ସରକାର ଆଣିଲେ ଅଧ୍ୟାଦେଶ
ଫୋକସ୍ରେ ଚାଷୀ: ଏଥର କୃଷି ବଜାର
- କେନ୍ଦ୍ରକୁ ପୁଣି ଅନୁରୋଧ କରିବେ ରାଜ୍ୟ ସରକା
- ଏମ୍ଏସ୍ପି ଦୁଇଗୁଣ କର, ସ୍ୱାମୀନାଥନ୍ ସୁପାରିଶ୍ କାର୍ଯ୍ୟକାରୀ କର
- ବଜାର କମିଟିର ପରିଚଳନା ପାଇଁ ‘କୃଷି ମାର୍କେଟିଂ ସେବା’ ଗଠନ
- କୃଷି ଉତ୍ପାଦନ ବୃଦ୍ଧି ନେଇ ‘ରିୱାଡ଼୍’ ପ୍ରକଳ୍ପ ମଞ୍ଜୁରୀ
- ବିଶ୍ୱବ୍ୟାଙ୍କ ଦେଇଛି ୩୫୦ କୋଟି ଟଙ୍କାର ଋଣ
ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ) : କରୋନା ମହାମାରୀକୁ ଦୃଷ୍ଟିରେ ରଖି କୃଷକଙ୍କୁ ତୁରନ୍ତ ଲାଭ ଦେବା ପାଇଁ ସରକାର ଅଧ୍ୟାଦେଶ (ଅର୍ଡ଼ିନାନ୍ସ)ଆଣିଛନ୍ତି । ‘କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମ’ ନାମରେ ପ୍ରସ୍ତାବିତ ଅଧ୍ୟାଦେଶରେ ବଜାର କମିଟିର ଉନ୍ନତ ପରିଚଳନା ନିମନ୍ତେ କୃଷି ମାର୍କେଟିଂ ସେବା ଗଠନ ହୋଇଛି । ଏଥିସଂପର୍କିତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଛି ।
।
ମଙ୍ଗଳବାର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିିରେ ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, କ୍ୟାବିନେଟ୍ରେ କୃଷି, ଅର୍ଥ, ଜଙ୍ଗଲ ଓ ପରିବେଶ, ପୁର୍ତ୍ତ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ୍, ଉଚ୍ଚଶିକ୍ଷା, ମହିଳା ଓ ଶିଶୁ ବିକାଶ, ହସ୍ତତନ୍ତ ଓ ହସ୍ତଶିଳ୍ପ ଏବଂ ଦକ୍ଷତା ବିକାଶ ବିଭାଗରେ ୨୭ ପ୍ରସ୍ତାବ ଅନୁମୋଦିତ ହୋଇଛି । ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ଚାଷ ଓ ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଉର୍ତ୍ସଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ସରକାର ପ୍ରତିଶୃତିବଦ୍ଧ । କୃଷିକୁ ଅଧିକ ଲାଭ ଦାୟକ, ସମ୍ମିଳିତ ଓ ପୋଷଣୀୟ କରି କୃଷି କ୍ଷେତ୍ରରେ ଦୃତ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ନେଇ ସରକାର ନୂଆ କୃଷିନୀତି-୨୦୨୦ ‘ସମୃଦ୍ଧି’ କାର୍ଯ୍ୟକାରୀ କରିଛନ୍ତି । ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ଆୟର ଅଭିବୃଦ୍ଧି ତଥା ଚାଷଜନିତ ଖର୍ଚ୍ଚର ବୃଦ୍ଧି ସହିତ ସମନ୍ୱୟ ରଖି ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ହେବା ଆବଶ୍ୟକ । ପ୍ରାକୃତିକ ଦୁର୍ବିପାକ ଓ ଅନ୍ୟ ବିପଦରୁ ସୁରକ୍ଷା ଦେବା ନିମନ୍ତେ ସାମଗ୍ରିକ ଭାବେ କୃଷିଜାତ ଦ୍ରବ୍ୟଗୁଡ଼ିକର ଏମ୍ଏସ୍ପି ନିର୍ଦ୍ଧାରଣ ହେବା ଦରକାର । ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ତେଣୁ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ହେଲେ କେନ୍ଦ୍ର ସରକାର ଚାଷର ସର୍ବନିମ୍ନ ସହାୟକ ମୁଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିବା ଦରକାର ।
ଶ୍ରୀ ଆରୁଖ କହିଥିଲେ, ସ୍ୱାମୀନାଥନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ କୃଷକ କମିଶନ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚଠାରୁ ଅତିକମ୍ରେ ୫୦% ଅଧିକ ଏମ୍ଏସ୍ପି ହେବା ଉଚିତ୍ ବୋଲି ସୁପାରିଶ୍ କରିଥିଲେ । ସେହି ଆଧାରରେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ । ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ବିଧାନସଭାରେ ୨୦୧୭ ଓ ୨୦୧୮ରେ ଏକ ସର୍ବସମ୍ମତ ‘ସଂକଳ୍ପ’ ମଧ୍ୟ ପାରିତ ହୋଇଥିଲା । ବିଧାନସଭାର ଏକ କମିଟି ମଧ୍ୟ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେଇଥିଲା । ତେଣୁ କେନ୍ଦ୍ର ସରକାର ସ୍ୱାମୀନାଥନ୍ କମିଟିର ସୁପାରିଶ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ଜରୁରି । ଫଳରେ ଚାଷୀମାନେ ସେମାନଙ୍କ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚଠାରୁ ଅତିକମ୍ରେ ୫୦% ଏମ୍ଏସ୍ପି ପାଇଲେ ଲାଭବାନ ହୋଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ କୃଷି ଓ କୃଷକ ସଶକ୍ତିକରଣ ପାଇଁ ‘ରିୱାଡ଼୍’ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏଥିପାଇଁ ବିଶ୍ୱବ୍ୟାଙ୍କ ୩୫୦ କୋଟି ଟଙ୍କାର ଋଣ ଦେଇଛନ୍ତି । ଏହାଦ୍ୱାରା କୃଷି ଉତ୍ପାଦନ ବଢ଼ିବ । ପ୍ରକଳ୍ପ ଜରିଆରେ ଭୂସମ୍ପଦର ବିଜ୍ଞାନ ସମ୍ମତ ବିକାଶ ସହ ଜଳବାୟୁ ସହନଶୀଳ ଫସଲ ଚାଷ ପଦ୍ଧତି ସଂପ୍ରସାରଣ ସମ୍ଭବ ହେବ । ପ୍ରଳଳ୍ପ ଦ୍ୱାରା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶାଳୟ ଦ୍ୱାରା ୬ ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଥିଲେ । ସେ କହିଥିଲେ, ଦେଶର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଓଡ଼ିଶା କୃଷି ଉତ୍ପାଦନ ବଜାରରେ ନିୟମାବଳୀ ପାଇଁ ‘ଓଡ଼ିଶା କୃଷି ଉତ୍ପାଦନ ବଜାର ଅଧିନିୟମ-୧୯୫୬ ବା ଓଏପିଏମ୍ ନାମରେ ଏକ ଆଇନ ପ୍ରଣୟନ ହୋଇଥିଲା । ୧୯୫୭ରୁ ତାହା କାର୍ଯ୍ୟକାରୀ ହୋଇଥିଲା । ଆବଶ୍ୟକତା ଅନୁସାରେ ଏହି ଅଧିନିୟମକୁ ସଂଶୋଧନ କରାଯାଇଛି । ଏହାଦ୍ୱାରା କୃଷି ବଜାରରେ ଘରୋଇ ନିବେଶକୁ ରୋକିବାରେ ସହାୟକ ହୋଇଥାଏ । ଏବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମ’ ନାମରେ ଏକ ନିୟମ ଆଣିଛନ୍ତି । ପ୍ରସ୍ତାବିତ ଅର୍ଡ଼ିନାନ୍ସରେ କିଛି ୯ଟି ପ୍ରସ୍ତାବ ରହିଛି । ବଜାର କମିଟିର ଉନ୍ନତ ପରିଚଳନା ନିମନ୍ତେ ‘କୃଷି ମାର୍କେଟିଂ ସେବା’ ଗଠନ ହୋଇଛି । ଏହା ଦ୍ୱାରା କୃଷକ ଅଧିକ ଲାଭବାନ ହେବ । ବଜାର ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।