ସେବା ଓ କର୍ମର ପ୍ରତିକ ଉତ୍କଳମଣି ଗୋପବନ୍ଧୁ
ଚିର ପ୍ରବହମାନ ସଭ୍ୟତାର ସ୍ରୋତରେ କେତେ ମଣିଷ ଜନ୍ମ ନିଅନ୍ତି, ବଞ୍ଚନ୍ତି ଓ ମୃତ୍ୟୁ ବରଣ କରନ୍ତି ତାର ହିସାବ କେହି ରଖନ୍ତି ନାହିଁ | ମାତ୍ର ଏ ଧାରାରେ କେତେକ ଲୋକ ଜନ୍ମନିଅନ୍ତି, ଯେଉଁମାନେ ନିଜ ଆଲୋକରେ ଅନ୍ୟ ମାନଙ୍କୁ ଆଲୋକିତ କରନ୍ତି, ନିଜ ଉତ୍ତାପରେ, ଅନ୍ୟର ଶୀତଳତାକୁ ଦୁରେଇ ଦିଅନ୍ତି, ନିଜେ ଜଳି ଅନ୍ୟ ମାନଙ୍କ ପାଇଁ ଆଲୋକ ବର୍ତ୍ତିକା ହୁଅନ୍ତି, ଓ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୁଅନ୍ତି |
ମାନବ ସଭ୍ୟତା ସେମାନଙ୍କ ନାଁ କୁ ଇତିହାସରେ ଲିପିବଦ୍ଧ କରେ | ଏମିତି ଜଣେ ପୁଣ୍ୟାତ୍ମା ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ଯିଏ ଆମପାଇଁ ଉତ୍କଳ ମଣି ଭାବେ ପରିଚିତ |ସେ କହିଥିଲେ, “ମାନବ ଜୀବନ ନୁହଇଁ କେବଳ ବର୍ଷ ମାସ ଦିନ ଦଣ୍ଡ,
କର୍ମେ ଜିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ |”
ଏହି କାଳଜୟୀ ମର୍ମସ୍ପର୍ଶୀ ସୃଷ୍ଟି ମାଧ୍ୟମରେ କର୍ମ ପ୍ରେରଣା ଦେଇଥିବା ମହାନ ଆଦର୍ଶ ପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ଜନ୍ମଦିନ |1877 ମସିହା ଅକଟୋବର 9 ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ନିକଟ ସୁଆଣ୍ଡ ଗ୍ରାମରେ ପିତା ଦୈତାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ | ପିତା ମୁକ୍ତିଆର ଥିଲେ ହେଁ କୃଷ୍ଣ ଭକ୍ତ ଥିଲେ |ବାପାଙ୍କ ପ୍ରଭାବ ତାଙ୍କ ଉପରେ ପଡିଥିଲା |ବାଲ୍ୟ କାଳରୁ ସେ ମା’ଙ୍କୁ ହରାଇ ପିଉସୀ କମଳା ଦେବୀଙ୍କ କୋଳରେ ବଢ଼ି ଥିଲେ | ପିଉସୀଙ୍କ ସ୍ନେହ, ଆଦର୍ଶ ଓ ପ୍ରେରଣା ତାଙ୍କୁ ଭବିଷ୍ୟତରେ ଆଦର୍ଶ ବ୍ୟକ୍ତି ରୂପେ ଗଢି ତୋଳିଲା |କୃଷ୍ଣଭକ୍ତ ପିତାଙ୍କ ପ୍ରଭାବରୁ ସେ ପିଲାଦିନୁ ଭାଗବତ ପ୍ରେମୀ ହୋଇଥିଲେ ଓ ପ୍ରତିଦିନ ସନ୍ଧ୍ୟାରେ ଭାଗବତରୁ ଅଧ୍ୟାୟଟିଏ ପଢୁ ଥିଲେ |ପରବର୍ତ୍ତୀ ଜୀବନରେ ସେ ସଭା ସମିତିରେ ସେ ଭାଗବତରୁ ପଦ ଆବୃତ୍ତି କରୁଥିଲେ ଓ ପ୍ରତ୍ୟେକ ବ୍ୟକ୍ତି ଭାଗବତ ପ୍ରତି ଅନୁପ୍ରାଣିତ ହୁଅନ୍ତୁ ବୋଲି ପରାମର୍ଶ ଦେଉଥିଲେ |
ରୂପଦେଇପୁରରୁ vernacular ଶିକ୍ଷା ସମାପ୍ତ ପରେ ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରନ୍ତି |ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଆଇନ ଡ଼ିଗ୍ରୀ ହାସଲ କରନ୍ତି |
ତରୁଣ ଜୀବନରେ ସେ ପଣ୍ଡିତ ନୀଳକଣ୍ଠ ଦାସ ,ପଣ୍ଡିତ ଗୋଦାବରୀଶ ମିଶ୍ର, ଅନନ୍ତ ମିଶ୍ର ଓ ଆଚାର୍ଯ୍ୟ ହରିହରଙ୍କ ପରି ସଂକଳ୍ପବଦ୍ଧ ତରୁଣ ମାନଙ୍କୁ ଜାତୀୟ ଜୀବନ ସ୍ରୋତରେ ଝାସ ଦେବାପାଇଁ ଶପଥ କରାନ୍ତି, “ଆମେ ପାଠ ପଢି ସରକାରୀ ଚାକିରୀ କରିବାନାହିଁ, ଦେଶ ପାଇଁ କିଛି କାମ କରିବା, ଜନ୍ମ ବେଳେ ଦେଶକୁ ଯାହା ଦେଖିଥାଇ ମଲାବେଳେ ତା ଠାରୁ ଉନ୍ନତ ଦେଖି ମରିବା “|
ଏହି ଆହ୍ୱାନରେ ଏପରି ଯାଦୁ ଥିଲା ଯେ ତରୁଣ ମାନେ ବଶ ହେଲେ | ଫଳରେ ଗୋପବନ୍ଧୁ କିଛିକାଳ ଶିକ୍ଷକତା ଓ ଓକିଲାତି କଲାପରେ ଶେଷରେ ଦେଶ ସେବାରେ ମନପ୍ରାଣ ଢାଳିଦେଲେ | ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା, ସମାଜ ଖବର କାଗଜ ପ୍ରତିଷ୍ଠା, ଅନେକ କାବ୍ୟ କବିତା ରଚନା,ଅସହଯୋଗ ଆନ୍ଦୋଳନରେ ଯୋଗଦାନ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ, ବନ୍ୟା ପ୍ରପୀଡିତ ଓଡିଶାର ସେବା ମାଧ୍ୟମରେ ସେ ନିଜର ତ୍ୟାଗପୁତ ଜୀବନର ଛାପ ରଖି ଯାଇଛନ୍ତି |
ସେ ମଧ୍ୟ ଓଡିଶା ରାଜନୀତିର ସେ ସମୟରେ ଅଗ୍ରଣୀ ବ୍ୟକ୍ତି ଥିଲେ | ତାଙ୍କର ସାମାନ୍ୟ କ୍ଷମତା ମୋହ ନ ଥିଲା | ଆଣ୍ଠୁ ନ ଲୁଚା ଖଦି ଓ ଚାଦର ଥିଲା ତାଙ୍କର ପରିଧାନ | ଲାଟ୍ ସଭାର ସଦସ୍ୟ ଥିବା ବେଳେ ସେ ଏହି ପରିଧାନରେ ସେଥିରେ ଯୋଗ ଦେଉଥିଲେ ଓ ନିଜ ରାଜ୍ୟର ଦାବି ଉପସ୍ଥାପନ କରୁଥିଲେ |ସେ ନିଜକୁ ନେତା ମନେ କରୁ ନ ଥିଲେ | ତାଙ୍କର ମତ ଥିଲା, “ଉତ୍କଳେ ନେତାର ନାହିଁ ପ୍ରୟୋଜନ,
ଉତ୍କଳର ନେତା ସ୍ୱୟଂ ନାରାୟଣ |”
ସ୍ୱରାଜ ହାସଲ ପାଇଁ ତାଙ୍କର ଆହ୍ୱାନ ଥିଲା “ମିଶୁ ମୋର ଦେହ, ଏ ଦେଶ ମାଟିରେ,
ଦେଶବାସି ଚାଲିଯା’ନ୍ତୁ ପିଠିରେ |
ଦେଶର ସ୍ୱରାଜ ପଥେ ଯେତେ ଗାଡ,
ପୁରୁ ତହିଁ ପଡି ମୋର ମାଂସ ହାଡ଼ |
ତାଙ୍କୁ ଲକ୍ଷ୍ୟ କରି ଗାନ୍ଧିଜୀ କହିଥିଲେ, “ଗୋପବନ୍ଧୁ ପରି ଦଶଜଣ ଲୋକଥିଲେ ଭାରତର ସ୍ୱାଧୀନତା ଗୋଟିଏ ଦିନରେ ସମ୍ଭବ |”
ତାଙ୍କ ପ୍ରତିଷ୍ଠିତ ବନ ବିଦ୍ୟାଳୟ ଥିଲା ଗୋଟିଏ ମଣିଷ ଗଢ଼ା କାରଖାନା | ଆଦର୍ଶ ଶିକ୍ଷକ ନୀଳକଣ୍ଠ, ଗୋଦାବରୀଶ, ହରିହର, କୃପାସିନ୍ଧୁ ସେଠାରେ ଶିକ୍ଷାଦାନ କରୁଥିଲେ | ପାଠ୍ୟ ପୁସ୍ତକ ଛଡା ସେଠାରେ ଧନ୍ଦା ମୂଳକ ଶିକ୍ଷା ଓ ଦେଶସେବା ଶିକ୍ଷା ଦିଆଯାଉଥିଲା |
ସେ ମଧ୍ୟ ଥିଲେ ଜଣେ ଉଚ୍ଚ କୋଟିର ସାହିତ୍ୟିକ ଓ ସାମ୍ବାଦିକ | ଔପନ୍ୟାସିକ ବିଭୁତି ପଟ୍ଟନାୟକଙ୍କ ମତରେ, “ଗୋପବନ୍ଧୁ ‘କାରା କବିତା’, ‘ବନ୍ଦୀର ଆତ୍ମକଥା’ନ ଲେଖିଥିଲେ ଓଡ଼ିଶାର ବିଶେଷ କିଛି ସାହିତ୍ୟିକ କ୍ଷତି ଘଟି ନ ଥାନ୍ତା | ମାତ୍ର ସେ ଯଦି ‘ସମାଜ’ ନାମକ ଖବର କାଗଜଟି ବାହାର ନ କରିଥାନ୍ତେ, ତେଵେ ସମଗ୍ର ଓଡ଼ିଶାର ଏକ ସାମ୍ବାଦିକ ସୁଲଭ ଭାଷା ଯାହା ଆଜି ଅଛି, ତାହା ମିଳି ନଥାନ୍ତା | ସମାଜରେ ଗୋପବନ୍ଧୁ ଓଡ଼ିଶାର ଦୁଃଖ, ଦୁର୍ଗତି ସମ୍ବଦ୍ଧିୟ ସମସ୍ତ ବିବରଣୀ ପ୍ରକାଶ କରୁଥିଲେ |ସ୍ଥଳ ବିଶେଷରେ କଥିତ ଆଞ୍ଚଳିକ ଭାଷାର ଏକ ସାମଗ୍ରିକ ରୂପ ଆମେ ଦେଖି ପାରି ନଥାନ୍ତେ |ସେ ସମୟରେ ସମାଜ ଥିଲା ସମଗ୍ର ଓଡ଼ିଆ ଜାତିର ମୁଖପତ୍ର | ସେ ମଧ୍ୟ ରଚନା କରିଥିବା ବନ୍ଦୀର ଆତ୍ମ କଥା, କାରା କବିତା, ଅବକାଶ ଚିନ୍ତା, ଗୋ ମାହାତ୍ମ୍ୟ, ଧର୍ମପଦ ଓ କେତେକ ପ୍ରବନ୍ଧ ଓଡ଼ିଆ ସାହିତ୍ୟର ଅମୁଲ୍ୟ ନିଧି |
ଆଜି ଦେଖା ଯାଉଛି ସ୍ୱାର୍ଥ ସର୍ବସ୍ୱ ରାଜନୀତି |ସମାଜ ବିଶୃଙ୍ଖଳିତ ଓ ବହୁଧା ବିଭକ୍ତ |ଏଣୁ ଆଜିର ପବିତ୍ର ଦିବସରେ ଗୋପବନ୍ଧୁଙ୍କ ଆଦର୍ଶକୁ ଅନୁସରଣ କରିବାର ଆବଶ୍ୟକତା ରହିଛି |
ଏହି ମହାପୁରୁଷଙ୍କ ଜନ୍ମତିଥିରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |🙏🙏
- ଶ୍ରୀକାନ୍ତ ଦାଶ, ସଭାପତି ‘ଅବି ‘ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
ଦୂରଭାଷ :9238304919