ସାମ୍ବାଦିକ ସୁରକ୍ଷା ଅଧିନିୟମ ସହ ‘ପେନସନ’ ଦେବା ଉପରେ ଚାଲିଛି ତର୍ଜମା: ଧର୍ମେନ୍ଦ୍ର

0

ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀ

ସାମ୍ବାଦିକମାନଙ୍କୁ ସୁରକ୍ଷା, ସୁବିଧା ଓ ଅଧିକାର ପ୍ରଦାନ କରିବା ଆମର ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,//TATKAL ODISHA//

ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ଅଛି । ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି I ଏନେଇ ଚାଲିଛି ତର୍ଜମା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ । ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି । ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଯାହାର ବଡ ଶିକାର ହୋଇଥିଲେ ସାମ୍ବାଦିକ । ବାକ୍ ସ୍ୱାଧୀନତାକୁ ସଂଶୋଧନ କରାଗଲା, ଯେଉଁ ସଂଶୋଧନ ଥିଲା ସମାଲୋଚନାରୁ ବଞ୍ଚିବା ପାଇଁ ।

ଶ୍ରୀ ପ୍ରଧାନ ଆହରି କହିଛନ୍ତି ଯେ ଆମ ଦେଶ ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର । ଏହି ଗଣତନ୍ତ୍ରର କିଛି ସର୍ତ୍ତ ଅଛି । ସର୍ତ୍ତ ହେଉଛି ୫ ବର୍ଷରେ ଥରେ ଜନପ୍ରତିନିଧିଙ୍କ ପାଇଁ ପରୀକ୍ଷା ସଦୃଶ ନିର୍ବାଚନ ହେବ । ସମସ୍ତ ଜନପ୍ରତିନିଧିମାନେ ଗଣତନ୍ତ୍ରର ପୂଜାରୀ । ଅନେକ କଳ୍ପନା ଓ ଯୋଜନାକୁ ନେଇ ସେମାନେ ସମାଜ ପାଖକୁ ଯାଆନ୍ତି । ତେବେ ତାହା ଠିକ୍ ନା ଭୁଲ ତାହାକୁ ଦେଖାଇବାର ଦାୟିତ୍ୱ ସାମ୍ବାଦିକମାନଙ୍କର ।
ଜନପ୍ରତିନିଧିଙ୍କ କଥାର ନିର୍ଣ୍ଣୟ ସମାଜ କରିବ । ମାତ୍ର ଆଜି ଦଳେ ଲୋକ ସତ୍ୟକୁ ସାମ୍ନା କରିବାର ସାହସ ରଖୁନାହାନ୍ତି । ହାରିଲେ ଇଭିଏମକୁ ଦୋଷ ଦେଉଛନ୍ତି । ପ୍ରଜାତନ୍ତ୍ରକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ । ଏହିପରି ଭାବରେ ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଲୋକଙ୍କ ସୁରକ୍ଷା ପାଇଁ ନିର୍ବାଚନ ଥିଲା । ଓଡ଼ିଆ ଲୋକ ଜିତିବ ନା ହାରିବ, ତାହା ହିଁ ଥିଲା ମୂଳ ପ୍ରସଙ୍ଗ, ଯେଉଁଥିରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେବେ ଗଣତନ୍ତ୍ରରେ କୌଣସି ବିଜୟ ସ୍ଥାୟୀ ନୁହେଁ । ସ୍ଥାୟୀ ବିଜୟ ଦୀର୍ଘକାଳୀନ ହେଲେ ସ୍ୱେଚ୍ଛାଚାରିତା ବଢିଯିବ । ଓଡ଼ିଶାରେ ଶାସନ କ୍ଷମତା ପରିବର୍ତ୍ତନ କରାଇବାରେ ସାମ୍ବାଦିକମାନଙ୍କର ଭୂମିକା ରହିଥିଲା । ସାମ୍ବାଦିକମାନଙ୍କୁ ସତ କହିବା ସହ ସମାଲୋଚନା କରିବା ଏବଂ ଜଣେ ଜଣେ ସାହସୀ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ । ଆମେ କଳିଙ୍ଗ ଯୁଦ୍ଧ ଲଢିଥିଲୁ । କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଞ୍ଚି ବିଜୟ କରିଥିଲେ । ରାଜା କପିଳେନ୍ଦ୍ର ଦେବଙ୍କ ବିଶାଳ ସାମ୍ରାଜ୍ୟ ଗୋଦାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା । ବିଶ୍ୱ ମହାରଣାଙ୍କ ଦ୍ୱାରା କୋଣାର୍କ ମନ୍ଦିର ନିର୍ମାଣ ହୋଇଥିଲା । କୋଣାର୍କ ମନ୍ଦିରରେ ମୁଣ୍ଡି ମାରି ଧର୍ମପଦ ବାରଶହ ବଢେଇଙ୍କ ଜୀବନ ରକ୍ଷା କରିଥିଲେ । ଓଡ଼ିଶାର ବୀରତ୍ୱ ଏବଂ ଓଡ଼ିଆ ଜାତିର ସମ୍ପନ୍ନତା ଏବଂ ବୁଦ୍ଧିକୁ ପ୍ରତିଫଳିତ କରୁଛି । ଓଡ଼ିଶାର ପ୍ରଗତି ଆଗାମୀ ଦିନରେ କଣ ହେବ ? ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା । ଓଡ଼ିଆ ଲୋକମାନଙ୍କ ପରିଶ୍ରମର ପାରାକାଷ୍ଠାର ଅନେକ ଉଦାହରଣ ରହିଛି । ସାରଳା ଦାସଙ୍କ ଓଡ଼ିଆ ମହାଭାରତ, ବଳରାମ ଦାସଙ୍କ ଲକ୍ଷ୍ମୀପୂରାଣ, ପଠାଣୀ ସାମନ୍ତଙ୍କ ଅଗାଧ ପାଣ୍ଡିତ୍ୟ, ଓଡ଼ିଶାର ଉତ୍କୃଷ୍ଟ କଳା, ପୋଥି, ଭାସ୍କର୍ଯ୍ୟ ଆମର ଅନନ୍ୟ ବିଭବ । ଏହି ସବୁର ପ୍ରଚାର ପ୍ରସାର ପ୍ରସାର ସହ ବିଶ୍ୱବିଦିତ କରାଇବା ଦାୟିତ୍ୱ ହେଉଛି ସାମ୍ବାଦିକମାନଙ୍କର ।

ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଓଡ଼ିଶାରେ ନୌସେନା ଦିବସ ପାଳନ ହୋଇଛି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମଧ୍ୟ ଏଠାରେ ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ଥିବା ସମ୍ଭାବନାକୁ ଉପଯୋଗ କରିବା ସହ ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବା ସାମ୍ବାଦିକମାନଙ୍କର ଦାୟିତ୍ୱ ହେଉ । କଳାହାଣ୍ଡି ଜିଲ୍ଲାରେ ଦୁଇ ପୁଅ ଝିଅ ଇଞ୍ଜିନିୟରିଂ ପଢ଼ି ସାରିବା ପରେ ଛେଳି ଫାର୍ମ କରିଛନ୍ତି ଏହି ବିଷୟକୁ ନେଇ ଆମେ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଦରକାର । ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ଅଛି ଯାହା ଫଳରେ ଓଡିଶା ବୈଭବଶାଳୀ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ । ଆମର ବୈଭବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସାମ୍ବାଦିକ ବନ୍ଧୁମାନେ ଆଗାମୀ ଦିନରେ ନିରନ୍ତର ପ୍ରୟାସ ଜାରି ରଖିବେ । ୨୦୩୬ ଓ ୨୦୪୭ ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ ତିଆରି କରିବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବଡ ଭୂମିକା ରହିବ । ଅଧିକାର ସେତେବେଳେ ପୂରା ହେବ, ଯେତେବେଳେ ଜଣେ ଦାୟିତ୍ୱ ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରତିଭାବାନ ଯୁବ ସାମ୍ବାଦିକମାନଙ୍କୁ ସାମ୍ବାଦିକ ପୁରସ୍କାରରେ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.