ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାର ଅବଧି ଶେଷ ହେବାକୁ ଆଉ ଦଶ ଦିନ ବାକି : ବଢ଼ୁଛି ଆଶଙ୍କା
- ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସବୁ ସାମ୍ବାଦିକ
- ଫାଇଲ ନଥି,ଅର୍ଥ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଲୁଛି
ଭୁବନେଶ୍ୱର//TATKAL ODISHA//
ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧିକୁ ଆଉ ଦଶ ଦିନ ବାକି । ଅର୍ଥାତ ଚଳିତ ମାସ ୩୧ରେ ଶେଷ ହେଉଛି ଉକ୍ତ ଯୋଜନାର କାର୍ଯ୍ୟକାଳ I ଏପର୍ଯ୍ୟନ୍ତ ନୂଆ ସରକାର କିଛି ସ୍ଥିର କରିନାହାନ୍ତି I ଏଇ ସଂକ୍ରତରେ ଫାଇଲ ନଥି,ଅର୍ଥ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ଯରେ ଘୁରି ବୁଲିଛି I ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବାକୁ ସବୁ ସାମ୍ବାଦିକ ଦାବି କରିଛନ୍ତି I
ତଥ୍ୟାନୁସାରେ ୨୦୧୮ରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି।
ପ୍ରତି ବର୍ଷ ଅଗଷ୍ଟ ମାସରେ ଏହି ବୀମାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ପରବର୍ତ୍ତୀ ବର୍ଷ ପାଇଁ ନୂଆ କାର୍ଡ ମିଳିଯାଇଥାଏ।
ମାତ୍ର ଚଳିତ ବର୍ଷ ସରକାର ପରିବର୍ତ୍ତନ ପରେ ଏଥିରେ ବ୍ୟତିକ୍ରମ ଘଟିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଡ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଚଳିତ ବର୍ଷ ବଜେଟରେ ‘ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ପାଇଁ ବ୍ୟୟବରାଦ ହୋଇ ନ ଥିବାରୁ ବୀମାକୁ ନେଇ କାର୍ଯ୍ୟରତ ସାମ୍ବାଦିକମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି।
“ଅଗଷ୍ଟ ଶେଷ ସୁଦ୍ଧା ବର୍ତ୍ତମାନ ବୀମା ଅବଧି ଶେଷ ହେଉଥିବାରୁ ଏହାପରେ ସାମ୍ବାଦିକମାନଙ୍କର ସ୍ୱାସ୍ଥ୍ୟସେବା ପାଇଁ ବୀମା ମିଳି ପାରିବ ନାହିଁ। ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଗୁରୁତର ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି”
ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ରାଜ୍ୟ ସରକାର ହେରିଟେଜ୍ ହେଲ୍ଥ ଇନସ୍ୟୁରାନ୍ସ ଓ ଅନ୍ୟାନ୍ୟ ସଂସ୍ଥା ସହ ଚୁକ୍ତି କରିଛନ୍ତି ଏବଂ ଏହି ବୀମା କମ୍ପାନୀ ଦ୍ୱାରା ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ପ୍ରତି ବର୍ଷକୁ ବର୍ଷ ଏହି କାର୍ଡ ନବୀକରଣ କରାଯାଉ ଥିବା ବେଳେ ନୂଆ ସାମ୍ବାଦିକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥାନ୍ତି। ପୂର୍ବରୁ ଅଫଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ ହେଉଥିବା ବେଳେ ଗତବର୍ଷଠାରୁ ଆବେଦନ ଅନଲାଇନ୍ ମାଧ୍ୟମରେ କରାଯାଉଛି। ସମ୍ପ୍ରତି ଅଗଷ୍ଟ ମାସର ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଓଡ଼ିଶା କର୍ମଜୀବୀ ସାମ୍ୱାଦିକ କଲ୍ୟାଣ’ ଆବେଦନ ପୋର୍ଟାଲ ଖୋଲିନାହିଁ। ଅନ୍ୟପଟେ ଅଗଷ୍ଟ ଶେଷ ସୁଦ୍ଧା ବର୍ତ୍ତମାନ ବୀମା ଅବଧି ଶେଷ ହେଉଥିବାରୁ ଏହାପରେ ସାମ୍ବାଦିକମାନଙ୍କର ସ୍ୱାସ୍ଥ୍ୟସେବା ପାଇଁ ବୀମା ମିଳି ପାରିବ ନାହିଁ। ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଗୁରୁତର ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ସାମ୍ୱାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରଥମେ କାର୍ଯ୍ୟରତ ସାମ୍ୱାଦିକ ଓ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା। ଏହି ରାଶିକୁ ବୃଦ୍ଧି ପାଇଁ ସାମ୍ୱାଦିକମାନେ ଦାବି କରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯରତ ସାମ୍ୱାଦିକ ଓ ତାଙ୍କ ପରିବାର ଉପକୃତ ହେଉଛନ୍ତି I ହେଲେ ସରକାର କିଛି ପଦକ୍ଷେପ ନ ନେଲେ ସ୍ୱାସ୍ଥ୍ୟ ବୀମା ଅବଧି ଶେଷ ହୋଇଯିବ I ସାମ୍ବାଦିକମାନେ ହଇରାଣ ହେବେ I
ଉଲ୍ଲେଖନୀୟ ଯେ, ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ଟିମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସ୍ୱାସ୍ଥ୍ୟ ବୀମା ଓ ପେନସନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ସହ ଦାବିପତ୍ର ଦେଇଥିଲେ I ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କୁ ଡାକି ତୁରନ୍ତ ସମସ୍ୟା ସମାଧାନ ପାଇଁ ନିର୍ଦେଶ ଦେଇଥିଲେ I ମାତ୍ର ଏବେ ଯାଏ କିଛି ଅଗ୍ରସର ହୋଇ ନାହିଁ I ତେଣୁ ଅବଧି ପୂରଣ ପୂର୍ବରୁ ପୁନଃ ବୀମା ଚାଲୁ ହେବା ଜରୁରୀ ବୋଲି ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ଅନୁରୋଧ କରିଛନ୍ତି I
ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ ଓ ପଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ସମ୍ପର୍କରେ ଆଲୋଚନା କରିଥିଲେ I ମୁଖ୍ୟମନ୍ତ୍ରୀ ମଧ୍ୟ ଆଶ୍ୱାସନା ଦେଇଥିଲେ I
ଦେଖନ୍ତୁ ପୂର୍ବ ରିପୋର୍ଟ..
// BIG BREAKING //
ଅନୁଧ୍ୟାନ ପରେ ସାମ୍ବାଦିକଙ୍କର ସମସ୍ୟା ସମାଧାନ : ମୁଖ୍ୟମନ୍ତ୍ରୀ