ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ‘ସଂରକ୍ଷଣ’ ବ୍ୟବସ୍ଥା କରିବେ ଜିଲ୍ଲାପାଳ
- ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅକ୍ଟୋବରରୁ ସ୍ଥାନ ସଂରକ୍ଷଣ
- ସମୁଦାୟ ଆସନର ୫୦% ପର୍ଯ୍ୟନ୍ତ ସଂରକ୍ଷିତ ବ୍ୟବସ୍ଥା ରହିବ
ଭୁବନେଶ୍ୱର// TATKAL ODISHA//
ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିବ I ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିବେ ।
ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ନଥିଲେ ହେଁ ଅକ୍ଟୋବର ପ୍ରଥମ ସପ୍ତାହରୁ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶିତ ବିଜ୍ଞପ୍ତିରେ ଓଡ଼ିଶା ଗ୍ରାମ ପଞ୍ଚାୟତ ସମିତି ଅଧିନିୟମ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ ଅନୁସାରେ ପଛୁଆ ବର୍ଗଙ୍କ ପାଇଁ ଅତିବେଶିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ । ସମୁଦାୟ ଆସନର ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷିତ ବ୍ୟବସ୍ଥା ରହିବ ।
ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ପଛୁଆ ବର୍ଗଙ୍କୁ ମିଶାଇ ମୋଟ୍ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଅର୍ଥାତ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ସୀମା ଟପିବ ନାହିଁ । ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିବାକୁ ନିଷ୍ପତ୍ତି ହୋଇଥିଲାବେଳେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିବେ ।
ରାଜ୍ୟ ସରକାର ଏନେଇ ପୂର୍ବରୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ । ପରେ ବିଧାନସଭାରେ ଉକ୍ତ ସଂଶୋଧିତ ବିଧେୟକ ପାରିତ ହୋଇ ଅନୁମୋଦନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ନିକଟକୁ ଯାଇଥିଲା । ସେହି ସଂଶୋଧିତ ବିଲ୍କୁ ରାଜ୍ୟପାଳ ଅନୁମୋଦନ କରିବା ପରେ ରାଜ୍ୟ ସରକାର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।