୍ର ସୂର୍ଯ୍ୟନାରାୟଣ ର ମୃତ୍ୟୁ ର ଦାରୁଣ ଆଘାତ ଦେଲା ପିତା -ମାତାଙ୍କୁ ।
ଅନେକ ଆଶା -ଆକାଂକ୍ଷା ଓ କଳ୍ପନାର ସୌଧ ଭାଙ୍ଗି ମାଟିରେ ମିଶିଗଲା ।
ପୁରା ଘର ଖାଁ …ଖାଁ ଲାଗିବାକୁ ଲାଗିଲା ମହାପାତ୍ର ପରିବାରକୁ ।
ନିଷ୍ପତ୍ତି ନେଲେ ବାରିପଦା ଘର “ସୂର୍ଯ୍ୟନିବାସ” ଛାଡିବାକୁ ।
ଚାଲିଯିବେ ବେତନଟୀ ।

ବେତନଟୀରେ କୁଟା ଦେଇ ଚାଳ ଛପରରେ ଏକ ଛୋଟ ବାସଗୃହ ନିର୍ମାଣ କରି ଶୋକ ସନ୍ତପ୍ତ ପିତା- ମାତା ବାକିତକ ଜୀବନ ସନ୍ୟାସ ପରି କଟାଇଲେ। ଏକମାତ୍ର ପୁତ୍ରର ସୂର୍ଯ୍ୟନାରାୟଣର ସୃତି ରକ୍ଷା ଉଦ୍ଦେଶ୍ୟରେ ଏକ ଛାତ୍ରାବାସ ନିର୍ମାଣ କରି ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ଦାନ କରିଦେଲେ।

ଛାତ୍ରାବାସର ପରିଚାଳନା କରିବା ପାଇଁ ଲକ୍ଷ୍ମୀଧର ମହାନ୍ତ ଓ ଗୋବିନ୍ଦ ମାଝୀ ଥାଆନ୍ତି ।
ତଥ୍ୟ ଖୋଜୁ ଖୋଜୁ ଏହି ତଥ୍ୟ ଟି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ
ଶ୍ରୀଯୁକ୍ତ ବଂଶୀଧର ମହାନ୍ତିଙ୍କ ବିଦ୍ୟାଳୟରେ ପ୍ରଥମ ଅନୁଭୂତିର କିଛି ସୃତି ଲେଖିଛନ୍ତି ବିଦ୍ୟାଳୟର ସ୍ମରଣିକା ରେ ।
୧୯୫୧ ରେ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଯୋଗଦାନ ।
ପ୍ରଧାନ ଶିକ୍ଷକ ଥାଆନ୍ତି
ଶ୍ରୀଯୁକ୍ତ ନୀଳମଣି ମିଶ୍ର ।
ବେତନଟୀରେ ଏକ ବର୍ଷର ରହଣୀ ପରେ ଚାଲି ଆସିଥିଲେ ବାଙ୍ଗିରିପୋଷି। ବାଙ୍ଗିରିପୋଷି ମଧ୍ୟ ଇଂରାଜି ବିଦ୍ୟାଳୟରେ ଯୋଗ ଦେଲେ।
ପରେ ପରେ ସେହି ବିଦ୍ୟାଳୟରୁ ଅବସର ନେଇ ବାଙ୍ଗିରିପୋଷିରେ ଅବସ୍ଥାପିତ ହୋଇଗଲେ ।
ଏବେବି ଶ୍ରୀଯୁକ୍ତ ମହାନ୍ତିଙ୍କ ପରିବାର ବାଙ୍ଗିରିପୋଷି ରେ ରହୁଛନ୍ତି ।
ସେହିପରି ଏକ ଲେଖା -“କିଛି ସୃତି କିଛି ଅଭିବ୍ୟକ୍ତି ଶୀର୍ଷକ “ରେ
ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଶତପଥୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଯଥାକ୍ରମେ ଛାତ୍ର ,ସହକାରୀ ଶିକ୍ଷକ ଭାବେ ଭାଗ୍ୟବାନ ମନେକରନ୍ତି ବୋଲି ଲେଖିଛନ୍ତି । ଏହି ବିଦ୍ୟାଳୟର ସେ ଥିଲେ ଛାତ୍ର ଏବଂ ପରେ ଶିକ୍ଷକ ହେବାର ସୈାଭାଗ୍ୟ ତାଙ୍କୁ ମିଳିପାରିଥିଲା ।


ପରେ ପରେ ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଯୋଗଦାନ କରି ଅବସର ଗ୍ରହଣ କରିଥିଲେ ।
ରାଜ୍ୟପାଳ ପୁରସ୍କାର ମଧ୍ୟ ଲାଭ କରିଛନ୍ତି
ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଶତପଥୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ,ବେତନଟୀ ରେ ୮ମ ଏବଂ ୯ମ ଶ୍ରେଣୀ ରେ ପଢୁଥିଲା ବେଳେ ପ୍ରଧାନ ଶିକ୍ଷକ ଥାଆନ୍ତି ଶ୍ରୀଯୁକ୍ତ ନୀଳମଣୀ ମିଶ୍ର ।
ସ୍ମରଣିକା ରେ ଦିଆ ଯାଇଥିବା ପ୍ରଧାନଶିକ୍ଷକ ମାନଙ୍କ କାର୍ଯ୍ୟକାଳ ତାଲିକା ଅନୁଯାଇ ଶ୍ରୀଯୁକ୍ତ ନୀଳମଣି ମିଶ୍ରଙ୍କ କାର୍ଯ୍ୟକାଳ ୨୧-୧୧-୧୯୪୯ ରୁ ୧୪-୦୫-୧୯୫୩ ପର୍ଯ୍ୟନ୍ତ ।


ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଶତପଥୀ ଲେଖିଛନ୍ତି ଯେ ଶ୍ରୀଯୁକ୍ତ ବିଦ୍ଯାଧର ମହାପାତ୍ର ଖୁବ ଗମ୍ଭୀର ସ୍ଵଭାବର ଥିଲେ ।
ବହୁତ କମ ହସନ୍ତି ।
କହିବାକୁ ଗଲେ ସେ ଆମର ଶିକ୍ଷକ ,ପ୍ରଶାସକ ,ଅଭିଭାବକ,ତଥା ଆମର ଥିଲେ ଜଣେ ପଥ ପ୍ରଦର୍ଶକ ।
ତାଙ୍କୁ ଦେଖିଲେ ପ୍ରଥମେ ପ୍ରଥମେ ଭୟ ଲାଗୁଥିଲା ।
ଧୀରେ ଧୀରେ ତାଙ୍କ ଅଗୋଚରରେ ତାଙ୍କୁ ଅଜା ବୋଲି ସମ୍ବୋଧନ କରିବା ଆରମ୍ଭ କରିଦେଇଥିଲୁ ।
ନିୟମିତ ଛତ୍ରାବାସ କୁ ଆସନ୍ତି ।


ପଢା -ପଢିକୁ ତଦାରକ କରନ୍ତି ।ଛାତ୍ରାବାସର ନିୟମ ଭଙ୍ଗ କଲେ କଡା ଶାସନ କରନ୍ତି ।
କିପରି ଭଲ ପଢିବୁ ସେଥିପାଇଁ ନିଜେ ସକାଳେ ଦୁଇ ଘଣ୍ଟା ପଢନ୍ତି ।
ପିଲା ମାନଙ୍କର ଜଳଖିଆ ସରିଯାଇଥିଲେ ତାଙ୍କ ଘର କୁ ପଠାନ୍ତି ।
ତାଙ୍କ ଘରୁ ଘୋଳ ଦହି ଆଣିବା ପାଇଁ କୁହନ୍ତି ।
ତାଙ୍କ ପତ୍ନୀ ସୌଦାମିନୀ ଦେଇ ଙ୍କୁ ଆଇ ବୋଲି ଡାକୁ ।
ଆଇ ଭାରି ସ୍ନେହୀ ଥିଲେ ।
ଛାତ୍ରାବାସ ରୁ କେହି ଗଲେ ସେଇ ଗୋଟାଏ କଥା ପଚାରନ୍ତି -“ବାପରେ ତୋ ଘର କେଉଁଠି ? ତୋ ! ଘରେ କିଏ ?କିଏ? ଅଛନ୍ତି ?
ତୁମେ କେତେ ଭାଇ ଭଉଣୀ ?
ବାସ ତା’ପରେ ଆରମ୍ଭ ହୋଇଯାଏ କାନ୍ଦ। ବେଶ୍ ଦୁଃଖି ଜଣା ପଡନ୍ତି ସେ ।
ଅଜା- ନାତିର ଏକ ଅନନ୍ୟ ସମ୍ପର୍କ ଗଢିଉଠିଥିଲା ।
ସବୁଥିରେ ଲୁକ୍କାୟତ ଭାବରେ ରହି ଥାଏ ତାଙ୍କର ସ୍ନେହ ।


ଆଜି ସୂର୍ଯ୍ୟ ନାରାୟଣ ନାହାନ୍ତି I
କିନ୍ତୁ ବାରିପଦାର ସେଇ ପୁରୁଣା ଦ୍ଵିତଳ ପ୍ରସାଦରେ ଆଜିବି
ସେ ଜୀବିତ ନିଜ ନାମକୁ ନେଇ ……

  • ମନୋଜ କୁମାର ବେହେରା,
    Manoj Kumar Behera ବାରିପଦା,ମୟୁରଭଞ୍ଜ, ଓଡିଶା
    📱7008648434

Leave A Reply

Your email address will not be published.