ତତ୍କାଳ ଓଡିଶା ସୌର ମିସନ: ପୁଣି ଇତିହାସ ରଚିଲା ଭାରତ By TATKAL Last updated Sep 2, 2023 0 Share ବେଙ୍ଗାଲୁରୁ//TATKAL ODISHA// ଚନ୍ଦ୍ରଯାନ-୩ର ସଫଳତା ପରେ ପୁଣି ଭାରତ ସୂର୍ଯ୍ୟ ଅଭିଯାନ କରି ଇତିହାସ ରଚିଛି । ଏହାର ନାମ ରହିଛି ଆଦିତ୍ୟ-ଏଲ୍-୧। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଏହା ପ୍ରଥମ ଓ ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ସୌର ମିସନ । ସେଥିପାଇଁ ଆମେରିକା, ଚୀନ, ରୁଷିଆ, ଜାପାନ ଓ ଫ୍ରାନ୍ସ ଭଳି ଦେଶ ବ୍ୟତୀତ ସମଗ୍ର ବିଶ୍ୱର ନଜର ଭାରତ ଉପରେ ଏବେ ନିକ୍ଷେପ ରହିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି ସି 57 ରାକେଟରେ ଏହା ମହାକାଶକୁ ପ୍ରେରଣ କରାଯାଇଛି I ଶନିବାର ଠିକ ୧୧ଟା ୫୦ରେ ଉତକ୍ଷେପଣ ହୋଇଛି । ଏହାର ପ୍ରାୟ ଘଣ୍ଟାଏ ପରେ ନିର୍ଦ୍ଧାରିତ କକ୍ଷପଥରେ ଆଦିତ୍ୟ-ଏଲ୍ ୧ ସ୍ଥାପିତ ହୋଇଛି I ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ଉତକ୍ଷେପଣ ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ଆଦିତ୍ୟ-ଏଲ୍ ୧ ମହାକାଶ ଯାନରେ ୭ଟି ପେଲୋଡ ଥିଲା ବେଳେ ସେଥିରୁ ୪ଟି ପେଲୋଡ ସୂର୍ଯ୍ୟ ଉପରେ ଏବଂ ୩ଟି ପେଲୋଡ୍ ଲାଗ୍ରାଞ୍ଜ ପଏଣ୍ଟ ଏଲ୍ ୧ ଉପରେ ପରୀକ୍ଷା ନିରୀକ୍ଷା କରିବ । ପ୍ରଥମ ପର୍ଯ୍ୟାୟରେ ଆଦିତ୍ୟ-ଏଲ୍ ୧କୁ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯିବ ଏବଂ ପରେ କକ୍ଷପଥରେ ପରିବର୍ତ୍ତନ କରାଯିବ । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ୧୫ କୋଟି କିଲୋମିଟର ହୋଇଥିଲେ ହେଁ ଆଦିତ୍ୟ-ଏଲ୍ ୧ ମୋଟ ୧୫ ଲକ୍ଷ କିଲୋମିଟର ଦୂରତାରେ ଥିବା ସୂର୍ଯ୍ୟ-ପୃଥିବୀ ସିଷ୍ଟମର ଲାଗ୍ରାଞ୍ଜ ପଏଣ୍ଟ(ଏଲ୍ ୧) ପାଖରେ ହାଲୋ ଅର୍ବିଟରେ ସ୍ଥାପନ କରାଯିବ । ଇସ୍ରୋ ଅଧ୍ୟକ୍ଷ ଶ୍ରୀ ସୋମନାଥ କହିଛନ୍ତି ଯେ, ଇସ୍ରୋ ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, ବାହ୍ୟସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ହେଲେ ଏଲ୍ ୧ ବା ଲାଗ୍ରାଞ୍ଜ ପଏଣ୍ଟ୍-୧ ରେ ପହଞ୍ଚିବାକୁ ଆଦିତ୍ୟ-ଏଲ୍ ୧କୁ ୪ ମାସ(୧୨୭ ଦିନ) ସମୟ ଲାଗିବ । ଯଦି ସଫଳତା ମିଳେ ତାହାଲେ ଭାରତ ବଡ଼ ସଫଳତା ପାଇବ I 0 Share FacebookWhatsAppTwitterGoogle+Email