ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ

0

  • ଭୁବନେଶ୍ୱର,//TATKAL ODISHA//

ଗୁରୁବାର ସୋଆ ବିଶ୍ଵବିଦ୍ୟାଳୟ ପରିଚାଳିତ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି । ରାଜ୍ୟର ଏହି ପ୍ରଥମ ବେସରକାରୀ ପଶୁ ଚିକିତ୍ସାଳୟ କୃଷି, କୃଷକ ସଶକ୍ତିକରଣ ଓ ପଶୁସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏବଂ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି।

ଭୁବନେଶ୍ୱର ଉପକଣ୍ଠ ଶାମ୍‌ପୁର ଠାରେ ଆରମ୍ଭ ହୋଇଥିବା ଏହି ପଶୁ ଚିକିତ୍ସାଳୟରେ ସବୁ ପ୍ରକାର ପଶୁପକ୍ଷୀ ମାନଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି ।

ଏଥିରେ ଗାଏନାକୋଲୋଜି, ସର୍ଜରୀ ଓ ମେଡିସିନ୍ ଭଳି ବିଭାଗର ବ୍ୟବସ୍ଥା ରହିଛି। ଗୃହପାଳିତ ପଶୁ ସମେତ ରାସ୍ତାରେ ବୁଲୁଥିବା ପଶୁମାନଙ୍କର ଏଠାରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସୋଆ ଭେଟେରିନାରୀ କଲେଜର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ।
ଏହି ଚିକିତ୍ସାଳୟରେ ଫାର୍ମାସୀ, ଲାବୋରେଟୋରୀ, ଓ ଅପରେସନ ଥିଏଟର ର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଏହି ଚିକିତ୍ସାଳୟରେ ୨୪ ଘଣ୍ଟା ସମସ୍ତ ସେବା ଉପଲବ୍ଧ ରହିବ ବୋଲି କହିଛନ୍ତି ଏହି ଚିକିତ୍ସାଳୟାର ନିର୍ଦ୍ଦେଶକ ଡଃ ଡି.ଏନ୍‌. ପଲ୍ ।

ନିର୍ଦ୍ଦେଶକଙ୍କ ସମେତ ୩ ଜଣ ପ୍ରଫେସର ମଧ୍ୟ ଏଠାରେ କାର୍ଯ୍ୟରତ ରହିବେ ।
ତେବେ ଏହି ଚିକିତ୍ସାଳୟର ମୁଖ୍ୟ ଆକର୍ଷଣ ହେଉଛି ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍ପା । ଏହି ସ୍ପାରେ ପଶୁମାନଙ୍କୁ ଗାଧୋଇଦେବା ସହ ତାଙ୍କର ହେୟାର କଟିଂ, ନେଲ୍ କଟିଂ ଏବଂ ଅନ୍ୟାନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସୁବିଧା ଉପଲବ୍ଧ ରହିଛି ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ସମୟର ସବୁଠାରୁ ଆକର୍ଷଣ ଥିଲା ଗୋଟିଏ ମାଙ୍କଡ । ଉଦ୍‌ଘାଟନ ପୂର୍ବରୁ ହିଁ ମାଙ୍କଡ ଟି ଚିକିତ୍ସାଳୟରେ ଘୂରି ବୁଲୁଥିଲା । ତା’ର କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ଏବଂ ଉଦ୍‌ଘାଟନୀ ପରେ ପ୍ରଥମ ରୋଗୀ ଭାବେ ତା’ର ଚିକିତ୍ସା କରାଯିବ ବୋଲି ପ୍ରଫେସର ପଟ୍ଟନାୟକ କହିଥିଲେ ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଚିକିତ୍ସାଳୟର ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଡାକ୍ତର ଉପସ୍ଥିତ ଥିଲେ ।

Leave A Reply

Your email address will not be published.