ଶିଳ୍ପାୟନ ପାଇଁ ୪ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ
ପ୍ରକଳ୍ପର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ): କୋଭିଡ୍ ପ୍ରଭାବିତ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସତ୍ୱେ ଓଡ଼ିଶା ସରକାର ରାଜ୍ୟ ପାଇଁ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିପାରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୪ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି ।

ଓସୱାସ୍ ପ୍ଲାଟଫର୍ମ ମାଧ୍ୟମରେ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦେଇ ସେଗୁଡିକର ଆଶୁ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଶିଳ୍ପ ଏବଂ କଂପାନୀ ମାନଙ୍କ ଦ୍ୱାରା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ସମସ୍ତ ନିୟମର ଅନୁପାଳନ ନିଶ୍ଚିତ କରାଇବାକୁ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ଅନୁମୋଦିତ ୪ ଟି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୨୧୭୨.୯୨ କୋଟି ଟଙ୍କା ବିନିଯୋଗ ହେବା ସହ ୧୧୨୨ ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ଶିଳ୍ପ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ସଚିବ ତଥା ଇଡ଼କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ, ଇପିକଲ୍ ର ସି.ଏମ୍.ଡି. ନିତୀନ୍ ଭାନୁଦାସ ଜାଓ୍ୱାଲେଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣକରିଥିଲେ ।