ସାମୟିକ ଆଶ୍ବସ୍ତି, ଝୁଲିଲା ନିଷ୍ପତ୍ତି

0

ଶିଶୁପାଳଗଡ଼ର ଐତିହ୍ୟ ଜମି ସୁରକ୍ଷା ନେଇ ତନାଘନା

ଭୁବନେଶ୍ୱର//TATKAL ODISHA//

  • କେବେ ହେବ ଶିଶୁପାଳଗଡ଼ର ୫୬୨.୬୮୧ ଏକର ଐତିହ୍ୟ ଜମି ଉଦ୍ଧାର?
  • କେବେ ସରକାର ପାଳନ କରିବେ ହାଇକୋର୍ଟ ନିର୍ଦେଶ?
  • ଶିଶୁପାଳଗଡ଼ ସହ ପାଞ୍ଚ ମୌଜାର ଲୋକେ କଣ କହୁଛନ୍ତି?

ଶିଶୁପାଳଗଡ଼ର ୫୬୨.୬୮୧ ଏକର ଐତିହ୍ୟ ଜମି ଉଦ୍ଧାର ନେଇ ଏଭଳି ଅସମାହିତ ପ୍ରଶ୍ନ ଅଧିକାଂଶଙ୍କ ମନରେ ଏବେ ଜାଗିଛି I

ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ରାଜ୍ୟ ସରକାର ତତ୍ପର ହୋଇ ଥିଲେ ହେଁ ଶେଷ ନିର୍ଯାସରେ ପହଞ୍ଚି ପାରିନାହାନ୍ତି । ଏନେଇ ବିସ୍ତୃତ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବେ ଜମି ଅଧିଗ୍ରହଣ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି I

ତେଣୁ ସାମୟିକ ଆଶ୍ବସ୍ତି ମିଳିଛି I
 ଜାତୀୟ ସ୍ମାରକୀ ଶିଶୁପାଳଗଡ଼ ଐତିହ୍ୟର ସୁରକ୍ଷା ନିମନ୍ତେ ଗତ ୨୧ ସେପ୍ଟେମ୍ବର ୨୦୨୨ରେ ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାୟ ଅନୁସାରେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ଚିହ୍ନଟ ୫୬୨. ୬୮୧ ଏକର ଐତିହ୍ୟ ଜମି ଅଧିଗ୍ରହଣ ସହ ଜମି ମାପଚୁପ, ସୀମା ନିର୍ଦ୍ଧାରଣ, ଜମି ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ ଆଦି ବିଷୟ ଉପରେ ଠୋସ୍ ନିଷ୍ପତ୍ତି ନେବେ । ଏଥିନେଇ ହାଇକୋର୍ଟ ଏକ ମାସ ସମୟ ଧାର୍ଯ୍ୟ କରିଥିବାରୁ ସେଇ ଅବଧି ଭିତରେ ମୁଖ୍ୟଶାସନ ସଚିବ ଉଚ୍ଚନ୍ୟାୟାଳୟକୁ କାର୍ଯ୍ୟର ଅଗ୍ରଗତି ବିଷୟରେ ଅବଗତ କରିବେ । ତେଣୁ ଗୁରୁବାର ଲୋକସେବା ଭବନରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୧୨.୪୫ରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ବ୍ୟତିତ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସ୍‌ଆଇ)ର ରାଜ୍ୟ ମୁଖ୍ୟ, ଖୋର୍ଦ୍ଧା ଜିଲ୍ଲପାଳ, ବିଡିଏ କର୍ତ୍ତୃପକ୍ଷ ଦେବେ । ସେହିପରି ଶିଶୁପାଳଗଡ଼, ମହାଭୋଇଶାସନ, ଲିଙ୍ଗିପୁର, ବଡ଼ଧାନପୁର ଓ ରଘୁନାଥପୁର ଭଳି ପାଞ୍ଚ ମୌଜାର ଦୁଇ ପ୍ରତିନିଧି ଯୋଗଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଭାବେ ନିମନ୍ତ୍ରଣ କରାଯାଇଛି । ସେମାନେ ଥିଲେ ଗଙ୍ଗୋତ୍ରୀ ନଗରର ଏସ୍‌ଏନ୍ ଦାସ ଓ ଶିଶୁପାଳଗଡ଼ର ଅଶୋକ ଛୋଟ୍‌ରାୟ । ଏମାନେ ରାଜ୍ୟ ସରକାରଙ୍କ ଠାରେ ବିସ୍ଥାପନ ନ କରିବା ପାଇଁ ଗୁହାରି କରିଥିଲେ । ଏସବୁ ଶୁଣିଲାପରେ ମୁଖ୍ୟ ଶାସନ ସଚିବ ଶିଶୁପାଳଗଡ଼ର ଜମି ଅଧିଗ୍ରହଣ ଏବେ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ଦୁଇ ପ୍ରତିନିଧି ଗାଁକୁ ଫେରି ଲୋକଙ୍କୁ ଜଣାଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ୫ ମୌଜାର ଲୋକେ ଖୁସି ବୋଲି ଜଣାଇଛନ୍ତି ।

  • ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ହୁଏ ତାହାଲେ ଶିଶୁପାଳଗଡ଼ ଐତିହ୍ୟ ସ୍କାରକୀରେ ମୋଟ୍ ୫୬୨ ଏକର ୬୮୧ ଡିସିମିଲି ଐତିହ୍ୟ ଜମି ଉଦ୍ଧାର ହେବ ।
  • ଏଏସ୍‌ଆଇ ରିପୋର୍ଟ ମୁତାବକ ଶିଶୁପାଳଗଡ଼ ମୌଜାରୁ ୩୪୨ ଏକର ୬୨୬ ଡିସିମିଲି,
  • ମହାଭୋଇଶାସନ ମୌଜାରୁ ୧୨୩ ଏକର ୫୦୦ ଡିସିମିଲି,
  • ବଡ଼ଧାନପୁର ମୌଜାରୁ ୧୧ ଏକର ୫୨୦ ଡିସିମିଲି,
  • ଲିଙ୍ଗିପୁର ମୌଜାରୁ ୮୧ ଏକର ୩୩୯ ଡିସିମିଲ ଓ
  • ରଘୁନାଥପୁର ମୌଜାରୁ ଏ ୦.୦୬୦ ଡିସିମିଲି ଜବର ଦଖଲ ଜମି ଅଧିଗ୍ରହଣ ହେବ । ଆକଳନ ଅନୁସାରେ ୫ ମୌଜାରୁ ପ୍ରାୟ ୫ ହଜାର ଘର ଭଙ୍ଗାଯିବ । ଅର୍ଥାତ ୨୦ ହଜାର ଲୋକ ବିସ୍ଥାପିତ ହେବେ ।

କାହିଁକି ଶିଶୁପାଳଗଡ଼ ସୁରକ୍ଷା ଜରୁରୀ?

ଖ୍ରୀଷ୍ଟପୂର୍ବ ତୃତୀୟରୁ ସପ୍ତମ ଶତାବ୍ଦୀ ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ଖନନ ହୋଇଥିବା ଦେଶର କିଛି ପ୍ରାଚୀନ କୀର୍ତ୍ତିରାଜି ମଧ୍ୟରୁ ‘ଶିଶୁପାଳଗଡ଼’ ଥିଲା ଅନ୍ୟତମ । ଏହି ସ୍ଥାନଟି ଥିଲା ଖ୍ରୀଷ୍ଟପୂର୍ବ ୨୬୧ର ଲୋମହର୍ଷକ “କଳିଙ୍ଗ ଯୁଦ୍ଧ’ର ମୂକସାକ୍ଷୀ । ୧୯୪୮ରେ ଭାରତର ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡଃ ବି ବି ଲାଲ୍ ଗଡ଼ର ପଶ୍ଚିମ ଦ୍ୱାର ସନ୍ନିକଟରେ ଖନନ କରିଥିଲେ । ସେତେବେଳେ ଇତିହାସ ଛାତ୍ର ଥିବା ବିଶିଷ୍ଟ ଓଡ଼ିଆ ଐତିହାସିକ ପ୍ରଫେସର ମନ୍ମଥ ନାଥ ଦାସ ଉକ୍ତ ଖନନ କାର୍ଯ୍ୟରେ ସାମିଲ ହୋଇଥିଲେ । ବହୁ ବିରଳ ଓ ପୁରାତନ ସାମଗ୍ରୀ ମାଟିତଳୁ ମିଳିଥିଲା । ସେହି ସାମଗ୍ରୀକୁ ନେଇ ଇତିହାସର ମୋଡ଼ ବଦଳିଥିଲା । ପ୍ରାୟ କୋଡ଼ିଏରୁ ପଚିଶ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ସର୍ବପୁରାତନ ସହରର ସମୟ କାଳ ଖ୍ରୀଷ୍ଟପୂର୍ବ ତୃତୀୟରୁ ଚତୁର୍ଥ ଶତାବ୍ଦୀ ମଧ୍ୟରେ ବୋଲି ପ୍ରମାଣ ମିଳିଥିଲା । ତାହା ପ୍ରଚାର ହେବା ପରେ ଦେଶ-ବିଦେଶରୁ ଶତାଧିକ ଗବେଷକ,ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍ ଭୁବନେଶ୍ୱର ଆସି ଶିଶୁପାଳଗଡ଼ରେ ଭିଡ଼ ଜମାଇଥିଲେ । ସେଥିପାଇଁ ଏହି ଗଡ଼ର ସୁରକ୍ଷା ପାଇଁ ହାଇକୋର୍ଟ ଐତିହାସିକ ରାୟ ଦେଇଛନ୍ତି ।

  • ଭାଇନା ଦେଲେ ଆଶ୍ୱାସନା : ଲୋକେ ଖୁସ

ଶିଶୁପାଳଗଡ଼, ମହାଭୋଇ ଶାସନ, ଲିଂଗିପୁର ଆଦି ପାଞ୍ଚ ଗାଁର ପ୍ରାୟ ଶତାଧିକ ଲୋକ ବିସ୍ଥାପନ ଆଶଙ୍କାରେ ଏକାମ୍ର ବିଧାୟକ ତଥା “ଭାଇନା” ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଗୁହାରି ଶୁଣାଇବାକୁ ତାଙ୍କ ଘରକୁ ଯାଇଥିଲେ I ଭାଇନା ତାଙ୍କ ଚିରାଚରିତ ଢଙ୍ଗରେ ଆଶ୍ୱାସନା ଦେଇ କହିଲେ.. “କିଛି ହେବନି, ସରକାର ଆମ ସପକ୍ଷରେ ଅଛନ୍ତି I ଏବେ ଜମି ଅଧିଗ୍ରହଣ କରିବେ ନାହିଁ I ତେଣୁ ଆପଣମାନେ ଅଚିନ୍ତାରେ ରୁହନ୍ତୁ I ମୁଁ ସବୁବେଳେ ଆପଣଙ୍କ ସହ ଅଛି I”

ଲୋକେ ବିଧାୟକଙ୍କ ଏହି ଅଭୟ ବାଣୀ ଶୁଣିବା ପରେ ଖୁସି ଥିବା ଜଣା ପଡ଼ିଛି I


 

Leave A Reply

Your email address will not be published.