ଶତାବ୍ଦୀର ସୂର୍ଯ୍ୟ ‘ପଗଡ଼ି ପୁରୁଷ’

0

*ଉତ୍କଳ ଗୌରବ ମଧୁସୂଦନ *

//TATKAL ODISHA//

  • ଶ୍ରୀକାନ୍ତ ଦାଶ

1848 ମସିହା ଏପ୍ରିଲ 28ତାରିଖ ଓଡିଶା ଇତିହାସରେ ଏକ ସ୍ୱର୍ଣ୍ଣିମ ଦିବସ | ଏହିଦିନକଟକ ଜିଲ୍ଲା, ସତ୍ୟଭାମା ପୁର ଗ୍ରାମରେ ପିତା ଚୌଧୁରୀ ଶ୍ରୀ ଲୋକନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଗୋବିନ୍ଦ ବଲ୍ଲଭ, ଯେ କି ପରବର୍ତ୍ତୀ ଅବସ୍ଥାରେ ପରିଚିତ ହେଲେ ମଧୁସୂଦନ ଦାସ ନାମରେ | ତାଙ୍କ ସାନଭାଇ ଥିଲେ ଗୋପାଳ ବଲ୍ଳଭ ଦାସ | ତାଙ୍କର ପ୍ରାଥମିକ ଶିକ୍ଷା ଗାଁ ଚାଟଶାଳିରେ ଆରମ୍ଭ ହୋଇଥିଲା |

ମଧୁବାବୁ ଶିକ୍ଷକତା କରି କିଛି ଅର୍ଥ ସଂଚୟ କରି କଲିକତା ଗଲେ ଓ ଅର୍ଥାଭାବରୁ ମୁକ୍ତି ପାଇଁ ପାଦ୍ରୀ ଅମ୍ବିକା ପ୍ରସାଦ ହାଜରାଙ୍କ ଠାରୁ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ | କାରଣ ସେ ସମୟରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ମାନେ ତାଙ୍କ ଧର୍ମର ଛାତ୍ରମାନଙ୍କୁ ଅର୍ଥ ସାହାଯ୍ୟ ଦେଉଥିଲେ | ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲାପରେ ନିଜର ନାମ ପରିବର୍ତ୍ତନ କରିବାକୁ ହୁଏ | ଏଣୁ ସେ ନିଜ ପିତୃଦତ୍ତ ନାମ ‘ଗୋବିନ୍ଦବଲ୍ଳଭ ‘ପରିହାର କରି ‘ମଧୁସୂଦନ’ନାମ ଗ୍ରହଣ କଲେ |’

1870ମସିହାରେ B. A. ପାସ କଲା ପରେ କଲିକତାର ଏକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦରେ ନିଯୁକ୍ତି ପାଇଲେ |ପାଠ ପଢ଼ା କିନ୍ତୁ ଚାଲିଥାଏ |1873 ମସିହାରେ ଇଂରାଜୀ ସାହିତ୍ୟରେ M. A. ଓ ପରେ ବି, ଏଲ. ପାସ କରି କଲିକତାରେ ଓକିଲାତି ଆରମ୍ଭ କଲେ |

1880ରେ ଓଡିଶା ଫେରି କଟକରେ ଓକିଲାତି କଲେ |ତାଙ୍କର ବୃତ୍ତି ଗତ ଦକ୍ଷତା ଦେଖି ତାଙ୍କୁ ଲୋକେ ସମ୍ମାନ ଦେଇ ମଧୁ ଵାରିଷ୍ଟର ବୋଲି ସମ୍ବୋଧନ କରୁଥିଲେ, ଯଦିଓ ସେ ବାରିଷ୍ଟର ନ ଥିଲେ |

ପରିସ୍ଥିତିରେ ପଡି ସେ ଖ୍ରୀଷ୍ଟିଆନ ହୋଇଥିଲେ ସତ , କିନ୍ତୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଗଭୀର ଭକ୍ତି ଥିଲା..

ପରିସ୍ଥିତିରେ ପଡି ସେ ଖ୍ରୀଷ୍ଟିଆନ ହୋଇଥିଲେ ସତ , କିନ୍ତୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଗଭୀର ଭକ୍ତି ଥିଲା | ଗୋରା ସରକାର ଓଡ଼ିଶାର ଠାକୁରରାଜା ପୁରୀ ରାଜାଙ୍କ ହାତରୁ ଜଗନ୍ନାଥ ମନ୍ଦିରର ପରିଚାଳନା ଭାର କାଢି ନେବାକୁ ଆଇନ କରିବାରୁ ମଧୁବାବୁ ଏହି ଆଇନ ରଦ୍ଦ ହେଲା ପର୍ଯ୍ୟନ୍ତ ଲଢ଼ି ଓଡ଼ିଶାର ସମ୍ମାନ ରକ୍ଷା କରିଥିଲେ |
ସେ ନିଜ ସାଧନା ବଳରେ ଅନେକ ସଫଳତାର ଅଧିକାରୀ ହୋଇଥିଲେ |ଓଡ଼ିଶାରେ ସେ ଥିଲେ ପ୍ରଥମ ସ୍ନାତକ, ପ୍ରଥମ ଏମ. ଏ., ପ୍ରଥମ ବିଦେଶ ଫେରନ୍ତା, ପ୍ରଥମ ବ୍ୟବସ୍ଥାପକ ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମେ ଦରମା ନ ନେବାକୁ ଜିଦ କରି ଇସ୍ତଫା ଦେଇଥିବା ମନ୍ତ୍ରୀ, ପ୍ରଥମ ଯୌଥ କମ୍ପାନୀର ପ୍ରତିଷ୍ଠାତା (ଉତ୍କଳ ଟାନେରି ଓ ତାରକସି ଶିଳ୍ପ )ଆଉ ମଧ୍ୟ ସେ ଥିଲେ କଲିକତା ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ସଂସ୍କୃତ ପ୍ରଶ୍ନର ଉତ୍ତର ଓଡ଼ିଆ ଲିପିରେ ଲେଖିବାରେ ପ୍ରଥମ ବ୍ୟକ୍ତି | ସେ’ଥିଲେ କଟକ ଉଚ୍ଚ ନ୍ୟାୟାଳୟର ପ୍ରଥମ ଓ ଶ୍ରେଷ୍ଠ ଓଡ଼ିଆ ଓକିଲ |ସେଥିପାଇଁ ପ୍ରତିଟି ଓଡ଼ିଆ ପରିବାରରେ ପିଲାଙ୍କୁ କୁହାଯାଏ “ପାଠ ପଢ଼ିବି, କାଳିଆ ଘୋଡାରେ ଚଢ଼ିବି, ମଧୁ ବାବୁ ସାଙ୍ଗେ ଲଢ଼ିବି ‘
ମଧୁ ବାବୁଙ୍କ ବୈବାହିକ ଜୀବନ ମାତ୍ର ପାଞ୍ଚବର୍ଷ ଥିଲା | 1878ରେ ସେ ତାଙ୍କର ପ୍ରିୟ ପତ୍ନୀ ସୌଦାମିନୀଙ୍କୁ ହରାଇଥିଲେ |ଏହା ପରେ ସେ ଆଉ ବିବାହ କରି ନ ଥିଲେ |ତାଙ୍କ ଟେବୁଲ ଉପରେ ପ୍ରିୟ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏକ ଫଳକରେ ଲେଖି ରଖିଥିଲେ “Not dead, but gone before, ଅର୍ଥାତ ‘ମରି ନାହାନ୍ତି, ଆଗରୁ ଚାଲି ଯାଇଛନ୍ତି ‘
ସୌଦାମିନୀଙ୍କ ବିନା କଲିକତା ତାଙ୍କୁ ଭଲ ଲାଗିଲାନି |ଏଣୁ ସେ ଓଡିଶା ଫେରିଲେ |ସେତେବେଳେ ଓଡିଶା ଥିଲା ଏକ ଭୌଗଳିକ ନାମ ମାତ୍ର |ତେଣୁ ସେ ଓଡ଼ିଶାର ଏକତ୍ରୀକରଣ ପାଇଁ ଉଦ୍ୟମ ଆରମ୍ଭ କଲେ |
ପ୍ରଥମେ ସେ ଓଡ଼ିଶାର କଂଗ୍ରେସ ନେତା ଥିଲେ | ସେ ଲକ୍ଷ୍ୟ କଲେ କଂଗ୍ରେସ ଜାତୀୟ ଆନ୍ଦୋଳନରେ ବ୍ୟସ୍ତ ଓ ଏଥିରୁ ଓଡ଼ିଶାର ବିଶେଷ ଲାଭ ହେବନି | ତା ପରେ ସେ ଜାତୀୟ ରାଜନୀତି ଓ କଂଗ୍ରେସରୁ ଓହରି ଆସିଲେ ଓ ଓଡ଼ିଶାର ଏକତ୍ରୀକରଣ ପାଇଁ ସଂଗ୍ରାମ ଆରମ୍ଭକଲେ | ତାଙ୍କୁ ସକ୍ରିୟ ସହଯୋଗ ଦେଇଥିଲେ ପାରଳାଖେମୁଣ୍ଡି ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ | , ଶ୍ରମ ମର୍ଯ୍ୟାଦାର କଥା, ଲବଣ ଆନ୍ଦୋଳନ, ସମବାୟ, କୁଟୀର ଶିଳ୍ପ ଆଦିରେ ଜାତିର ପ୍ରଗତି ସମ୍ଭବ ଏକଥା ଗାନ୍ଧିଜୀ ତାଙ୍କଠାରୁ ଶିକ୍ଷା କରିଥିଲେ |1902 ମସିହାରେ ଗଞ୍ଜାମ ବାସୀ ଖଲିକୋଟ ରାଜାଙ୍କ ରମ୍ଭା ପ୍ରାସାଦରେ ଓଡ଼ିଶାର ସ୍ୱତନ୍ତ୍ରତା ପାଇଁ ଏକ ଅଧିବେଶନ ଡାକିଲେ |ମଧୁବାବୁ ଏଥିରେ ଉଦବୋଧନ ଦେଲେ |ଏହାର ଫଳ ସ୍ୱରୂପ 1903 ରେ ଉତ୍କଳ ସମ୍ମିଳନୀ ଗଠନ ହେଲା | କଟକ ଇଦଗା ପଡିଆରେ ସମ୍ମିଳନୀର ପ୍ରଥମ ସଭା ହେଲା ଓ ଏଥିରେ ସଭାପତିତ୍ବ କରିଥିଲେ ମୟୁରଭଞ୍ଜ ମହାରାଜା ରାଜର୍ଷି ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ | ମଧୁ ବାବୁ ଏହି ସମ୍ମିଳନୀରେ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଲେ “ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ, ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ ଡେଇଁ ପଡି ସିନ୍ଧୁ ନୀରେ ” | ତାଙ୍କ ସଂଗ୍ରାମ ଯୋଗୁଁ ଶେଷରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ହେଲା 1936ମସିହା ଏପ୍ରିଲ ପହିଲା ରେ | ମାତ୍ର ତାର ଦୁଇ ବର୍ଷ ପୂର୍ବରୁ ଏହି ମହା ନାୟକ ସଂସାରରୁ ବିଦାୟ ନେଇ ସାରିଥିଲେ | ବ୍ରିଟିଶ ବ୍ୟବସାୟୀମାନେ ଭାରତୀୟ ଗ୍ରାମ୍ୟ ସ୍ୱାବଲମ୍ବୀ ଅର୍ଥନୀତିକୁ ନଷ୍ଟ କରିଦେଇ ଥିଲେ | ସେଥିରୁ ଓଡ଼ିଶା ବାଦ ପଡି ନ ଥିଲା | ଓଡ଼ିଶାର ଅର୍ଥନୀତିକୁ ସୁଧାରିବା ପାଇଁ ସେ ଗଢିଥିଲେ ଉତ୍କଳ ଟାନେରି ଓ ଓଡ଼ିଶାର ତାରକସି ଶିଳ୍ପ ପ୍ରତିଷ୍ଠାନ |ତେବେ ଉପଯୁକ୍ତ ବ୍ୟବସାୟୀ ବୁଦ୍ଧି ଅଭାବରୁ ସେ ଅନେଜ କ୍ଷତି ସହିଲେ |ଶେଷରେ ସେ ଦେବାଳିଆ ଅବସ୍ଥାରେ ପଡିଲେ | ପୁରୀ ଗଜପତି ମହାରାଜା, କେନ୍ଦୁଝର ମହାରାଜା, ଖଣ୍ଡପଡା ମହାରାଜାଙ୍କୁ ମକଦ୍ଦମାରେ ଜିତାଇ ଅଜସ୍ର ଅର୍ଥ ଉପାର୍ଜନ କରିଥିବା ଏହି “ବାରିଷ୍ଟର’ ସମସ୍ତ ଅର୍ଥ ଓଡିଶାର ଉନ୍ନତି ପାଇଁ ବ୍ୟୟ କରି ଶେଷରେ ନିସ୍ଵ ହୋଇଗଲେ |1925 ମସିହା ବେକକୁ ସେ ଋଣଗ୍ରସ୍ତ ହୋଇ ପଡିଲେ |1925 ଅକଟୋବର 15ତାରିଖରେ ତାଙ୍କ ପ୍ରିୟ “ମଧୁକୋଠି ‘ନିଲାମ ହୋଇଗଲା |କୌଣସି ଓଡ଼ିଆ ଏହି ନିଲାମ ଧରିଲେନି |ତାଙ୍କ ପାଳିତା କନ୍ୟା ଶୈଳବାଳା ଦାସ ତିନି ହଜାର ଟଙ୍କାରେ ନିଲାମ ଧରିଲେ |ନିଜ ଝିଅ ସହିତ ଶେଷ ଜୀବନ ଯାଏ ସେହି ଘରେ ରହିଲେ | ତୁଳସୀପୁରରେ ଥିବା 3ଏକର 27ଡେସିମିଲ 6ହଜାର ଟଙ୍କା 50ପଇସାରେ ନିଲାମ ହୋଇଗଲା |ତାଙ୍କ ଋଣ ପରିମାଣ ଥିଲା 1ଲକ୍ଷ 80ହଜାର ଟଙ୍କା ଓ ସମ୍ପତ୍ତିର ମୂଲ୍ୟ ଥିଲା 19ହଜାର 564ଟଙ୍କା |ଏଣୁ ତାଙ୍କର ରହିବା ଘର, ପ୍ରିୟ ଲାଇବ୍ରେରୀ ଓ ଅନ୍ୟାନ୍ୟ ଆସବାବ ପତ୍ର ନିଲାମ ହୋଇଗଲା |

କନ୍ୟା ଶୈଳବାଳା ଲାଇବ୍ରେରୀ ନିଲାମରେ ଆଣି ପିତାଙ୍କୁ ଫେରସ୍ତ ଦେଇଥିଲେ |1927ମାର୍ଚ୍ଚ 21ତାରିଖରେ ଅଦାଲତରେ ଦେବାଳିଆ ଘୋଷଣା ହେବାକୁ ଦରଖାସ୍ତ କଲେ ଓ ଅଦାଲତ ଏହାକୁ ମଞ୍ଜୁର କଲେ |1931ମସିହାରେ ସେ ଦେବାଳିଆ ଘୋଷଣାରୁ ସସମ୍ମାନେ ମୁକ୍ତି ପାଇଲେ |ତାଙ୍କ ଠାରୁ ନିଲାମରେ ନେଇ ଥିବା କନ୍ୟା ଶୈଳବାଳାଙ୍କ ଘରେ ରହୁଥିବାରୁ ତାଙ୍କୁ ମାସିକ 200ଟଙ୍କା ଭଡା ଦେଉଥିଲେ |ମୃତ୍ୟୁ ପର୍ଯ୍ୟନ୍ତ ଓକିଲାତି କରି ଚଳୁଥିଲେ | ଏଥିରୁ ସେ ଯେ ପ୍ରଚଣ୍ଡ ସ୍ୱାଭିମାନୀ ଥିଲେ ତାହା ଜଣାପଡେ | ସେ ଚାହିଁଥିଲେ ତାଙ୍କ କମ୍ପାନୀକୁ ବିଦେଶୀ ହାତରେ ବିକ୍ରି କରି ଋଣମୁକ୍ତ ହୋଇ ପାରିଥାନ୍ତେ ମାତ୍ର ସେ ତାହା ନ କରି ଦେବାଳିଆ ହେବାକୁ ପସନ୍ଦ କଲେ |
ସେ ଥିଲେ ପ୍ରେମର ପ୍ରତୀକ |ସମସ୍ତଙ୍କୁ ସେ ପ୍ରେମ କରୁଥିଲେ |ଜଣେ ସଚ୍ଚା ପ୍ରେମିକ ସଫଳ ବ୍ୟବସାୟୀ ହୋଇପାରେନି, ସେଥିପାଇଁ ବୋଧେ ପ୍ରେମର ପ୍ରତୀକ ଲାଲ ପଗଡି ପିନ୍ଧୁଥିବା ଏହି “ପଗଡି ପୁରୁଷ ପ୍ରେମିକ” ବ୍ୟବସାୟରେ ହାରିଗଲେ ଓ ଦେବାଳିଆ ଘୋଷିତ ହେବା ପୂର୍ବରୁ ପାଳିତ କନ୍ୟା ଶୈଳବାଳାଙ୍କ ଯୋଗୁଁ ତାଙ୍କ ସମ୍ମାନ ରହିଗଲା |
ତାଙ୍କର ଅନ୍ତିମ ଜୀବନ ଯନ୍ତ୍ରଣା ଦାୟକ ଥିଲା |1934 ମସିହା ଜାନୁଆରୀ ମାସ ଶେଷ ଆଡକୁ ସେ ଶଯ୍ୟାଶାୟୀ ହେଲେ |ଦେହ ବେଶି ଖରାପ ହେବା ବେଳକୁ ମନୀଷି ନୀଳକଣ୍ଠ ଦାସ ପହଞ୍ଚି ପଚାରିଲେ “ଦେଶକୁ ଆପଣଙ୍କ କିଛି ବାର୍ତ୍ତା ଦେବାର ଅଛି? “
ମଧୁବାବୁ କହିଲେ ‘-ଯାଅ, ଲୋକଙ୍କୁ କହିଦେବ ପେଟରେ ଯାହାକିଛି ମଇଳା ଅଛି, ପରିଷ୍କାର କରନ୍ତୁ | ଆତ୍ମା ସହଜରେ ପରିଷ୍କାର ହୋଇଯିବ “

ମୃତ୍ୟୁ ପୂର୍ବରୁ ସେ ଓଡିଶା ସ୍ୱତନ୍ତ୍ର ହେବ, ଜାଣି ସାରିଥିଲେ |ସମାଜ ପ୍ରତିନିଧିଙ୍କୁ ପଚାରିଲେ, “ଓଡିଶା ସ୍ୱତନ୍ତ୍ର ପ୍ରଦେଶ ସମ୍ପର୍କରେ ତୁମ କାଗଜରେ ମତ କ’ଣ ? “ପ୍ରତିନିଧି କହିଲେ, “ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସମିଶ୍ରଣରେ ବୃହତ ପ୍ରଦେଶ ହୋଇଥିଲେ ଭଲ ହୋଇଥାନ୍ତା | ଏପରି କ୍ଷୁଦ୍ର ପ୍ରଦେଶରେ ଖର୍ଚ୍ଚ ଭାର ବଢ଼ିଯିବ “|
ମଧୁବାବୁ ଉତ୍ତର ଦେଲେ “ଲୋକେ ଯାହା ଚାହିଁବେ, ତାହା ହିଁ ହେବ “|
ଗରୀବ ଲୋକଙ୍କ ବ୍ୟବହାର ପାଇଁ ଏକ ନଳକୂପ ଦେବାକୁ କଟକ ମୁନିସିପାଲିଟିକୁ ମଧୁବାବୁ ଆଗରୁ କଥା ଦେଇଥିଲେ | ଏଥିପାଇଁ ଫେବୃଆରୀ 1 ତାରିଖରେ ମୁନିସିପାଲିଟିକୁ ଚେକ ଦେଲେ ମଧୁବାବୁ | ସେହି ଦିନ କଟକ ମିଶନ ବାଳଚରମାନଙ୍କୁ କହିଲେ, “ମୁଁ ତ ଯାଉଛି, | ମନେ ରଖିଥିବ ଜଣେ ଓଡ଼ିଆ ଥିଲା | ଏତିକି ମନେରଖିଥିବ’
ଫେବୃଆରୀ 3 ତାରିଖ 1934 ମସିହା |ସେବିକା ମୁହଁ ଧୋଇ ଦେବାକୁ ଆସିଲେ | ମଧୁବାବୁ ରାଜି ହେଲେନି | କହିଲେ, “ଆଜି ମୋର ମୁହଁ ଧୋଇବା ଆବଶ୍ୟକ ନାହିଁ | କଫିନ ରେ ମୋତେ ଯେତେବେଳେ ରଖିବ, ମୋତେ ଗାଧୋଇ ଦେବ “ସେଦିନ ସନ୍ଧ୍ୟାରେ ପ୍ରଥମ ଥର ପାଇଁ କହିଲେ, “ଓଃ, ଏତେ କଷ୍ଟ, ମୁଁ ଆଉ ସହି ପାରୁନାହିଁ, “ରାତି 8 ଟା ବେଳକୁ ତାଙ୍କ ଦେହ ଶୀତଳ ହେବାକୁ ଲାଗିଲା | ପ୍ରାର୍ଥନା ଶୁଣୁଥା’ନ୍ତି | ରାତି 1:20 ମିନିଟରେ ସବୁ ଶେଷ | ତା ପରଦିନ ହଜାର ହଜାର ଶୋକାକୁଳ ଜନତା ତାଙ୍କ କଫିନ ପଛେ ପଛେ ଗୋରାକବର ଅଭିମୁଖେ ଚାଲିଲେ |

ଗୋରା କବର ମଧ୍ୟରେ “ଶତାବ୍ଦୀର ସୂର୍ଯ୍ୟ “ଅସ୍ତମିତ ହୋଇଗଲେ ଚିର କାଳ ପାଇଁ |ତାଙ୍କ ମୃତ୍ୟୁରେ କବି ଚନ୍ଦ୍ରଶେଖର ମିଶ୍ର ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଲେଖିଛନ୍ତି,”ଜୀବନର ଋଣ ସୁଝି ରଣ ଭୂମେ ଯୁଝି ଯୁଝି ପଡ଼ିଗଲା ଶେଷେ ଆଜି ସଂଗ୍ରାମ କେଶରୀ, ତାହାର ଜନମ ମାଟି ଯାଇଅଛି ଆଜି ଫାଟି ମାଆ କୋଳ ଶେଷେ ବୀର ନେଇଅଛି ବରି |

ହେ ପୁରୁଷ ସିଂହ!
ହେ ପୁଣ୍ୟ ପୁରୁଷ ! ଆଜିବି ତୁମେ ଆମ ଗହଣରେ ରହିଛ ସୁକ୍ଷ୍ମ ରୂପରେ | ତୁମକୁ ଆମେ କେମିତି ଭୁଲିବୁ ହେ ଉତ୍କଳ ଗୌରବ, କୂଳ ବୃଦ୍ଧ ମଧୁସୂଦନ ! ତୁମେ ପରା ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ, ଶତାବ୍ଦୀର ସୂର୍ଯ୍ୟ |

କୋଟି ଓଡ଼ିଆଙ୍କ ପ୍ରଣତି ଘେନ ହେ ପଗଡି ପୁରୁଷ !
ଜୟନ୍ତୀରେ ତୁମକୁ ଏ ଜାତି ପ୍ରଣାମ କରୁଛି
🙏
ବନ୍ଦେ ଉତ୍କଳ ଜନନୀ 👌

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ ଓ ସଭାପତି, AUBI (Association for the undeveloped Beneficiaries of India)

Leave A Reply

Your email address will not be published.