ଶଙ୍ଖୀରୀ ହେବ ଆଧୁନିକ ଭାରତର ସାରସ୍ଵତ ତୀର୍ଥ କ୍ଷେତ୍ର
ପଦ୍ମଭୂଷଣ ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା
ଭାରତବର୍ଷର ସୂକ୍ଷ୍ମ ସତ୍ତାର ଅନ୍ୱେଷଣରେ ବ୍ରତୀ ଥିଲେ ମନୋଜ ଦାସ
- ମନୋଜଙ୍କ ବିଚାର ଥିଲା ମହତ୍ତର ଆଧ୍ୟାତ୍ମିକତା
ଭୁୁବନେଶ୍ୱର,//TATKAL ODISHA//
ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟ ସରକାର ଲେଖକଙ୍କ ଗାଁରେ ଯେଉଁ ଭବ୍ୟ ସ୍ମାରକୀ ନିର୍ମାଣ କରୁଛନ୍ତି, ତାହା ଅଳ୍ପ ଦିନ ମଧ୍ୟରେ ଶେଷ ହେବ ଏବଂ ଶଙ୍ଖାରୀ ହେବ ଆଧୁନିକ ଭାରତର ସାରସ୍ଵତ ତୀର୍ଥକ୍ଷେତ୍ର ।
ଗୁରୁବାର ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ପଦ୍ମଭୂଷଣ ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଘୋଷଣା କରିଛନ୍ତି I ଏଥି ସହିତ ମୁଖ୍ୟ ଅତିଥି ମନୋଜ ଦାସଙ୍କ ଜୀବନୀ ଏବଂ ତାଙ୍କ ଉପଲବ୍ଧି ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି I
ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ବିଶିଷ୍ଟ କଥାକାର ତଥା ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକ ।
ସଂସଦର ସଭାପତି ସୁଖ୍ୟାତ କଥାକାର ଅଧ୍ୟାପକ ବିଶ୍ୱରଂଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାକୁ ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ।
ସଭାପତି ଅଭିଭାଷଣରେ ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ ଯେ ସାରସ୍ଵତ ପୁରୁଷ ମନୋଜ ଦାସ ବ୍ୟକ୍ତିରୁ ବିଚାରରେ ପରିଣତ ହୋଇ ଯାଇଥିଲେ। ଆଉ ତାଙ୍କ ବିଚାର ଥିଲା ମହତ୍ତର ଆଧ୍ୟାତ୍ମିକତା । ମନୋଜଙ୍କ କାବ୍ୟ ପୁରୁଷର ଦ୍ୟୁତି ମଧ୍ୟ କିଛି କମ ନୁହେଁ । ତାଙ୍କ କବିତାରେ ଅଛି ଖରା ଓ ଜ୍ୟୋସ୍ନାର ପୁଲକପ୍ରଦ ଅନୁଭବ । ମନୋଜ ଦାସ ସ୍ମୃତି ସଂସଦର ସାଧାରଣ ସଂପାଦକ ଗୌତମବୁଦ୍ଧ ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।
ସଂଗଠନ ସଂପାଦକ ସରୋଜ ବଳ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହ ସମ୍ପାଦକ ଅମିତାଭ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସ୍ମୃତି ସଭାରେ ବହୁ ବିଶିଷ୍ଟ ଲେଖକ , କବି, ବୁଦ୍ଧିଜୀବୀ ଓ ମନୋଜ ପ୍ରେମୀ ଉପସ୍ଥିତ ଥିଲେ।