ଶିଶୁପାଳଗଡ଼ରୁ ଐତିହ୍ୟ ସ୍ଥଳରୁ ହଟିବ ପ୍ରାୟ 5 ହଜାର ପକ୍କାଘର?
- ପାଞ୍ଚ ମୌଜାର ୫୬୨. ୬୮୧ ଏକର ଐତିହ୍ୟ ଜମି ଚି଼ହ୍ନଟ
- ଭୁବନେଶ୍ୱର,//TATKAL ODISHA//EXCLUSIVE//
// ରିପୋର୍ଟ – ସଂଗୀତା ମହାନ୍ତି //
- ଚକ୍ରବ୍ୟୁହରୁ ମୁକୁଳିବ କଳିଙ୍ଗର ପ୍ରାଚୀନ ରାଜଧାନୀ ଶିଶୁପାଳଗଡ଼
– ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ !
– ଗଠନ ହେଲା ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି
– ଏକ ମାସ ଭିତରେ ସବୁ ପକ୍ଷଙ୍କ ମତନେଇ କୋର୍ଟଙ୍କୁ ଜଣାଇବେ
- କଳିଙ୍ଗର ପ୍ରାଚୀନ ରାଜଧାନୀ ତଥା ଜାତୀୟ ସ୍ମାରକୀ ଶିଶୁପାଳଗଡ଼ର ଐତିହ୍ୟର ସୁରକ୍ଷାକୁ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି? ମୁଖ୍ୟ ଶାସନ ସଚିବ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ଶିଶୁପାଳଗଡ଼ର ଚିହ୍ନଟ ମୋଟ୍ ୫୬୨ ଏକର ୬୮୧ ଡିସିମିଲ ଐତିହ୍ୟ ଜମିର ଉଦ୍ଧାର କରିବା ସହ ଐତିହ୍ୟ ସ୍କାରକୀର ସୀମା ନିର୍ଦ୍ଧାରଣ, ଜମିର ପାଚେରୀ ନିର୍ମାଣ କାର୍ଯ୍ୟ ବି ହେବ ବୋଲି ଶୁଣାଯାଉଛି I ଧାର୍ଯ୍ୟ ଏକ ମାସ ସମୟ ମଧ୍ୟରେ ତାହା କୋର୍ଟଙ୍କୁ ଜଣାଇବାକୁ ପଡ଼ିବ । ଯଦି ନିୟମ କଡ଼ାକଡ଼ି ଭାବେ ପାଳନ ହୂଏ ତାହାଲେ ଆକଳନ ଅନୁସାରେ ୫ ମୌଜାରୁ ପ୍ରାୟ ୫ ହଜାର ଘର ଭଙ୍ଗାଯିବ । ଅର୍ଥାତ ୨୦ ହଜାର ଲୋକ ବିସ୍ଥାପିତ ହେବେ ବୋଲି ଅନୁମାନ କରାଯାଉଛି । ଏହାର ପ୍ରାରମ୍ଭିକ ସର୍ଭେ ଆରମ୍ଭ ହୋଇଛି । ଆଗାମୀ ଦିନରେ ଶିଶୁପାଳଗଡ଼ ଐତିହ୍ୟର ଭାଗ୍ୟ ନିର୍ଦ୍ଧାରଣ ସମ୍ଭବ ହେବ ।
ଖ୍ରୀଷ୍ଟପୂର୍ବ ତୃତୀୟରୁ ସପ୍ତମ ଶତାବ୍ଦୀ ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ଖନନ ହୋଇଥିବା ଦେଶର କିଛି ପ୍ରାଚୀନ କୀର୍ତ୍ତିରାଜି ମଧ୍ୟରୁ ‘ଶିଶୁପାଳଗଡ଼’ ଥିଲା ଅନ୍ୟତମ । ଏହି ସ୍ଥାନଟି ଥିଲା ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷକ “କଳିଙ୍ଗ ଯୁଦ୍ଧ’ର ମୂକସାକ୍ଷୀ ।
୧୯୪୮ରେ ଭାରତର ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡଃ ବି ବି ଲାଲ୍ ଗଡ଼ର ପଶ୍ଚିମ ଦ୍ୱାର ସନ୍ନିକଟରେ ଖନନ କରିଥିଲେ । ସେତେବେଳେ ଇତିହାସ ଛାତ୍ର ଥିବା ବିଶିଷ୍ଟ ଓଡ଼ିଆ ଐତିହାସିକ ପ୍ରଫେସର ମନ୍ମଥ ନାଥ ଦାସ ଉକ୍ତ ଖନନ କାର୍ଯ୍ୟରେ ସାମିଲ ହୋଇଥିଲେ । ବହୁ ବିରଳ ଓ ପୁରାତନ ସାମଗ୍ରୀ ମାଟିତଳୁ ମିଳିଥିଲା । ସେହି ସାମଗ୍ରୀକୁ ନେଇ ଇତିହାସର ମୋଡ଼ ବଦଳିଥିଲା ।
ପ୍ରାୟ କୋଡ଼ିଏରୁ ପଚିଶ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ସର୍ବପୁରାତନ ସହରର ସମୟ କାଳ ଖ୍ରୀଷ୍ଟପୂର୍ବ ତୃତୀୟରୁ ଚତୁର୍ଥ ଶତାବ୍ଦୀ ମଧ୍ୟରେ ବୋଲି ପ୍ରମାଣ ମିଳିଥିଲା । ତାହା ପ୍ରଚାର ହେବା ପରେ ଦେଶ-ବିଦେଶରୁ ଶତାଧିକ ଗବେଷକ,ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍ ଭୁବନେଶ୍ୱର ଆସି ଶିଶୁପାଳଗଡ଼ରେ ଭିଡ଼ ଜମାଇଥିଲେ ।୨୦୦୧ରେ ଏମ୍ ଏଲ୍ ସ୍ମି୍ଥ୍ ଓ ଆର୍ ମହାନ୍ତିଙ୍କ ନେତୃତ୍ତ୍ୱରେ ଆମେରିକା ଓ ଭାରତୀୟ ପ୍ରତ୍ନତ୍ତ୍ୱବିତ୍ଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଟିମ୍ ଶିଶୁପାଳଗଡ଼ ଗସ୍ତ କରି ସ୍ୱଳ୍ପ କିଛି ସ୍ଥାନରେ ଖନନ କରିବାକୁ ଚେଷ୍ଟା କରିଥିଲେ ।୨୦୦୫ରେ ଇଣ୍ଡୋ-ଜର୍ମାନର ବିଶେଷଜ୍ଞ ଟିମ୍ ପକ୍ଷରୁ ୪.୮ କିମି ପରିବ୍ୟାପ୍ତ ଶିଶୁପାଳଗଡ଼ର ପ୍ରଥମ ସାର୍ଟେଲାଇଟ୍ ଫଟୋ ଉଠାଯାଇଥିଲା । ସେହିବର୍ଷ ଗଡ଼ ମଧ୍ୟସ୍ଥ ୧୯ ପ୍ରାଚୀନ ସ୍ତମ୍ବଗୁଡ଼ିକର ‘ଲେଜର୍ ସ୍କାନର’ କରାଯାଇ ସମୟକାଳ ନିର୍ଣ୍ଣୟ ହୋଇଥିଲା । ଏହାସତ୍ତ୍ୱେ ଗଡ଼ର ସୁରକ୍ଷା ପାଇଁ କୌଣସି ସରକାର ଚିନ୍ତା କଲେନାହିଁ ।
‘ଶିଶୁପାଳଗଡ଼’କୁ ଭାରତ ସରକାର ଏକ ପୁରାତନ ଐତିହ୍ୟ ଭାବରେ ୧୯୫୦ରେ ଅଧିସୂଚନା ଜାରିକରିଥିଲେ । ବିଗତ ୭୨ ବର୍ଷ ମଧ୍ୟରେ ବହୁ ବାଦବିବାଦ, କୋର୍ଟରେ ମାମଲାରେ ଚାଲିବା ପରେ ଶେଷରେ ହାଇକୋର୍ଟ ଏକ ଐତିହାସିକ ରାୟ ବଳରେ ରାଜ୍ୟ ସରକାରଙ୍କୁ ଐତିହ୍ୟ ସ୍ମାରକୀର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୧ ସେପ୍ଟେମ୍ବର ୨୦୨୨ରେ ଓଡ଼ିଶା ହାଇକୋର୍ଟ ଏହି ଐତିହାସିକ ରାୟ ଦେଇ ରାଜ୍ୟ ମୁଖ୍ୟଶାସନ ସଚିବ ଏହାର ଆଶୁ ସମାଧାନର ମାର୍ଗ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଚିହ୍ନଟ ଜମିର ସୀମା ନିର୍ଦ୍ଧାରଣ, ଜମି ଚାରିପଟେ ପାଚେରୀ ନିର୍ମାଣ, ଅନ୍ତର୍ଭୁକ୍ତ ରହିଛି ।
- ଶିଶୁପାଳଗଡ଼ରେ ମୋଟ୍ ୫୬୨ ଏକର ୬୮୧ ଡିସିମିଲି ଐତିହ୍ୟ ଜମି ଚିହ୍ନଟ ହେବ ।ଏଥିମଧ୍ୟରୁ…
- ଶିଶୁପାଳଗଡ଼ ମୌଜାରୁ ୩୪୨ ଏକର ୬୨୬ ଡିସିମିଲି,
- ମହାଭୋଇଶାସନ ମୌଜାରୁ ୧୨୩ ଏକର ୫୦୦ ଡିସିମିଲି,
- ବଡ଼ଧାନପୁର ମୌଜାରୁ ୧୧ ଏକର ୫୨୦ ଡିସିମିଲି,
- ଲିଙ୍ଗିପୁର ମୌଜାରୁ ୮୧ ଏକର ୩୩୯ ଡିସିମିଲ
- ରଘୁନାଥପୁର ମୌଜାରୁ ଏ ୦.୦୬୦ ଡିସିମିଲି ଜମି ଶିଶୁପାଳଗଡ଼ ଐତିହ୍ୟ ସ୍ମାରକୀ ଜମି ଭାବେ ଉଦ୍ଧାର ହେବ । ଏହି ଜମିରେ ଥିବା ସମସ୍ତ ପରିବାର ବିସ୍ଥାପିତ ହେବା ପ୍ରାୟ ନିଶ୍ଚିତ ।
ଦୀର୍ଘ ବର୍ଷ ଧରି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କେବଳ ନୋଟିସ୍ ଜାରି କରି ଦାୟିତ୍ୱ ସାରିଦେଲେ । ୧୯୫୦ରୁ ଶିଶୁପାଳଗଡ଼କୁ ‘ଜାତୀୟ ସ୍ମାରକୀ’ ଘୋଷଣା ପରେ ଏଏସ୍ଆଇ ଜମି ଅଧିଗ୍ରହଣ କରିବା ନେଇ ସେମିତି କିଛି ବି ଆଖିଦୃଶିଆ କାର୍ଯ୍ୟ କରିନଥିଲା ।
ଜାତୀୟ ସ୍ମାରକୀ ଶିଶୁପାଳଗଡ଼ ଐତିହ୍ୟର ସୁରକ୍ଷା ନିମନ୍ତେ ‘ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ’ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ରୁଜୁ ହେବା ପରେ ଚେତା ପଶିଲା । ଶିଶୁପାଳଗଡ଼ର ବହୁଅଂଶ ଏବେ ଜବରଦଖଲକାରୀଙ୍କ ଅଧିନରେ ରହିଛି । କୀର୍ତ୍ତୀରାଜିକୁ ଖୋଳିତାଡ଼ି ସେଠାରେ ଘରଦ୍ୱାର କରି ସ୍ଥାୟୀ ବସବାସ ହେଉଛି । ଫଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଜମି ମଧ୍ୟ ସଙ୍କୁଚିତ ହୋଇଯାଇଛି ।
ଭବିଷ୍ୟତରେ ଆଉ ଖନନ କରିବାର ସୁଯୋଗ ରହିବନାହିଁ । ତେଣୁ ଏହାର ସୁରକ୍ଷା ସହ ଗଡ଼ରୁ ଜବରଦଖଲ ହଟେଇବା ଜରୁରୀ ହୋଇପଡ଼ିଛି ବୋଲି ଆବେଦନରେ କୁହାଯାଇଥିଲା ।ହାଇକୋର୍ଟ ଉଭୟ ଏଏସ୍ଆଇ, ରାଜ୍ୟ ସରକାର ଏବଂ ଶିଶୁପାଳଗଡ଼ ଗ୍ରାମବାସୀଙ୍କ ଠାରୁ ସତ୍ୟପାଠ ଦେବାକୁ କହିଥିଲେ । ଏହା ଉପରେ ବିଚାର କରି ରାୟ ଦେଇଛନ୍ତି I ସରକାରଙ୍କୁ ତୁରନ୍ତ ଜମି ଉଦ୍ଧାର ପାଇଁ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଡ଼ମ୍ବନାର ବିଷୟ ହେଉଛି ଶିଶୁପାଳଗଡ଼ର ପଶ୍ଚିମ ଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାରକୁ ଖନନ କରାଯାଇନାହିଁ । ପ୍ରଶାସନର ନାକତଳେ ଜବରଦଖଲ ହୋଇଥିଲା । ଏବେ ବି ସରକାରୀ ଓ ବେସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ଚାଲିଛି ।