ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ହେଲେ ରାଜ୍ୟ ସହଯୋଗ କରିବ

0

* ଏନଟିପିସିର ସହାୟତାରେ ସୁନ୍ଦରଗଡରେ ପ୍ରସ୍ତାବିତ ମେଡିକାଲ କଲେଜ ଓ ହସ୍ପିଟାଲ ଧାର୍ଯ୍ୟ ସମୟରେ ହେବ


ଭୁବନେଶ୍ୱର//TATKAL ODISHA//


 ଏନଟିପିସିର ସହାୟତାରେ ସୁନ୍ଦରଗଡରେ ପ୍ରସ୍ତାବିତ ମେଡିକାଲ କଲେଜ ଓ ହସ୍ପିଟାଲ ଧାର୍ଯ୍ୟ ସମୟରେ ହେବ I ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାର 21 ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି I କେନ୍ଦ୍ରୀୟ ବୈଷୟିକ ଟିମର ରିପୋର୍ଟ ଆଧାରରେ ବାକି 180 ଏକର ଜମି  ବି ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେବେ । ଯଦି କେନ୍ଦ୍ର ସରକାର ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ  ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେବେ, ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଥିଲେ I 
    ସୋମବାର ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ବିବୃତ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସୁନ୍ଦରଗଡ ଜିଲ୍ଲାର ସଦର ମହକୁମାଠାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାର ଓ ଏନଟିପିସି ମଧ୍ୟରେ 2021 ଡିସେମ୍ବର 13ରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା । ଏହି ବୁଝାମଣାପତ୍ର ଅନୁଯାୟୀ ଏନଟିପିସି ଏହାର ସାମାଜିକ ଦାୟିତ୍ବବୋଧତାକୁ ଭିତ୍ତିକରି ସୁନ୍ଦରଗଡଠାରେ ଏକ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ୩୫୦ କୋଟି ପ୍ରାରମ୍ଭିକ ଆକଳନ ଅନୁଯାୟୀ ନିର୍ମାଣ କରିବ ଓ ଏଥପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେବେ । ଏହି ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାର ୨୧ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି I 
  ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ପଶ୍ଚିମ ଓଡିଶାର ବୁଦ୍ଧିଜୀବୀ, ରାଜନୈତିକ ନେତା ଆଇନିଜୀବୀ ଓ ସାଧାରଣ ଜନତାଙ୍କ ଦାବି ଓ NTPC ଦ୍ବାରା ସୁନ୍ଦରଗଡ ସଦର ମହକୁମା ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ଓ ପଶ୍ଚିମ ଓଡିଶାର ଜନଜାତିର ବହୁଳତା ଏବଂ ଏହି ସ୍ଥାନର ସଡକ ଓ ଆକାଶ ମାର୍ଗରେ ଯୋଗାଯୋଗର ସୁବିଧା, ପଡୋଶୀ ରାଜ୍ୟ ବିହାରରେ ଦ୍ୱିତୀୟ AIIMS ର ପ୍ରତିଷ୍ଠା ଓ ପଶ୍ଚିମ ଓଡିଶାରେ ଉନ୍ନତମାନର ରୋଗୀସେବାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କୁ ସୁନ୍ଦରଗଡ ଠାରେ ହିତୀୟ AIIMS ପ୍ରତିଷ୍ଠା କରିବାପାଇଁ ତା ୨୪.୧୧.୨୦୨୦ ରେ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ।ପୁନଶ୍ଚ, ମୁଁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ହିସାବରେ ତା ୧୫.୦୩.୨୦୨୧ ରେ ମାନ୍ୟବର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସୁନ୍ଦରଗଡରେ ଦ୍ୱିତୀୟ AIIMS ପ୍ରତିଷ୍ଠା କରିବାପାଇଁ ଅନୁରୋଧ କରିଥିଲି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏକ ୬ ଜଣିଆ କେନ୍ଦ୍ରୀୟ ଟିମ ଗତ ୦୩.୦୪.୨୦୨୧ ରେ ଡ ଗୀତାଞ୍ଜଳି ବଟମାନବନେ, Director, AIIMS, Bhubaneswar ଙ୍କ ନେତୃତ୍ବରେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି କେନ୍ଦ୍ରୀୟ ଟିମରେ ଆମ ରାଜ୍ୟର ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମଙ୍କୁ ଏକ ସଭ୍ୟ ରୁପେ କେନ୍ଦ୍ର ସରକାର ମନୋନୀତ କରିଥିଲେ ଏହି କେନ୍ଦ୍ରୀୟ ଟିମ ସୁନ୍ଦରଗଡ ମେଡିକାଲ କଲେଜ ଓ ହସ୍ପିଟାଲର ଭିଭିଭୂମି ପରିଦର୍ଶନ କରି ସେମାନଙ୍କର ସନ୍ତୁଷ୍ଟି ପ୍ରକାଶ କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପାଳ, ସୁନ୍ଦରଗଡଙ୍କ ସହିତ ଆଲୋଚନା ବେଳେ AIIMS ପ୍ରତିଷ୍ଠା ନିମନ୍ତେ ୨୦୦ ଏକର ଜମିର ଆବଶ୍ୟକତାକୁ ଉଠାଇଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ କହିଥିଲେ ଯେ କଲେଜର ପରିସୀମାକୁ ଲାଗି ପର୍ଯ୍ୟାପ୍ତ ସରକାରୀ ଜମି ଅଛି ଯାହା AIIMS ପ୍ରତିଷ୍ଠା ପାଇଁ ଯୋଗାଇ ଦିଆଯାଇପାରିବ । ଏହାଛଡା ସୁନ୍ଦରଗଡ ଠାରେ 2nd AIIMS ପ୍ରତିଷ୍ଠା ପାଇଁ District Mineral Fund, Sundargarh ରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ । ଏହି କେନ୍ଦ୍ରୀୟ କମିଟି ପ୍ରତ୍ୟାବର୍ତ୍ତନ କରି ଏକ ଚିଠା ପରିଦର୍ଶନ ରିପୋର୍ଟ ପ୍ରସ୍ତୁତ କରିଥିଲେ ଓ ଆମ ରାଜ୍ୟର ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମଙ୍କର ମତାମତ ଲୋଡିଥିଲେ । ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ, ଓଡିଶା ତାଙ୍କର ଚିଠି ତା ୦୯.୦୪.୨୦୨୧ ରେ ଏହି କମିଟିର ସଦସ୍ୟ  ନରେନ୍ଦ୍ର କୁମାର ଓଝା, Director, PMSSYଙ୍କୁ ଯୁକ୍ତିଯୁକ୍ତ ସହିତ ସୁନ୍ଦରଗଡ ଠାରେ 2nd AIIMS ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ମାଧ୍ୟମରେ ଜଣାଇ ଥିଲେ । ଇତିମଧ୍ୟରେ ୫ ମାସ ବିତି ଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାରଙ୍କର ସୁନ୍ଦରଗଡ ଠାରେ 2nd AIIMS ପ୍ରତିଷ୍ଠା ଦାବି ଉପରେ କୌଣସି ଉତ୍ତର ଆସିନାହିଁ ।
  ମନ୍ତ୍ରୀ ପୁଣି କହିଛନ୍ତି ଯେ,ଏନଟିପିସି ସହିତ ଚୁକ୍ତିନାମା ଓ ପଶ୍ଚିମ ଓଡିଶା ତଥା ସୁନ୍ଦରଗଡବାସୀଙ୍କ ଆଶା ଓ ଆକାଂକ୍ଷାକୁ ନଜରରେ ରଖ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜରେ ରାଜ୍ୟ ସରକାରଙ୍କ ବ୍ୟୟରେ ୧୦୦ ଜଣ MBBS ଛାତ୍ରଙ୍କ ବାର୍ଷିକ ନାମଲେଖା ଓ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ହସ୍ପିଟାଲରେ ରୋଗୀ ସେବା ପାଇଁ ବିହିତ ପଦକ୍ଷେପ ନେଉଛନ୍ତି । ଯଦି କେନ୍ଦ୍ର ସରକାର ସୁନ୍ଦରଗଡରେ 2nd AIIMS ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେବେ, ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଥିଲେ I 

Leave A Reply

Your email address will not be published.